ଦେବଗଡ଼ରୁ ୩ଲକ୍ଷ ଟଙ୍କା ଜବତ ଘଟଣା: ‘ନିଜେ ଟଙ୍କା ବାଣ୍ଟି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି ବିଜେପି’

ଭୁବନେଶ୍ୱର: ଗଣମାଧ୍ୟମରେ ପ୍ରକାଶ ରିପୋର୍ଟରୁ ସ୍ପଷ୍ଟ ଯେ, ଦେବଗଡ଼ରେ କାରରୁ ପୋଲିସ କିପରି ୩ଲକ୍ଷ ଟଙ୍କା ଜବତ କରୁଛି ଏବଂ ଦେବଗଡ଼ର ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏହି ସନ୍ଦେହଜନକ ୩ଲକ୍ଷ ଟଙ୍କା ବିଜେପିର ନିର୍ବାଚନୀ ଅର୍ଥ ବୋଲି ଦାବି କରୁଛନ୍ତି । ଏହା ଦର୍ଶାଉଛି ଯେ ଏହି ନିର୍ବାଚନରେ ବିଜେପି କେତେ ଟଙ୍କା ବଣ୍ଟନ କରୁଛି, କାରଣ ଏହି ନିର୍ବାଚନରେ ସେମାନେ ହାରିବା ନିଶ୍ଚିତ ଥିବା ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ବିଜେପି ସାମ୍ୱାଦିକ ସମ୍ମିଳନୀ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ ଆହୁରି କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ନିର୍ବାଚନରେ ଓଡ଼ିଶା ବିଜେପି ନିକଟରେ କୌଣସି ପ୍ରସଂଗ ନାହିଁ ତେଣୁ ସେ ବିଜେଡି ଉପରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି । ଏବଂ ପ୍ରାୟୋଜିତ ନିର୍ବାଚନୀ ହିଂସାକାଣ୍ଡ ଭିଆଇ ଓଡ଼ିଶା ଲୋକଙ୍କ ନଜର ହଟାଉଛନ୍ତି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଠାରୁ ଅତି ଶୋଚନୀୟ ଭାବେ ହାରିବା ଜାଣିବା ପରେ ଓଡ଼ିଶା ବିଜେପି ଅତ୍ୟନ୍ତ ଭୟଭୀତ ହୋଇଛି ଏବଂ ଆଜିର ସାମ୍ୱାଦିକ ସମ୍ମିଳନୀରେ ମହିଳା, ଏସ୍ଏଚଜି, ମିଶନ ଶକ୍ତି ଏବଂ ଓଡ଼ିଶାର ସଶକ୍ତ ମହିଳାଙ୍କୁ ବଦନାମ କରିଛି ବୋଲି ଶ୍ରୀମତି ଦେଓ କହିଛନ୍ତି ।

ସୂଚନା ଯୋଗ ଯେ, ଦେବଗଡ଼ ଆଦର୍ଶ ଥାନା ପୋଲିସ ପକ୍ଷରୁ ୪୯ନମ୍ୱର ଜାତୀୟ ରାଜପଥର ଭୁକାବେଡ଼ା ଗ୍ରାମ ନିକଟରେ ଯାଞ୍ଚ ଚାଲିଥିଲା । ଯାଞ୍ଚ ସମୟରେ ଏକ କାର୍ ମଧ୍ୟରୁ ତିନି ଲକ୍ଷ ୩୩ହଜାର ଟଙ୍କା ମିଳିଥିଲା । ଏକକାଳୀନ ଏକ କାର୍‌ରୁ ଏତେ ଟଙ୍କା ମିଳିବାରୁ ପୋଲିସର ସନ୍ଦେହ ହୋଇଥିଲା । ପୋଲିସ ଟଙ୍କା ସହ କାର୍‌କୁ ଜବତ କରିଛି । କାର୍ ମଦ୍ୟରେ ଥିବା ଜଣେ ପ୍ରାଥମିକ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ସହ ଡ୍ରାଇଭରକୁ ଦେବଗଡ଼ ଆଦର୍ଶ ଥାନାରେ ଅଟକ ରଖାଯାଇଛି । ଖବର ପାଇଁ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଦେବଗଡ଼ ଥାନାରେ ପହଞ୍ଚିବା ସହିତ ଏହି ଟଙ୍କା ବିଜେପି ପକ୍ଷରୁ ଏଜେଣ୍ଟଙ୍କ ଖର୍ଚ୍ଚ ପାଇଁ ପଠାଯାଉଥିବା କହିଥିଲେ । ଏଥସହିତ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ ।

ଏଥିସହିତ ପଢ଼ନ୍ତୁ: କାର୍ ଭିତରୁ ଜବତ ହେଲା ୩ଲକ୍ଷ ୩୩ହଜାର ଟଙ୍କା: ବିଜେପି ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ

Leave a Reply