ୟୁକ୍ରେନ ସୀମାରେ ଋଷର କ୍ଷେପଣାସ୍ତ୍ର ପରୀକ୍ଷା: ଯୁଦ୍ଧ ଆଶଙ୍କା ଘନୀଭୂତ

1 min read

ମସ୍କୋ: ୟୁକ୍ରେନ ସୀମାରେ ଋଷ ଚଳାଇଛି ରଣନୀତିକ ପରମାଣୁ ସମରାଭ୍ୟାସ । ଏବଂ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷାଣ । ଯାହାକୁ ଦେଖିଲା ପରେ ଋଷ-ୟୁକ୍ରେନ ଯୁଦ୍ଧ ଆଶଙ୍କା ଅଧିକ ଘନୀଭୂତ ହେଉଛି । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ତଦାରଖରେ ଆଜି ୟୁକ୍ରେନ୍‌ ସୀମାରେ ବାଲିଷ୍ଟିକ୍‌ ଏବଂ କ୍ରୁଜ୍‌ ‌ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଉଭୟ ସ୍ଥଳ ଓ ଜଳଭାଗରେ ଲକ୍ଷ୍ୟଭେଦ କରିଥିବା ବେଳେ ୟୁକ୍ରେନ୍‌ ବାୟୁସୀମାରେ ରୁଷ୍‌ର ଯୁଦ୍ଧ ବିମାନଗୁଡ଼ିକର ଗର୍ଜନ ଆତଙ୍କ ସୃଷ୍ଟି କରିଛି ।

ୟୁକ୍ରେନ୍‌କୁ ଭୟଭୀତ କରି ପ୍ରବଳ ଚାପରେ ରଖିବାକୁ ରୁଷ୍‌ର ଏହି ରଣନୀତି ନାଟୋ ରାଷ୍ଟ୍ରମାନଙ୍କ ନିଦ ହଜାଇ ଦେଇଛି। କ୍ରେମଲିନର ‘ସିଚୁଏସନ ସେଣ୍ଟର’ରୁ ପୁଟିନ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ ତଦାରଖ କରିଛନ୍ତି। ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକା‌ସେଙ୍କୋ‌ ମଧ୍ୟ ପୁଟିନଙ୍କ ସହ ନିୟନ୍ତ୍ରଣ କକ୍ଷରେ ଉପସ୍ଥିତ ଥିଲେ। ପରମାଣୁ ସମରାଭ୍ୟାସ କାର୍ଯ୍ୟକ୍ରମରେ ରୁଷ୍‌ ହାଇପରସୋନିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର, କ୍ରୁଜ୍‌ କ୍ଷେପଣାସ୍ତ୍ର ଏବଂ ପରମାଣୁ ଶକ୍ତି ସମ୍ପନ୍ନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଛାଡ଼ିଛି। ସମସ୍ତ କ୍ଷେପଣାସ୍ତ୍ର ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି କ୍ରେମ୍‌ଲିନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି।

ବାଲିଷ୍ଟିକ୍ ମିସାଇଲ୍ ସହ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ପୁଟିନଙ୍କ ମୁଖପାତ୍ରଙ୍କ ଅନୁସାରେ ଅଭ୍ୟାସ୍ ଆରମ୍ଭ ହୋଇସାରିଥିବା ବେଳେ ଏଥିରେ ପୁଟିନଙ୍କ ଘନିଷ୍ଠ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଭାଗ ନେଇଛନ୍ତି । ତେବେ ଋଷର ଏହି ଅଭ୍ୟାସ ନୂଆ ନୁହେଁ । ବିଗତ ୪ ମାସ ହେଲା ଦେଢ଼ ଲକ୍ଷ ସୈନ୍ୟଙ୍କୁ ନେଇ ଋଷ ଅଭ୍ୟାସ୍ ଚଳାଇଥିଲେ ମଧ୍ୟ ଉତ୍ତର, ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ମନା କରି ଆସୁଛି ।

ବେଲାଋଷ କ୍ଷମତାକୁ ମାଡ଼ି ବସିଥିବା ଆଲେକଜାଣ୍ଡାର କହିଛନ୍ତି ଯେ, ଯଦି ଆମ ଶତ୍ରୁ ମାନେ କୌଣସି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରନ୍ତି ତେବେ ଆମେ ଋଷ ନିର୍ମିତ ପରମାଣୁ ଅସ୍ତ୍ର ମୁତୟନ କରିବୁ । ଆଲେକଜାଣ୍ଡାରଙ୍କ ଧମକ ଏମିତି ସମୟରେ ଆସିଛି ଯେତେବେଳେ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକା ଓ ଋଷ ମୁହାଁମୁହିଁ ହୋଇଛନ୍ତି । ଗୋଳିଆ ପାଣିରୁ ଲାଭ ଉଠାଇବା ଚକ୍କରରେ ଆଲେକଜାଣ୍ଡାର ଋଷ ସମର୍ଥନରେ ଛିଡ଼ା ହୋଇଛନ୍ତି । ଋଷକୁ ସମର୍ଥନ କରି ନିଜ କ୍ଷମତା ବଞ୍ଚାଇବା ତାଙ୍କ ଉଦ୍ଦେଶ୍ୟ ।

Leave a Reply