ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ: ୧୧ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଯାଜପୁର: ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହା ସହିତ ୧୧ ଜଣଙ୍କୁ କୋର୍ଟ ଚାଲାଣ  କରିଛି ପୋଲିିସ । ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଜଣାପଡିଛି ।

ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି.ଆର । ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ । ବିଞ୍ଝାରପୁର ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଗତକାଲି ବାଚ୍ଛଳ ପଞ୍ଚାୟତର 4 ଓ 2 ନମ୍ବର ବୁଥରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଭୋଟ୍‌ ବାକ୍ସ ଛଡ଼ାଇ ନେବା ବେଳେ କିଛି ସାମ୍ବାଦିକ ଚିତ୍ର ଉତ୍ତୋଳନ କରୁଥିବାରୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ ।

ସାମ୍ବାଦିକମାନଙ୍କୁ ବାନ୍ଧି ମାଡ଼ ମାରିବା ସହିତ ଗାଡ଼ିକୁ ଟେକା ପଥର ଫିଙ୍ଗିଥିଲେ ଅଭିଯୁକ୍ତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆହତ ସାମ୍ବାଦିକମାନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ଏହି ଆକ୍ରମଣ ଘଟଣାକୁ ସବୁଠି ନିନ୍ଦା କରାଯାଉଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ ।

Leave a Reply