spot_img
Home Blog Page 4398

ମହଙ୍ଗା ଯୁଗରେ ଶସ୍ତା ପ୍ଲାନ, ୧୬ ଟଙ୍କାରେ ମିଳୁଛି ୩୦ ଦିନ ବୈଧତା

ନୂଆଦିଲ୍ଲୀ: ଜିଓ ଟେଲିକମ୍ ମାର୍କେଟକୁ ଆସିବା ପରେ ବିଏସଏନଏଲ୍ ଚମକ ହରାଇଥିଲା । ସମୟ ବଦଳିବା ସହ ଘରୋଇ ପ୍ରଥମେ ମାଗଣା ଓ ଶସ୍ତା ସେବା ଦେଉଥିବା ଘରୋଇ ଟେଲିକମ୍ କମ୍ପାନୀ ଏବେ ଦର ବେଶ୍ ବଢ଼ାଇଛନ୍ତି । ମହଙ୍ଗା ଯୁଗରେ ଏବେ ଲୋକଙ୍କୁ ପୁଣି ଆକୃଷ୍ଟ କରୁଛି ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ । ଏୟାରଟେଲ୍, ଜିଓ ଓ ଭୋଡ଼ାଫୋନ୍ ଆଇଡିଆ ଉପରେ ବିଏସଏନ୍ଏଲ୍ ଭାରି ପଡ଼ିବାରେ ଲାଗିଛି ।

BSNL Offers The Most Affordable 30 Day Prepaid Plan Telecom

ବିଏସଏନ୍ଏଲ୍ ମାତ୍ର ୧୬ ଟଙ୍କାରେ ସବୁଠୁ ଶସ୍ତା ୩୦ ଦିନ ବୈଧତା ବିଶିଷ୍ଟ ପ୍ଲାନ୍ ଦେଉଛି । ତେବେ ଏହି ପ୍ୟାକରେ ଡାଟା ଓ ମେସେଜ୍ ଉପଲବ୍ଧ ନାହିଁ । ତେବେ ଏହି ପ୍ୟାକର ବୈଧତା ଏକ ମାସ । ବିଏସଏନଏଲ୍ ମୁତାବକ ଆପଣ ୧୬ ଟଙ୍କା ରିଚାର୍ଜ କଲେ ଆପଣ ମିନିଟ୍ ପିଛା ୨୦ ପଇସା ଦେଇ କଲ୍ କରିପାରିବେ ।

ଯଦି ଆପଣଙ୍କ ପାଖେ ଅନ୍ୟ ସିମ୍ ସହ ବିଏସଏନଏଲ୍ ନମ୍ବର ରହିଛି । ଆଉ ତାକୁ ଆପଣ ସକ୍ରିୟ ରଖିବାକୁ ଚାହୁଁଛନ୍ତି । ତାହେଲେ ଏହି ପ୍ଲାନ୍ ଆପଣଙ୍କ ପାଇଁ ବେଶ୍ ଉପଯୋଗୀ । ଏହାଛଡ଼ା ବିଏସ୍ଏନ୍ଏଲ୍ ପାଖରେ ଆହୁରି ଭଲ ଅଫର୍ ମଧ୍ୟ ରହିଛି । ମାତ୍ର ୧୪୭ ଟଙ୍କାରେ ୩୦ ଦିନ ବୈଧତା ବିଶିଷ୍ଟ ପ୍ୟାକରେ ବିଏସ୍ଏନ୍ଏଲ୍ ଡାଟା ଓ ଭଏସ୍ କଲିଂ ସୁବିଧା ଦେଉଛି । ଏହି ପ୍ଲାନରେ ଅସୀମିତ ଭଏସ୍ କଲିଂ ସହ ୧୦ ଜିବି ଡାଟା ସହ ବିଏସ୍ଏନ୍ଏଲ୍ ଟ୍ୟୁନ୍ ରହିଛି । ତେବେ ଏଥିରେ ମେସେଜ୍ ସୁବିଧା ନାହିଁ ।

ଜୁଲାଇ ୧୭ରେ NEET-UG, ଆରମ୍ଭ ହେଲା ପଞ୍ଜିକରଣ

ନୂଆଦିଲ୍ଲୀ: ୨୦୨୨ ନିଟ୍ ୟୁଜି ପରୀକ୍ଷା ଲାଗି ପଞ୍ଜିକରଣ ଆରମ୍ଭ ହୋଇଛି । ଜୁଲାଇ ୧୭ରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟରାନ୍ସ ଟେଷ୍ଟ (NEET) ପରୀକ୍ଷା ହେବ । ଦେଶବ୍ୟାପୀ ୧୩ଟି ଭାଷାରେ ଚଳିତଥର ନିଟ୍ ପରୀକ୍ଷା ହେବ । ତେବେ ଚଳିତବର୍ଷ ନିଟ୍ ଆବେଦନ ଲାଗି କୌଣସି ବୟସସୀମା ରଖାଯାଇ ନାହିଁ । ପୂର୍ବରୁ ୨୫ ବର୍ଷରୁ ଅଧିକ ବୟସ୍କ ନିଟ୍ ଏଣ୍ଟରାନ୍ସ ଲାଗି ଆବେଦନ କରିପାରୁ ନଥିଲେ ।

ଓପନ୍ ସ୍କୁଲରୁ ଦ୍ୱାଦଶ ପାସ୍ କରିଥିଲେ ନିଟରେ ଭାଗ ନେଇପାରିବେ ନାହିଁ । ଦଶମ ବୋର୍ଡ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଆବେଦନ କରିପାରିବେ । ଏପରିକି ବୋର୍ଡ ପରୀକ୍ଷାରେ ବିଫଳ ପରୀକ୍ଷାର୍ଥୀ ନିଟ୍ ଲାଗି ଆବେଦନ କରିପାରିବେ ନାହିଁ ।

ନିଟ୍ ଆବେଦନ ଲାଗି ସାଧାରଣ ବର୍ଗ ପରୀକ୍ଷାର୍ଥୀ ୧୬୦୦ ଟଙ୍କା ଦେବାକୁ ଥିବାବେଳେ ଆର୍ଥିକ ପଛୁଆ ବର୍ଗ, ଓବିସି ପରୀକ୍ଷାର୍ଥୀଙ୍କୁ ୧୫୦୦ ଟଙ୍କା ଆବେଦନ ଖର୍ଚ୍ଚ ଦେବାକୁ ପଡ଼ିବ । ଅନୁସୂଚିତ ଜାତି, ଜନଜାତି, ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀ ଆବେଦନ ପାଇଁ ୯୦୦ ଟଙ୍କା ଦେବେ । ଏନଆରଆଇ ପରୀକ୍ଷାର୍ଥୀଙ୍କୁ ୮ ହଜାର ୫୦୦ ଟଙ୍କା ଦେବାକୁ ପଡ଼ିବ ।

ଓଡ଼ିଶା ଆଦିବାସୀଙ୍କ ହକ୍ ମାରୁଛି କେନ୍ଦ୍ର

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ, ମନରେଗା, ଆବାସ ପରେ ଏବେ ରାଜ୍ୟର ଅନୁସୂଚିତ ଜନଜାତି ବର୍ଗଙ୍କୁ କେନ୍ଦ୍ରର ଅବହେଳା । ବର୍ଷ ପରେ ବର୍ଷ କମି ଚାଲିଛି କେନ୍ଦ୍ରୀୟ ଅନୁଦାନ। ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ୪ଟି ଯୋଜନାରେ ନିୟମିତ ଭାବେ ହ୍ରାସ ପାଉଛି ଅନୁଦାନ । ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ ହୋଇଛି । ଆଦିବାସୀ ବ୍ୟାପାର ମନ୍ତ୍ରୀ ଓଡ଼ିଶାରୁ ଥାଇ ବି ରାଜ୍ୟ ପ୍ରତି କେନ୍ଦ୍ରର ଏମିତି ଅବହେଳାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ । ଆଦିବାସୀ ଜନଜାତିଙ୍କ ବିକାଶ ପାଇଁ ସମ୍ବିଧାନରେ ବି କେନ୍ଦ୍ରକୁ ଅଧିକ କ୍ଷମତା ଦିଆଯାଇଛି । ହେଲେ ଅନୁଦାନ ହ୍ରାସ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇଛି । ଆଦିବାସୀଙ୍କୁ କେନ୍ଦ୍ର ଅବହେଳା କରି ଚାଲିଥିବା ବେଳେ ବର୍ଷକୁ ବର୍ଷ କମୁଛି ଅନୁଦାନ ।

ଓଡ଼ିଶାରୁ ମନ୍ତ୍ରୀ, ହେଲେ ଓଡ଼ିଶା ପାଉନି ହକ୍‌ । ରାଜ୍ୟରେ ମାରୁଛନ୍ତି ବାହାଦୁରୀ, ହେଲେ  କେନ୍ଦ୍ରରେ ମୁହଁ ବନ୍ଦ । ରାଜ୍ୟରେ ୨୨ ପ୍ରତିଶତରୁ ଅଧିକ ଅନୁସୂଚିତ ଜନଜାତି ବର୍ଗ ଲୋକ ଅଛନ୍ତି । ହେଲେ ଅଧିକ ଅନୁଦାନ ତ ଦୂରର କଥା, ପ୍ରତିବର୍ଷ କମି ଚାଲିଛି କେନ୍ଦ୍ରୀୟ ଅଂଶଧନ । ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ପାଇଁ ୨୦୧୮ରେ ୧୭୫ କୋଟି ରାଜ୍ୟକୁ ମିଳିଥିବା ବେଳେ ୨୦୧୯ରେ ଏହା ୮୬କୋଟିକୁ ଖସି ଆସିଥିଲା । ୨୦୨୧ରେ ଏହା ୯୦ କୋଟିରେ ସୀମିତ ରହିଛି । ସେପଟେ ଆଦିବାସୀଙ୍କ ଜୀବନଧାରଣ କ୍ଷମତା ବଢାଇବା ପାଇଁ ସମ୍ବିଧାନର ୨୭୫ ଧାରା ଅନୁସାରେ ରାଜ୍ୟକୁ ମିଳୁଥିବା ପାଣ୍ଠି ବି କମିଛି । ୨୦୧୮ରେ ୨୧୪ କୋଟି ଟଙ୍କା ମିଳିଥିବା ବେଳେ ୨୦୧୯ରେ ୧୫୧ କୋଟି, ୨୦୨୦ରେ ୬୩ କୋଟି ଓ ୨୦୨୧ରେ ୫୯ କୋଟି ମିଳିଛି । ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଓଡ଼ିଶାରୁ ଥିଲେ ବି ରାଜ୍ୟକୁ ଅନୁଦାନ କମିଛି । ଏନେଇ ସ୍ବର ଉଠାଇବା ଦରକାର ବୋଲି ସମୀକ୍ଷକ କହିଛନ୍ତି ।

ରାଜ୍ୟର ଆଦିମ ଅଧିବାସୀଙ୍କ ପାଇଁ ୨୦୧୮ରେ ୩୬ କୋଟି ମିଳିଥିବା ବେଳେ ଏଥର ଏହା ୭୦ ପ୍ରତିଶତ କମିଛି। ସେହିପରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ୨୦୧୮ ମସିହାରେ ୮ କୋଟି ମିଳିଥିବା ବେଳେ ଏବେ ଏହା ୬ କୋଟିକୁ ଖସିଛି । ସମାଜର ପଛୁଆ ବର୍ଗ ଭାବେ ଆଦିବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ଅଧିକ ଅନୁଦାନ ବ୍ୟବସ୍ଥା ସମ୍ବିଧାନରେ ଥିବା ବେଳେ କେନ୍ଦ୍ର ସରକାର ଅନୁଦାନ କମାଇ ଚାଲିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ସବୁ ମହଲରେ ସମାଲୋଚନା କରାଯାଉଛି ।

ମହିଳା ଓ ଆଦିବାସୀଙ୍କ ବିକାଶ ପାଇଁ ଡିଣ୍ଡିମ ପିଟୁଛନ୍ତି କେନ୍ଦ୍ର ସରକାର । ହେଲେ ବିଭାଗର ମନ୍ତ୍ରୀ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିବା ସତ୍ତ୍ବେ ରାଜ୍ୟକୁ କ୍ରମାଗତ ଭାବେ ଅନୁଦାନ କମି ଚାଲିଛି।

ରାପର ହନି ସିଂଙ୍କ ସହିତ ଦିଲ୍ଲୀ କ୍ଲବରେ ମାରପିଟ୍‌

ନୂଆଦିଲ୍ଲୀ: ପ୍ରସିଦ୍ଧ ରାପର ସିଙ୍ଗର ହନି ସିଂଙ୍କ ସହିତ ମାରପିଟ୍‌ ମାମଲା ସାମ୍ନାକୁ ଆସିଛି ।  ଘଟଣା ଦିଲ୍ଲୀର ଏକ କ୍ଲବରେ ଘଟିଛି । ପୋଲିସ୍‌ ଏହି ମାମଲାରେ ୪ରୁ ୫ ଜଣ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଗଣମାଧ୍ୟମ ଖବର ଅନୁସାରେ ଘଟଣା ୨୭ ମାର୍ଚ୍ଚର । ହନି ସିଂ ଦିଲ୍ଲୀର ସାଉଥ୍‌ ଏକ୍ସଟେନସନ ସ୍ଥିତ ସ୍କୋଲ କ୍ଲବରେ ଲାଇଭ୍‌ ପର୍ଫମାନ୍ସ ଦେବାକୁ ପହଞ୍ଚିଥିଲେ ।  ତାଙ୍କ ଅଭିଯୋଗ ଅନୁସାରେ ମାରପିଟ୍‌ କରିବା ସହିତ ଖରାପ ବ୍ୟବହାର ମଧ୍ୟ ହୋଇଥିଲା ।

ଖବର ଅନୁସାରେ କିଛି ଯୁବକ ଜବରଦସ୍ତ ମଞ୍ଚ ଉପରେ ଚଢ଼ି ଯାଇଥିଲେ ଏବଂ ହନି ସିଂଙ୍କୁ ସହିତ ମାରପିଟ୍‌ କରିବା ଆରମ୍ଭ କରିଦେଲେ । କେବଳ ସେତିକି ନୁହେଁ ‘ଶୋ’ ବନ୍ଦ କରିବାକୁ  ମଧ୍ୟ ଉଦ୍ୟମ କରିଥିଲେ । କେବଳ ସେତିକି ନୁହେଁ ବରଂ ମଞ୍ଚ ଉପରେ ମଦ ବୋତଲ ଦେଖାଇ ଉପସ୍ଥିତ କଳାକାରଙ୍କୁ ତଳକୁ ଧକ୍କା ମାରି ଦେଇଥିଲେ । ହନି ସିଂ’ଙ୍କୁ ଟଣାଓଟରା କରିବା ଆରମ୍ଭ କରିଦେଲେ । ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହନି । କିନ୍ତୁ ସେମାନେ ତାଙ୍କୁ ମାରପିଟ୍‌ କରିବାକୁ ଉସୁକାଇଥିଲେ । ତେବେ କିଭଳି ହେଉ ସେଠାରୁ ଏମାନେ ନିଜକୁ ବଞ୍ଚାଇ ଚାଲି ଆସିଥିଲେ ।

ସିଏମସି ସ୍ବଚ୍ଛତା ଦାୟିତ୍ବରେ ମହିଳା

ସମ୍ବଲପୁର: ସ୍ବଚ୍ଛତା ଓ ପରିମଳ କ୍ଷେତ୍ରରେ ମହିଳାଙ୍କୁ ଗୁରୁଦାୟିତ୍ବ । ସ୍ବଚ୍ଛସାଥୀ ଓ ଜଳସାଥୀ ମାଧ୍ୟମରେ ଘରକୁ ଘର ବୁଲି ସଂଗ୍ରହ କରୁଛନ୍ତି ଆବର୍ଜନା । ସମ୍ବଲପୁର ମହାନଗର ନିଗମରେ ପ୍ରଥମ ଥର ପାଇଁ ଏଥିରେ ସାମିଲ ହୋଇଛନ୍ତି ମହିଳା । ଏହାଦ୍ବାରା ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସହରକୁ ସ୍ବଚ୍ଛ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛନ୍ତି । ସିଏମସିର ଏପରି ପଦକ୍ଷେପକୁ ମହିଳାମାନେ ସ୍ବାଗତ କରିଛନ୍ତି ।

ସମ୍ବଲପୁର ମହାନଗର ନିଗମ ସ୍ବଚ୍ଛତାର ଦାୟିତ୍ବ ମହିଳାଙ୍କୁ । ସ୍ବଚ୍ଛସାଥୀ କାର୍ଯ୍ୟକ୍ରମ ଜରିଆରେ ସହରକୁ ସ୍ବଚ୍ଛ ରଖିବାରୁ ପ୍ରଥମ ଥର ପାଇଁ ମହିଳାଙ୍କୁ ଦିଆଯାଇଛି ଦାୟିତ୍ବ । ସକାଳ ୭ଟାରୁ ତିନ ଚକିଆ ସ୍ବଚ୍ଛ ସବାରୀ ଧରି ଘରକୁ ଘର ବୁଲି ସଂଗ୍ରହ କରୁଛନ୍ତି ଆବର୍ଜନା । ଏହି ଯୋଜନା ଦ୍ବାରା ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାର ପ୍ରତିପୋଷଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇ ପାରିବେ ବୋଲି କହିଛନ୍ତି ମହାନଗର ନିଗମ କମିଶନର  ପ୍ରଦୀପ ସାହୁ ।

ଆହର କେନ୍ଦ୍ରଠାରୁ ଆରମ୍ଭ କରି ମୁକ୍ତା ଯୋଜନା, ସବୁ ବିଭାଗରେ ମହିଳାଙ୍କୁ ରାଜ୍ୟ ସରକାର ଦେଇଛନ୍ତି ଗୁରୁତ୍ବ । ମଶନ ଶକ୍ତି ଜରିଆରେ ମହିଳାମାନେ ମଧ୍ୟ ନିଜର କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦନ କରିପାରିଛନ୍ତି । ଆଗକୁ ଅନ୍ୟ ବିଭାଗରେ ମଧ୍ୟ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ସମ୍ବଲପୁର ମହାନଗର ଲକ୍ଷ୍ୟ ରଖିଛି ।

ଦେଶରେ ଉଦବେଗଜନକ ବାଲ୍ୟ ବିବାହ ସ୍ଥିତି: ସଜାଗ ରହିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଚିଠି

ଭୁବନେଶ୍ବର: ଶିକ୍ଷା ହେଉ କି ଜୀବନ ଧାରଣମାନ, ଭାରତରେ ବହୁତ ଆଗେଇଛି । ବିଜ୍ଞାନ ବଳରେ ଆମେ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲେଣି । ଆଜି ବିଶ୍ବର ପ୍ରତିଷ୍ଠିତ ସଂସ୍ଥାରେ ରହିଛି ଭାରତୀୟଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ । ଏତେ ପରେ ବି ଆମେ ଆଜି ବି ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାରୁ ମୁକୁଳି ପାରିନାହାନ୍ତି । ଜୀବନ କ’ଣ ଜାଣିବା ପୂର୍ବରୁ ସଂସାର ଜଞ୍ଜାଳରେ ଛନ୍ଦି ଦେଉଛନ୍ତି କୋମଳମତି ପିଲାଙ୍କୁ । ଦେଶରେ ବାଲ୍ୟ ବିବାହ ସ୍ଥିତି ଉଦବେଗଜନକ ରହିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିବାର ସମୟ ଆସିଛି ।

ଓଡ଼ିଶାରେ ବାଲ୍ୟ ବିବାହ ହ୍ରାସ ପାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ । ଏହାକୁ ବନ୍ଦ କରିବାକୁ ହେଲେ ଆହୁରି ଅଧିକ ସଚେତନତାର ଆବଶ୍ୟକତା ରହିଛି । ଏପରି କୁତ୍ସିତ ପ୍ରଥାକୁ ସମୂଳେ ହଟାଇବାକୁ ହେଲେ ସମସ୍ତଙ୍କର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ତେବେ ବାଲ୍ୟ ବିଭାଗକୁ ଚକ୍ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଅହରହ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସଜାଗ ରହିବାକୁ ଚିଠି ଲେଖିଛନ୍ତି ।

ଚିନ୍ତା ବଢାଉଛି ଦେଶର ବାଲ୍ୟ ବିବାହ ସ୍ଥିତି । ଦୈନିକ ହେଉଛି ୨୯ ହଜାର ବାଲ୍ୟ ବିବାହ । ଓଡିଶାରେ ହ୍ରାସ ପାଇଥିଲେ ବି ଆଜି ବି ଜାରି ରହିଛି ଏହି କୁତ୍ସିତ ପ୍ରଥା । ଏହାକୁ ରୋକିବାକୁ ବିଭିନ୍ନ ସ୍ତରରେ ଚାଲିଛି ଉଦ୍ୟମ । ଆମ ରାଜ୍ୟରେ ତୁଳନାତ୍ମକ ଭାବେ ଏହି ହାର ହ୍ରାସ ପାଉଥିବା ସର୍ଭେରୁ ଜଣାପଡିଛି । ତଥାପି ସମସ୍ତଙ୍କର ମିଳିତ ଉଦ୍ୟମ ରହିଲେ ଏହାକୁ ରୋକା ଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।

ଆଗକୁ ଅକ୍ଷୟ ତୃତୀୟା । ଏହିଦିନ ବହୁ ସଂଖ୍ୟାରେ ବିବାହ ହୋଇଥାଏ । ଏଣୁ ରାଜ୍ୟ ଶିଶୁ ଅଧିକର ଆୟୋଗ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସିଡିପିଓମାନଙ୍କୁ ସଜାଗ ରହିବାକୁ ଚିଠି ଲେଖିଛନ୍ତି ।

ଓଡିଶାରେ ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ମଧ୍ୟ କାଁ ଭାଁ ଏପରି ଘଟଣା ସାମ୍ନାକୁ ଆସିଥାଏ । ସଚେତନତାର ଅଭାବ ଏକ ପ୍ରମୁଖ କାରଣ କୁହାଯାଉଥିବା ବେଳେ ଶିକ୍ଷିତ ଓ ସଚେତନ ବ୍ୟକ୍ତି ମଧ୍ୟ ଏଥିରେ ସମ୍ପୃକ୍ତି ଥିବା ଚିନ୍ତାର ବିଷୟ ପାଲଟିଛି । ସେପଟେ ବାଲ୍ୟ ବିବାହ ନିରୋଧ ଆଇନକୁ ସଂଶୋଧନ କରାଯାଇ କଡାକଡି କରାଯାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାରେ ରହିଛି ସମସ୍ୟା । ତେଣୁ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ରଖିଛନ୍ତି ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ଡଃ ବେଣୁଧର ସେନାପତି ।

ପିଲାଦିନର ପ୍ରେମକୁ ନେଇ ମୁହଁ ଖୋଲିଲେ ସଲମାନ୍‌, କହିଲେ ତାକୁ ବାହା ହୋଇଥିଲେ…

 ମୁମ୍ବାଇ: ସଲମାନଙ୍କ ଜୀବନରେ ଅନେକ ଝିଅ ଆସିଛନ୍ତି ଏବଂ ଯାଇଛନ୍ତି । ଅନେକଙ୍କ ସହିତ ଅଫେୟର ମଧ୍ୟ ଥିଲା, ଯାହାର ଖୁଲାସା ସେ ନିଜେ କରିଛନ୍ତି  । କିନ୍ତୁ ଏତେ ସବୁ ପରେ ମଧ୍ୟ ସେ ଏବେ ବି ଏକା ଅଛନ୍ତି । ଧୀରେ ଧୀରେ ଫ୍ୟାନ୍ସ ମଧ୍ୟ ତାଙ୍କ ବିବାହକୁ ନେଇ ଆଶା ଛାଡ଼ି ସାରିଲେଣି । କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେଯେ, ପିଲାଦିନେ ଜଣେ ଝିଅକୁ ସେ ଖୁବ୍‌ ଭଲ ପାଉଥିଲେ ଏବଂ ବିବାହ ପାଇଁ ସ୍ୱପ୍ନ ମଧ୍ୟ ଦେଖିଥିଲେ ।  ଯାହା ତାଙ୍କର ଏକ ପୁରୁଣା ଭିଡ଼ିଓରୁ ଜଣାପଡ଼ୁଛି । ବାସ୍ତବରେ ସଲମାନଙ୍କର ଭାଇରାଲ ହେଉଥିବା ଭିଡ଼ିଓରେ କାଜୋଲ ଏବଂ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିଛି ଏବଂ ସଲମାନ ତାଙ୍କ ରାଜ୍‌ ଖୋଲିଛନ୍ତି ।

https://www.youtube.com/watch?v=s1St6S43PgA&feature=emb_title

ସଲମାନ୍‌ ରାଜ୍‌ ତ ଖୋଲିଛନ୍ତି, କିନ୍ତୁ ଏହା ମଧ୍ୟ କହିଛନ୍ତିଯେ, ସେ ସେହି ଝିଅକୁ ହୃଦୟର କଥା ନ କହି ଭଲ କରିଛନ୍ତି । ଯଦି କହି ଦେଇଥାନ୍ତେ ତେବେ ଜେଜେ ହୋଇ ସାରିଥାନ୍ତେ ।

ତେବେ ବିଗବସର ଏକ ସିଜନରେ କାଜୋଲ ଏହି ରାଜ୍‌ କଥା ସଲମାନଙ୍କୁ ପଚାରିଥିଲେ । ସଲମାନ କହିଲେଯେ, ସେ ଝିଅକୁ ଖୁବ୍‌ ପସନ୍ଦ କରୁଥିଲେ, କିନ୍ତୁ କହିଦେଲେ ହୁଏତ ସେ ରାଗିଯାଇ କଥା ହେବନି ସେହି ଡରରେ କେବେ ମଧ୍ୟ କହିନଥିଲେ । କିନ୍ତୁ ପରେ ଜାଣିବାକୁ ପାଇଲେଯେ, ସେ ଝିଅ ମଧ୍ୟ ତାଙ୍କୁ ପସନ୍ଦ କରୁଥିଲା । ତେବେ ୧୫ ବର୍ଷ ପୂର୍ବେ ସେହି ଝିଅ ସହିତ ସାକ୍ଷାତ ହୋଇଥିଲା ବୋଲି ସେ କହିଥିଲେ ।

ଅପରାଧୀ ପ୍ରକ୍ରିୟା ଚିହ୍ନଟ ବିଧେୟକ କ’ଣ ? ବିରୋଧୀ କାହିଁକି ହେଉଛନ୍ତି ବିଳିବିଳେଇ ?

ନୂଆଦିଲ୍ଲୀ: ବଦଳିବ ସ୍ୱାଧୀନତା ପୂର୍ବର ପୁରୁଣା ଆଇନ୍ । ଦୋଷୀ ଓ ଅଭିଯୁକ୍ତ ଚିହ୍ନଟ ସହ ଜଡ଼ିତ କ୍ରିମିନାଲ୍ ପ୍ରୋସିଜର ଆଇଡେଣ୍ଟିଫିକେସନ୍ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଛି । ଯଦିଓ ବିରୋଧୀ ବିଲକୁ ବିରୋଧ କରିଛନ୍ତି । ତଥାପି ଧ୍ୱନିମତରେ ଏହାକୁ ପାସ୍ କରାଯାଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବ ।

ଏହି ବିଲ୍ ଆଇନରେ ପରିଣତ ହେବା ପରେ ଏବେ ଥିବା ଆଇଡେଣ୍ଟିଫିକେସନ୍ ଅଫ୍ ପ୍ରିଜନର୍ସ ଆକ୍ଟ ୧୯୨୦ର ସ୍ଥାନ ନେବ । ନୂଆ ଆଇନ୍ ଆସିବା ମାତ୍ରେ ୧୦୨ ବର୍ଷ ପୁରୁଣା ଆଇନ୍ ବଦଳି ଯିବ । ପୁରୁଣା ଆଇନରେ କେବଳ ଫିଙ୍ଗରପ୍ରିଣ୍ଟ ଓ ଫୁଟପ୍ରିଣ୍ଟ ରେକର୍ଡ ରଖିବାକୁ ଅନୁମତି ରହିଛି । ଯେତେବେଳେ କି ନୂଆ ବିଲରେ ଆଖିର ରେଟିନାରୁ ନେଇ ପାଦର ପ୍ରିଣ୍ଟ ଯାଏ ରେକର୍ଡ ରଖିବାକୁ ଅନୁମତି ଦିଆଯାଇଛି ।

What Is Criminal Procedure Identification Bill 2022

ନୂଆ ଆଇନ୍ କାହିଁକି ?

ଏବେ ପ୍ରଚଳିତ ଅପରାଧୀ ଚିହ୍ନଟ ଆଇନ୍ ୧୯୨୦ ମସିହାରେ ଆସିଥିଲା । ଏହି ଆଇନ୍ ୧୦୨ ବର୍ଷ ପୁରୁଣା ହୋଇ ଗଲାଣି । ଆଉ ଏହି ଆଇନରେ କେବଳ ଅଙ୍ଗୁଠି ଛାପ ଓ ଫୁଟପ୍ରିଣ୍ଟ ରେକର୍ଡ ରଖିବାକୁ ଅନୁମତି ରହିଛି । ସମୟ ସହ ଟେକ୍ନୋଲୋଜି ବଦଳୁ ଥିବାବେଳେ ଦିନକୁ ଦିନ ଅପରାଧ ବି ବଢ଼ୁଛି । କେନ୍ଦ୍ର ସରକାରଙ୍କ ଯୁକ୍ତି ନୂଆ ଆଇନ୍ ଆସିବା ପରେ ଦଣ୍ଡ ପ୍ରଦାନ ହାର ବଢ଼ିବ । ଯୁକ୍ତି ଦର୍ଶାଇବାକୁ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସଂସଦରେ କହିଛନ୍ତି, ହତ୍ୟା ମାମଲାରେ ୧୦୦ରୁ ୬୬ ଓ ଡକାୟତି ମାମଲାରେ ୧୦୦ରୁ ୭୦ ଜଣ ଛାଡ଼ ପାଇ ଯାଉଛନ୍ତି । ଏହି ଆଇନ୍ ଦ୍ୱାରା କାହାରି ବ୍ୟକ୍ତିଗତ ଗୋପନୀୟତା ନଷ୍ଟ ହେବ ନାହିଁ । ତଥ୍ୟକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯିବ ।

ପୋଲିସ କୌଣସି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ ଏନସିଆରବିକୁ ପଠାଇବ । ଆଉ ଏନସିଆରବି ଡାଟାବେସରୁ ଉକ୍ତ ଅଭିଯୁକ୍ତର ନାଁ ପୋଲିସକୁ ଜଣାଇବ । ପୋଲିସ ଅନ୍ୟ କୌଣସି ଅପରାଧୀର ଫିଙ୍ଗରପ୍ରିଣ୍ଟ ଡାଟା ପାଇ ପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ନୂଆ ଆଇନରେ କଣ ସବୁ ନୂଆ ରହିଛି ।

What Is Criminal Procedure Identification Bill 2022

  • ଫିଙ୍ଗରପ୍ରିଣ୍ଟ, ଫୁଟପ୍ରିଣ୍ଟ, ପାପୁଲି ପ୍ରିଣ୍ଟ, ଫଟୋ, ଆଖିର ଆଇରିସ୍ ଓ ରେଟିନା, ଶାରିରୀକ ଓ ବାୟୋଲୋଜିକାଲ ନମୁନା, ହ୍ୟାଣ୍ଡ ରାଇଟିଂ ଓ ଦସ୍ତଖତ ରଖାଯିବ ।
  • କୌଣସି ଅପରାଧ ଅଥବା ମାମଲାରେ ଦୋଷୀ ସାବ୍ୟସ୍ତ ଅପରାଧୀ ଓ ଅପରାଧିକ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ରେକର୍ଡ ରଖାଯିବ ।
  • ରାଜନୈତିକ ଅଭିଯୁକ୍ତଙ୍କ କୌଣସି ରେକର୍ଡ ନିଆଯିବ ନାହିଁ । ଯଦି କୌଣସି ମାମଲାରେ ୭ ବର୍ଷରୁ କମ୍ ଜେଲ୍ ହୋଇଥିବ ଏବଂ ମାମଲା ମହିଳା କିମ୍ବା ଛୁଆଙ୍କ ସହ ଜଡ଼ିତ ନଥିବ ତ ଅପରାଧୀକୁ ବାୟୋଲୋଜିକାଲ୍ ନମୁନା ଦେବା ପାଇଁ ବାଧ୍ୟ କରାଯିବ ନାହିଁ । ଅନ୍ୟ ସମସ୍ତ ସାମ୍ପୁଲ୍ ନିଆଯିବ ।
  • ବିଲ୍ ଅନୁସାରେ, କୌଣସି ଅପରାଧୀ ଅଥବା ଅଭିଯୁକ୍ତ ସାମ୍ପୁଲ୍ ଦେବାକୁ ମନା କରିପାରିବେ ନାହିଁ । ମନା କଲେ ଆଇପିସି ଧାରା ୧୮୬ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୩ ମାସ ଜେଲ୍ ସହ ୫୦୦ ଟଙ୍କା ଜରିମାନା ଉଭୟ ଦଣ୍ଡ ହୋଇପାରେ ।
  • ଯଦି କୌଣସି ଅଭିଯୁକ୍ତକୁ ଅପରାଧିକ ମାମଲାରେ କୋର୍ଟ ନିର୍ଦ୍ଦୋଷ କରନ୍ତି ତ କୋର୍ଟଙ୍କ ନିର୍ଦ୍ଦେଶରେ ସେହି ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ରେକର୍ଡରୁ ହଟାଇ ଦିଆଯିବ । କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଉପରେ ଏକାଧିକ ମାମଲା ଥିଲେ ଏବଂ ଗୋଟିଏ ମାମଲାରେ ନିର୍ଦ୍ଦୋଷ ହୋଇଥିଲେ ସମସ୍ତ ରେକର୍ଡ ରହିବ ।
  • ଏ ସମସ୍ତ ତଥ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା NCRB ରଖିବ । ଏହି ରେକର୍ଡ ୭୫ ବର୍ଷ ପାଇଁ ରଖାଯିବ । ଏଥିସହ ଡାଟାକୁ ରଖିବା ଓ ଡିଲିଟ୍ କରିବା ଅଧିକାର କେବଳ NCRB ପାଖରେ ରହିବ ।

ଦାଣ୍ଡି ରାମାୟଣ ସହ ଜଡିତ ‘ରସାବଳି’କୁ ଜିଆଇ ଟ୍ୟାଗ୍ ଦାବି

କେନ୍ଦ୍ରାପଡ଼ା: ପ୍ରସିଦ୍ଧ କେନ୍ଦ୍ରାପଡ଼ା ରସାବଳି ନାଁ ଶୁଣିଲେ ପାଟିରୁ ଲାଳ ଝରି ଆସିବ । ରାଜ୍ୟରେ ଏମିତି କେହି ନଥିବେ ଯିଏ ଏହାର ସ୍ବାଦ ପାଇ ନଥିବେ । କେବଳ ରାଜ୍ୟ ନୁହେଁ ରାଜ୍ୟା ବାହାରେ ମଧ୍ୟ ରସାବଳିର ବହୁତ ଲୋକପ୍ରିୟତା ରହିଛି । କେବଳ ମଣିଷଙ୍କ ପ୍ରିୟ ନୁହେଁ ଏହି ମିଷ୍ଠାନ । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମଧ୍ୟ ଅତି ପ୍ରିୟ । ପ୍ରତିଦିନ ସନ୍ଧ୍ୟା ଆଳତି ପୂର୍ବରୁ ବଳଦେବଜୀଉଙ୍କ ନିକଟରେ ଲାଗି ହୋଇଥାଏ ରସାବଳି ଭୋଗ ।

ଓଡ଼ିଶାର ଐତିହ୍ୟ ଓ ପରମ୍ପରା ସହ ଜଡିତ ରସାବଳିର ପୁରାଣ ସମ୍ପର୍କ ମଧ୍ୟ ରହିଛି । ଦାଣ୍ଡି ରାମାୟଣ ଓ ଜନମୋହନ ରାମାୟଣରେ ରହିଛି ରସାବଳିର ଉଲ୍ଲେଖ ।  ସହ ମଧ୍ୟ ରହିଛି ରସାବଳିର ସମ୍ପର୍କ । ୮୦୦ ବର୍ଷର ଏହି ମିଷ୍ଠାନ୍ନର ଚାହିଦା ଆଜି ବି ପୂର୍ବ ଭଳି ରହିଛି ।

ସ୍ବତନ୍ତ୍ର ଭାବେ ଓଡ଼ିଶାର କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ହେଉଥିବା ରସାବଳିକୁ ଜିଆଇ ଟ୍ୟାଗ ଦେବାକୁ ଦାବି ଉଠିବାରେ ଲାଗିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏନେଇ ଦାବି ଉଠାଉଛନ୍ତି । କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଇ ଓଡ଼ିଶାର ଏହି ମିଠାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରିବାକୁ ଦାବି ବଢିବାରେ ଲାଗିଛି ।

ଚୁନିଙ୍କ ଜୀବନ ବଞ୍ଚାଇଲା ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

ଯାଜପୁର: ସଫଳ ହେଉଛି ରାଜ୍ୟ ସରକାରଙ୍କ ପରିକଳ୍ପନା । ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡରେ ଉପକୃତ ହେଉଛନ୍ତି ଗରିବ ହିତାଧିକାରୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁରରେ ମହିଳାଙ୍କୁ ବିଏସକେଓ୍ବାଇ କାର୍ଡ ଦେଲା ନୂଆ ଜୀବନ । ଜୀବନ ସହ ସଂଘର୍ଷ କରୁଥିବା ଚୁନି ବେହେରା ସୁସ୍ଥ ହୋଇ ଫେରିଲେ ଘରକୁ ।

ଗରିବଙ୍କ ପାଇଁ ବରଦାନ ପାଲଟିଛି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ନୂଆ ଜୀବନ ଦେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ସୁସ୍ଥ ହେଉଛନ୍ତି ଗୁରୁତର ରୋଗୀ । ଜୀବନ ଯନ୍ତ୍ରଣାରେମୃତ୍ୟୁ ସହ ସଂଗ୍ରାମ କରୁଥିବା ଯାଜପୁର ଜିଲ୍ଲାର ଚୁନିଙ୍କ ଜୀବନ ଦେଇଛି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଆଠ ମାସ ହେଲା ମାରାତ୍ମକ କର୍କଟରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଜୁଝି ହେଉଥିବା ଚୁନି ପାଇଛନ୍ତି ନୂଆ ଜୀବନ । ବିଏସକେଓ୍ବାଇ ସ୍ମାର୍ଟ କାର୍ଡରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ହୋଇଛନ୍ତି ସମ୍ପୂର୍ଣ୍ଣ ସୁସ୍ଥ ।

ପାଖରେ ସମ୍ବଳ ନଥିବାରୁ ଜୀବନ ସହ ସଂଗ୍ରାମ କରୁଥିଲେ ଚୁନି । ବିଏସକେଓ୍ବାଇ କାର୍ଡ ମିଳିବା ପରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହୋଇଛନ୍ତି । ସେପଟେ କିଛି ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ମହିଳାଙ୍କୁ ସହଯୋଗର ହାତ ବଢାଇଛନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣିଛି ବିଏସକେଓ୍ବାଇ କାର୍ଡ । ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟସେବା ମିଳୁଛି ।