‘ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ବିଦା କଲେ ଆର୍ଥିକ ରାଜଧାନୀ ହୋଇ ରହିବନି ମୁମ୍ବାଇ’

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ବିବାଦୀୟ ବୟାନକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା । ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଛି କୋଶୟାରୀ ଝଡ  । କିନ୍ତୁ ବୟାନ ଦେବାର କିଛି ସମୟ ପରେ ସଫେଇ ଦେଇଛନ୍ତି ରାଜ୍ୟପାଳ  । ସେ କହିଛନ୍ତି ‘ମହାରାଷ୍ଟ୍ରକୁ ଆଗକୁ ବଢାଇବା ପାଇଁ ମରାଠୀଙ୍କ ଯୋଗଦାନ ସବୁଠାରୁ ଅଧିକ ରହିଛି । ମୁମ୍ବାଇ ମହାରାଷ୍ଟ୍ରର ଗୌରବ ଅଟେ । ଏହା ଦେଶର ବିତ୍ତୀୟ ରାଜଧାନୀ ଅଟେ । ମୋର ମରାଠୀ ଲୋକଙ୍କୁ ଆଘାତ ଦେବାର କୌଣସି ଇରାଦା ନଥିଲା  । ମୁଁ କେବଳ ଗୁଜୁରାଟୀ ଓ ରାଜସ୍ଥାନୀଙ୍କ ଯୋଗଦାନ ସମ୍ବନ୍ଧରେ ଅବଗତ କରାଇଥିଲି  । ବହୁ ପରିଶ୍ରମ କରି ମରାଠୀ ମାନେ ମହାରାଷ୍ଟ୍ର ନିର୍ମାଣ କରିଛନ୍ତି  । ଏହି କାରଣରୁ ଆଜି ଅନେକ ମରାଠୀ ଉଦ୍ଦ୍ୟୋଗୀ ଲୋକପ୍ରିୟ ହୋଇପାରିଛନ୍ତି’ ।

ମୁମ୍ବାଇର ଅନ୍ଧେରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କୋଶୟାରୀଙ୍କ ବୟାନ ପରେ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେ କୋଶୟାରୀଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ମହାରାଷ୍ଟ୍ର ଇତିହାସ ନ ଜାଣି ବୟାନ ଦେବା ଅନୁଚିତ୍‌  । ରାଜ୍ୟପାଳ ଏକ ପ୍ରତିଷ୍ଠିତ ଓ ସମ୍ମାନିତ ପଦ  । ରାଜ୍ୟପାଳ ହୋଇ ଏପରି ବୟାନ ରାଜ୍ୟବାସୀଙ୍କ ମନରେ ଆଘାତ ଦେଇଛି ନିଶ୍ଚିତ  । ମହାରାଷ୍ଟ୍ରର ଜନତା ଅନ୍ୟ ରାଜ୍ୟର ଲୋକଙ୍କୁ ନିଜ ମନ ଓ ମାଟିରେ ସ୍ଥାନ ଦେଉଛନ୍ତି  । ‘ମରାଠୀ ମାନୁଷଙ୍କୁ ଚିଡାଅନି, ଏବେ ଏତିକି କହିପାରିବି’ ବୋଲି କହିଛନ୍ତି ଠାକରେ ।

ସେହିପରି ଶିବସେନା ପ୍ରବକ୍ତା ସଞ୍ଜୟ ରାୱତ ରାଜ୍ୟପାଳଙ୍କ ମନ୍ତବ୍ୟକୁ ନିନ୍ଦନୀୟ କହିଛନ୍ତି । ମୁମ୍ବାଇ ପାଇଁ ମହାରାଷ୍ଟ୍ରବାସୀ ଝାଳରକ୍ତ ଏକାଠି କରିଦେଇଛନ୍ତି  । ମହାରାଷ୍ଟ୍ର ଓ ମରାଠୀଙ୍କୁ ସେ ଲଗାତାର ଅପମାନ କରି ଆସୁଛନ୍ତି  । ଏଣିକି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଆଉ ସହ୍ୟ କରିପାରିବ ନାହିଁ ବୋଲି କହିଛନ୍ତି ସଞ୍ଜୟ ।

ରାଜ୍ୟପାଳ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ଯଦି ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ମହାରାଷ୍ଟ୍ରରୁ ବାହାର କରିଦିଆଯାଏ ଖାସ କରି ମୁମ୍ବାଇ ଓ ଠାଣେରୁ, ତେବେ ଏଠାରେ ଟଙ୍କା ରହିବ ନାହିଁ । ସେତେବେଳେ ମୁମ୍ବାଇ ଦେଶର ଆର୍ଥିକ ରାଜଧାନୀ ରହିବ ନାହିଁ  ।