କେରଳରେ କାୟା ମେଲାଇଲା ନୋରୋଭାଇରସ, ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଥିରୁବନନ୍ତପୁରମ୍: କେରଳରେ ପୁଣି କାୟା ମେଲାଇଲା ନୋରୋଭାଇରସ । ପ୍ରାୟ ୮ ମାସ ପରେ ପୁଣି ଭାଇରସ ସଂକ୍ରମିତ ହୋଇଛି । ଗତବର୍ଷ ନଭେମ୍ବରରେ ଏହି ଭାଇରସ ପ୍ରଥମ ଥର ଲାଗି ଚିହ୍ନଟ ହୋଇଥିଲା । ନୋରୋଭାଇରସ ଏକ ଅତ୍ୟଧିକ ସଂକ୍ରମଣଶୀଳ ଭୂତାଣୁ ହୋଇଥିବା ସୂଚନା ମିଳିଛି । ଥିରୁବନନ୍ତପୁରମସ୍ଥିତ ଭିଜନ ଜାମ ଅଞ୍ଚଳରେ ୨ ଜଣ ଶିଶୁ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ତେବେ ଏଥିଲାଗି ଆତଙ୍କିତ ନହେବା ଲାଗି ପରାମର୍ଶ ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ୨ ଜଣ ଶିଶୁଙ୍କ ଅବସ୍ଥା ଭଲ ରହିଛି । ଏହାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଦୁଇ ସଂକ୍ରମିତ ଶିଶୁଙ୍କ କ୍ଷେତ୍ରରେ ଡାଇରିଆ ସମେତ ଅନ୍ୟାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ସେମାନଙ୍କ ଟେଷ୍ଟ କରାଯାଇଥିଲା । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସେହି ଅଞ୍ଚଳରେ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଗତବର୍ଷ ନଭେମ୍ବରରେ ଭାୟନାଡ଼ର ଏକ ଭେଟେନାରୀ କଲେଜର ୧୩ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ପ୍ରଥମ ଥର ଲାଗି ହୋଇଥିଲା । ଏହି ଭାଇରସ ସାଧାରଣତଃ ଉଚ୍ଛିଷ୍ଟ ବା ତରଳ ପଦାର୍ଥ ଦ୍ବାରା ସଂକ୍ରମିତ ହୋଇଥାଏ । ଏହା ସହ ସ୍ପର୍ଶ କ୍ଷେତ୍ରରେ ମଧ୍ୟ ଏହା ବ୍ୟାପିଥାଏ । ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ନିଶ୍ବାସପ୍ରଶ୍ବାସ, ସ୍ପର୍ଶ ଓ ତାଙ୍କ ଦ୍ବାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜରିଆରେ ଲକ୍ଷ ଲକ୍ଷ ଭୂତାଣୁ ସଂକ୍ରମିତ ହୋଇଥାନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ନିଶ୍ବାସପ୍ରଶ୍ବାସରେ କଷ୍ଟହେବା ସହ ତଳିପେଟ ଯନ୍ତ୍ରଣା, ବାନ୍ତି, ଡାଇରିଆ ଆଦି ହୋଇଥାଏ । ଏପରିକି ଏହି ସଂକ୍ରମଣ ରୋଗୀ ଆରୋଗ୍ୟ ହେବା ପରେ ବି ପୁନର୍ବାର ସୃଷ୍ଟି ହୋଇଥାଏ ।