ବାଲେଶ୍ବର: ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ କଲେ ଜଣେ ବୟସ୍କ ମହିଳା । ମହିଳା ଜଣଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ସଦାନନ୍ଦପୁର ଅଞ୍ଚଳର ସୁପ୍ରଭା ପଣ୍ଡା । ତାଙ୍କ ସ୍ବାମୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବାକୁ ତାଙ୍କର ବହୁତ ଇଚ୍ଛା ଥିଲା । ହେଲେ ଏହି ଇଚ୍ଛା ପୂରଣ ହେବା ଆଗରୁ ସେ ଆରପାରିକୁ ଚାଲି ଯାଇଥିଲେ । ସୁପ୍ରଭା ସବୁ ସମ୍ପତ୍ତି ବିକ୍ରି କରି ୨୦ ଲକ୍ଷ ଟଙ୍କା ପାଇଥିଲେ । ଯାହାକୁ ସେ ସ୍ବାମୀଙ୍କ ଇଚ୍ଛା ପୂରଣ କରିବାକୁ ଶ୍ରୀମନ୍ଦିରକୁ ଦାନ କରିଦେଇଛନ୍ତି ।
ବ୍ରଜରାଜନଗର ଦଖଲ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି
ଝାରସୁଗୁଡା: ଉପନିର୍ବାଚନରେ ବ୍ରଜରାଜନଗର ଦଖଲ ପାଇଁ ପୂରା ଜୋର ଲଗାଇ ଦେଇଛି ଶାସକ ଦଳ ବିଜେଡି । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ବେଲପାହାଡଠାରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ ନିର୍ବାଚନ ପାଇଁ ଆଲୋଚନା କରାଯାଇଛି । ଏହି ଅଵସରରେ ବିଧାୟକ ପ୍ରାର୍ଥୀନୀ ଅଳକା ମହାନ୍ତି, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ, କଟକ ମେୟର ସୁବାଷ ସିଂ, ଜିଲ୍ଲା ବିଜେଡିର ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ l
କିଶୋର ମହାନ୍ତିଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡିଥିଲା । ବିଜେଡି ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ଏବଂ କଂଗ୍ରେସ ପକ୍ଷରୁ କିଶୋର ପଟେଲ ମୈଦାନକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ବିକାଶ କାମକୁ ନେଇ ବିଜେଡି ପଡିଆକୁ ଓହ୍ଲାଇଛି । ଦଳର ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀମାନେ ଅଳକାଙ୍କୁ ଜିତାଇବାକୁ ଲାଗିପଡିଛନ୍ତି । ଅନ୍ୟପଟେ ବିରୋଧୀ ଅଳକାଙ୍କ ବିଜୟ ଗାଡିକୁ ଅଟକାଇବାକୁ ଯୋଜନା କରୁଛନ୍ତି । ରାଜ୍ୟ ନେତାଙ୍କ ବଦଳରେ ଏହି ଦୁଇ ଜାତୀୟ ଦଳ ପଡୋଶୀ ରାଜ୍ୟର ନେତାଙ୍କ ଭରସାରେ ବ୍ରଜରାଜନଗର ଦଖଲ କରିବାକୁ ଯୋଜନା କରୁଛନ୍ତି ।
ମାଟି ତଳୁ ବାହାରୁଛି ପୁଳା ପୁଳା ରତ୍ନ ପଥର
ବୌଦ୍ଧ: ପୁଳା ପୁଳା ରତ୍ନ ପଥର । ଯେତେ ଖୋଳିଲେ ସେତେ ବାହାରୁଛି । ବୋହି ନେଉଛନ୍ତି ଲୋକେ । ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ସରଧାପାଲି ଗାଁରେ ।
ଶ୍ରମିକମାନେ ବନ୍ଧ ଖୋଳାଯିବା ବେଳେ ବାହାରି ଥିଲା କେଜି କେଜି ରତ୍ନ ପଥର । ଖବର ପ୍ରଚାରିତ ହେବା ମାତ୍ରେ ବନ୍ଧ କାମ ସ୍ଥାନରେ ଲୋକଙ୍କ ଭିଡ ଜମିଥିଲା । ଏପରିକି ବହୁ ଲୋକ ନିଜେ ନିଜେ ମାଟି ଖୋଳିବା ଆରମ୍ଭ କରି ଦେଇଥିଲେ । ସେମାନଙ୍କ ଭାଗ୍ୟରେ ମଧ୍ୟ ରତ୍ନ ପଥର ପଡିଥିଲା । ଯାହାକୁ ଲୋକେ ବୋହି ନେଉଥିବା ଦେଖିବାକୁ ମିଳିଥିବା । ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଲାଭବାନ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଫରେନସିକ ଟିମ ଯାଞ୍ଚ ଜାରି ରଖିଛନ୍ତି ।
ମେ’ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ ହେବ ୨ୟ ବ୍ରାହ୍ମଣୀ ସେତୁ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ପୂର୍ବାହ୍ନରେ ସେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ବିତୀୟ ସେତୁ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ବିତୀୟ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜନସାଧାରଣଙ୍କ ସୁବିଧା ପାଇଁ ସେତୁର ଗୋଟିଏ ପାର୍ଶ୍ବ ଚକିତ ମାସ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ କରାଯିବ । ଜୁନ୍ ଶେଷ ସୁଦ୍ଧା ଏହି ସେତୁକୁ ୬ ଲେନ୍ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।’

ସେ ଆହୁରି କହିଥିଲେ, ‘ସେତୁ ସମ୍ପୂର୍ଣ୍ଣ ହେବା ପରେ ରାଉରକେଲା ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇଯିବ । ଭାରିଯାନଗୁଡ଼ିକ ସହର ଭିତରକୁ ନଆସି ବାଇପାସ୍ ରାସ୍ତା ଦେଇ ଯାତାୟତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଫଳରେ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରଣ ହୋଇପାରିବ ।’

ସୂଚନାଯୋଗ୍ୟ, ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ବକପ୍ ହକିକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଉନ୍ନୟନମୂଳକ କାମ ସହିତ ସୌନ୍ଦର୍ଯ୍ୟକରଣ କରାଯାଉଛି। ମୁଖ୍ୟ ଶାସନ ସଚିବ ଏସବୁ ଉନ୍ନୟନ କାମ ବୁଲି ଦେଖିଥିଲା । ମୁଖ୍ୟତଃ ସେ କୋଏଲନଗରସ୍ଥିତ ବୈକୁଣ୍ଠ ଘାଟ ନିକଟରେ ନିର୍ମାଣାଧୀନ ରିକ୍ରିଏସନାଲ ପାର୍କ, ଟ୍ରାଫିକ ଗେଟ୍ ନିକଟରେ ଚାଲିଥିବା ପାର୍କିଂ ସ୍ଥଳ ଓ ପାନପୋଷଠାରେ ବହୁତଳ ମାର୍କେଟ କଂପ୍ଲେକ୍ସର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । କାମର ଗୁଣାତ୍ମକ ମାନ ବଜାୟ ରଖି ଏହିସବୁ ପ୍ରକଳ୍ପ ନିର୍ମାଣ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଉରକେଲା ଗସ୍ତ ସାରି ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଓ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ । କୋଇଡ଼ା ବ୍ଲକର ଟେନସା ହିଲ ଟପ୍ ନେଚର କ୍ୟାମ୍ପକୁ ଯାଇ ପର୍ଯ୍ୟଟକଙ୍କୁ ଆତିଥ୍ୟ ପ୍ରଦାନ ପାଇଁ କାର୍ଯ୍ୟରତ ସ୍ଥାନୀୟ ବନ ସୁରକ୍ଷା ସମିତି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହାସହ ନେଚର କ୍ୟାମ୍ପ ପାଇଁ ସ୍ଥାପିତ ବିଭିନ୍ନ କଟେଜର ରକ୍ଷଣାବେକ୍ଷଣ କାମର ତନଖି କରିଥିଲେ । ପର୍ଯ୍ୟଟକଙ୍କ ନିମନ୍ତେ ଏହି ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ଲହୁଣୀପଡ଼ା ବ୍ଲକର ଲଲେଇସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗସ୍ତ କରି ଏହାର ସଠିକ୍ କର୍ଯ୍ୟକରିତା ଅନୁଧ୍ୟାନ କରିଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଦେବଗଡ଼ ଡିଏଫଓ ଧନାଜୀ ଆର୍ ପ୍ରମୁଖ ଉପସ୍ଥିତ ଥିଲେ ।
ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା
ଭୁବନେଶ୍ବର: ଚାକିରି ମାମଲାର ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଗିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ହେଲେ ଗିରଫ । ଗତକାଲି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ ।
ଲାଞ୍ଚ ନେବା ବେଳେ ଧରାପଡିବା ପରେ ଏକାଥରେ ୪ଟି ସ୍ଥାନ ସମ୍ବଲପୁର, ବରଗଡ ସୁନ୍ଦରଗଡ ଓ ଭୁବନେଶ୍ବରରେ ଦୁଇ ଜଣ ଭିଜିଲାନ୍ସ ଡିଏସପି ଓ ଦୁଇ ଏସପିଙ୍କ ତତ୍ତ୍ବାବଧାନରେ ଖୋଳତାଡ ହୋଇଥିଲା । ସେହିପରି ଟଙ୍କା ଦେବାରେ ମଧ୍ୟସ୍ଥତା sରିଥିବା ବରଗଡସ୍ଥିତ ମୁକେଶଙ୍କ ଘରେ ମଧ୍ୟ ଯାଞ୍ଚ ହୋଇଥିଲା । ମାନସୀଙ୍କ ପ୍ରରୋଚନାରେ ମଧ୍ୟସ୍ଥି ମୁକେଶ ଏହି ଟଙ୍କା ଗ୍ରହଣ କରିଥିଲେ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଥିଲା । ସମସ୍ତ ଅର୍ଥ ମୁକେଶ ନିକଟରୁ ଜବତ ହୋଇଥିଲା ।







