spot_img
Home Blog Page 4723

ଆଶ୍ଚର୍ଯ୍ୟ: ଏଠାରେ କେବେବି ହୁଏନି ସୂର୍ଯ୍ୟାସ୍ତ

ନରୱ: ପୂରା ସୌରଜଗତ ନିର୍ଦ୍ଦିଷ୍ଟ ନିୟମରେ ବନ୍ଧା । ବିଶେଷ କରି ଆମ ପୃଥିବୀ । ପ୍ରକୃତିର ନିୟମରେ ଯାହା ଲେଖାଥାଏ ତା’ଠାରୁ ଭିନ୍ନ କିଛି ଏଠି ଘଟି ନଥାଏ। କହିବାର ମାନେ ହେଉଛି ନିର୍ଦ୍ଦିଷ୍ଟ ସମୟରେ ଦିନରାତି ହେବା ସ୍ବୟଂ ନିର୍ଦ୍ଧାରିତ ନିୟମ। ଏହାକୁ ଚାହିଁଲେ ମଧ୍ୟ କେହି ବଦଳାଇ ପାରିବେ ନାହିଁ। ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଉଦୟ ହୋଇ ଅସ୍ତ ହୋଇଥାଏ । ଚନ୍ଦ୍ରର ଶୀତଳ କିରଣରେ ପୂରା ବିଶ୍ବ ଶାନ୍ତି ନିଦ୍ରାରେ ଶୋଇଥାଏ।

ହେଲେ ଏହି ଦିନରାତିର ବ୍ୟବଧାନ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ରହିଥାଏ । ଯେମିତିକି ଆମେରିକାରେ ଯେତେବେଳେ ରାତି ଥାଏ ସେତେବେଳେ ଭାରତରେ ଦିନ ହୋଇଥାଏ। ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଦିନ ଲମ୍ବା ହୋଇଥିବା ବେଳେ ରାତି ଛୋଟ। ହେଲେ କେବେ ରାତି ହେଉ ନଥିବା ସ୍ଥାନ ସମ୍ପର୍କରେ ଶୁଣିଛନ୍ତି କି ? ଜାଣି ଆଶ୍ଚର୍ଯ୍ୟ ହେବେ ଆମ ପୃଥିବୀରେ ଏମିତି ଏକ ଦେଶ ରହିଛି ଯେଉଁଠି କେବେ ରାତି ହୋଇନଥାଏ। ଏଠାରେ ସୂର୍ଯ୍ୟଅସ୍ତ ହୋଇଥାଏ ସତ ହେଲେ ସନ୍ଧ୍ୟା ପରେ ରାତି ହେବା ବେଳକୁ ସୂର୍ଯ୍ୟ ପୁଣି ଉଦୟ ହୋଇସାରିଥାନ୍ତି ।

ଆକାଶରେ ସୂର୍ଯ୍ୟ ଏଠାରୁ ବିଦାୟ ନିଏ ନାହିଁ। ୨୪ ଘଣ୍ଟାରୁ ମାତ୍ର କେଇ ମିନିଟ ପାଇଁ ଏଠାରେ ଲୁଚିଯାଏ ସୂର୍ଯ୍ୟ। ଯେଉଁଥି ପାଇଁ ଏଠାରେ ସନ୍ଧ୍ୟା ଗାଢ଼ ରାତିରେ ପରିଣତ ହେବା ପୂର୍ବରୁ ସୂର୍ଯ୍ୟ ଉଦୟ ହୋଇଥାଏ। କାରଣ ଏହି ଦେଶରେ ସୂର୍ଯ୍ୟ ଅତି କମ୍ ସମୟ ପାଇଁ ଅସ୍ତ ହୁଅନ୍ତି। ବିଶ୍ବ ମାନଚିତ୍ରରେ ୟୁରୋପରେ ରହିଛି ଏହି ଦେଶ ନରୱେ। ୟୁରୋପ ଉତ୍ତର ମେରୁ ନିକଟରେ ରହିଛି। ବରଫ ପାହାଡ଼ ସାଙ୍ଗକୁ ଗ୍ଲାସିୟରରେ ଆଚ୍ଛାଦିତ ଏହି ସ୍ଥାନ ବହୁତ ଥଣ୍ଡା।

ଏଠାରେ ଥିବା ନରଓ୍ବେ ଏମିତି ଏକ ଦେଶ, ଯାହା ସମ୍ପର୍କରେ କୁହାଯାଇଥାଏ ଏଠାରେ କେବେ ଦିନ ଶେଷ ହୋଇନଥାଏ । ଏଠାରେ ସୂର୍ଯ୍ୟଅସ୍ତ ହେବାର ୪୦ ମିନିଟ ପରେ ପୁଣି ଉଦୟ ହୋଇଥାଏ । ଏହି ୪୦ ମିନିଟ ବ୍ୟତୀତ ବାକି ସମୟ ଏହି ଦେଶ ସୂର୍ଯ୍ୟଙ୍କ କିରଣ ତଳେ ରହିଥାଏ।

ସାଧାରଣ ସମୟ ଅନୁଯାୟୀ ଯଦି ଦେଖିବା ନରୱେରେ ସୂର୍ଯ୍ୟ ରାତି ୧୨ଟା ୪୩ ମିନିଟରେ ଅସ୍ତ ହୁଏ ଏବଂ ୪୦ ମିନିଟ୍ ପରେ ରାତି ସାଢ଼େ ଗୋଟାଏ ବେଳେ ସକାଳ ହୋଇଯାଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି କ୍ରମଟି ଦିନେ କି ଦୁଇଦିନ ପାଇଁ ହୋଇନଥାଏ । ପୂରା ଅଢ଼େଇ ମାସ ପର୍ଯ୍ୟନ୍ତ ଏମିତି ଚାଲିଥାଏ। ଯେଉଁଥିପାଇଁ ନରୱେକୁ ‘କଣ୍ଟ୍ରି ଅଫ ମିଡନାଇଟ୍ ସନ୍’ ମଧ୍ୟ କୁହାଯାଏ।

ଏବେ ସମସ୍ତଙ୍କ ଗୋଟିଏ ପ୍ରଶ୍ନ ଉଠୁଥିବ ଏମିତି କାହିଁକି ହୁଏ ? କାହିଁକି ଏଠାରେ ସୂର୍ଯ୍ୟ ଅସ୍ତ ହୁଏନି ? ଏମିତି ହେବାର କରଣ ହେଉଛି ଏହି ଦେଶ ଆର୍କଟିକ୍ ସର୍କଲ୍ ମଧ୍ୟରେ ଆସୁଛି। ଯେଉଁଥିପାଇଁ ମେ ଏବଂ ଜୁଲାଇ ମାସ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ। ହେମରଫେଷ୍ଟ ସହରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳେ।

ଏହି ଅଢ଼େଇ ମାସକୁ ଛାଡ଼ିଦେଲେ ଆଟାର୍କଟିକ ସର୍କଲରେ ଆସୁଥିବା ଅଞ୍ଚଳ ଗୁଡ଼ିକ ଅଧିକାଂଶ ସମୟ ରାତି ହିଁ ରହିଥାଏ। ସୂର୍ଯ୍ୟ ବର୍ଷକୁ ମାତ୍ର ଗୋଟିଏ ଘଣ୍ଟା ପାଇଁ ହିଁ ଆସିଥାଏ । ନରୱେରେ ଏମିତି ଅଞ୍ଚଳ ବି ଅଛି ଯେଉଁଠାରେ ୧୦୦ ବର୍ଷ ଧରି ସୂର୍ଯ୍ୟକିରଣ ପହଞ୍ଚି ନାହିଁ। ଏହାର କାରଣ ହେଉଛି ଏହି ପୁରା ସହର ପର୍ବତ ଦ୍ବାରା ଘେରି ରହିଛି। ଆଉ ଏହି ଦେଶ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ପସନ୍ଦ।

ନାଲକୋ ଘରୋଇକରଣକୁ ବିରୋଧ, ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ

ଭୁବନେଶ୍ବର: ପ୍ରତିଷ୍ଠା ଦିନଠାରୁ ଲାଭରେ ଚାଲିଥିବା ଓଡ଼ିଶାର ଗର୍ବ ତଥା ନବରତ୍ନ କଂପାନୀ ନାଲକୋର ଘରୋଇକରଣ ନିଷ୍ପତ୍ତିକୁ ବିରୋଧ । ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ଆଇଏନଟିୟୁସି । ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଆହ୍ବାନରେ ଭୁବନେଶ୍ବର ସ୍ଥିତ ନାଲକୋ କର୍ପୋରେଟ କାର୍ଯ୍ୟାଳୟ ସମ୍ମୁଖରେ ତାଲା ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ନାଲକୋ ଏକ ଲାଭଦାୟକ ସଂସ୍ଥା ହୋଇଥିବା ବେଳେ ଏହା ଅଧୀନରେ ହଜାର ହଜାର ଏକର ମୂଲ୍ୟବାନ ଜମି ରହିଛି । ଜମି ସମେତ ନାଲକୋର ମୂଲ୍ୟ ୩ ଲକ୍ଷ କୋଟିରୁ ୪ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏହାକୁ ଶାଗମାଛ ମୂଲ୍ୟରେ ମାତ୍ର ୧୬ ହଜାର କୋଟିରେ କର୍ପୋରେଟ ହାଉସକୁ ଟେକିଦେବାକୁ ଉଦ୍ୟମ ଚାଲିଛି । ନାଲକୋକୁ କେନ୍ଦ୍ର ସରକାର ବିକ୍ରି କରିବାକୁ ଦୀର୍ଘ ବର୍ଷ ଧରି ଉଦ୍ୟମ କରିଆସୁଛନ୍ତି । ଶ୍ରମିକ ସଂଗଠନଙ୍କ ମିଳିତ ବିରୋଧ ଫଳରେ ଏଭଳି ଉଦ୍ୟମରୁ କେନ୍ଦ୍ର ସରକାର କ୍ଷାନ୍ତ ହୋଇଥିଲେ । ବର୍ତ୍ତମାନ ପୁଣି ବିମାନବନ୍ଦର, ବନ୍ଦର, ରେଳସେବା ଭଳି ଗୁରୁତ୍ବପୂର୍ଣ୍ଣ ତଥା ଲାଭଦାୟକ ସଂସ୍ଥାର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ପ୍ରତିବାଦରେ ଆଗାମୀ ଦିନରେ ସମସ୍ତ ଶ୍ରମିକ ସଂଗଠନଙ୍କୁ ସାଙ୍ଗରେ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଇଏଡ଼ଟିୟୁସି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଖେରି ଚାଷୀ ହତ୍ୟାର ମାଷ୍ଟର୍ ମାଇଣ୍ଡ ଆଶିଷ ମିଶ୍ରା

ଲକ୍ଷ୍ନୌ: ବିଜେପି ଓ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପାଇଁ ବଢ଼ିଲା ଅଡୁଆ । ଲଖିମପୁର ଖେରି ଚାଷୀ ହତ୍ୟା ଯୋଜନାବଦ୍ଧ । ହତ୍ୟାର ମାଷ୍ଟର୍ ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ । ଆଜି ଦାଖଲ ହୋଇଥିବା ଖେରି ହତ୍ୟା ମାମଲାର ଚାର୍ଜସିଟରେ ଏମିତି ଉଲ୍ଲେଖ କରିଛି ତଦନ୍ତକାରୀ ସ୍ପେଶାଲ ଇନଭେଷ୍ଟିଗେଟିଂ ଟିମ୍ ।

ଖେରି ମାମଲାକୁ ନେଇ ତଦନ୍ତକାରୀ ଦଳ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛନ୍ତି । ଏଥିରେ ଖେରି ମାମଲାକୁ ଯୋଜନାବଦ୍ଧ ହତ୍ୟା ଦର୍ଶା ଯାଇଛି । ଚାର୍ଜସିଟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶା ଯାଇଥିବା ବେଳେ ମନ୍ତ୍ରୀଙ୍କ ଆଉ ଜଣେ ସମ୍ପର୍କୀୟଙ୍କ ନାଁ ମଧ୍ୟ ରହିଛି । ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କୀୟ ବୀରେନ୍ଦ୍ର ଶୁକ୍ଳା । ବିରେନ୍ଦ୍ର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । । ଚାର୍ଜସିଟ୍‌ ସହ ପେନଡ୍ରାଇଭ, DVD ଦାଖଲ କରିଛି ଏସଆଇଟି ।

ସୂଚନାଯୋଗ୍ୟ, ଖେରି ମାମଲାକୁ ନେଇ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅକୁ ବିଜେପି ଘଣ୍ଟ ଘୋଡାଉ ଥିବା ଅଭିଯୋଗ ହୋଇ ଆସୁଛି । ଘଟଣା ଦିନରୁ ମନ୍ତ୍ରୀଙ୍କ ଇସ୍ତଫାଠାରୁ ଆରମ୍ଭ କରି ବହିଷ୍କାର ଦାବି କରି ଆସୁଛନ୍ତି ବିରୋଧୀ । ହେଲେ ବିଜେପି କେନ୍ଦ୍ରୀୟ ଟିମ୍ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ଲଖିମପୁର ଖେରିର ଇଏ ସେହି ଚାଷୀ ହତ୍ୟା ଯାହା ଅହଂକାରୀ ବିଜେପି ସରକାରଙ୍କ ମୂଳ ଦୋହଲାଇ ଦେଇଛି । ଇଏ ସେହି ହତ୍ୟା ଯାହା ବର୍ଷ ଧରି ଚାଲି ଆସିଥିବା ଚାଷୀ ଆନ୍ଦୋଳନକୁ ଦେଇଥିଲା ନୂଆ ଦିଗ । ଇଏ ସେହି ହତ୍ୟା ଯାହା ୩ କଳା ଆଇନ୍ ପ୍ରତ୍ୟାହାର କରି ଚାଷଙ୍କୁ ଶାନ୍ତ କରିବାକୁ ଅହଂକାରୀ ବିଜେପି ସରକାରକୁ କରିଥିଲା ବାଧ୍ୟ । ଏବେ ଏସଆଇଟିର ଚାର୍ଜସିଟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଓ ସମ୍ପର୍କୀୟଙ୍କ ନାଁ ବିଜେପିକୁ ପୁଣି ଅଡୁଆରେ ପକାଇବାକୁ ଯାଉଛି । ବିଜେପି ବଡ଼ପଣ୍ଡାମାନେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ମଣିଷ ମରା ପୁଅକୁ କେତେଦିନ ଘଣ୍ଟ ଘୋଡାଇ ରଖୁଛନ୍ତି ଦେଖିବାକୁ ବାକି ରହିଲା ।

ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ମାଇଁ ଲର୍ଡ କହିବା ମନା

କଟକ: ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ । ମାଇଁ ଲର୍ଡ ବଦଳରେ ଏଣିକି ଶୁଣିବାକୁ ମିଳିବ ସାର୍ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନେଇଛନ୍ତି ଏମିତି ଐତିହାସିକ ନିଷ୍ପତ୍ତି । କୋର୍ଟ ରୁମରେ ଆଉ ହେବନି ମାଇଁ ଲଡ୍ ସମ୍ବୋଧନ ।

ଏବେ ଜଜଙ୍କୁ ଆଇନଜୀବୀ ସାର୍ ଭାବେ ସମ୍ବୋଧନ କରିବେ । କୋର୍ଟରେ ମାମଲା ପରିଚାଳନା ସମୟରେ ମାଇଁ ଲର୍ଡ ପରିବର୍ତ୍ତେ ସାର କିମ୍ବା ଅନରେବୁଲ୍ କୋର୍ଟ ବୋଲି ସମ୍ବୋଧନ କରିବା ପାଇଁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି । 2016ରେ ବାର କାଉନସିଲ ଅଫ ଇଣ୍ଡିଆ ଏନେଇ ଏକ  ପ୍ରସ୍ତାବ ଆଣିଥିଲା । ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଏବଂ ଅନ୍ୟମାନେ ସ୍ବାଗତ କରିଛନ୍ତି ।

ପୌର ନିର୍ବାଚନ: ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ, ଓବିସିଙ୍କ ପାଇଁ ରହିବନି ସଂରକ୍ଷଣ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଦିଆଗଲା ନିର୍ଦ୍ଦେଶ । ସବୁ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଲେ ପୌର ପ୍ରଶାସନ ନିର୍ଦ୍ଦେଶକ । ୨୦୧୧ ଜନଗଣନା ଅନୁଯାୟୀ ହେବ ସୀମା ପୁନଃ ନିର୍ଦ୍ଧାରଣ ।

୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ହେବ । ଅଣସିଡ୍ୟୁଲ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ । ଜାନୁଆରୀ ୫ ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ଆସିବ । ଜାନୁଆରୀ ୭ ସୁଦ୍ଧା ପ୍ରକାଶ ପାଇବ ଚିଠା ତାଲିକା । ମ୍ୟୁନିସିପାଲିଟି, ଏନଏସି ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାନୁଆରୀ ୧୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି । ଜାନୁଆରୀ ୧୩ରେ ପ୍ରକାଶ ପାଇବ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି ।

ହକରଙ୍କୁ ପରିଚୟପତ୍ର ବଣ୍ଟନ ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଖବରକାଗଜ ହକରଙ୍କୁ ପରିଚୟପତ୍ର ବଣ୍ଟନ ପ୍ରକ୍ରିୟା ଆରମ୍ଭ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ପରିଚୟପତ୍ର ବଣ୍ଟନ କରିଛନ୍ତି । କାର୍ଯ୍ୟକ୍ରମରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟର ୭ ହଜାର ୩୦୦ ଖବରକାଗଜ ହକରଙ୍କୁ ପରିଚୟପତ୍ର ବଣ୍ଟନ କରାଯିବ ।

ପୁରୀରେ ନୂଆ ଡିଜିପି ବଂଶଲ

ପୁରୀ: ପୁରୀରେ ପହଞ୍ଚିଛନ୍ତି ନବ ନିଯୁକ୍ତ ପୋଲିସ ଡିଜି ସୁନୀଲ ବଂଶଲ । ଦାୟିତ୍ବ ନେବା ପରେ ଆଜି ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ନେବାକୁ ପହଞ୍ଚିଛନ୍ତି । ଗତ ୩୧ ତାରିଖରେ ପୋଲିସ ଡିଜି ଭାବେ ଦାୟିତ୍ବ ନେଇଥିଲେ ସୁନୀଲ ।

ନୂଆବର୍ଷରେ ଭିଡ ଆଶଙ୍କାରେ ଶ୍ରୀମନ୍ଦିର ବନ୍ଦ କରିଥିଲା ପ୍ରଶାସନ । ଦୁଇଦିନ କଟକଣା ଓ ରବିବାର ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀ ମନ୍ଦିର । ଆଜି ଶ୍ରୀଜିଉଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ସୁନୀଲ ବଂଶଲ ।

୨ ମାସର ପୁଅ ତଣ୍ଟି ଚିପି ହତ୍ୟା କଲା ମାଆ

କେନ୍ଦ୍ରାପଡ଼ା: ମାଆ ସାଜିଲା ପୁଅ ହତ୍ୟାକାରୀ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧୀନ କାନପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ୨ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରି ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଲା ମାଆ । ପରକୀୟା ପ୍ରତିରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ପୋଲିସ ଉଭୟ ସ୍ବାମୀସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ, କାନପୁର ଗାଁର ସତ୍ୟରଞ୍ଜନ ପରିଡାଙ୍କ ପୁଅକୁ ସକାଳୁ ନଦେଖି ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ହି ସମୟରେ ସତ୍ୟଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ରାତିରେ ପୁଅର ତଣ୍ଟି ଚିପି ହତ୍ୟା କରି ଅଖାରେ ପୂରାଇ ଘର ନିକଟ ପରିତ୍ୟକ୍ତ କୂଅରେ ପକାଇ ଦେଇଥିବା ସ୍ବୀକାର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଅଭିଯୋଗ ହେବା ପରେ ମାର୍ଶାଘାଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଛି ।

ମହିଳାଙ୍କର ତାଙ୍କ ଭିଣୋଇ ସହିତ ସମ୍ପର୍କ ଥିବା ଏବଂ ଏହି କାରଣରୁ ଶିଶୁଟିକୁ ସେ ମାରିଦେଇଥିବା ପରିବାର ଏବଂ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।

ବଢ଼ିଲା ଟେନସନ୍: ଓଡ଼ିଶାରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ ଚିନ୍ତା । ଦିନକରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ସଂକ୍ରମିତ । ଶୂନରୁ ୧୮ ବର୍ଷ ବୟସର ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୨୪୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧୭୮ । ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ ଥିବା ବେଳେ, କଟକରୁ ୬୬, ଷ୍ଟେଟପୁଲରୁ ୩୧, ବାଲେଶ୍ବରରୁ ୨୯, ସୁନ୍ଦରଗଡ଼ରୁ ୨୭, ସମ୍ବଲପୁରରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୪୭ ଆକ୍ରାନ୍ତ ।

ସେପଟେ ଦେଶରେ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୩ ହଜାର ୭୫୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୧୨୩ ଜଣଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୧୦ ହଜାର ୮୪୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ ଆକ୍ଟିଭ କେସ୍ ଲକ୍ଷେ ୪୫ ହଜାର ୫୮୨ ଥିବା ବେଳେ, ମୋଟ୍ ଡେଥ୍ ଟୋଲ୍ ରହିଛି ୪ ଲକ୍ଷ ୮୧ ହଜାର ୮୯୩ । ମୋଟ୍ ସୁସ୍ଥ ହୋଇଛନ୍ତି ୩ କୋଟି ୪୨ ଲକ୍ଷ ୯୫ ହଜାର ୪୦୭ ।

ଭାରତରେ ଓମିକ୍ରନରେ ଦିନକୁ ସଂକ୍ରମିତ ହେବେ ୨୦ ଲକ୍ଷ !

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହୋଇପାରେ ଓମିକ୍ରନ ସଂକ୍ରମଣ । ଡେଲଟାଠାରୁ ଅଧିକ ହୋଇପାରେ ନୂଆ ଭାରିଆଣ୍ଟର ପ୍ରଭାବ । ଦେନିକ ୨୦ ଲକ୍ଷ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ସହ ୬୦ ହଜାର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା କରାଯାଉଛି । ଦୁଇ ଗବେଷକ ମେହର ପାଣ୍ଡେ ଓ ସୌରଭ ଗୁପ୍ତାଙ୍କ ତଥ୍ୟ ଅନୁସାରେ, ଯଦିଓ ଦେଶରେ ଏବେ ୧୫୦୦ରୁ ଅଧିକ ସଂଖ୍ୟକ ଓମିକ୍ରନ ସଂକ୍ରମିତ ଅଛନ୍ତି, ତଥାପି ସେମାନଙ୍କ ସଂଖ୍ୟା ବାସ୍ତବରେ ୧୮ ହଜାରରୁ ଅଧିକ ହେବା ଆଶଙ୍କା ରହିଛି । ଦେଶରେ ଖୁବ୍ କମ୍ ସଂଖ୍ୟକ ଟେଷ୍ଟିଂ ହେଉଥିବାରୁ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ପଦାକୁ ଆସିପାରୁନାହିଁ ।

ଦିଲ୍ଲୀ ଓ ମୁମ୍ବାଇରେ ଥିବା ଓମିକ୍ରନ ଟେଷ୍ଟିଂ ସେଣ୍ଟରର ରିପୋର୍ଟ ଅନୁସାରେ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବାସ୍ତବରେ ଅଧିକ ହେଲାଣି । ଡେଲଟା ଭାରିଆଣ୍ଟ ତୁଳନାରେ ଓମିକ୍ରନର କାୟା ଅଧିକ ଶକ୍ତିଶାଳୀ । ଗତ ୩ ସପ୍ତାହ ତଳେ ମୋଟ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୨ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଥିବା ବେଳେ, ଗତ ସପ୍ତାହରେ ଏହି ହାର ୩୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏବେ ଏହି ହାର ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଡେଲଟା ତୁଳନାରେ ଓମିକ୍ରନ କମ୍ ଗୁରୁତର ଅବସ୍ଥା ସୃଷ୍ଟି କରୁଛି ବୋଲି ସେମାନେ ଦର୍ଶାଇଛନ୍ତି । ମାତ୍ର ଡେଲଟା ତୁଳନାରେ ଓମିକ୍ରନ ସଂକ୍ରମଣ ହାର ୫ ଗୁଣ ଅଧିକ ରହୁଛି ।

ଚିନ୍ତାଜନକ ଖବର ହେଲା, ଦ୍ବିତୀୟ ଲହର କାଳରେ ଡେଲଟା ଦ୍ବାରା ଦୈନିକ ୪ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ, ସମ୍ଭାବ୍ୟ ତୃତୀୟ ଲହର କାଳରେ ଏହି ସଂଖ୍ୟା ଦୈନିକ ୧୬ ଲକ୍ଷରୁ ୨୦ ଲକ୍ଷ ହେବା ଆଶଙ୍କା କରାଯାଉଛି । ଏହି ଦୃଷ୍ଟିରୁ ଭାରତର ସ୍ବାସ୍ଥ୍ୟ ସେବା, ଡାକ୍ତର ସଂଖ୍ୟା, ହସ୍ପିଟାଲ ଶଯ୍ୟା, ଅକ୍ସିଜେନ କ୍ଷେତ୍ରରେ ବିରାଟ ଚାପ ସୃଷ୍ଟି କରିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଡେଲଟା ସଂକ୍ରମଣ କ୍ଷେତ୍ରରେ ୧୦୦ ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ମାତ୍ର ଓମିକ୍ରନ କ୍ଷେତ୍ରରେ ୧୦୦ ରୋଗୀଙ୍କ ମଧ୍ୟରୁ ୩ ଜଣ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ରହିଛି । ଦ୍ବିତୀୟ ଲହରରେ ୪ ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ ୨୪ ହଜାର ଲୋକ ହସ୍ପିଟାଲ ଆଡମିଶନ ହେଉଥିଲେ । ମାତ୍ର ସମ୍ଭାବ୍ୟ ତୃତୀୟ ଲହରରେ ୨୦ ଲକ୍ଷ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୬୦ ହଜାର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ରହିଛି । ଏହା ପ୍ରବଳ ସମସ୍ୟା ସୃଷ୍ଟି କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଜାରି ରହିଥିବା ସଂକ୍ରମଣରୁ ସ୍ପଷ୍ଟ ହୋଇଛି ଯେ, ଓମିକ୍ରନ ସଂକ୍ରମଣର ବେଗ ଡେଲଟାଠାରୁ ଅଧିକ ଏବଂ ଡେଲଟା ସଂକ୍ରମିତଙ୍କ ତୁଳନାରେ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଶୀଘ୍ର ହୋଇଥାଏ ।

ଏପଟେ ଦେଶରେ ୩୦ ହଜାର ପାଖାପାଖି ହେଲାଣି ଦୈନିକ କରୋନା ସଂକ୍ରମଣ । ଧୀରେ ଧୀରେ ଫେରୁଛି ଲକଡାଉନ୍ । ଏକାଧିକ ରାଜ୍ୟରେ ନାଇଟ କର୍ଫ୍ୟୁ ସହିତ ଅନେକ କଟକଣା ଜାରି ହୋଇଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ବିଗିଡ଼ି ଗଲାଣି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୧୧ ହଜାର ପାର କଲାଣି । କେବଳ ମୁମ୍ବାଇରେ ଦୈନିକ ସଂକ୍ରମଣ ୮ ହଜାର ପାର କରିଛି । ସଂକ୍ରମଣରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗରେ ମଧ୍ୟ ଅଣାୟତ ହେବାରେ ଲାଗିଛି ଓମିକ୍ରନ । ଦୃତ ଗତିରେ ମାଡ଼ି ଚାଲିଛି ନୂଆ ଭୂତାଣୁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗକୁ ଫେରିଛି ଆଂଶିକ ଲକଡାଉନ । ଆଜିଠୁ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଜିମ, ସୁଇମିଂ ପୁଲ୍, ସେଲୁନ । କଟକଣାରେ ଚାଲିବ ମଲ୍, ସିନେମା ହଲ । ବିବାହ ଓ ଶେଷକୃତ୍ୟରେ ବି ଲାଗିଛି କଟକଣା । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ, ବେସରକାରୀ ଅଫିସ । ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୧ ପ୍ରତିଶତ ବୃଦ୍ଧି ପାଇଛି । ନିୟମ ନମାନିଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।