spot_img
Home Blog Page 4238

ସମୁଦ୍ର କୂଳରୁ ଛାତ୍ର ନିଖୋଜ, ଭାସିଯାଇଥିବା ଆଶଙ୍କା

ପାରାଦୀପ: ପାରାଦୀପ ସମୁଦ୍ର କୂଳରୁ ଜଣେ ନବମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି । ସାଇକେଲ, ସ୍କୁଲ ବ୍ୟାଗ୍, ଆଇକାର୍ଡ ଓ ଡ୍ରେସ ସମୁଦ୍ର କୂଳରେ ଥିବା ବେଳେ ପିଲାଟିର କୌଣସି ସନ୍ଧାନ ମଳୁନାହିଁ । ସ୍କୁଲରୁ ଫେରି ସମୁଦ୍ରରେ ଗାଧୋଉ ଥିବା ବେଳେ ଛାତ୍ର ଜଣଙ୍କ ଭାସି ଯାଇଥିବା ସନ୍ଦେହ କରାଯାଉଛି । ନିଖୋଜ ଛାତ୍ର ହେଲେ ଭଞ୍ଜକଲୋନୀର ପ୍ରୀତମ ଦାସ ।

ଅଭିଯୋଗ ଅନୁସାରେ, ସବୁଦିନ ପରି ପ୍ରୀତମ ଆଜି ବି ସ୍କୁଲ ଯାଇଥିଲେ । ସକାଳ ୯ଟାରେ ସ୍କୁଲ ଛୁଟି ହେବା ପରେ ସେ ତାଙ୍କ ସାଇକେଲ ଧରି ଘରକୁ ଫେରିଥିଲେ । ହେଲେ, ସେ ଘରେ ପହଞ୍ଚି ନଥିଲେ । ପୁଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏହି ସମୟରେ ସମୁଦ୍ର କୂଳରେ ତାଙ୍କ ସାଇକେଲ ଥୁଆ ହୋଇଥିବା ଓ ସ୍କୁଲ ବ୍ୟାଗ, ପ୍ୟାଣ୍ଟ ଏବଂ ଆଇକାର୍ଡ ସାଇକେଲ ପାଖରେ ଥିବା ଜାଣିବାକୁ ପାଇ ସେଠାରେ ପହଞ୍ଚି ଥିଲେ । ଏହାପରେ ପ୍ରୀତମ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଉଥିବା ସନ୍ଦେହ କରାଯାଉଛି ।

ଅନ୍ୟପକ୍ଷେ ପ୍ରୀତମ ସ୍କୁଲରୁ ଦୁଇ ଜଣ ସାଙ୍ଗଙ୍କ ସହ ବାହାରି ଥିବା ଶୁଣିବାକୁ ମିଳୁଛି । ତେବେ ସେ ଆସିଥିବା ସାଙ୍ଗମାନେ କିଏ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି । ତାଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ପ୍ରୀତମଙ୍କ ସମ୍ପର୍କରେ ଜଣାପଡିବ ବୋଲି ଆଶା କରାଯାଉଛି ।

ଗୁରୁ ନାନକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ଅମୃତସର: ପଞ୍ଜାବ ଅମୃତସର ଗୁରୁ ନାନକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ମେଡିକାଲରୁ ସମସ୍ତ ରୋଗୀଙ୍କୁ ବାହାର କରି ଦିଆଯାଇଛି । ନିଆଁ ପଛର କାରଣ ହସ୍ପିଟାଲ ପଛ ପଟେ ଥିବା ଟ୍ରାନ୍ସଫର୍ମର ବୋଲି କୁହାଯାଉଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ଭୟଭୀତ ହୋଇ ପଡ଼ିଛନ୍ତି । ହଠାତ୍ ହସ୍ପିଟାଲ୍ ପଛ ପଟେ ଥିବା ଟ୍ରାନ୍ସଫର୍ମରରେ ନିଆଁ ଲାଗି ଯାଇଥିଲା । ଆଉ ଦେଖୁ ଦେଖୁ ନିଆଁ ବ୍ୟାପିବା ସହ ସାରା ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା ।

ନିଆଁ ଓ ଧୂଆଁ  ଯୋଗୁ ରୋଗୀ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ । ରୋଗୀ ଓ ସମ୍ପର୍କୀୟ ନିଜେ ନିଜେ ମେଡିକାଲରୁ ବାହାରି ରାସ୍ତାକୁ ପ୍ରାଣ ବିକଳରେ ଦୌଡ଼ି ଆସିଥିଲେ । ଅଗ୍ନିଶମ ବାହିନୀର ପ୍ରାୟ ୧୨ଟି ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ୟାବିନେଟ ମନ୍ତ୍ରୀ ହରଭଜନ ସିଂହ ।

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା

ଭୁବନେଶ୍ବର: ଦିଲ୍ଲୀ ଅଗ୍ନିକାଣ୍ଡ ପୂରା ଦେଶକୁ ଦୋହଲାଇ ଦେଇଛି । ସମସ୍ତଙ୍କ ଆଖି ଆଗରେ ଜୀବନ୍ତ ଦଗ୍ଧ ହୋଇ ଯାଇଛି ୨୭ ଜୀବନ । ଏମିତି ସ୍ଥିତିରେ ଅଗ୍ନିକାଣ୍ଡକୁ ନେଇ ଓଡ଼ିଶା ସରକାର ସତର୍କ ହୋଇଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ୨୦୧୭ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅଗ୍ନିଶମ ବିଭାଗ ମହା ନିର୍ଦ୍ଦେଶକ ଏସ.କେ. ଉପାଧ୍ୟାୟ ଚିଠି ଲେଖିଛନ୍ତି । ଏହି ଚିଠି ସମସ୍ତ ଜିଲ୍ଲାର ସହକାରୀ ଅଗ୍ନିଶମ ଅଧିକାରୀ, ସମସ୍ତ ସର୍କଲର ଡେପୁଟି ଅଗ୍ନିଶମ ଅଧିକାରୀ ଓ ରାଜ୍ୟର ରେଞ୍ଜ ଫାୟାର ଅଫିସରଙ୍କୁ ଲେଖାଯାଇଛି ।

ହୋଟେଲ, ଲଜ, ଗେଷ୍ଟ ହାଉସ, ଶିକ୍ଷାନୁଷ୍ଠାନ, ସିନେମା ହଲ୍, ମଲ୍ଟିପ୍ଲେକ୍ସ, ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ, ଅଫିସ ବିଲଡିଂ, ବିଜନେସ ଅଫିସ, ଅଡିଟୋରିୟମ, କନଭେନସନ ହଲ୍, ହଷ୍ଟେଲ, କାରଖାନା, ଶିଳ୍ପ ଆଦିରେ ଅଗ୍ନିଶମ ନିରାପତ୍ତା ଅଡିଟ କରିବା ଲାଗି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ସଂକ୍ରାନ୍ତ ପ୍ରମାଣପତ୍ର ଯେପରି ଲାଗିବ ସେଥିଲାଗି ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି ।

ବିଭିନ୍ନ ପ୍ରତିଷ୍ଠାନରେ ଯାଞ୍ଚ କରିବା ଲାଗି ସମସ୍ତ ଅଗ୍ନିଶମ ଅଧିକାରୀ ତଥା ସହକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନି ନିରାପତ୍ତା ନେଇ ବିଭିନ୍ନ ମାର୍କେଟ କମିଟିର ସହଭାଗିତାରେ ପଦକ୍ଷେପ ନେବା ଲାଗି ଅଗ୍ନିଶମ ଅଧିକାରୀଙ୍କୁ କୁହାଯାଇଛି । ଅଗ୍ନି ଜନିତ ବିପଦ ସମୟରେ ୧୧୨କୁ ଡାଏଲ କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।

ଚିନ୍ତନ ଶିବିର ବେଳେ ଚିନ୍ତା ବଢ଼ାଇଲେ ସୁନୀଲ ଝାକର, କଂଗ୍ରେସକୁ ଗୁଡବାଏ କଲେ ପୂର୍ବତନ ପଞ୍ଜାବ ପିସିସି ମୁଖ୍ୟ

ଉଦୟପୁର: ଉଦୟପୁରରେ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ଶିବିର ଚାଲିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସୁନୀଲ ଝାକର । ଅତି ନାଟକୀୟ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖ୍ୟ । ମନ କି ବାତ୍ ଶୀର୍ଷକ ଫେସବୁକ୍ ଲାଇଭ ଷ୍ଟ୍ରିମରେ କଂଗ୍ରେସକୁ ଗୁଡବାୟ କହିଛନ୍ତି ସୁନୀଲ ଝାକର । କଂଗ୍ରେସର ଶୃଙ୍ଖଳା କମିଟି ଦ୍ୱାରା ଭର୍ସିତ ହେଲା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସୁନୀଲ ଝାକର । ତିନି ତିନି ଥର ବିଧାୟକ ଓ ଥରେ ସାଂସଦ ରହି ଆସିଛନ୍ତି ସୁନୀଲ ଝାକର ।

ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆସିବା ପରେ ଦଳୀୟ ପଦପଦବୀରୁ ଝାକରଙ୍କୁ ଅବ୍ୟାହତି ଦିଆଯାଇଥିଲା । ପଞ୍ଜାବ କଂଗ୍ରେସର କିଛି ନେତା ଝାକରଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପର ଅଭିଯୋଗ ଆଣିଥିଲେ । ଏଥିପାଇଁ ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା ସୋନିଙ୍କୁ ଦାୟୀ କରିଛନ୍ତି ସୁନୀଲ ଝାକର । ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଅମ୍ବିକା ସୋନି ଦଳର କେହି ହିନ୍ଦୁ ନେତା ମୁଖ୍ୟମନ୍ତ୍ରୀ ହେବା ଚାହୁଁ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ଝାକର । ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିର ଏକ ପ୍ରହସନ ବୋଲି ଝାକର କହିଛନ୍ତି ।

ଉଦୟପୁରରେ ଜାରି ରହିଛି କଂଗ୍ରେସର ଚିନ୍ତନ ଶିବିର  । ଦଳକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗରେ ବିଚାରବିମର୍ଷ ଜାରି ରହିଛି  । ପ୍ରତି କଂଗ୍ରେସ ନେତାଙ୍କୁ ଦୁଇଟି ରାଜ୍ୟସଭା କାର୍ଯ୍ୟକାଳ ସଂପର୍କିତ ପ୍ରସ୍ତାବ ଉପରେ ଆଜି ଆଲୋଚନା ହେଉଛି । ରାଜ୍ୟସଭାରେ ଦୁଇଟି କାର୍ଯ୍ୟକାଳ ପରେ କଂଗ୍ରେସ ନେତା ଲୋକସଭା ବା ବିଧାନସଭା ନିର୍ବାଚନ ଲଢିପାରିବେ । କିନ୍ତୁ ଏହାପରେ ସେମାନେ ତୃତୀୟ ଥର ରାଜ୍ୟସଭାକୁ ଯାଇପାରିବେ ନାହିଁ । ଏହାଛଡ଼ା ବ୍ଲକ ଓ ଜିଲ୍ଲାସ୍ତରରୁ ଅଲଇଣ୍ଡିଆ କଂଗ୍ରେସ କମିଟି ଯାଏଁ ସମସ୍ତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୫ ବର୍ଷ ପାଇଁ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି । ୫ ବର୍ଷ କାର୍ଯ୍ୟକାଳ ପରେ ତିନି ବର୍ଷ କୁଲିଂ ଅଫ୍ ପିରିୟଡ ରହିବ ।

ଉତ୍ତର କୋରିଆରେ କରୋନା ତାଣ୍ଡବ, ୨୪ ଘଣ୍ଟାରେ ଭାଇରସ୍ ନେଲା ୨୧ ଜଣଙ୍କ ଜୀବନ

ଉତ୍ତରକୋରିଆ: ଉତ୍ତରକୋରିଆରେ ତାଣ୍ଡବ ରଚୁଛି କରୋନା । ମହାମାରୀରେ ୨୪ ଘଣ୍ଟାରେ ୨୧ଜଣ ପ୍ରାଣ ହରାଇଥିବାବେଳେ ସଂକ୍ରମିତ ହୋଇଛନ୍ତି ୧ ଲକ୍ଷ ୭୪ ହଜାର ୪୪୦ ଲୋକ । ପ୍ରଥମ ଥର ଲାଗି ଉତ୍ତରକୋରିଆରେ ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ପ୍ରକାଶ ପାଇଛି । ହଜାର ହଜାର ଲୋକଙ୍କ ଟେଷ୍ଟିଂ କରାଯାଉଥିବାରୁ ଏହି ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି । ସାରା ଦେଶରେ ଲକଡାଉନ ଓ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଥିବା ସତ୍ତ୍ବେ ସଂକ୍ରମଣ କାୟା ମେଲାଇବାରେ ଲାଗିଛି । ପ୍ରାୟ ୨ଲକ୍ଷ ଲୋକଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀ ଅଗ୍ନିକାଣ୍ଡର କାରଣ ଖୋଜା, ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁନ୍ଦକା ମେଟ୍ରୋ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜା । କାହିଁକି ଘଟିଲା ଅଗ୍ନିକାଣ୍ଡ? ଅଗ୍ନିକାଣ୍ଡ ଲାଗି ଦାୟୀ କିଏ ? ବିନା ଫାୟାର ଏନଓସିରେ କିପରି ଚାଲିଥିଲା ଗୋଦାମ ? ଏତେ ବଡ଼ ଘଟଣା ଘଟିବା ପୂର୍ବରୁ ପ୍ରଶାସନ କରୁଥିଲା କ’ଣ ? ଚାରି ମହଲା କୋଠାରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଗୁରୁତର ଆହତ ୧୨ ଜଣଙ୍କୁ ସ୍ଥାନୀୟ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତେବେ ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଘଟଣାରେ ସିସିଟିଭି କମ୍ପାନି ମାଲିକ ହରୀଶ ଗୋୟଲ ଓ ବରୁଣ ଗୋୟଲଙ୍କୁ ଗିରଫ କରାଯାଇଛି । ଅଗ୍ନିକାଣ୍ଡରେ ସେମାନଙ୍କ ବାପା ଅମରନାଥ ଗୋୟଲ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ପରେ ବିଲ୍ଡିଂ ମାଲିକ ମନୀଷ ଲାକ୍ରା ଫେରାର ହୋଇଯାଇଛନ୍ତି ।

ଏହି ବିଲଡିଂର ପ୍ରଥମ ମହଲାରେ ଥିବା ଏକ ସିସିଟିଭି କ୍ୟାମେରା ଗୋଦାମରୁ ଏହି ନିଆଁ ବାହାରିଥିଲା । ଏହି କୋଠାରେ ବିଭିନ୍ନ କମ୍ପାନିର କାର୍ଯ୍ୟାଳୟ ରହିଥିଲା । ଅଗ୍ନିକାଣ୍ଡରେ ବହୁ ଅଫିସ ଜଳି ପୋଡି ଧ୍ବଂସ ହୋଇଯାଇଛି । ଅନ୍ୟପଟେ ଅଗ୍ନିକାଣ୍ଡ ଘଟିଥିବା ଚାରି ମହଲା କୋଠାର ନଥିଲା ଫାୟାର ଏନଓସି । କୋଠାରେ ଗୋଟିଏ ମାତ୍ର ଷ୍ଟେୟାରକେସ୍ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଥିଲା । ନିଆଁକୁ ଆୟତ୍ତ କରିବା ଲାଗି ୨୪ରୁ ଅଧିକ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା । ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

 

ଜାତୀୟ ହକି ଦଳର କମାଣ ସମ୍ଭାଳିବେ ଓଡ଼ିଆ ପୁଅ, ଏସିଆ କପ୍ ହକି ପାଇଁ ବୀରେନ୍ଦ୍ର ଲାକ୍ରା ହେଲେ ଅଧିନାୟକ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ । ଏସିଆ କପରେ କମାଲ କରିବା ପାଇଁ ଘୋଷଣା ହୋଇସାରିଥିଲା ୧୮ ଜଣିଆ ଦଳ । ଦଳର ଅଧିନାୟକ ଭାବେ ଦାୟିତ୍ୱଭାର ଭାରତୀୟ ହକି ଦଳର ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା । ହେଲେ ହଠାତ ସବୁ ବଦଳିଯାଇଥିଲା । ଭାରତୀୟ ହକି ଦଳ ଉପରେ ଚଡ଼କ ପଡ଼ିଯାଇଥିଲା । ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ଅଭ୍ୟାସ ସମୟରେ ଆହତ ହୋଇଥିଲେ । ଯାହା ପରେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ହକି ତାରକା ତଥା ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଛି ।

ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବ। ଏଥି ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କ୍ୟାପଟେନ ଲାକ୍ରା ଓ ପୂରା ଭାରତୀୟ ହକି ଟିମକୁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାରିୟର

୧୯୯୦ ମସିହା ଫେବୃଆରି ୩ରେ ସୁନ୍ଦରଗଡ଼ର ଲାଚଚାଡ଼ା ଗାଁରେ ଜନ୍ମ ହୋଇଥିବା ବୀରେନ୍ଦ୍ର ଲାକ୍ରା ଦେଶ ପାଇଁ ଏପର୍ଯ୍ୟନ୍ତ ୨୦୧ଟି ମ୍ୟାଚ୍ ଖେଳିସାରିଛନ୍ତି । ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରେ ପୁରୁଷ ହକିରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଖାଲି ସେତିକି ନୁହେଁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଇତିହାସ ରଚିଥିବା ଏହି ଭାରତୀୟ ହକି ଦଳର ଉପ ଅଧିନାୟକ ଭାବରେ ମଧ୍ୟ ବୀରେନ୍ଦ୍ରଙ୍କୁ ମନୋନୀତ କରାଯାଇଥିଲା ।

ଏହାପରେ ହକି ଖେଳରୁ ବୀରେନ୍ଦ୍ରଙ୍କୁ ଓଡ଼ିଶାର ସୁରକ୍ଷା ଭାର ଦିଆଯାଇଥିଲା । ବୀରେନ୍ଦ୍ର ଲାକ୍ରା ୨୦୨୨ ଫେବୃଆରୀ ୧୭ରେ ଓଡ଼ିଶା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନୁଯୁକ୍ତି ପାଇଥିଲେ । ସେ କଟକସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ସୁନିଲ ବଂସଲଙ୍କ ଉପସ୍ଥିତିରେ ଡିଏସପି ଭାବରେ ଯୋଗ ଦେଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି ରୁପିନ୍ଦର ଏବଂ ବିରେନ୍ଦ୍ରଙ୍କ ଯୋଡ଼ି ବିପକ୍ଷ ଦଳକୁ ଚକମା ଦେବା ପାଇଁ ବହୁତ ଭଲ ଯୋଡ଼ି । ବୀରେନ୍ଦ୍ର ଏବଂ ସୁନୀଲ ଅତ୍ୟଧିକ ଅଭିଜ୍ଞ ଏବଂ ବହୁ ବର୍ଷ ଧରି ନେତୃତ୍ୱ ନେଇଆସୁଛନ୍ତି । ତେବେ ରୁପିନ୍ଦରଙ୍କର ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇ ପାରେ ବୋଲି ଖେଳ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

ମୁଣ୍ଡକାର କାଳ କୋଠା: ଅନୁକମ୍ପାର ଅର୍ଥ ଏବଂ ସମବେଦନାର ଶବ୍ଦ ଏଠି ସବୁ ତୁଛ

ନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁର ନିଆଁ ଏବଂ ପ୍ରଚଣ୍ଡ ଧୂଆଁ ଭିତରେ ଛଟପଟ ହେଉଥିଲେ ସଭିଏଁ । ସବୁପଟୁ ବନ୍ଦ ହୋଇଯାଇଥିଲା ବଞ୍ଚିବାର ବାଟ । ଜୀବନ ଟିକେ ପାଇଁ ହାତପାତି ଗୁହାରୀ କରୁଥିଲେ ଫସି ରହିଥିବା ଲୋକେ । ଆଉ ଏହାରି ଭିତରେ ଫ୍ୟାକ୍ଟ୍ରି ମାଲିକ ବୃଦ୍ଧ ଅମରାନାଥ ଗୋୟେଲ ମଧ୍ୟ ବାକି ଆୟୁଷର ଭିକ୍ଷା ମାଗୁଥିଲେ । କିନ୍ତୁ ଏହି କାଳ କୋଠାର ନିଆଁରେ ଜଳି ଯାଇଥିଲେ ସଭିଏଁ । କିଏ ନିଆଁରୁ ବର୍ତ୍ତିବା ପାଇଁ ତଳକୁ ଡେଇଁ ପଡୁଥିଲା ତ, ଆଇ କିଏ ଚାହୁଁଥିଲେ ମଧ୍ୟ ରକ୍ତମୁଖା ଅଗ୍ନିର ଝାସରୁ ଯାଇ ପାରୁନଥିଲା ।

ସମୟ ଅପରାହ୍ନ ୪ଟା ୪୫ । ସବୁକିଛି ଠିକଠାକ୍ ଚାଲିଥିଲା । ଏମିତିକି ବିଲ୍ଡିଂରେ ଚାଲିଥିଲା ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ । କୋଠାର ପ୍ରଥମ ବିଲ୍ଡିଂରେ ଫ୍ୟାକ୍ଟ୍ରି ଚାଲିଥିଲାବେଳେ, ଦ୍ୱିତୀୟ ଫ୍ଲୋର ରେ ରହିଥିଲା ଗୋଦାମ ଗୃହ । ତୃତୀୟ ମହଲାରେ ଲ୍ୟାବ ରହିଥିଲା । ଯେମିତି ସବୁଦିନ କର୍ମଚାରୀ କାର୍ଯ୍ୟ କରିଥାନ୍ତି । ଶୁକ୍ରବାର ମଧ୍ୟ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ କମ୍ପାନୀର କର୍ମଚାରୀ । କମ୍ପାନୀ ମାଲିକ ବରୁଣ ଏବଂ ହରିଶ ଗୋୟେଲଙ୍କ ପିତା ଅମରନାଥଙ୍କର ରହିଥିଲା ପ୍ରବଚନ କାର୍ଯ୍ୟକ୍ରମ । ପ୍ରବଚନ ଥିବାରୁ ସେଦିନ ଉପସ୍ଥିତ ରହିଥିଲେ ଅଧିକାଂଶ ଲୋକେ । ଆଉ ଏହି ସମୟରେ ବିଲ୍ଡିଂରେ ଲାଗିଥିଲା ଭୟାବହ ଅଗ୍ନିକାଣ୍ଡ ।

ଶେଷରେ ସତ ଚେଷ୍ଟା ସତ୍ୱେ ବିଫଳ ହୋଇଥିଲା ଜୀବନ । ସଫଳ ହୋଇଥିଲା ମୃତ୍ୟୁ । ୧୭ଟି ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳର ଅଦ୍ୟମ ପରିଶ୍ରମ ପରେ ବି ଜୀବନ୍ତ ଜଳିଗଲେ ୨୭ ଜଣ । ବ୍ୟସ୍ତ ବହୁଳ ରାଜଧାନୀର ମୁଣ୍ଡକା ଅଞ୍ଚଳର ଏହି କାଳକୋଠା କେତେ ଯେ ଜୀବନ ନେଇଗଲା ଆଉ କେତେ ଯେ କଷ୍ଟ ଦେଇଗଲା । ତାହାର ଭରଣା ନା କିଏ କରିଛି, ନା କିଏ କରିପାରିବ । ଅନୁକମ୍ପାର ଅର୍ଥ ଏବଂ ସମବେଦନାର ଶବ୍ଦ ଏଠି ସବୁ ତୁଛ । ବେଆଇନ ନିର୍ମିତ କୋଠାରୁ ଠିକାଦାର ଲାଭ ପାଇଲା, ଦଲାଲ ଭାଗ ନେଲା । କିନ୍ତୁ ପେଟ ପାଇଁ ଶ୍ରମ ବିକୁଥିବା ସାଧାରଣ ଲୋକଟା ଶେଷରେ ଜୀବନ୍ତ ସହିଦ ହୋଇଗଲା ।

ମିଳିଥିବା ସୂଚନା ମୁତାବକ ଫ୍ୟାକ୍ଟି ମାଲିକ ମାଲିକ ବରୁଣ ଏବଂ ହରିଶ ଗୋୟେଲଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଥିବାବେଳେ କୋଠାର ମାଲିକ ମନୀଷ ଲାକଡ଼ା ଏବେ ମଧ୍ୟ ନିଖୋଜ ରହିଛି  । ପୋଲିସ ମାଲିକକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି  । ସେପଟେ ଏବେ ମଧ୍ୟ ବିଲ୍ଡିଂରେ ଚାଲିଛି ସର୍ଚ୍ଚ ଅପରେସନ  ।

ଜାଣନ୍ତୁ କାହିଁକି ବିଦେଶକୁ ଗହମ ରପ୍ତାନି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର?

ନୂଆଦିଲ୍ଲୀ: ଭାରତରୁ ଗହମ ରପ୍ତାନି ବନ୍ଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଦେଶରେ ଖାଦ୍ୟ ନିରାପତ୍ତା ଓ ପଡ଼ୋଶୀ ତଥା ଦୁର୍ବଳ ରାଷ୍ଟ୍ରଗୁଡ଼ିକର ଖାଦ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେତେ ଗହମ ରପ୍ତାନି ନେଇ ଯେଉଁ ସବୁ ଦେଶକୁ ଲେଟର ଅଫ କ୍ରେଡିଟ ପ୍ରଦାନ କରାଯାଇଥିଲା ସେହି ଦେଶଗୁଡ଼ିକୁ ଗହମ ରପ୍ତାନି ଜାରି ରହିବ । ଏହା ସହ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଦ୍ବାରା ଜାରି ବିଜ୍ଞପ୍ତି ସୂଚୀରେ ରହିଥିବା ଦେଶଗୁଡ଼ିକୁ ଗହମ ଯୋଗାଣ କରାଯିବ ।

ଗତ ଫେବ୍ରୁଆରୀରେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେନ୍ଦ୍ର କରି କୃଷ୍ଣ ସାଗର ଅଞ୍ଚଳରେ ରପ୍ତାନି କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ବିଶ୍ୱର ବହୁ ରାଷ୍ଟ୍ର ଭାରତର ଗହମ ଉପରେ ନିର୍ଭର ହୋଇଆସିଥିଲେ । ଗତ ମାର୍ଚ୍ଚରେ ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଗହମ ଚାଷ ଗଭୀର ପ୍ରଭାବିତ ହୋଇଥିଲା । ଏହା ସହ ଏପ୍ରିଲରେ ମୁଦ୍ରାସ୍ଫୀତି ହାର ୭.୭୯କୁ ଯିବା ପରେ ସରକାର ଏହାକୁ ରୋକିବା ଲାଗି ରପ୍ତାନିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ତଳେ ଗହମ ରପ୍ତାନି ବନ୍ଦ ହେବନାହିଁ ବୋଲି ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି । ଗତ ଫେବ୍ରୁଆରୀରେ ଦେଶରେ ଗହମ ଉତ୍ପାଦନ ପରିମାଣ ୧୧୧.୩ ନିୟୁତ ଟନ ହେବ ବୋଲି ସରକାର ଆକଳନ କରିଥିବାବେଳେ ପରେ ଏହି ପରିମାଣ ୧୦୫ ନିୟୁତ ଟନକୁ ହ୍ରାସ କରିଥିଲେ ।

ଶିକାରୀ ଗୁଳିରେ ଟଳି ପଡ଼ିଲେ ୩ ପୋଲିସ କର୍ମଚାରୀ

ଗୁନା: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ ଶିକାରୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଶିକାରୀମାନେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆରୋନ ଜଙ୍ଗଲରେ ୪ ଜଣ କୃଷ୍ଣସାର ମୃଗ ଓ ମୟୂର ଶିକାର କରିବା ପରେ ଶିକାରୀମାନେ ଫେରୁଥିଲେ । ତେବେ ଏହି ସମୟରେ ସେମାନଙ୍କ ସାମ୍ନା ପୋଲିସ ସହ ହୋଇଥିଲା । ତେବେ ଶିକାରୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯାହା ଫଳରେ ଏସଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାଗର୍ବ, କନଷ୍ଟେବଳ ସନ୍ତରାମଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ଗୁନାରେ ଥିବା କିଛି ଜଙ୍ଗଲରେ କୃଷ୍ଣସାର ମୃଗ ଦେଖାଯାଆନ୍ତି । ଯାହା ଉପରେ ଶିକାରୀଙ୍କ ଲୋଳୁପ ଦୃଷ୍ଟି ରହିଥାଏ । ଶୁକ୍ରବାର ରାତିରେ କିଛି ଶିକାରୀ ଜଙ୍ଗରେ ଶିକାର କରିବାକୁ ଆସିଥିଲେ । ଏପରିକି ସେମାନଙ୍କ ହାତରେ ଏକ ମୃତ କୃଷ୍ଣସାର ମଧ୍ୟ ଥିଲା । ଖବର ପାଇ ପୋଲିସ ଚଢଉ କରିଥିଲା । ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ଶିକାର ପୋଲିସ ଟିମ୍ ଉପରେ ଗୁଳିମାଡ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିମାଡ ହୋଇଥିଲା । ଯାହାଫଳରେ ୩ ଜଣ ପୋଲିସ ସହିଦ ହୋଇଛନ୍ତି ।

ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।