ରାଜଧାନୀ ଓଟାଓ୍ୱାରୁ ଟ୍ରକ୍ ଡ୍ରାଇଭରଙ୍କୁ ହଟାଇଲା ପୋଲିସ: ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ

ଓଟ୍ଟାଓ୍ୱା: ଟ୍ରକ ଡ୍ରାଇଭରଙ୍କ କବଜାରେ ଥିବା କାନାଡା ରାଜଧାନୀ ଓଟ୍ଟାଓ୍ୱାକୁ ପୋଲିସ ବଳ ପ୍ରୟୋଗ କରି ହଟାଇଛି । ଏହା ସହ ଶତାଧିକ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ଏହା ସତ୍ତ୍ୱେ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଛନ୍ତି ଏବଂ ଅନ୍ୟ ସହରକୁ ନିଜ କବଜାରେ ରଖିଛନ୍ତି । ପ୍ରାୟ ୩ ସପ୍ତାହ ଧରି କୋଭିଡ ଟିକା ବିରୋଧୀ ଆନ୍ଦୋଳନ ଯୋଗୁ ରାଜଧାନୀ ଓଟ୍ଟାଓ୍ୱା ସମେତ ଅନେକ ସହରରେ ଜନଜୀବନ ବାଧାପ୍ରାପ୍ତ  ହୋଇଛି ।

ସରକାର ଜରୁରୀ କ୍ଷମତା ବଳରେ ଆନ୍ଦୋଳନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିବା ସୂଚନା ମିଳିଛି । ଓଟ୍ଟାଓ୍ୱାରୁ କ୍ୟୁବେକକୁ ଯାଇଥିବା ଏକ ପ୍ରମୁଖ ରାସ୍ତାର ବ୍ରିଜକୁ ପୋଲିସ ସିଲ୍ କରିଛି । ସେପଟେ ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଘୋଟିଛି କଳାବାଦଲ । କାନାଡା କ୍ୟୁବେକସ୍ଥିତ ତିନିଟି କଲେଜ ଆକସ୍ମିକ ବନ୍ଦ ହୋଇଯିବାରୁ ହଜାର ହଜାର ଭାରତୀୟ ଛାତ୍ର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛନ୍ତି ।

ଏହି ୩ଟି କଲେଜ ହେଲା ମଣ୍ଟ୍ରିଲସ୍ଥିତ ଏମ. କଲେଜ, ଶେରବ୍ରୋକସ୍ଥିତ ସିଡିଇ କଲେଜ ଓ ଲଙ୍ଗୁଇଲସ୍ଥିତ ସିସିଏସକ୍ୟୁ କଲେଜ । କିଛି ଦିନ ତଳେ ଟ୍ୟୁସନ ଫି ବାବଦର ପର୍ଯ୍ୟାପ୍ତ ଅର୍ଥ ତୁରନ୍ତ ଜମା କରିବା ଲାଗି ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଡେଡଲାଇନ ଜାରି କରାଯାଇଥିଲା । ପରେ ପରେ ଏହି ସବୁ କଲେଜରେ ତାଲା ଝୁଲିଛି । ରିକ୍ରୁଟିଂ ଫାର୍ମ ରାଇଜିଂ ଫୋନିକ୍ସ ଇଣ୍ଟରନ୍ୟାସନାଲ ଦ୍ୱାରା ପରିଚାଳିତ ଏହି ୩ଟି କଲେଜ ଦେବାଳିଆ ଘୋଷିତ ହେବା ଯୋଗୁ ତାହା ବନ୍ଦ ହୋଇଯାଇଛି ।

ସେପଟେ ତୁରନ୍ତ ଏହି ବ୍ୟାପାରରେ ହସ୍ତକ୍ଷେପ କରିବା ଲାଗି ଦୂତାବାସ ନିକଟରେ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀ କ୍ୟୁବେକସ୍ଥିତ ଉଚ୍ଚଶିକ୍ଷା ମନ୍ତ୍ରାଳୟ ନିକଟରେ ଅଭିଯୋଗ ଦାଖଲ ଲାଗି ପରାମର୍ଶ ଦିଆଯାଇଛି ।  ଲକ୍ଷ ଲକ୍ଷ ଟଙ୍କା ଦେଇ ସେହି କଲେଜରେ ଆଡମିଶନ ନେଇଥିବା ଭାରତୀୟ ଛାତ୍ରଛାତ୍ରୀ ହୋଇଛନ୍ତି ହତାଶ ।

Leave a Reply