ଝାରସୁଗୁଡ଼ା: ଆଜି ପଞ୍ଚଭୂତରେ ବିଲୀନ ହେବେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ଝାରସୁଗୁଡାରେ କିଶୋରଙ୍କର ଅନ୍ତିମ ସଂସ୍କାର ହେବ । ତାଙ୍କ ପାର୍ଥିବ ଶରୀରକୁ ମଙ୍ଗଳ ବଜାର ସ୍ଥିତ ବାସଭବନରୁ ନିଆଯାଇ ସହର ପରିକ୍ରମା କରାଯିବ । ପରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାଧାରଣ ଲୋକ ଶେଷ ଦର୍ଶନ କରିପାରିବେ । ଅପରାହ୍ନରେ ଝାଡ଼େଶ୍ବର ମନ୍ଦିରସ୍ଥିତ ମୁକ୍ତିଧାମଠାରେ ପାର୍ଥିବ ଶରୀରକୁ ଶେଷକୃତ୍ୟ କରାଯିବ । ଗତକାଲି କିଶୋର ମହାନ୍ତିଙ୍କର ଅକାଳ ବିୟୋଗ ହୋଇଥିଲା ।
ଛାତ୍ରୀ ନିବାସରୁ ମିଳିଲା ମୃତଦେହ
ପଟ୍ଟମୁଣ୍ଡାଇ: ଘରୋଇ ଛାତ୍ରୀ ନିବାସରେ ଛାତ୍ରୀଙ୍କ ଆତ୍ମହତ୍ୟା । ପଟ୍ଟାମୁଣ୍ଡାଇ ମହା ବିଦ୍ୟାଳୟର ଯୁକ୍ତତିନି ବିଜ୍ଞାନ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନି । ଖବର ପାଇ ପୋଲିସ ହଷ୍ଟେଲରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତର ଖଦାଳସାହିରେ ବୋଲି ଜଣାପଡ଼ିଛି ।
ସଙ୍କଟରେ ବିଶ୍ବ, ନୂଆବର୍ଷକୁ ସ୍ବାଗତ ପାଇଁ ନାହିଁ ଉତ୍ସହ
ନୂଆଦିଲ୍ଲୀ: କେଇ ଘଣ୍ଟା ପରେ ଆସିବ ନୂଆ ବର୍ଷ । ମାତ୍ର ସାରା ବିଶ୍ବରେ ଏବେ ଆନନ୍ଦ ବଦଳରେ ସଙ୍କଟର କଳାବାଦଲ । ନା ଅଛି ସେଲିବ୍ରେସନ, ନା ଅଛି ଉତ୍ସାହ । ଗତବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିବା କୋଭିଡ ବିପତ୍ତିର ଅବସାନ ନେଇ ସାରା ବିଶ୍ବବାସୀ ଆଶା କରୁଥିବା ବେଳେ, ଏବେ ସେସବୁକୁ ଛାରଖାର କରିଦେଇଛି ଓମିକ୍ରନ ।
ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୨୮ କୋଟି ୬୮ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ବିଶ୍ବବ୍ୟାପୀ ୫୪ ଲକ୍ଷ ୪୫ ହଜାର ଲୋକଙ୍କ ଜୀବନ ନେଲାଣି କିଲର ଭାଇରସ । କୋଟି କୋଟି ଲୋକଙ୍କୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି କୋଭିଡ । ନୂଆ ରୂପରେ ଭାରିଆଣ୍ଟ ଆସିବା ସହ ଓମିକ୍ରନ ବିପଦ ଯୋଗୁଁ ଆମେରିକା, ବ୍ରିଟେନ, ଫ୍ରାନସ, ଜର୍ମାନୀ ସମେତ ଅଧିକାଂଶ ଦେଶରେ କଟକଣା ଆରମ୍ଭ ହୋଇଛି । ଗତ ୭ ଦିନରେ ବିଶ୍ବରେ ଚିହ୍ନଟ ହୋଇଛନ୍ତି ୭୩ ଲକ୍ଷ ନୂଆ ସଂକ୍ରମିତ ।
ସାରା ୟୁରୋପରେ ଏବେ ଉଭୟ କୋଭିଡ ଓ ଓମିକ୍ରନର କଳାବାଦଲ । ସମସ୍ତ ପ୍ରକାର ସଭା, ସମ୍ମିଳନୀ ଉପର କଟକଣା ଲାଗୁ କରାଯାଇଥିବା ବେଳେ ଅଧିକାଂଶ ଦେଶରେ ବନ୍ଦ ରହିଛି ନାଇଟ କ୍ଲବ । ଆମେରିକାରେ ଗତ ୭ ଦିନରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୬୫ ହଜାରରୁ ଅଧିକ କୋଭିଡ ସଂକ୍ରମିତ । ସେପଟେ ଚୀନର ଜିଆନରେ ଜାରି ହୋଇଛି ଲକଡାଉନ । ଘରୁ ପଦାକୁ ବାହାରିବା ଉପରେ ୧୩ ନିୟୁତ ଲୋକଙ୍କ ଉପରେ ଲାଗିଛି କଟକଣା । ସେହିପରି ବ୍ରିଟେନରେ ଅତି ଗଭୀର ସଙ୍କଟର ରୂପ ନେଲାଣି ଭାଇରସ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୩ ହଜାରରୁ ଅଧିକ କୋଭିଡ ସଂକ୍ରମିତ । ଯାହାକି ପୂର୍ବ ଦିନ ତୁଳନାରେ ୩୨ ପ୍ରତିଶତ ଅଧିକ । ଦେଶର ସମସ୍ତ ହସ୍ପିଟାଲକୁ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଶେଷ କ୍ୟାବିନେଟ ବୈଠକ
ଭୁବନେଶ୍ବର: ଆଜି ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଅପରାହ୍ନ 12ଟା 30ରେ ହେବ କ୍ୟାବିନେଟ୍ ବୈଠକ । ଉଚ୍ଚ ଶିକ୍ଷା, ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ, ପଞ୍ଚୟତିରାଜ ଓ ନଗର ଉନ୍ନୟନ ଭଳି ବିଭାଗର ଏଜେଣ୍ଡାକୁ ମିଳିବ ମଞ୍ଜୁରୀ । ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦରମା ମିଳିବା ନେଇ କ୍ୟାବିନେଟର ମୋହର ମାରିବା ସମ୍ଭାବନା ରହିଛି । କିଛି ସର୍ଭିସ କ୍ୟାଡର ପୁନର୍ଗଠନକୁ ବୈଠକରେ ମଞ୍ଜୁରୀ ମିଳିବାର ସମ୍ଭାବନା ଅଛି ।
ଘରେ ପଶି ଯୁବତୀଙ୍କୁ ଆକ୍ରମଣ
ରାୟଗଡ଼ା: ଘରେ ପଶିଲେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ । ଘରେ ଥିବା ଅନ୍ୟ ଜଣେ ଯୁବକ ବି ହେଲେ ରକ୍ତାକ୍ତ । ଏମିତି ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣୁପୁର ମଣିଙ୍ଗ ସାହିରେ । ଘରେ ପଶି ଏମିତି ଆକ୍ରମଣ କରିଚନ୍ତି ଦୁର୍ବୃତ୍ତ । ଗୁରୁତର ଆହତ ହୋଇଛନ୍ତି ଯୁବକଯୁବତୀ ।
ଉଭୟଙ୍କୁ ଗୁଣୁପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବତୀକୁ ଆନ୍ଧ୍ର ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକକୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଯୁବତୀଙ୍କ ପେଟରେ ଲାଗିଛି ଶକ୍ତ ଆଘାତ । ଯୁବକଙ୍କ ଘର ଆନ୍ଧ୍ର ଶ୍ରୀକାକୁଲମରେ ହୋଇଥିବା ସୂଚନା ମିଳିଛି । କିଏ ଓ କାହିଁକି ଏହି ଆକ୍ରମଣ କଲା ସ୍ପଷ୍ଟ ହୋଇନଥିବା ବେଳେ ଗୁଣୁପୁର ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଯୁବକ ଜଣଙ୍କ କାହିଁକି ଯୁବତୀଙ୍କ ଘରକୁ ଆସିଥିଲେ ତାହା ବି ସ୍ପଷ୍ଟ ହୋଇନି । ପ୍ରେମ ବ୍ୟାପାର ନେଇ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ଲେଉଟିବ ଶୀତ, ଛାଇଯିବ ଘନ କୁହୁଡ଼ି
ଭୁବନେଶ୍ବର: ଦୁର୍ବଳ ହେଲା ଘୂର୍ଣ୍ଣିବଳୟ । ଆଜିଠୁ ବଦଳିଯିବ ରାଜ୍ୟରେ ପାଣିପାଗ । ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ । ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ପ୍ରବାହରେ ରାଜ୍ୟରେ ଏଭଳି ପାଗ ଜାରି ରହିବ ।
ଆଜି ରାଜ୍ୟର ଗୋଟିଏରୁ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘନ କୁହୁଡି ସହିତ ଶୀତରେ ଅସ୍ତବ୍ୟସ୍ତ ହେବ ଓଡ଼ିଶା । ଗତ କିଛି ଦିନ ହେଲା ସ୍ବାଭାବିକ ତାପମାତ୍ରାରେ ବୃଦ୍ଧି ହୋଇଥିଲା ବେଳେ ଏଥର ପାରା କମିବ । ଫଳରେ ଉପାନ୍ତରୁ ଉପକୂଳ ଜାଡ ବଢିବ । ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ । ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ସହ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।



