ବିଧାନସଭାରେ ଦରମା ବୃଦ୍ଧି ଦାବି କଲେ ବିଧାୟକ

ଭୁବନେଶ୍ବର: ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିଜେପି, କଂଗ୍ରେସ ଓ ବିଜେଡି । ଶେଷ ଥର ପାଇଁ ୨୦୧୭ ମସିହା ସେପ୍ଟେମ୍ବର ୧୩ ତାରିଖରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଏବେ ସବୁ ରେଟ ବଢିଛି  । ତେଣୁ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ପ୍ରଥମେ ଦାବି କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ  ।

ଅନ୍ୟ ରାଜ୍ୟର ବିଧାୟକମାନେ ଅଧିକ ଦରମା ପାଉଥିବା ବେଳେ ଓଡ଼ିଶାରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ଏବେ ମୋଟ ୯୯ ହଜାର ୮୦୦ ଟଙ୍କା ରହିଛି  । ତେଣୁ ଏଥିରେ ବୃଦ୍ଧି ଦାବି କରିଛନ୍ତି ମୋହନ  । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଦରମା ବଢ଼ାଇକୁ ଦାବି କରିଛନ୍ତି । ଅନେକ ସୋସିଆଲ କାର୍ଯ୍ୟକ୍ରମକୁ ବିଧାୟକମାନଙ୍କୁ ଯିବାକୁ ପଡୁଛି  । ତେଣୁ ଖର୍ଚ୍ଚ ବଢୁଛି । ପୂର୍ବତନ ବିଧାୟକମାନେ ମାତ୍ର 30 ହଜାର ଟଙ୍କା ପେନସନ ପାଉଛନ୍ତି । ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି ତାରା ।

ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଦରମା, ପେନସନ ଏବଂ ମେଡିକାଲ ଭତ୍ତା ବଢ଼ାଇବାକୁ ଦାବି କରିଛନ୍ତି । ସେହିପରି ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି । ଏ ପ୍ରସଙ୍ଗରେ ସବୁ ଦଳର ଦାବିର ସୁବିଚାର କରିବାକୁ ସରକାରଙ୍କୁ ବାଚସ୍ପତି ପରାମର୍ଶ ଦେଇଛନ୍ତି  ।