ନନ୍ଦିଘୋଷ ବ୍ୟୁରୋ: ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ବାଗେଶ୍ୱର ଧାମର ପୀଠାଧୀଶ ଧୀରେନ୍ଦ୍ର ଶାସ୍ତ୍ରୀ। ତାଙ୍କ ବିରୋଧରେ ଆଗ୍ରାର ଏକ କୋର୍ଟରେ ଦାଖଲ ହୋଇଛି ଆପରାଧିକ ମାନହାନି ଅଭିଯୋଗ। ଅଧିବକ୍ତା ଅଜୟ ପ୍ରତାପ ସିଂହ ଏହି ମାମଲା ଦାଖଲ କରିଛନ୍ତି। ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ମନ୍ତବ୍ୟ ଦ୍ୱାରା ଶ୍ରୀକୃଷ୍ଣଙ୍କ ବଂଶଧରଙ୍କ ଧାର୍ମିକ ଭାବନା ଓ ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ଅନ୍ତର୍ଗତ କରେରାରେ ଏକ ରାମକଥା କାର୍ଯ୍ୟକ୍ରମରେ ଯୋଗଦେଇ ଧୀରେନ୍ଦ୍ର ଶାସ୍ତ୍ରୀ ଭଗବାନ ରାମ ଓ ଶ୍ରୀକୃଷ୍ଣଙ୍କ ଠିଆ ହେବାର ଶୈଳୀକୁ ନେଇ ତୁଳନା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଶ୍ରୀକୃଷ୍ଣଙ୍କୁ ମାନୁଥିବା ଲୋକଙ୍କୁ ତାଙ୍କ କଥା ଖରାପ ଲାଗିପାରେ, କିନ୍ତୁ କୃଷ୍ଣ ତିନୋଟି ସ୍ଥାନରୁ ବଙ୍କା ହୋଇ ଠିଆ ହୁଅନ୍ତି। ଏହି ମନ୍ତବ୍ୟ ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେବା ସହ ବିବାଦ ଆରମ୍ଭ ହୋଇଥିଲା।
ଅଭିଯୋଗକାରୀ ଅଜୟ ପ୍ରତାପ ସିଂହଙ୍କ କହିବା ଅନୁସାରେ, ଦ୍ୱାପର ଯୁଗରେ ମାନବ ରୂପରେ ଜନ୍ମ ନେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବଂଶଧର ଏବେ ମଧ୍ୟ ଭାରତରେ ରହିଛନ୍ତି। ଏହାର ଉଦାହରଣ ଭାବେ ସେ ଜାଦୌନ, ଜାଡେଜା ଓ ଭାଟି ଭଳି ସମ୍ପ୍ରଦାୟର ଐତିହାସିକ ଉଲ୍ଲେଖ କରିଛନ୍ତି। ଏପରିକି ସେ ନିଜେ ମାତୃପକ୍ଷରୁ ଶ୍ରୀକୃଷ୍ଣଙ୍କ ବଂଶଧର ବୋଲି ଦାବି କରିଛନ୍ତି। ତେଣୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ମନ୍ତବ୍ୟ ଏହି ବଂଶଧରଙ୍କ ସମ୍ମାନ ଓ ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇଥିବା ସେ ଦର୍ଶାଇଛନ୍ତି।
ଏହି ମାମଲାର ପ୍ରାରମ୍ଭିକ ଶୁଣାଣି ସିଭିଲ୍ ଜଜ୍ କଞ୍ଚନ କୁମାରଙ୍କ ଅଦାଲତରେ ହୋଇଛି। ଅଦାଲତ ଅଭିଯୋଗକୁ ପଞ୍ଜୀକୃତ କରିବା ସହ ଆଗାମୀ ଶୁଣାଣି ପାଇଁ ଡିସେମ୍ବର ୧୪ ତାରିଖ ଧାର୍ଯ୍ୟ କରିଛନ୍ତି।
ଅନ୍ୟପଟେ, ବିବାଦ ବଢ଼ିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀ ଏକ ଭିଡିଓ ଜରିଆରେ ନିଜ ପକ୍ଷ ରଖିଛନ୍ତି। ରାମ ଓ କୃଷ୍ଣଙ୍କ ମଧ୍ୟରେ କୌଣସି ଭେଦଭାବ ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କ କଥା ଦ୍ୱାରା କାହାରି ଧାର୍ମିକ ଭାବନା ଆଘାତ ପାଇଥିଲେ, ସେଥିପାଇଁ କ୍ଷମା ମାଗୁଥିବା ମଧ୍ୟ କହିଛନ୍ତି। ଏବେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିବା ବିବାଦ ଆଗକୁ କେଉଁ ମୋଡ଼ ନେଉଛି, ତାହା ଉପରେ ରହିଛି ନଜର ।

