spot_img
Home Blog Page 4511

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ୪ଟି ରାଜ୍ୟରେ ବିଜେପି ବିପୁଳ ଭୋଟରେ ଜିତିବା ପରେ ଗୁଜୁରାଟ ବିଧାନସଭା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି​‌ । ଏହି ଗସ୍ତରେ ସେ ରୋଡ ଶୋ କରିବେ ଏବଂ ଏଥିରେ ପ୍ରାୟ ୪ଲକ୍ଷ ଲୋକ ସାମିଲ ହେବାନେଇ କୁହାଯାଉଛି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ଅଂଶଗ୍ରହଣ କରିବେ ଏବଂ ସମାବେଶକୁ ଉଦବୋଧନ ଦେବେ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରୟୁ)ର ନବ ନିର୍ମିତ ସୌଧକୁ ଶନିବାର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ଆରଆରୟୁର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ମଧ୍ୟ ଅଭିଭାଷଣ ପ୍ରଦାନ କରିବେ। ସେହିପରି ପ୍ରଧାନମନ୍ତ୍ରୀ ଏକାଦଶ ଖେଳ ମହାକୁମ୍ଭ ଶୁଭାରମ୍ଭ ନେଇ ଘୋଷଣା କରିବା ସହ ଅଭିଭାଷଣ ପ୍ରଦାନ କରିବେ।

ସୂଚନାଯୋଗ୍ୟ, କରୋନା କାରଣରୁ ପ୍ରାୟ ୨ବର୍ଷ ପରେ ଏମିତି ଏକ ରୋଡ ଶୋ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହେବା ନେଇ ଅନୁମତି ମିଳିଛି । ଗୁଜୁରାଟରେ ତିନି ପର୍ଯ୍ୟାୟ ପଞ୍ଚାୟତିରାଜ ବ୍ୟବସ୍ଥା ରହିଛି, ଯେଉଁଥିରେ ୩୩ ଟି ଜିଲ୍ଲା ପଞ୍ଚାୟତ, ୨୪୮ ତାଲୁକା ପଞ୍ଚାୟତ ଏବଂ ୧୪,୫୦୦ରୁ ଅଧିକ ଗ୍ରାମପଞ୍ଚାୟତ ରହିଛି ।

ୟୁକ୍ରେନରେ ଏହି ସହରରେ ଶବକୁ ସମାଧି ଦେବାକୁ ନାହିଁ ସ୍ଥାନ

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ସେଠାରେ ଅନେକ ବଡ ସହରକୁ ଧ୍ୱଂସ କରିଚାଲିଛନ୍ତି ଋଷ ସୈନ୍ୟ । ଆଉ ଏହି ଆକ୍ରମଣରେ ସୈନିକମାନଙ୍କ ସହ ଅନେକ ସାଧାରଣ ନାଗରିକମାନଙ୍କର ମଧ୍ୟ ଜୀବନ ଯାଉଛି । ମୃତ୍ୟୁସଂଖ୍ୟା ଏତେ ଅଧିକ ହୋଇଛି ଯେ ଯୁଦ୍ଧ ମଧ୍ୟରେ ସମସ୍ତ ମୃତ ଶରୀରକୁ ପୃଥକ ଭାବରେ ସମାଧି ଦେବା ଅସମ୍ଭବ ହୋଇପଡିଛି । ଯୁଦ୍ଧରେ ଅଧିକ ପ୍ରଭାବିତ ହୋଇଥିବା ୟୁକ୍ରେନ ସହର ମଧ୍ୟରୁ ମାରିୟୁପୋଲର ରାସ୍ତା, ଘରଗୁଡିକରେ ଶବରେ ଭର୍ତ୍ତି ହୋଇଯାଇଛି । ଫଳରେ ସମସ୍ତଙ୍କୁ ସାମୁହିକ କବର ଦିଆଯାଉଛି ।

ମାରିୟୁପୋଲର ଶବ ଏତେ ଅଧିକ ହୋଇଯାଇଥିଲା ଯେ ଶ୍ମଶାନରେକୁ ସମାଧି ଦେବା ପାଇଁ କୌଣସି ସ୍ଥାନ ନଥିଲା । ସହରରେ ଲଗାତାର ଗୁଳି ବିନିମୟ ମଧ୍ୟରେ ଲୋକଙ୍କୁ କବର ସମ୍ଭବ ନୁହେଁ  । ଏହି ସମୟରେ ନଗର କର୍ତ୍ତୃପକ୍ଷ ମୃତଦେହକୁ ସମାଧି ଦେବା ପାଇଁ ଏକ ସାମୁହିକ କବର ତିଆରି କରିଛନ୍ତି ଯେଉଁଠାରେ ଏକାସାଙ୍ଗରେ ଦୁଇରୁ ଅଧିକ ଶବକୁ କବର ଦେଇହେବ ।

ସୂଚନା, ଅନୁଯାୟୀ, ମାରିୟୁପୋଲ୍ ସହରର ମଧ୍ୟଭାଗରେ ଥିବା ଏକ ପୁରୁଣା କବରରେ ୨୫ ମିଟର ଲମ୍ବ ଗଭୀର ଖାଲ ଖୋଳା ଯାଇଛି । ଏହି ଖାଲରେ, ମ୍ୟୁନିସିପାଲିଟି ସାମାଜିକ ସେବା କର୍ମଚାରୀମାନେ ସହରରେ ଏବଂ ଘରେ ପଡ଼ି ରହିଥିବା ମୃତଦେହଗୁଡ଼ିକୁ ଏକତ୍ର ସମାଧି ଦେଉଛନ୍ତି ।

ତୁର୍କୀରେ ଋଷ-ୟୁକ୍ରେନ ଆଲୋଚନା ବିଫଳ, ଋଷ ବୈଦେଶିକ ମନ୍ତ୍ରୀ କହିଲେ- ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିବ

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ ନେଉଛି ଜଟିଳ ରୂପ । ଫିଟୁନି ସମାଧାନର ବାଟ । ଯୁଦ୍ଧ ଟାଳିବା ଲାଗି ପ୍ରଥମ ଥର ଲାଗି ତୁର୍କୀରେ ଅନୁଷ୍ଠିତ ବୈଠକ ବିଫଳ ହୋଇଛି । ବୈଠକରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସତ୍ତ୍ବେ ବାହାରିପାରିନି ସମାଧାନର ସୂତ୍ର । କୁଲେବା କହିଛନ୍ତି ଋଷ ଯେଉଁ ସର୍ତ୍ତ ରଖିଛି ତାହା ଆତ୍ମସମର୍ପଣ କରିବା ପରି । ସେପଟେ ଲାଭରୋଭ କହିଛନ୍ତି- ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିବ ।

ତୁର୍କୀ କଥାବାର୍ତ୍ତା ବିଫଳ ହୋଇଥିବା ବେଳେ, ୟୁକ୍ରେନ ରାଜଧାନୀ କିଭ୍ ଦଖଲ ଲାଗି ଆଗେଇଛନ୍ତି ଋଷ ସୈନ୍ୟ । କିଭଠାରୁ ମାତ୍ର ୧୦ ମାଇଲ ଦୂରରେ ଠୁଳ ହେଲେଣି ସୈନ୍ୟବାହିନୀ । ଟ୍ୟାଙ୍କ ଓ ଗୋଳାମାଡରେ ଧ୍ବଂସସ୍ତୂପରେ ପରିଣତ ହେବାରେ ଲାଗିଛି କିଭର ପାର୍ଶ୍ବବର୍ତ୍ତୀ ଅଞ୍ଚଳ । ଜୀବନ ବିକଳରେ ସମଗ୍ର କିବର ଅର୍ଦ୍ଧାଧିକ ଲୋକ ସହର ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର ପଶ୍ଚିମାଞ୍ଚଳ । ଏହି ଅଞ୍ଚଳରେ ଥିବା ବୁଚା, ଇରପିନ, ହୋସ୍ତୋମେଲ, ବୋର୍ଜେଲ ଆଦି ସହରର ଅବସ୍ଥା ସବୁଠାରୁ ବିପଜ୍ଜନକ ହୋଇଛି ବୋଲି ସୂଚନା ଦେଇଛନ୍ତି ଓବଲାସ୍ତ ଗଭର୍ଣ୍ଣର ଓଲେକ୍ସି କୁଲେବା ।

ଗତକାଲି ମାରିଉପୋଲର ଏକ ମାତୃକାଳୀନ ହସ୍ପିଟାଲରେ ହୋଇଥିବା ବୋମାମାଡରେ ଧ୍ବଂସସ୍ତୂପ ତଳେ ଆହୁରି କିଛି ଲୋକ ପୋତି ହୋଇଥିବା ଆଶଙ୍କା କରାଯାଉଛି । ତେବେ ହସ୍ପିଟାଲ ନାଁରେ ଯୁଦ୍ଧ ଲାଗି ଜାତୀୟତାବାଦୀ ବାହିନୀକୁ ରଖାଯାଇଥିବାରୁ ସେଠାରେ ଆକ୍ରମଣ କରାଗଲା ବୋଲି କହିଛି ଋଷ । ସେପଟେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ କହିଛନ୍ତି, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେନ୍ଦ୍ର କରି ନାଟୋ ରାଷ୍ଟ୍ରଗୋଷ୍ଠୀଙ୍କ ମଧ୍ୟରେ ଏକତା ବୃଦ୍ଧି ପାଇଛି । ଋଷ ବିରୋଧରେ ଆନ୍ତର୍ଜାତିକ ଯୁଦ୍ଧ ଅପରାଧଜନିତ ତଦନ୍ତ ଲାଗି ହୋଇଥିବା ଆହ୍ବାନକୁ ଆମେରିକା ସମର୍ଥନ କରୁଛି ବୋଲି କହିଛନ୍ତି କମଳା ହାରିସ ।

କେନ୍ଦ୍ର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବ୍ୟବସାୟୀ ସଂଘ

ନୂଆଦିଲ୍ଲୀ: ପୂରା ବଜାରକୁ ଖାଇଗଲେଣି ଅନଲାଇନ ମାର୍କେଟିଂ  । ସବୁ ଜାଣି ଚୁପ୍ ବସିଛି କେନ୍ଦ୍ର । କେନ୍ଦ୍ରର ମନମୁଖୀ କାରବାର ବିରୋଧରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଉଛନ୍ତି ବ୍ୟବସାୟୀ ସଂଘ । ଆଜି କନ୍ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ-କେଟ୍ର ରାଜ୍ୟ ମୁଖ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିବେ ଖୁଚୁରା ବ୍ୟବସାୟୀ । ୧୫ରୁ ୧୮ ପର୍ଯ୍ୟନ୍ତ ବିଦେଶୀ ଅନ୍ଲାଇନ୍ ସଂସ୍ଥାଙ୍କ କୁଶପୁତ୍ତଳିକା ଦାହ କରିବ ସଂଘ ।

୨୨ ଓ ୨୩ ତାରିଖରେ ସବୁ ରାଜ୍ୟର ସାଂସଦମାନଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ୨୯ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କେଟ୍ ପକ୍ଷରୁ ପ୍ରଦାନ କରାଯିବ ସ୍ମାରକ ପତ୍ର । ସାଧାରଣ ଖୁଚୁରା ବ୍ୟବସାୟୀ ପାଇଁ ଜିଏସଟି ଜଟିଳ ପରିସ୍ଥିତି ସୃଷ୍ଟି କରିଛି  । ରିଟେ୍ଲ ବ୍ୟବସାୟରେ ବିଦେଶୀ ସଂସ୍ଥାମାନଙ୍କ କାରବାର ଉପରେ କେନ୍ଦ୍ରର କୌଣସି ନିୟନ୍ତ୍ରଣ ରହୁନାହିଁ । ଯାହାଫଳରେ ଦେଶର ପ୍ରାୟ ୧୩ କୋଟି ଖୁଚୁରା ବ୍ୟବସାୟୀ ପ୍ରଭାବିତ ହେଉଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ତ୍ବରିତ ପଦକ୍ଷେପ ନେବାକୁ ଦାବି କରିଛି ସଂଘ  ।

ପୁଣି ୪ ରାଜ୍ୟରେ ବିଜେପି ସରକାର, ୟୁପିରେ ରିପିଟ୍ ହେଲେ ଯୋଗୀ, ପଞ୍ଜାବରେ ଚମକିଲା ଆପ୍

ନୂଆଦିଲ୍ଲୀ: ଗୋଆ, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଣିପୁରରୁ ଆସିଲା ଫାଇନାଲ୍ ରେଜଲ୍ଟ । ଗୋଆରେ ୪୦ ଆସନରୁ ବିଜେପିକୁ ୨୦ ଆସନ ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୧୨ଟି ଆସନ । ସେହିପରି ଆମ ଆଦମୀ ପାର୍ଟିକୁ ୨ ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ୬ଟି ଆସନରେ ବିଜୟଲାଭ କରିଛନ୍ତି । ସେହିଭଳି ପଞ୍ଜାବର ୧୧୭ଟି ଆସନରୁ ଆପକୁ ମିଳିଛି ୯୨ଟି ଆସନ । ବହୁମତ ସହ ପଞ୍ଜାବରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ସେହିଭଳି କଂଗ୍ରେସ ପଞ୍ଜାବରେ ୧୮ଟି ଆସନରେ ସୀମିତ ରହିଛି । ତେବେ ବିଜେପିକୁ ମିଳିଲା ମାତ୍ର ୨ଟି ଆସନ । ସିରୋମଣି ଅକାଳୀ ଦଳ ବା ସାଡକୁ ମିଳିଛି ୪ଟି ଆସନ ।

ମଣିପୁରରେ ମଧ୍ୟ ସମସ୍ତ ଆସନରେ ଭୋଟ ଗଣତି ଶେଷ ହୋଇଛି । ବିଜେପିକୁ ୩୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଛି । ସେହିପରି ନ୍ୟାସନାଲ ପିପୁଲସ୍‌ ପାର୍ଟି ୭ଟି ଆସନରେ ବିଜୟ ଲାଭ କରିଛି । ଅନ୍ୟାନ୍ୟଙ୍କୁ ମିଳିଛି ୧୬ଟି ଆସନ । ସେହିପରି ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ୪୭ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୧୯ଟି ଆସନ ମିଳିଛି । ଉତ୍ତରାଖଣ୍ଡରେ ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଛନ୍ତି । ଯଦି ଉତ୍ତରପ୍ରଦେଶ କଥା କହିବା ତାହାଲେ ଉତ୍ତରପ୍ରଦେଶର ୪୦୩ ଆସନରୁ ବିଜେପି ମେଣ୍ଟକୁ ୨୭୩ଟି ଆସନ ମିଳିଥିବା ବେଳେ ସରକାର ଗଢିବ ବିଜେପି । ସେହିଭଳି ସମାଜବାଦୀ ପାର୍ଟି ମେଣ୍ଟକୁ ମିଳିଛି ୧୨୫ଟି ଆସନ । ୟୁପିରେ କଂଗ୍ରେସକୁ ମିଳିଛି ମାତ୍ର ଦୁଇଟି ଆସନ । ସେହିପରି ଉତ୍ତରପ୍ରଦେଶରେ ଅନ୍ୟାନ୍ୟ ଦଳ ୩ଟି ଆସନରେ ବିଜୟ ଲାଭ କରିଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଆଜିଠୁ ପରୋକ୍ଷ ନିର୍ବାଚନ, ଆଜି ନିର୍ବାଚିତ ହେବେ ନାଏବ ସରପଞ୍ଚ

ଭୁବନେଶ୍ୱର: ଆଜିଠୁ ପଞ୍ଚାୟତ ବ୍ୟବସ୍ଥାର ପରୋକ୍ଷ ନିର୍ବାଚନ । ଆଜି ନାଏବ ସରପଞ୍ଚ ପାଇଁ ହେବ ଭୋଟିଂ । ଭୋଟ ଦେଇ ନାଏବ ସରପଞ୍ଚଙ୍କୁ ବାଛିବେ ଓ୍ୱାର୍ଡ ମେମ୍ବର । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ଅଛି । ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ପଞ୍ଚାୟତରେ ସରପଞ୍ଚ ପୁରୁଷ ହୋଇଥିଲେ ନାଏବ ସରପଞ୍ଚ ମହିଳା ହେବେ । ତେବେ ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମଧ୍ୟ ମହିଳା ରହିପାରିବେ ।

ଆଜି ନାଏବ ସରପଞ୍ଚ ନିର୍ବାଚନ ଶେଷ ହେବା ପରେ ଆସନ୍ତାକାଲି ବ୍ଲକ ଅଧ୍ୟକ୍ଷ ଓ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ପାଇଁ ନିର୍ବାଚନ ହେବ । ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥିପତ୍ର ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଦାଖଲ ହେବ । ୧୧ଟା ୩୦ରୁ ୧୨ଟା ୩୦ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ । ୧୨ଟା ୩୦ ପରେ ହେବ ଭୋଟ୍ । ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଏଥର ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ସବୁ ଜିଲ୍ଲା ପରିଷଦ ବିଜେଡି ଗଠନ କରିବ ସ୍ପଷ୍ଟ ହୋଇ ସାରିଥିଲା ବେଳେ ୩୧୪ ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।


                

ହାରିଲେ ଯୋଗୀଙ୍କ ଉପମୁଖ୍ୟମନ୍ତ୍ରୀ କେଶବ ସିଂ ମୌର୍ଯ୍ୟ

ଲକ୍ଷ୍ନୌ: ବିଜେପିର ତୁଙ୍ଗ ନେତା ତଥା ଯୋଗୀ ସରକାରର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସିରାଥୁ ଆସନରେ ପରାଜୟ ବରଣ କରିବାକୁ ପଡିଛି । ସମାଜବାଦୀ ପାର୍ଟି ପ୍ରାର୍ଥୀ ପଲ୍ଲଭୀ ପଟେଲଙ୍କଠାରୁ ୭ ହଜାର ୩୩୭ ଭୋଟରେ ପରାଜିତ ହୋଇଛନ୍ତି । ଏଠାରେ ବିଜେପି ଏଜେଣ୍ଟ ରି-କାଉଣ୍ଟିଂ କରିବା ଦାବିରେ ହଙ୍ଗାମା କରୁଛନ୍ତି ।

ପଲ୍ଲଭୀ ନିଜକୁ କୌଶମ୍ବୀର ବୋହୂ ବୋଲି କହିଥାନ୍ତି । କାରଣ ତାଙ୍କ ପତି ପଙ୍କଜ ନିରଞ୍ଜନ ଏହି ଜିଲ୍ଲାର ବାସିନ୍ଦା । କେଶବ ପ୍ରସାଦ ମୌର୍ଯ୍ୟଙ୍କ ଜନ୍ମଭୂମି କୌଶମ୍ବୀ । ଏମିତି ସ୍ଥିତିରେ ସିରାଥୁରେ ବୋହୂ ବନାମ ପୁଅ ଲଢେଇ ହୋଇଥିଲା । ଏଠାରେ ଉଭୟ ବିଜେପି ଓ ସମାଜବାଦୀ ପାର୍ଟି ନିଜ ଇଜ୍ଜତ ବଞ୍ଚାଇବାକୁ ପୂରା ଦମ୍ ଲଗାଇ ଦେଇଥିଲେ ।

ସୂଚନାଯୋଗ୍ୟ, ସିରାଥୁ ବିଧାନସଭା ଆସନ ଏକଦା ସମାଜବାଦୀ ପାର୍ଟିର ଗଡ ଥିଲା । ୨୦୧୨ ବିଧାନସଭା ନିର୍ବାଚନରେ କେଶବ ଏଠାରେ ପ୍ରଥମ ଥର ବିଜୟୀ ହୋଇ ପଦ୍ମ ଫୁଟାଇଥିଲେ । ଏହାପରେ ଏହି ଆସନଟି ବିଜେପି ଦଖଲରେ ରହି ଆସିଥିଲା । ଗତ ୫ ବର୍ଷରେ ଏଠାରେ ହୋଇଥିବା ବିକାଶକୁ ନେଇ କେଶବ ଜିତିବେ ବୋଲି ଦାବି କରି ଆସୁଥିଲେ । ହେଲେ ଜାତିଗତ ସମୀକରଣକୁ ଦେଖି ସମାଜବାଦୀ ପାର୍ଟି ଏଠାରେ ପଲ୍ଲଭୀଙ୍କୁ ଏମିତି ଉପସ୍ଥାପନା କଲା ଯେ, ପ୍ରତିଦ୍ବନ୍ଦ୍ବିତା ରୋଚକ ହୋଇଯାଇଥିଲା ।

ଛୁଆଙ୍କୁ ଧରି ଗାଁରେ ବୁଲୁଛି ମାଆ ଭାଲୁ

ନବରଙ୍ଗପୁର: ଦୁଇ ଛୁଆ ଭାଲୁଙ୍କୁ ଧରି ଗାଁ ଭିତରେ ବୁଲୁଛି ମାଆ ଭାଲୁ । ନବରଙ୍ଗପୁର ଜିଲ୍ଲାରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ ।  କିଛି ଦିନ ଧରି ଗୋଟିଏ ମାଇ ଭାଲୁ ଦୁଇଟି ଛୁଆଙ୍କୁ ଧରି ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ଓ ନିକଟସ୍ଥ ଗାଁକୁ ଗାଁ ବୁଲୁଛି। ଭାଲୁଟି ଦୁଇ ଛୁଆ ସହ ସିନ୍ଧିଗୁଡା ଗ୍ରାମର ଜଗନ୍ନାଥ ପାତ୍ରଙ୍କ ଆମ୍ବ ବଗିଚାରେ ଦେଖିବାକୁ ମିଳିଛି।

ବର୍ତ୍ତମାନ ସୁଦ୍ଧା ଭାଲୁଟି କାହାର କିଛି କ୍ଷତି କରିନଥିଲେ ମଧ୍ୟ ଲୋକ ଆତଙ୍କିତ ହୋଇ ରହିଛନ୍ତି । ଜଙ୍ଗଲ କ୍ଷୟ ହେଉ ଥିବାରୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଭାଲୁ । କିଛିଦିନ ତଳେ ନନ୍ଦାହାଣ୍ଡି ବ୍ଲକର ଖୁଣ୍ଟିଆ ଛକର ଗୋଟିଏ କଲଭର୍ଟ ତଳେ ଗୋଟେ ଭାଲୁ ଛୁଆକୁ ଉଦ୍ଧାର କରିଥିଲା ବନ ବିଭାଗ ।

ବିଜେପି ବିଜୟରେ ଦୁଃଖି ସାପା କର୍ମୀ ଦେହରେ ଲଗାଇଲେ ନିଆଁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ଭୋଟ ଗଣତି ଆଗେଇବାରେ ଲାଗିଛି । ବିଜେପି ନେତୃତ୍ବରେ ଏନଡିଏ ବହୁମତ ସହ ପୁଣି ଥରେ କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇସାରିଛି । ବିଜେପିର ଏହି ମହା ବିଜୟରେ ଦୁଃଖି ବିରୋଧୀ ସମାଜବାଦୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ରାଜଧାନୀ ଲକ୍ଷ୍ନୌରେ ବିଜେପି କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବ୍ୟକ୍ତି ଜଣଙ୍କ କାନପୁର ନଗର ବାସିନ୍ଦା ନରେନ୍ଦ୍ର ସିଂ ଓରଡ଼ ପିଣ୍ଟୁ ଠାକୁର । ସାପାର ପରାଜୟରେ ହତାଶ ହୋଇ ସେ ବିଜେପି କାର୍ଯ୍ୟାଳୟ ପାଖରେ ପହଁଞ୍ଚି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।

ନିଆଁ ଲାଗିବା ପରେ ଚିତ୍କାର କରି ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ ପିଣ୍ଟୁ । ସେଠାରେ ଉପସ୍ଥିତ ପୋଲିସ କର୍ମୀ ଯେଣେ ତେଣେ ପ୍ରକାରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କୁ ତୁରନ୍ତ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉତ୍ତରପ୍ରଦେଶରେ କ’ଣ ହେଲା ବାହୁବଳୀଙ୍କ ସ୍ଥିତି ? କିଏ ଜିତିଲେ, କିଏ ହାରିଲେ

ଲକ୍ଷ୍ନୌ: ୩୧ ବର୍ଷ ପରେ ବଦଳୁଛି ଉତ୍ତର ପ୍ରଦେଶ ଇତିହାସ । ଦ୍ବିତୀୟ ଥର ପାଇଁ ଲଗାତର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ସଂଖ୍ୟଗରିଷ୍ଠ ଠାରୁ ବହୁ ଅଧିକ ଆସନ ଜିତି ପୁଣି ବିଜେପି ସରକାର ଗଠନ କରିବାକୁ ଯାଉଛି । ତେବେ ଏହି ନିର୍ବାଚନରେ ୟୁପି ବାହୁବଳୀଙ୍କ ଦବଦବା କମିଛି । ଉତ୍ତର ପ୍ରଦେଶ ଭୋଟର ଅପରାଧ ଦୁନିଆର ଏହି ବାହୁବଳୀଙ୍କୁ ଭୋଟରେ ଉତ୍ତର ଦେଇଛନ୍ତି । ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ୭ ବାହୁବଳୀଙ୍କ ମଧ୍ୟରୁ ୪ ଜଣଙ୍କ ବିଜୟ ହୋଇଥିବା ବେଳେ ୩ ଜଣ ପରାଜିତ ହୋଇଛନ୍ତି । ଏମିତି କି ତିନି ବାହୁବଳୀଙ୍କ ପତ୍ନୀ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଆସନ୍ତୁ ଜାଣିବା ୟୁପିର ଏହି ବହୁବଳୀମାନେ କିଏ ? କେଉଁ ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ଜିତିଲେ ନା ହାରିଲେ ?

ରାଜା ଭୟାଙ୍କ ବିଜୟ

ପ୍ରତାପଗଡ଼ର କୁଣ୍ଡା ସିଟରୁ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭୟା ଲଗାତର ୭ମ ଥର ପାଇଁ ବିଜୟୀ ହୋଇଛନ୍ତି । ସେ ସମାଜବାଦୀ ପାର୍ଟୀ ପ୍ରାର୍ଥୀ ଗୁଲଶନ ଯାଦବଙ୍କୁ ୩୦ ହଜାର ୩୧୫ ଭୋଟରେ ପରାସ୍ତ କରିଛନ୍ତି । ରାଜାଙ୍କୁ ୯୯ ହଜାର ୬୧୨ ଭୋଟ ମିଳିଥିବା ବେଳେ ଗୁଲଶନଙ୍କୁ ୬୯ ହଜାର ୨୯୭ ଭୋଟ ମିଳିଛି । ସୂଚନାଯୋଗ୍ୟ ରାଜା ଭୟା ପ୍ରଥମ ଥର ପାଇଁ ନିଜ ଦଳ ଜନସତ୍ତା ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ତାଙ୍କ ଦଳର ବିନୋଦ ବାବାଗଞ୍ଜ ଆସନରୁ ବିଜୟୀ ହୋଇଛନ୍ତି ।

ଧନଞ୍ଜୟ ସିଂ ପରାଜିତ

ଜୋନପୁର ମହ୍ଲାନୀ ଆସନରୁ ଲକି ଯାଦବଙ୍କଠାରୁ ପୁଣି ଥରେ ପରାଜିତ ହୋଇଛନ୍ତି ବାହୁବଳୀ ଧନଞ୍ଜୟ ସିଂହ । ଲକି ତାଙ୍କୁ ୧୭ ହଜାର ୫୨୭ ଭୋଟରେ ପରାସ୍ତ କରିଛନ୍ତି । ପ୍ରାରମ୍ଭିକ ଭୋଟ ଗଣତିରେ ଧନଞ୍ଜୟ ପ୍ରାୟ ୪ ହଜାର ଭୋଟ୍ ଆଗରେ ଥିଲେ । ହେଲେ ଏହାପରେ ସେ ଧିରେ ଧିରେ ପଛକୁ ପଛକୁ ଯାଇଥିଲେ । ଲକିଙ୍କୁ ୯୭ ହଜାର ୩୫୭ ଭୋଟ ମିଳିଥିବା ବେଳେ ଧନଞ୍ଜୟଙ୍କୁ ୭୯ ହଜାର ୮୩୦ ଭୋଟ ମିଳିଛି ।

​​​​​​ତୃତୀୟ ସ୍ଥାନରେ ରହିଲେ ବିଜୟ ମିଶ୍ରା

ଭଦୋହୀ ଜିଲ୍ଲାର ଜ୍ଞାନପୁର ଆସନରେ ପ୍ରାର୍ଥୀ ହୋଇଥିବା ବାହୁବଳୀ ବିଜୟ ମିଶ୍ରାଙ୍କୁ ପ୍ରତ୍ୟାଖାନ କରିଛନ୍ତି ଜନତା । ତୃତୀୟ ସ୍ଥାନରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି । ନିଷାଦ ପାର୍ଟି ପ୍ରାର୍ଥୀ ବିପୁଲ ଦୁବେ ୭୩ ହଜାର ୪୪୬ ଭୋଟ ପାଇଁ ଏଠାରୁ ବିଜୟୀ ହୋଇଛନ୍ତି । ସାପା ପ୍ରାର୍ଥୀ କିଶୋର ବିନ୍ଦ ୬୭ ହଜାର ୨୧୫ ଭୋଟ ପାଇଁ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜୟଙ୍କୁ ୩୦ ହଜାର ୭୫୩ ଭୋଟ ମିଳିଛି ।

ରମାକାନ୍ତଙ୍କ ବିଜୟ

ଆଜମଗଡ଼ର ଫୁଲପୁର-ପଓ୍ବାଇ ଆସନରେ ବାହୁବଳୀ ରମାକାନ୍ତ ଯାଦବ ବିଜୟୀ ହୋଇଛନ୍ତି । ସେ ବିଜେପିର ରାମ ସୁରତଙ୍କୁ ହରାଇଛନ୍ତି । ସାପା ପ୍ରାର୍ଥୀ ଆଜମଗଡ଼ର ସବୁ ୧୦ଟି ଯାକ ଆସନରେ ବିଜୟୀ ହୋଇଛନ୍ତି । ଗତ ନିର୍ବାଚନରେ ଏହି ଆସନରୁ ରମାକାନ୍ତ ଯଦବଙ୍କ ପୁଅ ବିଜେପି ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି ।  

ବାହୁବଳୀଙ୍କ ପୁତୁରା ବିଜୟୀ

ଚାନ୍ଦୋଲିର ସୋୟଦରାଜା ଆସନରୁ ବାହୁବଳୀ ବ୍ରିଜେଶ ସିଂଙ୍କ ପୁତୁରା ସୁନୀଲ ସିଂ ୧୦ ହଜାର ୬୫୬ ଭୋଟରେ ମନୋଜ ସିଂଙ୍କୁ ପରାସ୍ତ କରିଛନ୍ତି । ସାପା ପ୍ରାର୍ଥୀ ମନୋଜ କିଛିଦିନ ପୂର୍ବେ କହିଥିଲେ ସୁନୀଲଙ୍କୁ ଯେତିକି ଭୋଟ ମିଳିବ ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ତାଙ୍କୁ ହରାଇବେ ।

ବାହୁବଳୀଙ୍କ ପତ୍ନୀ ପରାଜିତ

ଅଯେଧ୍ୟାର ଗୋସାଇଗଞ୍ଜ ଆସନରୁ ବାହୁବଳୀ ଖବୁ ତିଓ୍ବାରୀଙ୍କ ପତ୍ନୀ ଆରତୀ ତିଓ୍ବାରୀ ପରାଜିତ ହୋଇଛନ୍ତି । ସାପା ପ୍ରାର୍ଥୀ ଅଭୟ ସିଂ ତାଙ୍କୁ ୧୦ ହଜାର ୭୦୭ ଭୋଟରେ ପରାସ୍ତ କରିଛନ୍ତି । ଆରତୀଙ୍କୁ ୮୮ ହଜାର ୮୬୪ ଭୋଟ ମିଳିଥିବା ବେଳେ ଅଭୟଙ୍କୁ ୯୯ ହଜାର ୫୭୧ ଭୋଟ ମିଳିଛି ।

ମଦନ ଭୟା ଗଲେ ହାରି

ଗାଜିଆବାଦର ଲେନି ଆସନରୁ ବାହୁବଳୀ ମଦନ ଭୟାଙ୍କୁ ବିଜେପି ପ୍ରାର୍ଥୀ ନନ୍ଦକିଶୋର ଗୁଜର ୮ ହଜାର ୭୧୦ ଭୋଟରେ ପରାସ୍ତ କରିଛନ୍ତି । ନନ୍ଦକିଶୋରଙ୍କୁ ୧ ଲକ୍ଷ ୨୭ ହଜାର ୨୨୨ ଭୋଟ ମିଳିଥିବା ବେଳେ ମଦନଙ୍କୁ ୧ ଲକ୍ଷ ୧୮ ହଜାର ୫୧୨ ଭୋଟ ମିଳିଛି ।