ବାରାମୂଳାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀର ବାରାମୂଳା ଜିଲ୍ଲା ବାନିଗାମବାଲା ଅଞ୍ଚଳରେ ଏନକାଉଣ୍ଟର  । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ । ରାଜ୍ୟ ପୋଲିସ, ସିଆରପିଏଫ ଓ ଭାରତୀୟ ସେନାର ମିଳିତ ଅପରେସନ ପରେ ସୁରକ୍ଷାକର୍ମୀଙ୍କୁ ମିଳିଲା ସଫଳତା  । ଏବେବି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ  ।

ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି  । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ  । ଏହି ସମୟରେ ଲୁଚିଥିବା ଆତଙ୍କୀ ପ୍ରଥମେ ଆକ୍ରମଣ କରିଥିଲେ  । ପାଲଟା ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଛି  ।

ଏହା ପୂର୍ବରୁ ଗତ ବୁଧବାର ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ୟାରିପୁରାରେ ଆତଙ୍କୀଙ୍କୁ ଘେରି ଯାଇଥିଲେ  । କାଠପୁରା ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇଥିଲେ ସୁରକ୍ଷାକର୍ମୀ  । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବଳ ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ ଆତଙ୍କୀ  । ଏହି ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିଲେ  । କିନ୍ତୁ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ ଆତଙ୍କୀ  ।

ଏହା ପୂର୍ବରୁ ଗତ ଜୁଲାଇ ୬ରେ କୁଲଗାମ ଜିଲ୍ଲା ହାଦୀଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ସଂଘର୍ଷ ଘଟିଥିଲା  । ଯାହା ପରେ ଦୁଇ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ  ।