୨୦୦୮ରେ ଜର୍ଜିଆ, ୨୦୧୪ରେ କ୍ରିମିଆ; ୮ ବର୍ଷ ପରେ ୟୁକ୍ରେନ୍ ଉପରେ ଆକ୍ରମଣ

How Russia Claims Georgia And Crimea And Now Ukraine War

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇ ସାରିଛି ଯୁଦ୍ଧ । ଦୁଇ ଦେଶର ସେନା ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ମିଜାଇଲ୍ ମାଡ଼ କରିଛି ଋଷ । ଅନ୍ୟପଟେ ଋଷ ଯବାନଙ୍କୁ ମାରିବା ସହ ୨ ଜଣଙ୍କୁ ବନ୍ଧକ ରଖିଥିବା ଦାବି କରିଛି ୟୁକ୍ରେନ୍ । ୧୪ ବର୍ଷ ମଧ୍ୟରେ ଋଷ ତୃତୀୟ ଥର ଯୁଦ୍ଧ ଲଢ଼ୁଛି । ଏହା ପୂର୍ବରୁ ୨୦୦୮ରେ ଜର୍ଜିଆ, ୨୦୧୪ରେ କ୍ରିମିଆ ଉପରେ ଋଷ ଆକ୍ରମଣ କରିଥିଲା ।

ପୂର୍ବରୁ ଜର୍ଜିଆ ଓ କ୍ରିମିଆ ଶୋଭିଏତ୍ ସଂଘର ଅଂଶ ଥିଲା । ୧୯୯୧ରେ ଶୋଭିଏତ ସଂଘର ବିଘଟନ ପରେ ଜର୍ଜିଆ ଓ କ୍ରିମିଆ ସ୍ୱାଧୀନ ରାଷ୍ଟ୍ର ଘୋଷିତ ହୋଇଥିଲେ । ତେବେ ଜର୍ଜିଆ ଓ କ୍ରିମିଆରେ ଋଷ ସମର୍ଥିକ ସରକାର ରହିବା ଚାହୁଁଛି ଋଷ । ଫଳରେ ୨ ଦେଶ ନାଟୋ ଓ ପାଶ୍ଚାତ୍ୟ ରାଷ୍ଟ୍ର ଠାରୁ ଦୂରେଇ ରହିବେ ।

୨୦୦୮ରେ ଜର୍ଜିଆ ସହିତ ଋଷ ଲଢ଼ିଥିଲା । ଆଉ ପରିଣାମ ସ୍ୱରୂପ ଜର୍ଜିଆର ୨ ଅଞ୍ଚଳ ଅବକାଜିଆ ଓ ସାଉଥ୍ ଓସୋଶିଆକୁ ଅଲଗା ରାଷ୍ଟ୍ର ଘୋଷଣା କରାଯାଇଥିଲା । ଏହାପରେ ୨୦୧୪ରେ ଯୁଦ୍ଧ ନ ଲଢ଼ି ୟୁକ୍ରେନ୍ ଠାରୁ କ୍ରିମିଆକୁ ବିଚ୍ଛିନ୍ନ କରି ନିଜ ରାଷ୍ଟ୍ର ସହ ଯୋଡ଼ିଥିଲା ଋଷ ।

How Russia Claims Georgia And Crimea And Now Ukraine War

ଜର୍ଜିଆ ଯନ୍ତ୍ରଣା

୨୦୦୩ରେ ଜର୍ଜିଆରେ ସାଧାରଣ ନିର୍ବାଚନ ହୋଇଥିଲା । ନିର୍ବାଚନରେ ଘୋଡ଼ା ବେପାର ହୋଇଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଯାହାକୁ ସାଧାରଣ ଲୋକ ବି ସମର୍ଥନ କରିଥିଲେ । ଏହାପରେ ନଭେମ୍ବର ୩ରେ ଜର୍ଜିଆରେ ଆରମ୍ଭ ହୋଇଥିଲା ଗୋଲାପ ବିପ୍ଳବ । ୨୦ ଦିନ ଧରି ଆନ୍ଦୋଳନ ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଏଡୁଆର୍ଡ ଶେବର୍ଡନେଜ୍ । ଏହାପରେ ବିରୋଧୀ ଦଳର ନେତା ମିଖିଲ ସାକଶଭିଲି ରାଷ୍ଟ୍ରପତି ହୋଇଥିଲେ । ପାଶ୍ଚାତ୍ୟ ଦେଶ ଭଲ ସମ୍ପର୍କ ରଖିଥିବା ସାକଶଭିଲି ଜର୍ଜିଆକୁ ନାଟୋ ସଂଗଠନରେ ସାମିଲ୍ ପାଇଁ ଉଦ୍ୟମ କରିଥିଲେ । ୨୦୦୮ରେ ଏହାର ବିରୋଧ କରିଥିଲେ ପୁଟିନ୍ ।

How Russia Claims Georgia And Crimea And Now Ukraine War

ଆଉ ଜର୍ଜିଆର ଅବକାଜିଆ ଓ ସାଉଥ୍ ଓସୋଶିଆରେ ବିଚ୍ଛିନ୍ନତାବାଦୀଙ୍କୁ ଋଷ ସମର୍ଥନ ଦେଇ ଲାଭ ଉଠାଇଥିଲା । ବିଚ୍ଛିନ୍ନତାବାଦୀ ଓ ଜର୍ଜିଆ ସେନା ସଂଘର୍ଷକୁ ନେଇ ଜର୍ଜିଆ ଉପରେ ଋଷ ନରସଂହାର ଅଭିଯୋଗ ଆଣି ଅଗଷ୍ଟ ୮ରେ ଯୁଦ୍ଧ ଘୋଷଣା କରିଥିଲା । ସେତେବେଳେ ଶାନ୍ତି ପାଇଁ ସୈନ୍ୟ ପଠାଇଥିବା କହିଥିଲା ଋଷ । ଏପରିକି ବିବାଦୀୟ ନଥିବା ଅଞ୍ଚଳରେ ବୋମାବର୍ଷା କରିଥିଲା । ଶେଷରେ ଅଗଷ୍ଟ ୨୬ରେ ଋଷ, ଅବକାଜିଆ ଓ ସାଉଥ୍ ଓସୋଶିଆକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲା । ଯାହାକୁ ଏବେ ଯାଏ ଜାତିସଂଘ ମାନି ନାହିଁ ।

ସଂକଟ ବେଳେ ଆକ୍ରମଣ

୨୦୦୪ରେ ଋଷ ସମର୍ଥିତ ଭିକ୍ଟର ୟାନୁକୋଭିଚ୍ ହୋଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭିକ୍ଟରଙ୍କୁ ବିରୋଧ କରି ୟୁକ୍ରେନରେ ବିଦ୍ରୋହ ଆରମ୍ଭ ହୋଇଥିଲା । ତେବେ ଏ ଆନ୍ଦୋଳନ ସେତେଟା ଫଳପ୍ରଦ ହୋଇ ନଥିଲା । ପୁଣି ଥରେ ୨୦୧୦ରେ ଭିକ୍ଟର ୟାନୁକୋଭିଚ୍ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ । ଆଉ ୨୦୧୩ରେ ୟୁରୋପିଆନ୍ ୟୁନିୟନ୍ ସହ ଏକ ବୁଝାମଣାରୁ ଭିକ୍ଟର ପଛଘୁଞ୍ଚା ଦେଇଥିଲେ । ଯାହାକୁ ନେଇ ୟୁକ୍ରେନରେ ପୁଣି ବିଦ୍ରୋହ ହେବାରୁ ୨୦୧୪ ଫେବ୍ରୁଆରୀ ୨୨ରେ ଦେଶ ଛାଡ଼ି ପଳାଇ ଯାଇଥିଲେ ଭିକ୍ଟର ୟାନୁକୋଭିଚ୍ । ୟୁରୋପିଆନ୍ ୟୁନିୟନ୍ ସମର୍ଥକ କ୍ଷମତାକୁ ଆସିବା ମାତ୍ରେ କ୍ରମିଆ ଉପରେ ଆକ୍ରମଣ କରିଥିଲା ଋଷ । ଆର୍ମି ପୋଷାକରେ କ୍ରିମିଆର ସରକାରୀ କୋଠାକୁ ଋଷ କବଜା କରି ନେଇଥିଲା । ପରେ ସେହିବର୍ଷ ମାର୍ଚ୍ଚ ୧୬ରେ କ୍ରିମିଆରେ ଜନମତ ସଂଗ୍ରହ କରାଯାଇଥିଲା । ଦାବି ଅନୁସାରେ ୯୭ ପ୍ରତିଶତ ଲୋକ ଋଷ ସହ ମିଶିବାକୁ ଭୋଟ୍ ଦେଇଥିଲେ । ଆଉ ବିନା ଯୁଦ୍ଧରେ ଋଷ କ୍ରିମିଆକୁ ଜିତି ନେଇଥିଲା ।

How Russia Claims Georgia And Crimea And Now Ukraine War

ୟୁକ୍ରେନରେ ଜର୍ଜିଆ ଗଣିତ

ଜର୍ଜିଆକୁ ଜିତିବା ଲାଗି ୨୦୦୮ରେ ଋଷ ଆପଣାଇଥିବା ଫର୍ମୁଲାକୁ ପୂର୍ବ ୟୁକ୍ରେନ୍ ଉପରେ ଲାଗୁ କରିଥିଲା । ପୂର୍ବ ୟୁକ୍ରେନର ଡୋନବାସ୍ ପ୍ରାନ୍ତର ଡୋନେସ୍କ ଓ ଲୁହସ୍କରେ ସକ୍ରିୟ ବିଚ୍ଛିନ୍ନତାବାଦୀଙ୍କୁ ଢାଲ୍ କରିଥିଲା ଋଷ । କ୍ରିମିଆ ଭଳି ସେଠି ବି ଜନମତ ସଂଗ୍ରହ ଦାବି ଉଠିଥିଲା । ଯାହାକୁ ୟୁକ୍ରେନ୍ ଅଗ୍ରାହ୍ୟ କରିବା ପରେ ବିଚ୍ଛିନ୍ନତାବାଦୀ ସରକାରୀ କୋଠାକୁ କବଜା କରି ନେଇଥିଲା । ଯାହାପରେ ଉଭୟ ସ୍ଥାନର ଜନମତ ସଂଗ୍ରହ ହେବା ସହ ଅଲଗା ଦେଶ ଘୋଷଣା କରାଯାଇଥିଲା । ଆଉ ସେବେଠାରୁ ୟୁକ୍ରେନ୍ ସେନା ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଡୋନେସ୍କ ଓ ଲୁହସ୍କର କିଛି ଅଞ୍ଚଳ ବିଚ୍ଛିନ୍ନତାବାଦୀଙ୍କ କବଜାରେ ଥିବା ବେଳେ ଅନ୍ୟ ଅଞ୍ଚଳରେ ୟୁକ୍ରେନ୍ ସେନା ମୁତୟନ ରହିଛି । ଆଉ ଋଷ ଚାହୁଁନାହିଁ ୟୁକ୍ରେନ୍ ଯବାନ ସେଠି ମୁତୟନ ରୁହନ୍ତୁ । ଯେତେବେଳେ କି ଋଷର ପ୍ରକୃତ ଲକ୍ଷ୍ୟ ହେଉଛି, ନାଟୋ ଓ ଆମେରିକା ଉପରେ ଚାପ ପକାଇବା ।

Leave a Reply