ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ୍ତୋଳନରେ ଭାରତକୁ ପ୍ରଥମ ରୌପ୍ୟ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ପଦକ । ପଦକ  ଦେଲେ ଭାରତ୍ତୋଳକ ସରଗର ସଂକେତ । ୫୫କିଗ୍ରା ବର୍ଗରେ ରୌପ୍ୟ ପଦକ ହାତେଇଛନ୍ତି ସଙ୍କେତ । ରୌପ୍ୟ ପଦକରୁ ପଦକ ଯାତ୍ରା ଆରମ୍ଭ କରିଛି ଭାରତ । ସଙ୍କେତ ସରଗର ଦୁଇ ରାଉଣ୍ଡର ୬ଟି ପ୍ରୟାସରେ ସମ୍ପୂର୍ଣ୍ଣ ବଳ ଲଗାଇ ଦେଇଥିଲେ  । ମୋଟ ୨୪୮ କିଲୋ ଭାର ଉଠାଇ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରର ସାଙ୍ଗଲିରେ ସଙ୍କେତଙ୍କ ଘର । ପ୍ରଥମ ରାଉଣ୍ଡ ଅର୍ଥାତ ସ୍ନାଚରେ ୧୧୩ କିଗ୍ରା ଓଜନ ଉଠାଇଥିଲେ ।

ଏହାପରେ ଦ୍ୱିତୀୟ ରାଉଣ୍ଡ ଅର୍ଥାତ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଗ୍ରା ଭାର ଉଠାଇ ପଦକ ନିଜ ନାଁରେ କରିଛନ୍ତି । ଅନ୍ତିମ ଦୁଇଟି ପ୍ରୟାସରେ ସଙ୍କେତ ଆହତ ମଧ୍ୟ ହୋଇଥିଲେ । ସଙ୍କତେ ଦ୍ୱିତୀୟ ପ୍ରୟାସରେ ୧୩୯ କିଗ୍ରା ଭାର ଉଠାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଉଠାଇ ପାରିନଥିଲେ ଏବଂ ଆଘାତ ହୋଇଯାଇଥିଲେ । ସେହିପରି ମାଲେସିଆର ବିନ କସଦନ ମହମ୍ମଦ ଅନିକ ମୋଟ ୨୪୯ କିଲୋଗ୍ରାମ ଭାର ଉଠାଇ ସୁନା ପଦକ ନିଜ ନାଁରେ କରିଛନ୍ତି । ଗତ କାଲି ରାଜ୍ୟ ଗୋଷ୍ଠୀ କ୍ରିଡା ଇଂଲଣ୍ଡର ବର୍ମିଂହମରେ ଆରମ୍ଭ ହୋଇଥିଲା ।