ବାବୁସାନ୍‌ଙ୍କୁ ଜେରା କରୁଛି ଖାରବେଳ ନଗର ଥାନା ପୋଲିସ

ଭୁବନେଶ୍ବର: ଥାନାରେ ପହଞ୍ଚିଲେ ଓଲିଉଡ ଅଭିନେତା ବାବୁସାନ । ଜନ୍ମଦିନରେ ଥାନାରେ ହାଜର ହୋଇଛନ୍ତି ଓଲିଉଡ ଅଭିନେତା । ମା ଅପରାଜିତା ଓ ଅଭିନେତା ରବି ମିଶ୍ରଙ୍କ ସହ ଥାନାରେ ସେ ପହଞ୍ଚିଛନ୍ତି ।  ବାବୁସାନ୍‌ଙ୍କ ବୟାନ ରେକର୍ଡ କରୁଛି ଖାରବେଳ ନଗର ଥାନା ପୋଲିସ । ପାରିବାରିକ କଳହ କାରଣରୁ ପତ୍ନୀ ତୃପ୍ତି ଶତପଥୀ ବାବୁସାନ୍‌ଙ୍କ ବିରୋଧରେ ୪୯୮ ଏ ଦଫାରେ ମାମଲା ରୁଜୁ କରିଥିଲେ  ।

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବାବୁସାନ୍‌ଙ୍କ ପରିବାରରେ ବିବାଦ ସୃଷ୍ଟି ହୋଇଥିଲା  । ଏପରିକି ପତ୍ନୀ ତୃପ୍ତି ବିଚ୍‌ ରାସ୍ତାରେ ପ୍ରକୃତିଙ୍କୁ ଆକ୍ରମଣ କରିଥିଲେ  । ହେଲେ ତୃପ୍ତି ମାମଲା ରୁଜୁ କରିବା ପରେ ବାବୁସାନ୍‌ ଚେନ୍ନାଇ ଚାଲିଯାଇଥିଲେ  । ଚେନ୍ନାଇରୁ ଦୁଇ ଦିନ ପୂର୍ବରୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ ବାବୁ  । କିନ୍ତୁ ଆଜି ଜନ୍ମଦିନରେ ଥାନାରେ ହାଜର ହୋଇଛନ୍ତି ବାବୁସାନ୍‌ ।

ସେପଟେ ଜନ୍ମଦିନରେ ପୂରା ପରିବାର ଏକାଠି ହେବାର ସମ୍ଭାବନା ସୃଷ୍ଟି ହୋଇଛି  । ପତ୍ନୀ ତୃପ୍ତିଙ୍କ ସହ ଆପୋଷ ମିଳାମିଶା ନେଇ ଏକ ସୁଯୋଗ ଆସିଛି  । ଶୀଘ୍ର ଉଭୟଙ୍କ ଭିତରେ ମିଳାମିଶା ହେବ ବୋଲି ପୂରା ପରିବାର ଆଶା ବାନ୍ଧିଛି  । ଅନ୍ୟପଟେ ଜନ୍ମଦିନ ଅବସରରେ ମା ଅପରାଜିତା ମହାନ୍ତି ଘରେ ପୂଜାର୍ଚ୍ଚନା କରିଛନ୍ତି। ସୂର୍ଯ୍ୟ ପୂଜା ସହ ବୃନ୍ଦାବତୀଙ୍କୁ ପାଣି ଢାଳି ବାବୁଙ୍କ ଦୀର୍ଘଜୀବନ କାମନା କରିଛନ୍ତି ।