ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କଲା କମିଶନରେଟ୍ ପୋଲିସ

1 min read

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମିଶନ ଇମ୍ପସିବଲ୍ ହେଲା ପସିବଲ୍ । ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଓ ଅନ୍ୟ ଜଣେ ବାଂଲାଦେଶର ବୋଲି ସୂଚନା ମିଳିଛି । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଅଛନ୍ତି । ମୋଟ ୬ ଜଣିଆ ଗ୍ୟାଙ୍ଗ ୫ ତାରିଖରେ ଲୁଟ୍‌ ପାଇଁ ଭୁବନେଶ୍ବର ଆସିଥିଲେ । ଲିଙ୍ଗିପୁର ଅଞ୍ଚଳରୁ ଟାଟା ଏସି ଚୋରି କରି ଏଟିଏମ୍ ପାଖରେ ପହଞ୍ଚିଥିଲେ ।

କୌଣସି ପ୍ରକାର ମୋବାଇଲ ବ୍ୟବହାର କରନ୍ତିନି ଏହି ଗ୍ୟାଙ୍ଗ । ପୂର୍ବରୁ ହୋଇଥିବା ପ୍ଲାନ ଅନୁଯାୟୀ ଲୁଟ୍ କରିବା ଦିନ ଗୋଟାଏ ଜାଗାରେ ଏକାଠି ହେଉଥିଲେ । ଫେକ ଆଧାରକାର୍ଡ ଦେଇ ବିଭିନ୍ନ ହୋଟେଲରେ ରହୁଥିଲେ ଏହି ଲୁଟେରା । ଆଉ ୪ ବାଂଲାଦେଶୀ ଲୁଟେରାଙ୍କୁ ଖୋଜା ଚାଲିଛି । ଖୁବଶୀଘ୍ର ୪ ଲୁଟେରାଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ସ୍ପେଶାଲ ଟିମ୍ ଗଠନ ହୋଇଥିଲା । ସରାଇ ଆପ୍ଲିକେସନ ଲୁଟେରାଙ୍କୁ ଧରିବାରେ ସାହାଯ୍ୟ କରିଛି । ବେଙ୍ଗାଲୁରୁ, ଦିଲ୍ଲୀ ଓ ଗୋଆରେ ମଧ୍ୟ ଲୁଟ କରିଛି ଏହି ଗ୍ୟାଙ୍ଗ। ଫେକ୍ ଡକ୍ୟୁମେଣ୍ଟ କରି ଭାରତକୁ ଆସୁଥିଲେ ଦୁହେଁ । ଦେଶରେ ଲୁଟ୍ କରିବା ପରେ ଲୁଟ୍ ଟଙ୍କାକୁ ବାଂଲାଦେଶ ପଠାଉଥିବା ସୂଚନା ମିଳିଛି ।