ଏସସିବି ମେଡିକାଲରେ ଲାଞ୍ଚ ଦେଲେ ମିଳୁଛି ଚାକିରି !

କଟକ: ଲାଞ୍ଚ ଦେଲେ କଟକ ଏସସିବି ମେଡିକାଲରେ ମିଳୁଛି ଚାକିରି । କଟକ ବଡ଼ ଡାକ୍ତରଖାନାରେ ଚାକିରି ଦେବା ନାଁରେ ଚାଲିଛି ଲାଞ୍ଚ କାରବାର । ଲାଞ୍ଚ କାରବାର ନେଇ ମିଳିଛି ପ୍ରମାଣ । ଚାକିରି କରାଇ ଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଇଥିଲେ ଏସସିବି ଆଉଟସୋର୍ସିଂରେ କାର୍ଯ୍ୟରତ ଜଣେ କର୍ମଚାରୀ । ଯାହାର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଲାଞ୍ଚ ନେଉଥିବା ବ୍ୟକ୍ତି ଜଣଙ୍କ ହେଲେ ଆଉଟସୋର୍ସିଂ ସଂସ୍ଥାର କର୍ମଚାରୀ ଶେଖ ମୁଜିବୁର୍ ରେହମାନ୍।

ଚାକିରି କରାଇଦେବାକୁ ଜଗତସିଂହପୁରର ଦେବାଶିଷ ମଲ୍ଲିକଙ୍କଠାରୁ ବାୟୋଡାଟା ସହିତ ସହିତ ୫୦ ହଜାର ଟଙ୍କା ନେଇଥିଲେ । ଯାହାର ପ୍ରମାଣ ରହିଛି ଏହି ଭିଡିଓରେ । ଅଭିଯୋଗ ଅନୁସାରେ, ଦେବାଶିଷଙ୍କୁ ଆଟେଣ୍ଡାଣ୍ଟ ଚାକିରି ପାଇଁ ତାଙ୍କଠାରୁ ଟଙ୍କା ନେଇଥିଲେ ଶେଖ ମୁଜିବୁର୍ । ଆଉଟସୋର୍ସିଂ ଦାୟିତ୍ବରେ ଥିବା ମଞ୍ଜୁଶ୍ରୀ ଏଜେନ୍ସିରେ ଚାକିରି କରାଇ ଦେବାକୁ ଦେଖାଇଥିଲେ ଲୋଭ । ପରବର୍ତ୍ତୀ ସମୟରେ ଆଟେଣ୍ଡାଣ୍ଟ ବଦଳରେ ଦେବାଶିଷଙ୍କୁ କୋଭିଡ୍‌ କାମରେ ଲଗାଯାଇଥିଲା ।

ଅଭିଯୋଗ ପରେ ଓ କରୋନା ପରେ ଦେବାଶିଷଙ୍କୁ ଛଟେଇ କରାଯାଇଛି । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ଦେବାଶିଷ । କେବଳ ଦେବାଶିଷ ନୁହନ୍ତି, ଏକାଧିକ ବ୍ୟକ୍ତି ଏସସିବିରେ ଚାକିରି କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ତେବେ ଶେଖ ମୁଜିବୁର ନାମକ ଏହି ବ୍ୟକ୍ତି ଜଣଙ୍କ କିଏ, ଏସସିବିରେ କ’ଣ କରନ୍ତି ଓ ମଞ୍ଜୁଶ୍ରୀ ଏଜେନ୍ସି ସହ ତାଙ୍କ କ’ଣ ସମ୍ପର୍କ ତାହା ଜଣାପଡ଼ିନାହିଁ । ସେପଟେ ଘଟଣାରୁ ନିଜକୁ ଦୂରେଇ ରଖିଛନ୍ତି ଏସସିବି ଅଧିକାରୀ । ନିଯୁକ୍ତି କାର୍ଯ୍ୟ ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଇଛି ବୋଲି ଏସସିବି କର୍ତ୍ତୃପକ୍ଷ କହିଛନ୍ତି ।