କ୍ରାଇମବ୍ରାଞ୍ଚରେ ସାମିଲ ହେବ ଆତଙ୍କୀକୁ ଧରୁଥିବା ବେଲଜିଆନ୍ ମାଲିନଏସ୍ କୁକୁର

1 min read

ଭୁବନେଶ୍ୱର: ଓଡ଼ିଶାକୁ ଆସିଲା ଆତଙ୍କୀକୁ ଧରୁଥିବା କୁକୁର । ଏବେ କ୍ରାଇମବ୍ରାଞ୍ଚର କେ-୯ ସ୍କ୍ୱାଡ୍‌କୁ ନିକଟକୁ ଆସିଛି ବେଲଜିଆନ୍ ମାଲିନଏସ୍ ପ୍ରଜାତିର ଏହି ସ୍ୱତନ୍ତ୍ର କୁକୁର । ଏହି କୁକୁରକୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ ଏବଂ ISISର ମୁଖ୍ୟ ଅବୁବକର ଅଲ ବାଗଦାଦିର ହତ୍ୟା ଅପରେସନରେ ଆମେରିକା ସେନା ବ୍ୟବହାର କରିଥିଲା । ପ୍ରଥମ ପର୍ଯ୍ୟାୟରେ ୫ଟି କୁକୁର ଆସିଛି । ଏଭଳି ଆହୁରି ୧୩ଟି କୁକର ରାଜ୍ୟ ବାହାରେ ଥିବା ବିଭିନ୍ନ ପୁଲିସ୍ ପ୍ରତିଷ୍ଠାନରେ ତାଲିମ୍ ନେଉଥିବାବେଳେ ଖୁବଶୀଘ୍ର ପୁଲିସ୍ ବିଭାଗରେ ସାମିଲ ହେବାକୁ ଯାଉଛନ୍ତି । ଚିତାବାଘ ପରି ଚତୁର ବେଲଜିଆନ୍ ମାଲିନଏସ୍ ପ୍ରଜାତିର ଏହି କୁକୁର କ୍ରାଇମବ୍ରାଞ୍ଚରେ ପ୍ରଥମ ଥର ପାଇଁ ସାମିଲ ହୋଇଛି ।

ସୂଚନା ଅନୁଯାୟୀ ବେଲଜିଆନ୍ ମାଲିନଏସ୍ ପ୍ରଜାତିର କୁକୁର ଖୋଲା ବଜାରରେ ୭୫ରୁ ୮୦ ହଜାର ଟଙ୍କାରେ ମିଳୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବେ ସମସ୍ତ ରାଜ୍ୟ ପୁଲିସ୍ ବିଭାଗକୁ ଏ ପ୍ରକାର କୁକୁର ମାତ୍ର ୩୫ ହଜାର ଟଙ୍କା ମୂଲ୍ୟରେ ଦେବାକୁ ନିଷ୍ପତ୍ତି ନେଇଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଛି ଓଡ଼ିଶା । ମୋଟ ୧୮ଟି କୁକୁର ୬ ଲକ୍ଷ ୩୦ ହଜାର ଟଙ୍କାରେ କିଣିଛି କ୍ରାଇମବ୍ରାଞ୍ଚ୍ । ରାଜସ୍ଥାନ ଅଲଓ୍ୱର ଜିଲ୍ଲା ଡେରା ଅଞ୍ଚଳର ସଶସ୍ତ୍ର ସୀମା ବଳରେ ଥିବା ପ୍ରଜନନ ତଥା ତାଲିମ କେନ୍ଦ୍ରରୁ ପ୍ରଥମ ପର୍ଯ୍ୟାୟରେ ୫ଟି କୁକୁର କିଣାଯାଇଥିବା ବେଳେ ସେଠାରେ ସେମାନଙ୍କୁ ୯ ମାସ କାଳ ତାଲିମ୍ ଦିଆଯାଇଥିଲା ।.

ତାଲିମ୍ ଶେଷ କରିବା ପରେ ଏହି କୁକର ଗଲା ୧୫ ତାରିଖରେ କ୍ରାଇମବ୍ରାଞ୍ଚର କେ-୯ ଶାଖାରେ ଯୋଗ ଦେଇଛନ୍ତି । ଏମାନଙ୍କ ନାଁ ଓଲା, ଅକ୍ସା, ନଡ୍ଡି,ନିପ୍ଟି ଓ ଅକ୍ସି ରଖାଯାଇଛି । ଅବଶିଷ୍ଟ ୧୩ଟି କୁକୁରରୁ ୬ଟି ଡେରା ଅଞ୍ଚଳର ସଶସ୍ତ୍ର ସୀମା ବଳରେ ତାଲିମ୍ ନେଉଛନ୍ତି । ହରିୟାଣା ପଞ୍ଚକୁଲାରେ ଥିବା ITBPର ନ୍ୟାସନାଲ ଟ୍ରେନିଂ ସେଣ୍ଟର ଫର ଡଗରେ ୬ଟି ତାଲିମ୍ ନେଉଛନ୍ତି । ଆଉ ଗୋଟିଏ ରାଞ୍ଚି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଡଗ୍ ଟ୍ରେନିଂ ସ୍କୁଲରେ ତାଲିମ୍ ନେଉଛନ୍ତି । ପୁଲିସ୍ ପଡ଼ିଆରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ୫ଟି କୁକୁରଙ୍କୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

Leave a Reply