ରଣନୀତି ବଦଳାଇଲା ଋଷ, ଏଥର ଫୋକସରେ ୟୁକ୍ରେନ ରାଜଧାନୀ କିଭ୍

1 min read

କିଭ୍: ୧୦୩ ଦିନରେ ମହାସମର । ଘମାଘୋଟ ସଂଘର୍ଷ ଜାରି ରହିଥିଲେ ବି ଋଷକୁ ଆଶାନୁରୂପ ରେଜଲ୍ଟ ମିଳି ନଥିବା ବେଳେ ପୁଣି ଥରେ ରଣନୀତି ବଦଳାଇଛି ମସ୍କୋ । ଏବେ ଋଷ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । ଘନ ଘନ ମିସାଇଲ ମାଡ଼, ଏୟାରଷ୍ଟ୍ରାଇକରେ କମ୍ପୁଛି ୟୁକ୍ରେନର ପ୍ରମୁଖ ସହର । ଯୁଦ୍ଧ ଆରମ୍ଭରୁ ଋଷ କିଭ୍ ଉପରେ ଆକ୍ରମଣ କରିଥିଲେ ବି ୟୁକ୍ରେନର ଅଭେଦ୍ୟ ଗଡ଼କୁ ଭେଦ କରିପାରି ନଥିଲା । ଫଳରେ ଦକ୍ଷିଣ ପୂର୍ବ ଓ ପଶ୍ଚିମ ୟୁକ୍ରେନ ସହରରେ ଆକ୍ରମଣକୁ ଜୋରଦାର କରିଥିଲା ମସ୍କୋ ।

ମାରିୟୁପୋଲ, ଖେରସନ, ଡୋନବାସ, ଲିବିବ ଆଦି ସହରକୁ ଧ୍ବଂସ କରିବା ପରେ କିଭ୍ ଅକ୍ତିଆର ପାଇଁ ଆଗକୁ ବଢୁଛି ଋଷ ସେନା । ଗତ କିଛିଦିନ ଧରି କିଭରେ ଜୋରଦାର ଯୁଦ୍ଧ ଚାଲିଥିବା ବେଳେ ପ୍ରତିଦିନ ୬୦ରୁ ଶହେ ୟୁକ୍ରେନ ସୈନ୍ୟ ନିହତ ହେଉଛନ୍ତି । ୟୁକ୍ରେନକୁ ପୂର୍ବ ୟୁରୋପୀୟ ଦେଶ ଦେଇଥିବା ଘାତକ T-72 ଟ୍ୟାଙ୍କକୁ ଆକ୍ରମଣରେ ନଷ୍ଟ କରି ଦିଆଯାଇଥିବା ଦାବି କରିଛି ମସ୍କୋ । ଜୋରଦାର ସଂଘର୍ଷ ଚାଲିଥିବା ବେଳେ ୟୁକ୍ରେନ ପାଖରେ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଟ୍ୟାଙ୍କର ଅଭାବ ଦେଖାଦେଇଛି । ୟୁକ୍ରେନକୁ ଦୂରଗାମୀ ମିସାଇଲ ଦେବାକୁ ଆମେରିକା ଘୋଷଣା କରିବା ପରେ ଋଷ ଯୁଦ୍ଧକୁ ଆହୁରି ଜୋରଦାର କରିଛି ।