ବିଭାଗ ବଣ୍ଟନ ପରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଲେ କିଛି ମନ୍ତ୍ରୀ

1 min read

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳର ସରିଛି ନବକଳେବର । ଶପଥ ପାଠ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା 6-T ମନ୍ତ୍ରରେ ଗୁରୁମନ୍ତ୍ର ପାଇବା ପରେ ନୂଆ ମନ୍ତ୍ରୀମାନେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । କିଛି ମନ୍ତ୍ରୀ ନିଜ ବିଭାଗ ସମୀକ୍ଷା ବୈଠକ ମଧ୍ୟ ଡାକିଛନ୍ତି । ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି । ଏହାକୁ କିପରି ସୂଚାରୁ ଭାବେ ତୁଲାଇବେ, ତା ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ନବୀନଙ୍କ ନୂଆ ଟିମରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୮ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଛନ୍ତି । ଖବର ଅନୁସାରେ, ଆଜି ଶକ୍ତି ବିଭାଗର ସମୀକ୍ଷା ବୈଠକ ରହିଛି । ଏହାସହ ଆଉ କିଛି ବିଭାଗର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ରହିଛି । ଜିଲ୍ଲା ଓ ବ୍ଲକସ୍ତରକୁ ଗସ୍ତ କରି ଲୋକଙ୍କ ସମସ୍ୟା ସହ ଅବଗତ ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନ ଇସ୍ତାହାର ଶତ ପ୍ରତିଶତ ପୂରା କରିବାକୁ ସୁପ୍ରିମୋ ପରାମର୍ଶ ଦେଇଛନ୍ତି । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସମସ୍ତ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ପଞ୍ଚମ ପାଳିର ତିନି ବର୍ଷ ପୂରଣ ପରେ ନବୀନ ଠିଆ କରିଛନ୍ତି ଯୁବ ଓ ମହିଳା ବ୍ରିଗେଡ ।