ପାକ୍ ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା, ଖୁବଶୀଘ୍ର ଗିରଫ ହୋଇପାରନ୍ତି ଇମ୍ରାନ୍ ଖାନ୍

ଇସଲାମାବାଦ: ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ପ୍ରଧାନମନ୍ତ୍ରୀ ପଦ ଯିବା ପରେ ବଢ଼ିଛି ସଙ୍କଟ । ଜାମିନ ଅବଧି ସରିବା ପରେ ଇମ୍ରାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା । ଇମ୍ରାନଙ୍କ ବିରୋଧରେ ଦଙ୍ଗା, ଦେଶଦ୍ରୋହ ଭଳି ୨୪ରୁ ଅଧିକ ମାମଲା ରହିଛି । ତାଙ୍କ ଜାମିନ ଅବଧି ଶେଷ ହେବା ପରେ ସେ ଗିରଫ ହେବେ । ଗଣତାନ୍ତ୍ରିକ ସମାଜରେ ଲୋକଙ୍କୁ ଦଙ୍ଗା କରିବା ପାଇଁ ଉସୁକାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ଦରକାର ବୋଲି ରାଣା କହିଛନ୍ତି ।

ଇସଲାମାବାଦରେ ପିଟିଆଇର ଆନ୍ଦୋଳନ ପୂର୍ବରୁ ଇମ୍ରାନ ଖାନଙ୍କୁ ପେଶାୱର ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ୫୦ ହଜାର ଟଙ୍କା ମୁଚଲିକାରେ ଇମ୍ରାନଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହି ଅବଧି ଶେଷ ହେବା ପରେ ତାଙ୍କୁ ଗିରଫ କରାଯିବ ।  ସେପଟେ ଇମ୍ରାନଙ୍କ ସରକାର ଥିବା ବେଳେ ତାଙ୍କ ସମ୍ପର୍କୀୟ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ପାକିସ୍ତାନ ମୁସଲିମ ଲିଗ୍ ନଓ୍ବାଜ ପକ୍ଷରୁ ଅଭିଯୋଗ ହୋଇଛି । ଇମ୍ରାନଙ୍କ ସ୍ତ୍ରୀ ବୁଶରା ବିବି ଓ ତାଙ୍କ ସାଙ୍ଗ ଫରା ଗୋଗୀ ଅନେକ ସମ୍ପତ୍ତି ବେଆଇନ ଭାବେ ଠୁଳ କରିଛନ୍ତି । ୨୦୧୯ରୁ ଏଡି କାରବାର ଆରମ୍ଭ ହୋଇଛି । ଫରାଙ୍କ ସ୍ବାମୀ ୩୨୦ ମିଲିୟନ ପାକିସ୍ତାନ ମୁଦ୍ରା ଇମ୍ରାନ ଖାନଙ୍କୁ ଦେଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ବେଆଇନ କାମ ପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଦଳ ଅଭିଯୋଗ କରିଛି ।