ମହାପ୍ରଭୁଙ୍କ ଦର୍ଶନ ପାଇଁ ସପତ୍ନୀକ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି

ପୁରୀ: ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ୫ଘଣ୍ଟା ୧୦ ମିନିଟ ସମୟରେ ମହାମହିମଙ୍କ କାରକେଡ୍ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ତାଙ୍କ କୌଳିକ ପଣ୍ଡା ତାଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସପତ୍ନିକ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ରାଷ୍ଟ୍ରପତି ।

ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ୍ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାକୁ ନଜରରେ ରଖି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯାଇଛି ।

ସୂଚନା ଯୋଗ୍ୟ ଯେ, ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ପ୍ରମୁଖ ସ୍ୱାଗତ ଜଣାଇଥିଲେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାଇଥିଲେ ରାଷ୍ଟ୍ରପତି ।

ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଗୌଡ଼ିୟ ମଠକୁ ଯାଇ ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫ ମିନିଟ୍ ରହିବେ । ପରେ ଶରଧାବାଲି ଯାଇ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗଦେବେ ।

Leave a Reply