ରଣବୀରଙ୍କୁ ଶାଶୁ ସୋନି ରାଜଦାନ ଦେଲେ ଅଢ଼େଇ କୋଟିର ଉପହାର

ନୂଆଦିଲ୍ଲୀ: ଦୀର୍ଘ ଅପେକ୍ଷା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲଭ୍‌ ବର୍ଡ଼ ରଣବୀର କପୂର ଏବଂ ମହେଶଙ୍କ ତନୟା ଆଲିୟା ଭଟ୍ଟ । ଏବେ ତାଙ୍କ ବିବାହ ଫଟୋ ଏବଂ ରୀତିନୀତିକୁ ନେଇ ମାୟାନଗରୀ ବଲିଉଡରେ ଚାଲିଛି ଜବରଦସ୍ତ ଚର୍ଚ୍ଚା । କିନ୍ତୁ ଦୁଇଜଣଙ୍କୁ ବିବାହରେ କିଏ କ’ଣ ଉପହାର ଦେଇଛନ୍ତି ଫ୍ୟାନ୍ସ ତାହା ଜାଣିବା ପାଇଁ ବେଶ୍‌ ଉତ୍ସାହୀ । ତେବେ ଆସନ୍ତୁ ଆଲୋଚନା କରିବା ଉପହାର ବିଷୟରେ ।

ଗଣମାଧ୍ୟମ ଖବର ଅନୁସାରେ,  ବିବାହ ଦିନ ହିଁ ରଣବୀର ଏବଂ ଆଲିୟାଙ୍କ ନିର୍ବନ୍ଧ ହୋଇଥିଲା ।  ରଣବୀରଙ୍କୁ ବ୍ୟାଣ୍ଡ୍‌ ଏବଂ ଆଲିୟାଙ୍କୁ ମିଳିଲା ହୀରା ମୁଦି । ଆଲିୟାଙ୍କ ମା’ ସୋନି ରାଜଦାନ ରଣବୀରଙ୍କୁ ଏକ ଦାମି ଘଣ୍ଟା ଉପହାର ଦେଲେ । ସୋନି ଏଭଳି ଏକ ଘଣ୍ଟା ଦେଇଛନ୍ତି ଯାହା ସହଜରେ ମିଳିବା କାଠିକର । ଖବର ଅନୁସାରେ ସୋନି ରାଜଦାନ ଜ୍ୱାଇଁଙ୍କୁ ଦେଇଥିବା ଘଣ୍ଟାର ମୂଲ୍ୟ ୨.୫ କୋଟି ଟଙ୍କା ।

ରୀତିନୀତି ଅନୁସାରେ ବିବାହକୁ ଆସିଥିବା ଅତିଥିଙ୍କୁ ମଧ୍ୟ ଉପହାର ଦିଆଯାଏ । ସୂଚନା ଅନୁସାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଆଲିୟାଙ୍କ ପସନ୍ଦର  କାଶ୍ମୀର ଶାଲ ଉପହାରରେ ଦିଆଯାଇଥିଲା । ଖାଲି ସେତିକି ନୁହେଁ ବରଂ ଜୋତା ଲୁଚାଇବା ବିଧି ମଧ୍ୟ ଖୁବ୍‌ ମଜାଦାର ଥିଲା ବୋଲି କୁହାଯାଉଛି ।  ଶାଳୀମାନେ ରଣବୀରଙ୍କୁ ଜୋତା ପରିବର୍ତ୍ତେ ୧୧.୫ କୋଟି ଡିମାଣ୍ଡ କରିଥିଲେ । ମଜାଦାର କଥା ହେଉଛି ଖୁବ୍‌ ମଜାମସ୍ତି ପରେ ରଣବୀର ଲଫାପାରେ ୧ ଲକ୍ଷ ଦେଲେ ।

ସୂଚନା ଅନୁସାରେ ଆଲିୟାଙ୍କର ଚୁଡ଼ି ବିଧି କରାଗଲା ନାହିଁ । କାରଣ ଯଦି ତାହା ହୋଇଥାନ୍ତା ତେବେ ତାଙ୍କୁ ୪୦ ଦିନ ପର୍ଯ୍ୟନ୍ତ ଚୁଡ଼ି ପିନ୍ଧିବାକୁ ପଡ଼ିଥାନ୍ତା ଏବଂ ଆଲିୟାଙ୍କ ପକ୍ଷେ ଅସମ୍ଭବ । କାରଣ ଖୁବଶୀଘ୍ର ତାଙ୍କୁ ସୁଟିଂକୁ ଫେରିବାର ଅଛି ।