ଟଳିପାରେ ଯୁଦ୍ଧ ଆଶଙ୍କା: ସଫଳ ହୋଇପାରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲଙ୍କ ମଧ୍ୟସ୍ଥି

1 min read

ମସ୍କୋ: ୟୁରୋପ ଉପରୁ ଟଳିପାରେ ଯୁଦ୍ଧ ଆଶଙ୍କା । ସଫଳ ହୋଇପାରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ୟସ୍ଥି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ମାକ୍ରନ ଆଲୋଚନା କରିବା ପରେ ଶାନ୍ତିର ବାଟ ଫିଟିଛି । ଏହାସହ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଋଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଯୁଦ୍ଧ ଟାଳିବା ଲାଗି କୂଟନୈତିକସ୍ତରୀୟ ଆଲୋଚନାକୁ ଗୁରୁତ୍ୱ ଦେଇଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳ କଥାବାର୍ତ୍ତା ପରେ ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଟଳିବା ଆଶା ଦେଖାଦେଇଛି । ତେବେ ଋଷର ଦାବିକୁ ଆମେରିକା ଓ ନାଟୋ ସ୍ୱୀକୃତି ଦେବାକୁ ଦାବି କରିଛନ୍ତି ପୁଟିନ । ପୁଟିନଙ୍କ ପ୍ରମୁଖ ଦାବିଗୁଡିକ ମଧ୍ୟରେ ରହିଛି, ୟୁକ୍ରେନକୁ ନାଟୋରେ ସାମିଲ ନ କରାଯାଉ, ପୂର୍ବ ୟୁରୋପରେ ମୁତୟନ ହୋଇଥିବା ନାଟୋ ସୈନିକଙ୍କୁ ପ୍ରତ୍ୟାହାର କରାଯାଉ ।

ସେପଟେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଋଷ ଯୁଦ୍ଧ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ସୈନ୍ୟ, ଟ୍ୟାଙ୍କ, ଯୁଦ୍ଧବିମାନ ଆଦି ପ୍ରତ୍ୟାହାର ନ ହେବା ଯାଏ ଶାନ୍ତି ଆଶା ବୃଥା ବୋଲି ସେ କହିଛନ୍ତି । ମାକ୍ରନ କହିଛନ୍ତି- ଉଭୟ ପୁଟିନ ଓ ଜେଲେନସ୍କି ଯୁଦ୍ଧ ଟାଳିବା ଲାଗି ସହମତି ହୋଇଛନ୍ତି ଏବଂ ଖୁବ୍ ଶୀଘ୍ର ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସ୍ତରୀୟ ଆଲୋଚନା ହେବ ।

ଅନ୍ୟପଟେ ବେଲାଋଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଯୁଦ୍ଧ ଲାଗି ବେଲାଋଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାନସେଙ୍କୋ ଏହାର ନିୟମିତ ସ୍ଥିତି ସମୀକ୍ଷା କରୁଛନ୍ତି । ଶାନ୍ତି ଆଲୋଚନା ଭିତରେ କିନ୍ତୁ ବିଦ୍ରୋହୀ ଅଧିକୃତ ତଥା ଋଷ ସମର୍ଥିତ ଡୋନେତସ୍କ ଓ ଲୁଗାନସ୍କ ଅଞ୍ଚଳରେ ଜୋରଦାର ସଂଘର୍ଷ ଜାରି ରହିଛି । ଅନେକ ସ୍ଥାନରେ ୟୁକ୍ରେନ ପକ୍ଷରୁ ବୋମାମାଡ ଓ ଗୋଳାମାଡ କରାଯାଇଥିବା ସୂଚନା ମିଳିଛି ।

Leave a Reply