ବଦଳୁନି ମାନସିକତା: ଯୌତୁକ ଯୋଗୁଁ ୪ବର୍ଷରେ ଗଲାଣି ୧୫୦ଜଣଙ୍କ ଜୀବନ

ଭୁବନେଶ୍ୱର: ସଚେତନତା ପରେ ବି ବଦଳୁନି ଲୋକଙ୍କ ମାନସିକତା । ଯୌତୁକ ଜନିତ ଘୃଣ୍ୟପ୍ରଥାର ବଶବର୍ତ୍ତୀ ହୋଇ ରାଜ୍ୟରେ ୪ ବର୍ଷରେ ଗଲାଣି ୧୫୦ ଜୀବନ । କରୋନାରେ ବେକାରୀ ସମସ୍ୟା ଓ ଘରୋଇ କଳି ବୃଦ୍ଧି ଘଟୁଥିବା ବେଳେ ସମାଜର ମାନସିକତା ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କହିଛନ୍ତି ବିଶେଷଜ୍ଞ ।

ସାମାଜିକ ବ୍ୟାଧିରେ ପରିଣତ ହେଲାଣି ଯୌତୁକ ପ୍ରଥା । ୪ ବର୍ଷରେ ଗଲାଣି ୧୫୦ ମହିଳାଙ୍କ ଜୀବନ ।  ଟଙ୍କା ଲୋଭ ଆଗରେ ହାର ମାନିଛି ସଚେତନତା । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାରରେ ମୃତ୍ୟୁ ସଂଖ୍ୟା ଅଧିକ । ପୁଅ ପାଇଁ ସୁନ୍ଦର ଝିଅ ଦରକାର । ତା’ ସହ ଦାଣ୍ଡ ସୁନ୍ଦର ପାଇଁ ଲକ୍ଷାଧିକ ଟଙ୍କା, ସୁନାଗହଣା, ନଣନ୍ଦ ପୁଟୁଳି ଓ ଭାର ।  ଶାଗୁଆନ ଖଟ, ସୋଫା, ଡାଇନିଂ ନହେଲେ କଥା ସରିଲା । ଯୌତୁକ ଭଳି କଳୁଷିତ ପ୍ରଥାରେ କବଳିତ ସଭ୍ୟ ସମାଜ । ରାଜ୍ୟ ମହିଳା କମିଶନରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୪ ବର୍ଷରେ ରାଜ୍ୟରେ ୧୫୦ ଯୌତୁକ ଜନିତ ହତ୍ୟା ଘଟିଛି ।  ୨୦୧୮ ରେ ୪୯ ଜଣ, ୨୦୧୯ ରେ ୪୭ , ୨୦୨୦ ରେ ୩୧ ଓ ୨୦୨୧ ରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କମିଶନ ପକ୍ଷରୁ ଆଇନ ସମ୍ବନ୍ଧିତ କାଉନସେଲିଂ କରାଯାଉଥିବା କୁହାଯାଇଛି।

ଉତ୍ତରପ୍ରଦେଶରେ ଯୌତୁକ ଜନିତ ମୃତ୍ୟୁ ସର୍ବାଧିକ ହୋଇଥିବା ବେଳେ ପଛକୁ ରହିଛି ବିହାର ଓ ମଧ୍ୟପ୍ରଦେଶ । ଓଡ଼ିଶାରେ ଗତ ୪ ବର୍ଷରେ ୨୨ ଶହ ୨୬ ଟି କେସ୍ ରୁଜୁ ହୋଇଥିବା ବେଳେ ମିଥ୍ୟା ବିବାହ ପ୍ରତିଶ୍ରୁତିରେ ଦୈହିକ ସମ୍ପର୍କ ରଖିଥିବା ୩୯୫ ଟି ଅଭିଯୋଗ ସାମ୍ନାକୁ ଆସିଛି । ଦୁଇ ପରିବାରର ବୁଝାମଣାରେ ଯୌତୁକକୁ ଉପହାର ଭାବେ ଗ୍ରହଣ କରାଯାଉଛି ।  ଏଣୁ ସମାଜରେ ଶିକ୍ଷିତ ବୋଲାଉଥିବା ଲୋକେ ଏଭଳି ଘୃଣ୍ୟ କାମରୁ ଦୁରେଇଲେ ସମାଧାନର ସୂତ୍ର ବାହାରି ପାରିବ ବୋଲି କହିଛନ୍ତି ବିଶେଷଜ୍ଞ।  ନିଜ ଝିଅକୁ ଯୌତୁକ ଦେବାକୁ ଅପସଂସ୍କୃତି କହୁଥିବା ଲୋକ, ପୁଅ ବାହାଘରରେ ବୋହୁ ଘରୁ ଟଙ୍କା ଆଣୁଛି। ସମାଜ ଗଠନ ପାଇଁ ପ୍ରଥମେ ନିଜେ ବଦଳିବାର ଆବଶ୍ୟକତା ରହିଛି।

ଏଥିସହିତ ପଢ଼ନ୍ତୁ: ଆଜିଠୁ ପାଗ ବଦଳିବ: ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା

Leave a Reply