spot_img
Home Blog Page 4735

ଓଡ଼ିଶାରେ ଚିନ୍ତା ବଢ଼ାଇଲା ଓମିକ୍ରନ

ଭୁବନେଶ୍ବର: ରାଜ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନକୁ ନେଇ ବଢ଼ିଛି ଚିନ୍ତା । ବିଦେଶ ଫେରନ୍ତାଙ୍କ ବାଦ ପ୍ରଥମ ଥର ଜଣେ ଅଣ ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ଗତକାଲି ଚିହ୍ନଟ ହୋଇଥିବା ୫ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ଜଣେ କଣ୍ଟ୍ରାକ୍ଟ ଟ୍ରେସିଂରେ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହାସହ ଆହୁରି ସତର୍କ ରହିବାକୁ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ଅଛି ଓଡ଼ିଶା । ଜାନୁଆରୀ ୩ ତାରଖରୁ ୧୫ରୁ ୧୮ ବର୍ଷ ବର୍ଗରେ ୨୩ ଲକ୍ଷ ୬୫ ହଜାର କିଶୋର ଟିକା ନେବେ । ମାସେ ଭିତରେ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆସନ୍ତାକାଲିଠୁ ପଞ୍ଜିକରଣ ଆରମ୍ଭ ହେବ । ଜିଲ୍ଲାସ୍ତରରେ ଅଧିକ ଟିକାକେନ୍ଦ୍ର ଖୋଲିବା ସହ ଆବଶ୍ୟକ ପଡ଼ିଲେ ସ୍କୁଲରେ ଟିକାକେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ଭାରତରେ ମୁଣ୍ଡ ନେଲା ଓମିକ୍ରନ

ନୂଆଦିଲ୍ଲୀ: ବଢ଼ିଲା ଟେନସନ୍ । ଭାରତରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ । ମୃତକ ଜଣଙ୍କ ମହାରାଷ୍ଟ୍ରର ହୋଇଥିବା ସୂଚନା । ସେପଟେ ଦେଶରେ ଆରମ୍ଭ ହେଲାଣି ତୃତୀୟ ଲହର । ଏବେଠୁ ସତର୍କ ନହେଲେ ଆଗକୁ ବିଗିଡ଼ିଯିବ ସ୍ଥିତି । ଦିଲ୍ଲୀ ଓ ମୁମ୍ବାଇରେ ଦ୍ରୁତଗତିରେ ମାଡି ଚାଲିଛି ଓମିକ୍ରନ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଦେଶର ୧୪ ସହରରେ ସଂକ୍ରମଣ ଗ୍ରାଫ୍ ବଢୁଥିବା ବେଳେ ହଜାରେ ପାଖାପାଖି ହେଲାଣି ଓମିକ୍ରନ କେସ୍ । ଅଧିକ ସଂକ୍ରମିତ ହେଉଥିବା ୮ ରାଜ୍ୟକୁ କେନ୍ଦ୍ର ଚିଠି ଲେଖି ସତର୍କ କରାଇଛନ୍ତି । ଦିଲ୍ଲୀରେ ମୋଟ ମାମଲା ମଧ୍ୟରୁ ୪୬ ପ୍ରତିଶତ ଓମିକ୍ରନ କେସ୍ । ଦିଲ୍ଳୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁରେ ବି ଅଣାୟତ ହେବାରେ ଲାଗିଛି ସଂକ୍ରମଣ । କେରଳରେ ସର୍ବାଧିକ ଆକ୍ଟିଭ୍ କେସ୍ ରହିଥିବା ବେଳେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ପଜିଟିଭିଟି ରେଟ୍ ବଢିଛି ।

ସଂକ୍ରମଣକୁ ମାତ୍‌ ଦେବାକୁ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ସେପଟେ ବିଦେଶରେ ବି ତାଣ୍ଡବ ରଚୁଛି ଓମିକ୍ରନ । ଅଧିକାଂଶ ଦେଶରେ ଭୟଙ୍କର ସ୍ଥିତି । ଫ୍ରାନ୍ସରେ ରୋଗୀଙ୍କୁ ବେଡ୍ ମିଳୁ ନଥିବା ବେଳେ ଆଗକୁ ଭୟଙ୍କର ସ୍ଥିତି ଆସିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଏହି ସବୁ ବିଭାଗର ଏଜେଣ୍ଡାକୁ ମିଳିପାରେ ଅନୁମତି..

ଭୁବନେଶ୍ୱର: ଶୁକ୍ରବାର ବସିବ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ବସିବ କ୍ୟାବିନେଟ ବୈଠକ  । ସୂଚନା ମୁତାବକ ଅପରାହ୍ନ 12ଟା 30ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ କରାଯିବ । ଉଚ୍ଚ ଶିକ୍ଷା, ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ, ପଞ୍ଚୟତିରାଜ ଓ ନଗରଉନ୍ନୟନ ଭଳି ବିଭାଗର ଏଜେଣ୍ଡାକୁ ମିଳିବ ମଞ୍ଜୁରୀ ।

ସେହିପରି ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦରମା ମିଳିବା ନେଇ କ୍ୟାବିନେଟର ମୋହର ମାରିବା ସମ୍ଭାବନା ରହିଛି । କିଛି ସର୍ଭିସ କ୍ୟାଡର ପୁନର୍ଗଠନକୁ ବୈଠକରେ ମଞ୍ଜୁରୀ ମିଳିବାର ମଧ୍ୟ ସମ୍ଭାବନା ରହିଛି ।

ଏଡିଜି ପାହ୍ୟାରେ ରେଖା ଲୋହାନୀଙ୍କ ସମେତ ୪ IPS

ଭୁବନେଶ୍ୱର: ୧୯୯୭ ବ୍ୟାଚ୍ର ୪ଜଣ ଆପିଏସ ଅଫିସରଙ୍କ ପଦନ୍ନୋତି ଦେଲେ ରାଜ୍ୟ ସରକାର । ଡିଏସ କୁଟ୍ଟେ, ଦିପ୍ତେଶ ପଟ୍ଟନାୟକ, ଅସିତ ପାଣିଗ୍ରାହୀ, ରେଖା ଲୋହାନୀଙ୍କୁ ଏଡିଜି ପାହ୍ୟାକୁ ପଦନ୍ନୋତି ମିଳିଛି । ଡିଏସ କୁଟ୍ଟେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପଦୋନ୍ନତି ପରେ ବି ସେ ସିଏମଓରେ କାର୍ଯ୍ୟ କରିବେ ।

ସେପଟେ ଦୀପ୍ତେଶ ପଟ୍ଟନାୟକ ଜେଲ ବିଭାଗର ଆଇଜି ଅଛନ୍ତି । ଏଥିସହ OSRTCର ସିଏମଡି ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଅସୀତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଅଛନ୍ତି । ଭୁବନେଶ୍ୱର-କଟକ ପୋଲିସରେ ଅତିରିକ୍ତ ପୋଲିସ କମିଶନର ଅଛନ୍ତି ରେଖା ଲୋହାନି । ଏହି ବରିଷ୍ଠ ଅଧିକାରୀ ମାନେ ପଦନ୍ନୋତି ପରେ ବି ପୂର୍ବଭଳି ନିଜ ପଦରେ ରହି କାର୍ଯ୍ୟ କରିବେ ।

 

ମର୍ଯ୍ୟାଦାର ସହ ହେବ କିଶୋର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ଆକାଶରୁ ଅପସରି ଗଲେ କିଶୋର ମହାନ୍ତି । ଓଡ଼ିଶା ରାଜନୀତିର ପ୍ରବୀଣ ରାଜନେତା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ଶାସକ ଦଳ ଠାରୁ ବିରୋଧି କିଶୋରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ସଭିଏଁ । ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ଗାର୍ଡ ଅଫ ଅନର ଦିଆଯିବ । ସେପଟେ କିଶୋର ମହାନ୍ତିଙ୍କୁ ଗାର୍ଡ ଅଫ ଅନର ଦିଆଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ  ।

ଆସନ୍ତାକାଲି କିଶୋରଙ୍କ ପାର୍ଥିବ ଶରୀରକୁ ପରିବାର ଓ ସାଧାରଣ ଲୋକ ଶେଷ ଦର୍ଶନ କରିପାରିବେ  ।  କୋଭିଡ କଟକଣା ଭିତରେ ଜାରି ରହିବ ସାଧାରଣ ଦର୍ଶନ ପ୍ରକ୍ରିୟା । ଏପରି ସ୍ଥିତିରେ  ଶୋଭାଯାତ୍ରା ହେବନାହିଁ , ବ୍ରଜରାଜନଗରକୁ କେବଳ ଦର୍ଶନ ପାଇ ନିଆଯିବ, ସେହିପରି ଝାରସୁଗୁଡ଼ାରେ ଦିବଙ୍ଗତ ବିଧାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି  ।

୧୭ ବର୍ଷର ରାଜୁତି ପରେ ନାଁ ପରିବର୍ତ୍ତନ କଲା ଫେସବୁକ

ନନ୍ଦିଘୋଷ ବ୍ୟୁରୋ: ୨୦୨୧ ସୋସିଆଲ ମିଡିଆ ଓ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଘଟଣା ବହୁଳ ବର୍ଷ ଥିଲା । ଫେସବୁକଠାରୁ ଆରମ୍ଭ କରି ଟ୍ୱିଟର ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳିଥିଲା କିଛି ନା କିଛି ପରିବର୍ତ୍ତନ । ଏପରି ପରିବର୍ତ୍ତନକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ଫେସବୁକ୍ । ୧୭ ବର୍ଷର ବିଜୟ ଯାତ୍ରା ପରେ ନାମ ପରିବର୍ତ୍ତନ କରିଥିଲା ଏହି ବହୁଳ ବ୍ୟବହୃତ ସୋସିଆଲ ମିଡ଼ିଆ ଫେସବୁକ । ଆସିଥିଲା ନୂଆ ନାଁ ‘ମେଟା’।

ସୋସିଆଲ ମିଡିଆ ପ୍ଲାଟଫର୍ମର ବାଦଶାହା ‘ଫେସବୁକ’ । ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ କମ୍ପାନୀ ମଧ୍ୟରେ ଅନ୍ୟତମ ଫେସବୁକ । ବିଶ୍ୱରେ ମୋଟ ୨.୮୯ ବିଲିୟନ ୟୁଜର୍ସ ଫେସବୁକ ବ୍ୟବହାର କରୁଛନ୍ତି । କେବଳ ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୪୧ କୋଟି । ୪ ଜାନୁଆରୀ ୨୦୦୪ରେ ମାର୍କ ଜୁକରବର୍ଗଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଏବେ ବିଶ୍ୱରେ ପ୍ରମୁଖ ସାମାଜିକ ଗଣମାଧ୍ୟମ ହୋଇପାରିଛି । ଏହି ୧୭ ବର୍ଷ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ରାଜୁତି କରିବା ପରେ ୨୦୨୧ରେ ନାଁ ବଦଳାଇଛି କମ୍ପାନୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ’ମେଟା’ ନାଁରେ ଲୋକଙ୍କ ପାଖରେ ପହଞ୍ଚିଛି । ଫେସବୁକ ମୂଳ କମ୍ପାନୀର ନାଁ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ ଫେସବୁକ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ । ମୂଳ କମ୍ପାନୀର ନାଁ ବଦଳୁଥିଲେ ମଧ୍ୟ ଏକକ ବ୍ରାଣ୍ଡ ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟସଆପର ନାଁ ଅପରିବର୍ତ୍ତିତ ରହିବ ।

’ମେଟା’ ନାଁର ଉଦ୍ଦେଶ୍ୟ କ’ଣ?

ଫେସବୁକ ନାଁ ପରିବର୍ତ୍ତନ ପୂର୍ବରୁ ବିଗତ କିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ୍ କରିବ ବୋଲି ରିପୋର୍ଟ ଆସୁଥିଲା । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାଭର୍ସ କରିବା ପାଇଁ ଫୋକସ କରୁଥିଲା । ଯାହା ମୂଳତଃ ଏକ ଅନଲାଇନ ଦୁନିଆ, ଯେଉଁଥିରେ ୟୁଜର ଭର୍ଚ୍ୟୁଆଲ ପରିବେଶରେ ଭିନ୍ନ ଭିନ୍ନ ଟୁଲ୍ସର ବ୍ୟବହାର କରିପାରିବେ ।

ମାର୍କ ଜୁକରବର୍ଗ ଘୋଷଣା କରି କହିଥିଲେ କମ୍ପାନୀ କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ । ଏହା ଆମ୍ବାଇଟେଡ୍ ଇଣ୍ଟରନେଟ୍ ଉପରେ କାମ କରିବ । ଯେଉଁଥିରେ ଭର୍ଚ୍ୟୁଆଲ ଦୁନିଆରେ ପରସ୍ପର ସହ ଅଧିକ ଭଲ ଭାବେ ଯୋଡି ହୋଇପାରିବେ । ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଥିଲେ । ପୁଣି ଥରେ ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବାକୁ ଏପରି କରାଯାଇଥିବା ଜଣାପଡ଼ିଥିଲା ।

କମ୍ପାନୀର ପୂର୍ବତନ ସିଭିକ୍ ଇଣ୍ଟିଗ୍ରିଟି ଚିଫ୍ ସମୀଥ ଚକ୍ରବର୍ତ୍ତୀ କମ୍ପାନୀର ନୂଆ ନାଁ ’ମେଟା’ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ପୂର୍ବରୁ ୨୦୦୪ରେ ଯେତେବେଳେ ଫେସବୁକ ପ୍ରତିଷ୍ଠା ହୋଇଥିଲା ଏହାର ନାଁ ‘ଦି ଫେସବୁକ’ ରହିଥିଲା । କିନ୍ତୁ ୨୦୦୫ ମସିହାରେ ଏହାର ନାମ ପରିବର୍ତ୍ତନ କରି କେବଳ ଫେସବୁକ ରଖାଯାଇଥିଲା ।

ଫେସବୁକ୍ ପ୍ଲାଟଫର୍ମକୁ କେତେକ ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ ଲଗାଇବା, ଫେକ୍ ନ୍ୟୁଜ୍ ପ୍ରସାରଣ ହେବା ସହ ବିଭିନ୍ନ ରାଷ୍ଟ୍ରର ରାଜନେତାମାନଙ୍କ ସମାଲୋଚନା ପରେ ଫେସବୁକ୍ ଏହି ନିଷ୍ପତ୍ତି ନେଇଥିଲା । ଆଗାମୀ ୫ ବର୍ଷରେ ଫେସବୁକ ଏକ ‘ମେଟାଭର୍ସ କମ୍ପାନୀ ହେବାକୁ ଯାଉଥିବା ଜୁକରବର୍ଗ କହିଥିଲେ। ମେଟାଭର୍ସ ଯୋଜନାର ଏକ ଅଂଶ ଭାବେ ସେ କମ୍ପାନୀର ରିବ୍ରାଣ୍ଡିଂ କରି ଏପରି ନାଁ ରଖିଥିବା କହିଥିଲେ ସିଇଓ ମାର୍କ ଜୁକରବର୍ଗ ।

ନୂଆବର୍ଷରେ ଫେରିଲା କଟକଣା, ଭୋଜିଭାତ-ପିକନିକ୍ ମନା

ଭୁବନେଶ୍ୱର: ନୂଆବର୍ଷରେ ଫେରିଲା କରୋନା କଟକଣା  । ଜାନୁଆରୀ ୧ ତାରିଖରୁ ଫେବ୍ରୀଆରୀ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ କୋଭଡ଼ ନିର୍ଦ୍ଦେଶାବଳୀ ଅନୁପାଳନ  । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା କୋଭିଡ ଗାଇଡଲାଇନ ଅନୁଯାୟୀ,  ରାତି ୧୦ଟାରୁ ଭୋର ୫ଟା ଯାଏ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ  । ଭୋର ୫ଟାରରୁ ରାତି ୧୦ ଯାଏ ଦୋକାନ ବଜାର ଖୋଲା ରହିବ  । ସମସ୍ତ ସାମାଜିକ ଓ ଧାର୍ମିକ ସମ୍ମିଳନୀ ଉପରେ ରୋକ୍   ।  ସେହିପରି୧୦୦ ଲୋକଙ୍କ ମଧ୍ୟରେ  ରାଜନୈତିକ କାର୍ଯ୍ୟକ୍ରମ ସୀମିତ ରହିବ  ।

ସେହିପରି ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା, ପାର୍କ, ନେଚରକ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଆଦି ନିଷେଧ ରହିବ  । କେବଳ ସରକାରୀ ଅନୁମୋଦିତ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି  । ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ରହିଛି  । ଶିକ୍ଷା ଅନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନର ବାର୍ଷିକତ୍ସୋବ ମନା, ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ଅଡିଟୋରିୟମ ଓ ସମ୍ମିଳନୀ କକ୍ଷ  । ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ସିନେମା ହଲ୍  । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶରେ ଚାଲିପାରିବ ଖୋଲା ମଞ୍ଚ ଓ ଯାତ୍ରା  । ସେପଟେ ୨୫୦ ଲୋକଙ୍କୁ ନେଇ ହୋଇପାରିବ ବିବାହ, ବ୍ରତଘର ଓ ଦଶାହ କାର୍ଯ୍ୟ ହେବା ନେଇ ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି  ।

ଅଣ୍ଡର-୧୯ ଏସିଆ କପ: ଫାଇନାଲରେ ଭାରତ, ଶ୍ରୀଲଙ୍କା ସହ ହେବ ଫାଇନାଲ ଫାଇଟ

ଦୁବାଇ: ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ । ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତ । ସେମିଫାଇନାଲରେ ଭାରତ ବାଂଲାଦେଶକୁ ୧୦୩ରେ ପରାସ୍ତ କରିଛି । ତେବେ ଡିସେମ୍ବର ୩୧ରେ ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଏହି ସେମିଫାଇନାଲ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ ହରାଇ ଭାରତ ୨୪୩ ରନ କରିଥିଲା । ଭାରତ ପକ୍ଷରୁ ଶୈକ ରସିଦ୍ ୯୦ ରନ କରିଥିଲେ । ବାଂଲାଦେଶ ପକ୍ଷରୁ ଅଧିନାୟକ ରକିବୁଲ ହାସନ ୩ ଓ୍ୱିକେଟ ଅକ୍ତିଆର କରିଥିଲେ ।

ସେମିଫାଇନାଲରେ ବିଜୟର ପ୍ରକୃତ ହିରୋ ଥିଲେ ଭାରତୀୟ ବୋଲର । ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ବାଂଲାଦେଶର ବ୍ୟାଟ୍ସମ୍ୟାନ । ଯାହା ଫଳରେ ବାଂଲାଦେଶ ମାତ୍ର ୧୪୦ ରନ କରିପାରିଥିଲା । ବାଂଲାଦେଶ ପକ୍ଷରୁ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ରାଜବର୍ଦ୍ଦନ ହଙ୍ଗରଜେକର, ରବି କୁମାର, ରାଜ୍ ବଓ୍ୱା ଓ ଭିକି ଓ୍ୱସ୍ତଓ୍ୱାଲ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିବାବେଳେ ନିଶାନ୍ତ ସିନ୍ଧୁ ଓ କୈଶାଲ ତାମ୍ବେ ଗୋଟିଏ ଲେଖାଏଁ ଓ୍ୱିକେଟ ହାସଲ କରିଥିଲେ । ସେମିଫାଇନାଲରେ ବିଜୟ ପରେ ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ଭାରତ ଡିସେମ୍ବର ୩୧ରେ ଶ୍ରୀଲଙ୍କାକୁ ଭେଟିବ । ଫାଇନାଲ ମ୍ୟାଚକୁ ଜିତି ଏସିଆର ବସ୍ ହେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

କିଶୋରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଅବେଳରେ ‘କିଶୋର’ ଅସ୍ତ । ରାଜନୀତି କରିବା ବୋଧ ହୁଏ ରକ୍ତରେ ଲେଖା ଥିଲା  । ସେଥିପାଇଁ ଅନ୍ୟାୟ ବିରୋଧରେ ଛାତ୍ର ରାଜନୀତିରୁ ଦୃଢ ପ୍ରତିବାଦ କରିଆସୁଥିଲେ  । ସେଥିପାଇଁ ସେ ଜନନେତା  । ପଶ୍ଚିମ ଓଡ଼ିଶାର ଦାଦା  । ୪ ଥରର ବିଧାୟକ  । ଏଭଳି ସମୟରେ ହଠାତ ବ୍ରଜରାଜନଗର ବିଧାୟକଙ୍କ ବିୟୋଗକୁ କେହି ଗ୍ରହଣ କରିପାରୁ ନାହାଁନ୍ତି  । ମୁଖ୍ୟମନ୍ତ୍ରୀ କିଶୋରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି  ।  ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଦଃଖ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କିଭଳି ଭାବରେ ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ହୋଇପାରିବ  । କିଭଳି ଉକ୍ତ ଜିଲ୍ଲା ମାନଙ୍କର ଲୋକଙ୍କ ପାଖରେ ଆବଶ୍ୟକୀୟ ସୁବିଧା ସୁଯୋଗ ପହଁଚିପାରିବ ସେନେ ସଦା ଚେଷ୍ଟିତ ଥିଲେ  । ସେହିପରି ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ୱ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା । ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ସେହିପରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କିଶୋର ମହାନ୍ତିଙ୍କ ପରଲୋକାଗତ ଖବର ତାଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି  । ଏହି ଖବର ଗ୍ରହଣ ହେଉନାହିଁ  । କିଶୋର ମୋର ଜଣେ ସାନ ଭାଇ ଥିଲା  । ଅନେକ ସମୟରେ ବିଭିନ୍ନ କଥା ଆଲୋଚନା କରୁଥିଲା  । ନିଜ ଅଞ୍ଚଳର ବିକାଶ ପକ୍ରିୟାକୁ ନେଇ ସର୍ବଦା ବିଧାନସଭାରେ ମୁଦ୍ଦା ଉଠାଉଥିଲେ  । ମୁଁ ଆଜି ଜଣେ ସାନ ଭାଇଙ୍କୁ ହରାଇଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  । ସେହିପରି ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବରିଷ୍ଠ ବିଧାୟକ ଅମର ସତପଥି,  ସ୍ନେହାଙ୍ଗୀନି ଛୁରିଆ, ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ ଦୁଃଖ ପ୍ରକାଶ କରିଛନ୍ତି  ।

 

ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ

ଭୁବନେଶ୍ୱର:  ବ୍ରଜରାଜନଗର ବିଧାୟକଙ୍କ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ  । ହୃଦଘାତରେ କିଶୋରଙ୍କ ପରଲୋକ ଘଟିଥିବା ସୂଚନା  ।  ୬୩ ବର୍ଷ ବୟରେ ହୃଦଘାତରେ ଦେହାନ୍ତ ଘଟିଛି  । କିଶୋର ମହାନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିବାବେଳେ  ଓଡ଼ିଶା ବିଧାନସଭାରେ ପୂର୍ବରୁ ବାଚସ୍ପତି ଭାବେ ଦାୟିତ୍ୱ ନିଭାଇଥିଲେ  ।

ଝାରସୁଗୁଡାରୁ ତିନି ଥର ବିଧାୟକ ଥିଲେ କିଶୋର  । ପରେ ପ୍ରଥମ ଥର ପାଇଁ ବ୍ରଜରାଜନଗର ଆସନରୁ ବିଧାୟକ ହୋଇଥିଲେ  । 1990ରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ କିଶୋର ମହାନ୍ତି  । ହୃଦଘାତରେ ଆକ୍ରାନ୍ତ ହୋଇଥିବାବେଳେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ  । ସଂଧ୍ୟାରେ ହୃଦଘାତରେ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ହୋଇଛି  ।

ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ରାଜନୈତିକ ଜୀବନି ଜଟିଳତା ଭିତରେ ପ୍ରବାହ କରିଛି  ।  ୨୦୦୪ରୁ ୨୦୦୮ ଯାଏଁ ବିଜେଡ଼ିର ସରକାରୀ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ । ୨୦୦୮ରୁ ୨୦୦୯ ଯାଏଁ ବାଚସ୍ପତି ପଦବୀରେ ବସିଥିଲେ କିଶୋର ମହାନ୍ତି । ୨୦୦୯ରୁ ୨୦୧୨ ଯାଏଁ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ରୁ ୨୦୧୯ ଯାଏ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ୱ ତୁଲାଇଥିଲେ କିଶୋର ମହାନ୍ତି ।

ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା ଥିଲେ କିଶୋର ମହାନ୍ତି । ନୂଆ ଝାରସୁଗୁଡ଼ା ଜିଲ୍ଲାର ବିନ୍ଧାଣୀ ଭାବେ ତାଙ୍କୁ କୁହାଯାଏ  ।  ଛାତ୍ର ଜୀବନରୁ ରାଜନୀତିକୁ ଆସିଥିବା କିଶୋର ବିଭିନ୍ନ ଶ୍ରମିକ ସଙ୍ଗଠନ ସହ ଓତପ୍ରୋତଃ ଭାବେ ଜଡ଼ିତ ଥିଲେ । ୧୯୭୭ରେ ଜନତା ଦଳରେ ଯୋଗ ଦେଇ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ । ୧୯୮୪ରେ ଝାରୁସୁଗୁଡ଼ାର କାଉନସିଲରୁ ରାଜନୈତିକ କ୍ୟାରିୟର ଆାରମ୍ଭ କରିଥିଲେ ସେ । ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଝାରୁସୁଗୁଡ଼ାର ପୌରାଧ୍ୟକ୍ଷ ଥିଲେ । ଅଚାନକ କିଶୋରଙ୍କ ଦେହାନ୍ତ ପଶ୍ଚିମ ଓଡ଼ିଶାବାସୀଙ୍କୁ ସ୍ତମ୍ବୀଭୁତ କରିଦେଇଛି  ।