spot_img
Home Blog Page 4736

ବର୍ଷକରେ ୨୫୮ ଅପହରଣ, ନୟାପଲ୍ଲୀ ଥାନାରେ ସର୍ବାଧିକ କେସ୍

ଭୁବନେଶ୍ୱର: ୨୦୨୧ ମସିହାରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅଧୀନରେ ଥିବା ସମସ୍ତ ଥାନା ମାନଙ୍କରେ ତା ୩୦.୧୧.୨୦୨୧ ମଧ୍ୟରେ ସମୁଦାୟ ୨୫୮ ଟି ଅପହରଣ ମାମଲା ରୁଜୁ କରାଯାଇଥିଲା। ସେଥିମଧ୍ୟରୁ ନୟାପଲ୍ଲୀ ଥାନାରେ ସର୍ବାଧିକ ୨୩ ଟି, ମଞ୍ଚେଶ୍ଵର ଥାନାରେ ୨୦ ଟି, କ୍ୟାପିଟାଲ ଥାନା ଏବଂ ବଡଗଡ ଥାନାରେ ୧୭ ଟି, ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ୧୫ ଟି, ଖାରବେଳନଗର  ଓ ବାଲିଅନ୍ତା ଥାନାରେ ୧୩ ଟି ମାମଲା ରୁଜୁ ହୋଇଥିଲା। ସେହିପରି ନନ୍ଦନକାନନ ଥାନାରେ ସର୍ବନିମ୍ନ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଧଉଳି ଥାନାରେ ୫ଟି, ଇନ୍ଫୋସିଟି  ଥାନାରେ ୮ଟି ତଥା ଏୟାରପୋର୍ଟ, ଏୟାରଫିଲ୍ଡ, ତମାଣ୍ଡୋ ଓ ଲକ୍ଷ୍ମୀସାଗର ଥାନାରେ ୯ ଟି ଲେଖାଏଁ ଅପହରଣ ଜନିତ ମାମଲା ରୁଜୁ ହୋଇଥିଲା।

ପୂର୍ବ ବର୍ଷ ମାନଙ୍କର ବକେୟା ଅପହରଣ ମାମଲା ତଥା ଏ ବର୍ଷ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ସମସ୍ତ ଥାନା ତଥା କିଛି ମାସ ତଳୁ ଡିସିପି ଅଫିସରେ ଗଠିତ ହୋଇଥିବା  କିଡ୍ ନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲର ମିଳିତ ଉଦ୍ୟମରେ  ସର୍ବମୋଟ ୧୪୭ ଟି ମାମଲାର ତଦନ୍ତ ଶେଷ କରିଛନ୍ତି। କିଡନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲ୍ ସର୍ବମୋଟ ୧୫୪ଟି ନାବାଳକ ତଥା ନାବାଳିକା ମାନଙ୍କୁ ଠାବ କରିବା ସହ ୫୯ ଟି ମାମଲାର ତଦନ୍ତ ଶେଷ କରିବାରେ  ସାହାଯ୍ୟ କରିଥିବାବେଳେ ମଞ୍ଚେଶ୍ଵର ଥାନାର ସର୍ବାଧିକ ୧୭ ଟି, ନୟାପଲ୍ଲୀ ଥାନାର ୧୩ ଟି, କ୍ୟାପିଟାଲ ଥାନା ୧୧ ଟି ମାମଲାର ତଦନ୍ତ ଶେଷ ହୋଇଛି । ଏହି ବର୍ଷ ୩୦.୧୧.୨୦୨୧ ମଧ୍ୟରେ ଅପହରଣ ମାମଲାରେ ଜଡ଼ିତ ୪୦ ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ମେ ମାସରୁ ଡି.ସି.ପି ଅଫିସ, ଭୁବନେଶ୍ୱରେ ରେ ଗଠିତ ହୋଇଥିବା Kidnapping ଓ Man Missing Cell ୨୦୦୮ ମସିହାରୁ ରାଜଧାନୀ ର ବିଭିନ୍ନ ଥାନା ମାନଙ୍କରେ ରୁଜୁ ହୋଇଥିବା ଅପହରଣ ମାମଲାର ତଦନ୍ତରେ ତଦନ୍ତକାରି ଅଫିସର ମାନଙ୍କୁ ଉଚିତ ସହାୟତା ଯୋଗାଇ ଆସୁଛି  I ୧୮ ବର୍ଷ ରୁ କମ୍ ବୟସର ନାବାଳକ ଓ ନାବାଳିକା ସ୍ଵଇଚ୍ଛାରେ ପାରିବାରିକ  ଗଣ୍ଡଗୋଳ କିମ୍ବା ପ୍ରେମ ସମ୍ପର୍କ ଥାଇ ଘରୁ ପଳାୟନ କଲେ ମଧ୍ୟ ଆଇନ ଗତ ଦୃଷ୍ଟି କୋଣରୁ ଅପହରଣ ମାମଲା ରୁଜୁ କରାଯିବାର ପ୍ରାବଧାନ ରହିଛି I କିନ୍ତୁ Kidnapping ଓ Man Missing Cell ର ପ୍ରଚେଷ୍ଟା କ୍ରମେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାର ବିଭିନ୍ନ ଥାନା ମାନଙ୍କରେ ୨୦୦୮ ମସିହାରୁ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ଗତ ମେ ମାସରୁ ଏଯାବତ ସମୁଦାୟ ୧୧୬୯ ଜଣ ଅଭିଯୋଗକାରୀ ତଥା ଅପହରଣ ମାମଲାରେ ଅନ୍ତର୍ଭୁକ୍ତ ଥିବା ନାବାଳକ ଓ ନାବାଳିକା ମାନଙ୍କୁ ଠାବ କରାଯାଇ ସେଲ ତରଫରୁ ସମ୍ପର୍କ କରାଯାଇଛି I

ଉଲ୍ଲେଖଯୋଗ୍ୟ ଯେ ବହୁତ  ଜଣ ନାବାଳକ ଓ ନାବାଳିକା  ସ୍ଵ-ଇଛା ରେ ପ୍ରେମ ସମ୍ପର୍କ କିମ୍ବା ପାରିବାରିକ ଗଣ୍ଡଗୋଳରୁ ଉତକ୍ଷିପ୍ତ  ହୋଇ ଘରୁ ପଳାୟନ କରିଥିଲେ  । ତେଣୁ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ର ସ୍କୁଲ ଓ କଲେଜ ପିଲା ମାନଙ୍କୁ ଏହି ବାବଦରେ ସଚେତନ କରିବା ପାଇଁ ଡି.ସି.ପି ଅଫିସ ଭୁବନେଶ୍ୱର ପକ୍ଷରୁ “ପ୍ରାରମ୍ଭ” ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ରମାଦେବୀ ବିଶ୍ଵବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।

ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ବନ୍ଦ ରହିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ସ୍ଥିତିରେ ଆଗକୁ ଆସୁଛି ନୂଆବର୍ଷ । ନୂଆବର୍ଷକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ନୂଆ ବର୍ଷକୁ ଦୃଷ୍ଟିରେ ରଖି ଜାରି ହୋଇଛି ସ୍ୱତନ୍ତ୍ର ମାର୍ଗଦର୍ଶିକା । ଡିସେମ୍ବର ୩୧ରୁ ଜାନୁଆରୀ ୩ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଥିବା ବେଳେ ଭୁବନେଶ୍ୱରରେ ନୂଆ ଗାଇଡ ଲାଇନ୍ସ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ନୂଆ ବର୍ଷରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଭିଡ ହେବାର ଆଶଙ୍କା ଥିବାରୁ ଏଥି ପାଇଁ ଆଗାମୀ ତିନି ଦିନ ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ କରିଛି ବିଏମସି ।

ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଆସୁଥିବା ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାରାକୁ ଆସନ୍ତା ୩ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ ପ୍ଲାନଟେରିୟମ ଓ ନନ୍ଦନକାନନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ସେହିଭଳି ହୋଟେଲ, ପବ୍ଲିକ୍ ଓ ବିଭିନ୍ନ ପାର୍କରେ ମଧ୍ୟ ନୂତନ ବର୍ଷ ପାଳନକୁ ନିଷେଧ କରାଯାଇଛି । ତେବେ ଏହି ନିୟମ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଏଥିପାଇଁ ୩ଟି ଜୋନରେ ମୋଟ ୧୩ଟି ଏନଫୋର୍ସମେଣ୍ଟ ସ୍କ୍ବାଡ ଗଠନ କରାଯାଇଛି ।

ଜିରୋ ନାଇଟକୁ ନା, ରାତି ୧୦ରୁ ନାଇଟ୍ କର୍ଫ୍ୟୁ

କଟକ: ନୂଆ ବର୍ଷ ପାଇଁ ନୂଆ କଟକଣା । ଚଳିତ ବର୍ଷ କଟକରେ ବି ପାଳନ ହେବନାହିଁ ଜିରୋ ନାଇଟ । ୩୧ ତାରିଖ ରାତି ୧୦ଟାରୁ ଲାଗୁହେବ ନାଇଟ କର୍ଫ୍ୟୁ । ଜରୁରୀ ନଥିଲେ ରାତିରେ ବାହାରିବା ବାରଣ କରାଯାଇଛି । କଟକ ଏଣ୍ଟ୍ରି ଓ ଏକ୍ସଜିଟ ଓ ପ୍ରତିଟି ସ୍ଥାନରେ ମୁତୟନ ହେବ ପୋଲିସ ।

ସହରରେ ଥିବା ସମସ୍ତ କ୍ଲବ, ହୋଟେଲରେ ଜିରୋନାଇଟ୍ ପାଳନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ନିର୍ଦ୍ଦେଶକୁ ଅମାନ୍ୟ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ତେବେ ଓମିକ୍ରନ ମାମଲା ରାଜ୍ୟରେ ବଢୁଥିବା ବେଳେ ଏଭଳି କଟକଣା ଲଗାଇଛନ୍ତି ରାଜ୍ୟ ସରକାର   ।

ପୂର୍ବରୁ ବଡ଼ଦିନ ପାଇଁ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ  । ୫୦ରୁ ଅଧିକ ଲୋକ ଏକତ୍ରୀକରଣ ଏବଂ ବଡଦିନ ସେଲିବ୍ରେସନ , ଭୋଜିଭାତ ଉପରେ SRC ଲାଗୁ କରିଥିଲେ କଟକଣା । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଏସପି କୋଭିଡ଼ କଟକଣା ଅନୁପାଳନ କରିବାକୁ ନେଇ  ସୂଚନା ପ୍ରଦାନ କରିଛନ୍ତି  ।

ଆଉ ୬ ମାସ ବଢ଼ିଲା AFSPA ଆଇନ କ୍ଷମତା

ନୂଆଦିଲ୍ଲୀ: ନାଗାଲାଣ୍ଡରେ ଆଉ ୬ ମାସ ବଢିଲା ବିବାଦୀୟ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ ବା AFSPA । ଗତ ଡିସେମ୍ବର ୪ରେ ଯବାନଙ୍କ ଗୁଳିରେ ୧୩ ଜଣ ନାଗରିକ ପ୍ରାଣ ହରାଇବା ଘଟଣାକୁ ନେଇ ରାଜ୍ୟରେ ଅଶାନ୍ତି ଜାରି ରହିଥିବା ସତ୍ତ୍ବେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣାର ବର୍ତ୍ତମାନ କୋର୍ଟ ଅଫ ଏନକ୍ବାରି ଜାରି ରହିଛି । ଏହି ଆଇନ ବଳରେ ସେନାଙ୍କୁ ଅନେକ କ୍ଷମତା ଦିଆଯାଇଛି । ନାଗାଲାଣ୍ଡରୁ AFSPA ଉଚ୍ଛେଦ କରିବା ଲାଗି ଦାବି ଉପସ୍ଥାପନ କରିବା ପାଇଁ ଡିସେମ୍ବର ୨୦ରେ ନାଗାଲାଣ୍ଡ ବିଧାନସଭା ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ନାଗାଲାଣ୍ଡରୁ AFSPA ପ୍ରତ୍ୟାହାର ସମ୍ଭାବନା ପ୍ରସଙ୍ଗ ଅନୁଶୀଳନ ପାଇଁ ଏକ ୫ଜଣିଆ ସଦସ୍ୟ ବିଶିଷ୍ଟ କମିଟି ମଧ୍ୟ ଗଠିତ ହୋଇଥିଲା।

ସୂଚନା ଅନୁସାରେ, ଡିସେମ୍ବର ୪ରେ ଆତଙ୍କୀ ଅପରେସନ୍‌ ବେଳେ ସେନା ଭୁଲରେ ସାଧାରଣ ଲୋକଙ୍କ ଉପରକୁ ଅତର୍କିତ ଗୁଳି ମାରିଥିଲେ । ଯାହା ଦ୍ୱାରା ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ସେନା ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ। ଏହି ଘଟଣା ଏବେ କୋର୍ଟରେ ତଦନ୍ତ ଚାଲିଛି।

ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ AFSPA ଆଇନ ପ୍ରତ୍ୟାହାର ପାଇଁ ଦାବି ବୃଦ୍ଧି ପାଇବାରେ ଲାଗିଛି । ନାଗାଲାଣ୍ଡ ରାଜଧାନୀ କୋହିମା ସମେତ ଅନେକ ଜିଲ୍ଲାରେ AFSPA ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

 

 

 

 

ସେଞ୍ଚୁରିୟନରେ ଇତିହାସ ରଚିଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ହରାଇଲା ଟିମ୍ ଇଣ୍ଡିଆ

ସେଞ୍ଚୁରିୟନ: ଦକ୍ଷିଣ ଆଫ୍ରିକାରେ ଭାରତର ବଡ଼ ବିଜୟ । ସେଞ୍ଚୁରିୟନରେ ଇତିହାସ ରଚିଲା ବିରାଟ ବାହିନୀ । ସେଞ୍ଚୁରିୟନରେ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ବୋଲିଂ ଆଟାକର ସାମ୍ନା କରିପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ମାତ୍ର ୧୯୧ ରନରେ ହିଁ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା । ଯାହା ଫଳରେ ଭାରତ ଏହି ମ୍ୟାଚକୁ ୧୧୩ ରନରେ ବିଜୟ ଲାଭ କରିଛି । ଏହି ବିଜୟ ସହ ଭାରତ ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।

ମ୍ୟାଚ ପ୍ରଥମ ଦିନରୁ ହିଁ ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିଥିଲା ଭାରତ। ପ୍ରଥମ ଇନିଂସରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ୩୨୭ ରନ କରିଥିଲା । ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ ପରେ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଥିଲେ ଭାରତୀୟ ଦ୍ରୁତ ବୋଲର । ଭାରତୀୟ ଦ୍ରୁତ ବୋଲରଙ୍କୁ ସାମ୍ନା କରିପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ଯାହା ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୯୭ ରନ କରି ଅଲଆଉଟ ହୋଇଥିଲେ । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ମହମ୍ମଦ ସାମି ୫ଟି, ଯଶପ୍ରୀତ ବୁମ୍ରା ଓ ଶାର୍ଦ୍ଦୁଳ ଠାକୁର ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ୧୯୭ରେ ଅଲଆଉଟ କରିବା ପରେ ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ କୋଲାପ୍ସ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ଭାରତ ୧୭୪ ରନ କରି ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନର ବିଜୟ ଲକ୍ଷ୍ୟ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ତିନୋଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଶତକ ପାଇଁ କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

 

 

 

ନିର୍ଦ୍ଧାରିତ ସମୟରେ ହେବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟରେ ହେବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ବିଧାନସଭା ନିର୍ବାଚନ ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳ ସହମତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି କି ପ୍ରାୟ ସମସ୍ତ ଦଳ ନିର୍ବାଚନ ସପକ୍ଷରେ ରହିଛନ୍ତି । କରୋନା କଟକଣା ଭିତରେ ବିଧାନସଭା ନିର୍ବାଚନ ହେବ ବୋଲି କହିଛନ୍ତି ସୁଶୀଲ ଚନ୍ଦ୍ରା । ଉତ୍ତର ପ୍ରଦେଶରେ ୧୧ ହଜାର ଅଧିକ ପୋଲିଂ ବୁଥରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ୫୨ ଲକ୍ଷ ୮୦ ହଜାର ନୂଆ ଭୋଟର ଯୋଡ଼ି ହୋଇଥିବାବେଳେ ପ୍ରତି ବୁଥ୍ ଲାଗି ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇଛି । ପ୍ରତି ୧୨୦୦ ଭୋଟରଙ୍କ ଲାଗି ଗୋଟିଏ ବୁଥ୍ ଗଠନ ହେବ ବୋଲି କହିଛନ୍ତି ସୁଶୀଲ ଚନ୍ଦ୍ରା ।

ଏଥି ସହ ଯେଉଁମାନେ କୋଭିଡ ସଂକ୍ରମିତ ଥିବେ ସେମାନେ ଘରେ ରହି ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ଘରେ ରହି ଭୋଟ ଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି । ସମ୍ପୂର୍ଣ୍ଣ ଡୋଜ ନେଇଥିବା କର୍ମଚାରୀ ପୋଲିଂ ଟିମରେ ସାମିଲ ହେବେ । ନିର୍ବାଚନ ହେବାକୁ ରାଜ୍ୟଗୁଡିକରେ ଟିକାକରଣକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି । ଆସନ୍ତା ଜାନୁଆରୀ ୫ରେ ପ୍ରକାଶିତ ହେବ ଚୂଡାନ୍ତ ଭୋଟର ତାଲିକା । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ଗ୍ରହଣ ଚାଲିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

ରାଜ୍ୟରେ ଖୁବଶୀଘ୍ର ବିଶ୍ବସ୍ତରୀୟ ମ୍ୟୁଜିୟମ୍ କଂପ୍ଲେକ୍ସ

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଏକ ବିଶ୍ବସ୍ତରୀୟ ମ୍ୟୁଜିୟମ୍ କଂପ୍ଲେକ୍ସ ଖୋଲିବ । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି । ଏହା ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଇତିହାସକୁ ଅଧିକ ରୁଦ୍ଧିମନ୍ତ କରିବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଗୁରୁବାର କଳିଙ୍ଗ ଆର୍ଟ ଗ୍ୟାଲେରୀ ସହ ଆଉ ୫ଟି ଆର୍ଟ ଗ୍ୟାଲେରୀ ଉଦଘାଟନ କରିଛନ୍ତି । ରାଜ୍ୟ ସଂଗ୍ରହାଳୟ ପରିସରରେ ଉଦ୍‌ଘାଟିତ କଳିଙ୍ଗ ଆର୍ଟ ଗ୍ୟାଲେରୀ ହେଉଛି ରାଜ୍ୟର ସର୍ବବୃହତ୍ ଆର୍ଟ ଗ୍ୟାଲେରୀ । ଏହାଛଡ଼ା ଛତ୍ରପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟରେ ୫ଟି ଗ୍ୟାଲେରୀ ଉଦଘାଟିତ ହୋଇଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ସହଭାଗିତାରେ ଏହା ପ୍ରତିଷ୍ଠା କରାଯାଇଛି ।

ଭର୍ଚୁଆଲରେ ଏହି ଆର୍ଟ ଗ୍ୟାଲେରୀ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ହେଉଛି କଳା, ସଂସ୍କୃତି ଓ ଐତିହ୍ୟର ରାଜ୍ୟ । ପେଣ୍ଟିଂ, ହସ୍ତକଳା ଆଦି ହେଉଛି ଆମର ବଡ଼ ପୁଂଜି । ଆମ କଳାକୃତିର ସଂରକ୍ଷଣ ସହ ସୁରକ୍ଷା ଦିଗରେ ଏ ଆର୍ଟ ଗ୍ୟାଲେରୀ ସହଯୋଗ କରିବ । କଳିଙ୍ଗ ଆର୍ଟ ଗ୍ୟାଲେରୀ ଆମ ରାଜ୍ୟର କଳା ଓ ଶିଳ୍ପୀମାନଙ୍କ ପାଇଁ ଏକ ପାୱାର ହାଉସ୍ ଭଳି କାମ କରିବ । ଶିଳ୍ପୀମାନେ ତାଙ୍କ କଳାକୃତୀର ପ୍ରଦର୍ଶନ ପାଇଁ ବଡ଼ ସୁଯୋଗ ଦେବ । ପର୍ଯ୍ୟଟକମାନେ ମଧ୍ୟ ଆମ ରାଜ୍ୟର କଳା ସଂସ୍କୃତି ବିଷୟରେ ଅଧିକ ଅବଗତ ହୋଇପାରିବେ ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି)ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିଲେ ।

ଦିବ୍ୟାଙ୍ଗଙ୍କୁ ସହାୟତା ଦେବେ ସରକାର

ଭୁବନେଶ୍ବର: ଅଙ୍ଗ ହରାଇଥିବା ଲୋକଙ୍କୁ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର ।  ଯଦି ପ୍ରତିରୋପଣର ଆବଶ୍ୟକତା ଅଛି, ତେବେ କୃତ୍ରିମ ଅଙ୍ଗ ଲଗାଇବାକୁ 15 ପ୍ରତିଶତ ରିହାତି ଦେବେ ସରକାର । ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ARC ପକ୍ଷରୁ ଏହି ଖର୍ଚ୍ଚ ବହନ କରାଯିବ । ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ARC ଅଛି । ଆଗାମୀ ଦିନରେ ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ARC ହେବ । ୩ଟି 100 ଶଯ୍ୟା ବିଶିଷ୍ଟ ଭିକ୍ଷୁକ ଆଶ୍ରୟସ୍ଥଳୀ କରାଯିବ । ଦୁଇଟି କେନ୍ଦୁଝରରେ ଓ ଗୋଟିଏ ସୁନ୍ଦରଗଡ଼ରେ କରାଯିବ ।’

ମାଡୁଛି କରୋନା: ଦିଲ୍ଲୀରେ କମ୍ୟୁନିଟି ସ୍ପ୍ରେଡ, ମୁମ୍ବାଇରେ ତୃତୀୟ ଲହର !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି । ଦେଶରେ ପୁଣି ୧୦ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୧୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୪୩ ପ୍ରତିଶତ ବଢିଛି କରୋନା ଗ୍ରାଫ । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସେଥିମଧ୍ୟରୁ ଦିଲ୍ଲୀରେ ୯୨୩ ମାମଲା ଚିହ୍ନଟ ହୋଇଥିବାବେଳେ ମୁମ୍ବାଇରେ ଚିହ୍ନଟ ହୋଇଛନ୍ତି ୨୫୧୦ ନୂଆ ମାମଲା । ଓମିକ୍ରନ କାରଣରୁ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି ବୋଲ କୁହାଯାଉଛି । ଏପରି ସ୍ଥିତିରେ ଦିଲ୍ଲୀ, ମୁମ୍ବାଇ ଓ ବିହାରରେ ତୃତୀୟ ଲହର ଆରମ୍ଭ ହୋଇସାରିଛି ବୋଲି କୁହାଯାଉଛି ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ଗୁରୁବାର ଏକ ପ୍ରେସ କନଫରମେନ୍ସରେ କହିଛନ୍ତି କି ଦିଲ୍ଲୀରେ ଯେଉଁ ମାମଲା ସାମ୍ନାକୁ ଆସିଛି ତାହା ମଧ୍ୟରୁ ୪୬ ପ୍ରତିଶତ ମାମଲା ଓମିକ୍ରନ ଆକ୍ରାନ୍ତ ଅଟେ । ପ୍ରଥମରୁ ବିଦେଶରୁ ଆସୁଥିବା ଲୋକଙ୍କ ମଧ୍ୟରେ ଓମିକ୍ରନ ମାମଲା ଚିହ୍ନଟ ହେଉଥିଲା । ଏବେ କିନ୍ତୁ ସାଧାରଣ ଲୋକ ବି ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ବୋଲି କହିଛନ୍ତି ସତେନ୍ଦ୍ର ଜୈନ ।

ଦିଲ୍ଲୀ ସହ ମୁମ୍ବାଇରେ ମଧ୍ୟ କରୋନା କେସ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମୁମ୍ବାଇରେ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କହିଛନ୍ତି କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ । ଆଗକୁ ସଂକ୍ରମଣ ଅଧିକ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି । ମୁମ୍ବାଇରେ ସଂକ୍ରମଣ ୮୨ ପ୍ରତିଶତ ଓ ଦିଲ୍ଲୀରେ ପଜିଟିଭିଟି ରେଟ୍ ୧.୨୯ ପ୍ରତିଶତ ବୃଦ୍ଧି ପାଇଛି । କେବଳ ଦିଲ୍ଲୀ ଓ ମୁମ୍ବାଇ ନୁହେଁ ଭାରତର ଅନେକ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୁଜୁରାଟରେ ବି ବୁଧବାର ୫୪୮ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରେ ବି ବୁଧବାର ୧୦୮୯ ନୂଆ ମାମଲା ସାମ୍ନାକୁ ଆସିଛି । ବିଗତ ଛଅ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ଏହା ସର୍ବାଧିକ କେସ୍ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ ବଢ଼ିବ ବାଘ ସଂଖ୍ୟା !

ଭୁବନେଶ୍ବର: ଚଳିତବର୍ଷ ଓଡିଶାରେ ବଢ଼ିପାରେ ବାଘ ସଂଖ୍ୟା । ଏହାସହ ରାଜ୍ୟରେ ହେବ ନୂଆ ବାଘ ସଂରକ୍ଷିତ ଜଙ୍ଗଲ । ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ ଶଶୀ ପଲ । ସେ କହିଛନ୍ତି, ‘କିଛିବର୍ଷରେ ବାଘ ଛୁଆଙ୍କ ଗତିବିଧିରୁ ବାଘ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି । ପ୍ରଥମ ପର୍ଯ୍ୟାୟ ବାଘଗଣନା ପରେ ଦ୍ଵିତୀୟ ପର୍ଯ୍ୟାୟ ଚାଲିଛି । ତୃତୀୟ ପର୍ଯ୍ୟାୟ ଗଣନା କ୍ୟାମେରା ମାଧ୍ୟମରେ ହେବ ଏବଂ ସବୁ ପର୍ଯ୍ୟାୟ ଗଣନା କରିବାକୁ ଆଉ 6 ମାସ ଲାଗିବ ।’

ବାଘ ଗଣତି ଟେକ୍ନୋଲୋଜିରେ ପରିବର୍ତ୍ତନ ଯୋଗୁଁ ବାଘ ସଂଖ୍ୟା ହ୍ରାସ ପାଇଛି । ପୂର୍ବରୁ ପାଦ ଚିହ୍ନ ଦେଖି ବାଘ ଗଣନା କରାଯାଉଥିଲା । ମାତ୍ର ଏବେ କ୍ୟାମେରା ମାଧ୍ୟମରେ କରାଯିବା ଦ୍ବାରା ସଂଖ୍ୟା କମିଥିବା ଜଣାଯାଇଛି । ସୁନାବେଡାକୁ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ଶିମିଳିପାଳ ଓ ସାତକୋଶିଆ ଦୁଇଟି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ ରହିଛି ବୋଲି କହିଛନ୍ତି ପିସିସିଏଫ ।