ବିଜେପିଠାରୁ ଆସନସୋଲ ଲୋକସଭା ଆସନ ଛଡ଼ାଇ ଆଣିଲା ଟିଏମସି

ନୂଆଦିଲ୍ଲୀ: ଗୋଟିଏ ଲୋକସଭା ଓ ଚାରି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆଜି ଗଣତି ଚାଲିଛି । ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଛି । ଆସାନସୋଲ ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ ଅଭିନେତା ଶତ୍ରୁଘ୍ନ ସିହ୍ନା ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି । ଏହି ଆସନ ପୂର୍ବରୁ ଭାରତୀୟ ଜନତା ପାର୍ଟି ହାତରେ ଥିଲା । କିନ୍ତୁ ବାବୁଲ ସୁପ୍ରିୟୋ ଏହି ଆସନରୁ ଇସ୍ତଫା ଦେଇଥିଲେ ।  ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ଏହି ଆସନରୁ ବିଜୟୀ ହୋଇଥିଲେ ବାବୁଲ ସୁପ୍ରିୟୋ । ସାଂସଦ ଭାବରେ ନିର୍ବାଚିତ ହେବା ପରେ ବାବୁଲ ସୁପ୍ରିୟୋ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।

ବାବୁଲ ସୁପ୍ରିୟୋ ଚଳିତ ଉପ ନିର୍ବାଚନରେ ଟିଏମସି ଟିକେଟରେ ବାଲିଗଞ୍ଜ ବିଧାନସଭା ଆସନରୁ ଲଢିଥିଲେ । ସେ ମଧ୍ୟ ନିଜର ନିକଟତମ ବିଜେପି ପ୍ରତିଦ୍ବନ୍ଦୀଙ୍କଠାରୁ ଆଗୁଆ ରହିଛନ୍ତି । ବିହାରର ବୋଚାହାନ ବିଧାନସଭା ଆସନରେ ଆରଜେଡି ଆଗୁଆ ରହିଥିବା ବେଳେ ମହାରାଷ୍ଟ୍ରର କୋହ୍ଲାପୁର ନର୍ଥରେ କଂଗ୍ରେସ ଆଗୁଆ ରହିଛି । ସେହିପରି ଛତିଶଗଡ଼ର ଖଇରାଗଡ଼ ଆସନରେ ମଧ୍ୟ ଚାଲିଛି ଭୋଟ୍ ଗଣତି । ଏସବୁ ଆସନରେ ଉପନିର୍ବାଚନ ପାଇଁ ଗତମାସ ୧୨ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା ।