spot_img
Home Blog Page 4236

ବଢ଼ିଲା ନୂପୁର ଶର୍ମାଙ୍କ ଅଡ଼ୁଆ, ଲୁକ୍ ଆଉଟ ନୋଟିସ ଜାରି କଲା କୋଲକାତା ପୋଲିସ

ନୂଆଦିଲ୍ଲୀ: ବଢ଼ିଲା ନୂପୁର ଶର୍ମାଙ୍କ ଅଡ଼ୁଆ । ନୂପୁରଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଜାରି କରିଛି କୋଲକାତା ପୋଲିସ । ପ୍ରଫେଟଙ୍କ ବିରୋଧରେ ନୂପୁର କଟୁ ମନ୍ତବ୍ୟ ଦେବାକୁ ନେଇ ତାଙ୍କ ବିରୋଧରେ ପୋଲିସ ଦୁଇ ଥର ନୋଟିସ୍ ପଠାଇଥିଲା । ମାତ୍ର ନୂପୁର ହାଜର ନ ହେବାରୁ ତାଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି । ବିବାଦୀୟ ବୟାନକୁ କେନ୍ଦ୍ର କରି ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଦେଖାଦେଇଥିବା ବେଳେ ଦୁଇଟି ହତ୍ୟାକାଣ୍ଡ ଘଟିଲାଣି । କୋଲକାତା ପୋଲିସ ନିକଟରେ ନୂପୁରଙ୍କ ବିରୋଧରେ ଦୁଇଟି FIR ରୁଜୁ ହୋଇଛି । ନର୍କେଲଡାଙ୍ଗା ପୋଲିସ ଷ୍ଟେସନରେ ଜୁନ ୨୦ ତାରିଖରେ ହାଜର ହେବା ଲାଗି ନୋଟିସ ଜାରି ହୋଇଥିଲା । ଏହା ସହ ଅମହରଷ୍ଟ ଥାନା ପକ୍ଷରୁ ମଧ୍ୟ ଜୁନ ୨୫ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯିବା ସତ୍ତ୍ବେ ନୂପୁର ହାଜର ହୋଇ ନଥିଲେ ।

 

ଜନ୍ମବେଦିରେ ମହାପ୍ରଭୁ, ଆଜିଠୁ ଆଡ଼ପ ମଣ୍ଡପରେ ଦେବେ ଦର୍ଶନ

ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡ଼ପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ସକାଳୁ ଦ୍ବାରଫିଟା ଯିବା ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି କରାଯାଇ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେବ । ପରେ ଗୋପାଳ ବହ୍ଲବ ପୂଜା, ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ହେବା ସହ ଯାତ୍ରାଙ୍ଗୀ ମହାସ୍ନାନ ଆଦି ନୀତି କରାଯାଇ ରାତ୍ରୀରେ ବଡ଼ ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହେବ।

ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ଗତ ଦୁଇବର୍ଷ ଧରି ଭକ୍ତ ଏହି ଦର୍ଶନରେ ବଞ୍ଚିତ ଥିଲେ । ଏଥର ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ଆଡ଼ପ ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ଆଜିଠୁ ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ହୋଇପାରେ ବାଚସ୍ପତି ନିର୍ବାଚନ

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ । ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଗତକାଲି ସିନ୍ଦେ ଗୋଆ ଯାଇ ସେଠାରେ ଥିବା ଅନ୍ୟ ବିଧାୟକଙ୍କୁ ମୁମ୍ବାଇ ନେଇ ଆସିଥିଲେ । ସେପଟେ ଆଜି ବିଧାନସଭାରେ ହୋଇପାରେ ବାଚସ୍ପତି ନିର୍ବାଚନ । ମହାବିକାଶ ଅଘାଡି ପକ୍ଷରୁ ଶିବସେନା ବିଧାୟକ ରାଜନ ସାଲଭୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ପ୍ରଥମ ଥର ବିଧାୟକ ହୋଇଥିବା ରାହୁଲ ନରଭେକରଙ୍କୁ ବିଜେପି ବାଚସ୍ପତି ପ୍ରାର୍ଥୀ କରିଛି ।

ସେପଟେ ସିନ୍ଦେଙ୍କ ସମେତ ୧୫ ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଅଯୋଗ୍ୟ ଆବେଦନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ସିନ୍ଦେ କ୍ୟାମ୍ପ । ପ୍ରକୃତ ଶିବସେନା କିଏ, ସେ ନେଇ ବି ବିବାଦ ରହିଛି । ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ନିଜକୁ ହିଁ ପ୍ରକୃତ ଶିବସେନା ଭାବେ ଦାବି କରିଛି । ଶିବସେନା ଉପରେ କର୍ତ୍ତୃତ୍ବ ଜାହିର ପାଇଁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଶିବସେନାରୁ ବହିଷ୍କୃତ କରିଛନ୍ତି ଉଦ୍ଧବ ଠାକରେ । ଦଳ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତି ଯୋଗୁଁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ଉଦ୍ଧବ ଠାକରେ ଚିଠି ଲେଖି ଜଣାଇଛନ୍ତି । ଶିବସେନାର ମୁଖ୍ୟ ଭାବେ ସେ ସିନ୍ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କହିଛନ୍ତି ଉଦ୍ଧବ । ତେଣେ ଉଦ୍ଧବ ଅନୁଗତ ସଂଜୟ ରାଉତ ଦାବି କରିଛନ୍ତି ଯେ, ତାଙ୍କୁ ମଧ୍ୟ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେବାକୁ ପ୍ରସ୍ତାବ ଆସିଥିଲା । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଏହି ଚାରୋଟି ରାଶିଙ୍କ ପାଇଁ ଆଜିର ଦିନ ଶୁଭ

ମେଷ : ଅଚାନକ ଧନ ଲାଭର ସମ୍ଭାବନା ରହିଛି । ମାତ୍ର, ଆୟ ଉପରେ ଧ୍ୟାନ ଦିଅନ୍ତୁ । ମନ ବିଚଳତି ହୋଇପାରେ । ପ୍ରେମ ବ୍ୟାପାର ଓ ସନ୍ତାନର ସ୍ଥିତି ଅନୁକୂଳ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଶନିଦେବଙ୍କ ଆରାଧନା କରନ୍ତୁ ।

ବୃଷ : ବ୍ୟବସାୟିକ ଲାଭ ମିଳିବା ସତ୍ତ୍ୱେ ମନ ପ୍ରସନ୍ନ ରହିବ ନାହିଁ । ପିତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଛାତିରେ ଯନ୍ତ୍ରଣା ଦେଖାଦେଇପାରେ । ସ୍ୱାସ୍ଥ୍ୟରେ ସୁଧାର ଆସିପାରେ । ଜୀବନସାଥୀ ଏବଂ ସନ୍ତାନଙ୍କ ପୂର୍ଣ୍ଣ ସହଯୋଗ ରହିବ । ଦିନଟି ମଧ୍ୟମ ଧରଣର ରହିବ । ମନ ଅଶାନ୍ତ ରହିପାରେ । ଶନିଦେବଙ୍କ ଆରାଧନା କରନ୍ତୁ ।

ମିଥୁନ : ଶୁଭ ଦିନର ଆଗମନ ହେବ । ଯାତ୍ରା ଲାଭଦାୟକ ହେବ ମାତ୍ର, ମନରେ ସମ୍ମାନ ହାନିର ସାମାନ୍ୟ ଭୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ପ୍ରେମ ସମ୍ପର୍କ ଭଲ ହେବ । ବ୍ୟବସାୟ ମଧ୍ୟ ଭଲ ହେବ । କୌଣସି ନୀଳ ବସ୍ତୁ ନିଜ ପାଖରେ ରଖନ୍ତୁ ।

କର୍କଟ : ଶରୀରରେ କୌଣସି ଆଘାତ ଲାଗିପାରେ । କୌଣସି ସମସ୍ୟାରେ ପଡ଼ିପାରନ୍ତି । ପରିସ୍ଥିତି ଅଚାନକ ପ୍ରତିକୂଳ ହୋଇପାରେ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବା ସହ ପ୍ରେମ ଏବଂ ସନ୍ତାନ ସ୍ଥିତି ଭଲ । ବ୍ୟବସାୟ ମଧ୍ୟ ଭଲ ରହିବ । ଶନିତତ୍ତ୍ୱ ଅର୍ଥାତ୍ ନୀଳ ବସ୍ତୁ ଦାନ କଲେ ଶୁଭ ।

ସିଂହ : ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇପାରନ୍ତି । ପୂର୍ବରୁ ପରସ୍ପର ମଧ୍ୟର ଚାଲିଆସୁଥିବା ଭୁଲ୍ ବୁଝାମଣାକୁ ଭୁଲି ସମ୍ପର୍କକୁ ଆଗକୁ ବଢ଼ାନ୍ତୁ । କଳହରୁ ଦୂରେଇ ରୁହନ୍ତୁ । କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ପୁରୁଣା ବ୍ୟବସାୟ ଠିକ୍ ଚାଲିବ । ସ୍ୱାସ୍ଥ୍ୟ, ପ୍ରେମ ଓ ସନ୍ତାନ ମଧ୍ୟମ ରହିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଦିନଟି ଭଲ । ନୀଳ ବସ୍ତୁ ଦାନ କରନ୍ତୁ ।

କନ୍ୟା : ଶତ୍ରୁ ପରାଜିତ ହେବେ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବରିଷ୍ଠଙ୍କ ଆଶିର୍ବାଦ ପ୍ରାପ୍ତ ହେବ । ଗୋଡ଼ରେ ଆଘାତ ଲାଗିପାରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମ ଏବଂ ସନ୍ତାନ ମଧ୍ୟମ ରହିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଶୁଭ ସମୟ । ଶନିଦେବଙ୍କୁ ଆରାଧନା କରିବା ସହ ନୀଳ ବସ୍ତୁ ପାଖରେ ରଖନ୍ତୁ ।

ତୁଳା : ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମରେ ସାମାନ୍ୟ ଦୂରତା ଅନୁଭବ କରିପାରନ୍ତି । ବିଚଳିତ ଅବସ୍ଥାରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରେମ ଉଭୟ ମଧ୍ୟମ ରହିବ । ଶନିଦେବଙ୍କୁ ଆରାଧନା କରନ୍ତୁ । ଏଥିସହ ନୀଳ ବସ୍ତୁ ପାଖରେ ରଖନ୍ତୁ ।

ବିଛା : ଘରୋଇ ସୁଖରେ ବାଧା ଉପୁଜିପାରେ । ଜମିବାଡ଼ି, ଯାନବାହନ କ୍ରୟ କରିବାରେ ଠକାମିର ସ୍ୱୀକାର ହୋଇପାରନ୍ତି । ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତିରେ ଯନ୍ତ୍ରଣା ଦେଖାଦେଇପାରେ । ପ୍ରେମ ଏବଂ ସନ୍ତାନ କ୍ଷେତ୍ର ଅନେକ ଭଲ ରହିବ । ବ୍ୟବସାୟ ଭଲ ରହିବ । ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ, ଶୁଭ ଫଳ ପ୍ରାପ୍ତ ହେବ ।

ଧନୁ : ପରାକ୍ରମୀ ହେବେ । ନିଜେ କରିଥିବା ପରିଶ୍ରମ ଆପଣଙ୍କୁ ସଫଳତା ଆଡ଼କୁ ଆଗେଇ ନେବ । ନାକ, କାନ କିମ୍ୱା ଗଳାରେ କିଛି ସମସ୍ୟା ଦେଖାଦେଇପାରେ । ନିଜ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୀଳ ବସ୍ତୁ ଦାନ କଲେ ଶୁଭ ।

ମକର : ପୁଞ୍ଜି ନିବେଶ କରିବାଠୁ ଦୂରେଇ ରୁହନ୍ତୁ । ପରିବାର ବର୍ଗଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବା ସହ ପ୍ରେମ ଏବଂ ସନ୍ତାନଙ୍କ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ କୌଣସି ଶୁଭ ସମାଚାର ମିଳିପାରେ । ମା କାଳୀଙ୍କ ଆରାଧନା କରନ୍ତୁ ।

କୁମ୍ଭ : ସ୍ୱାସ୍ଥ୍ୟ ଭଲ ରହିବ । ମନ ବିଚଳିତ ରହିବ । ପ୍ରେମ ଏବଂ ସନ୍ତାନ ସ୍ଥିତି ଭଲ ରହିବ । ବ୍ୟବସାୟ ମଧ୍ୟ ଭଲ ଚାଲିବ । ଶନିଦେବଙ୍କ ଆରାଧନା କରନ୍ତୁ ।

ମୀନ : ପ୍ରେମ ଏବଂ ସନ୍ତାନଙ୍କ ମଧ୍ୟରେ ଦୂରତା ରହିପାରେ । ଅଧିକ ଖର୍ଚ୍ଚ କରିବାରୁ ଚିନ୍ତାରେ ରହିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ମାତ୍ର, ମୁଣ୍ଡବିନ୍ଧା କିମ୍ୱା ଚକ୍ଷୁ ଦରଜ ଦେଖାଦେଇପାରେ । ନୀଳ ବସ୍ତୁର ଦାନ କରନ୍ତୁ । ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ଶୁଭ ।

 

 

ଅମରାବତୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନୁପୁର ଶର୍ମାଙ୍କୁ ସମର୍ଥନ କରି ଆଉ ଜଣେ ବ୍ୟକ୍ତିଙ୍କ ହତ୍ୟା ହୋଇଥିବା ଅଭିଯୋଗ । ମହାରାଷ୍ଟ୍ରର ଏକ ଔଷଧ ଦୋକାନୀଙ୍କୁ ଗତ ୨୧ ତାରିଖରେ ହତ୍ୟା କରାଯାଇଥିଲା । ମହାରାଷ୍ଟ୍ରର ଅମରାବତୀରେ ଫେସବୁକରେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିବା ଉମେଶ କୋହ୍ଲେଙ୍କ ହତ୍ୟା କରାଯାଇଥିଲା  । ତେବେ ଏହି ମାମଲାରେ ୭ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ଶେଖ ଇରଫାନ ରହିମ ମଧ୍ୟ ସାମିଲ ଅଛି । ତଦନ୍ତରୁ ଜଣାପଡିଛି ଯେ, ଇରଫାନ ରାୟବର ହେଲପଲାଇନ ନାଁରେ ଏକ ଏନଜିଓ ଚଳାଉଛି । ତାକୁ ଆଜି ନାଗପୁରରୁ ଗିରଫ କରାଯାଇଛି ।

ସେହିପରି ଗିରଫ ଷଷ୍ଠ ଅଭିଯୁକ୍ତ ଡା. ୟୁସୁଫ ଖାନ ଓରଫ ବାହାଦୂରକୁ ୫ ଜୁଲାଇ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି । ଏହି ଦୁଇଜଣଙ୍କୁ ଶନିବାର ଗିରଫ କରାଯାଇଥିଲା । ହତ୍ୟା ଘଟଣା ଦିନ ୨୧ ଜୁନ ରାତି ସାଢେ ୧୦ଟାରେ ପ୍ରଭାତ ପୋଷ୍ଟ ପାଖ ମହିଳା ମହାବିଦ୍ୟାଳୟ ପାଖର ଏକ ସିସିଟିଭି ଫୁଟେଜ ମଧ୍ୟ ଜାରି କରାଯାଇଛି  । ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଉମେଶ କୋହ୍ଲେଙ୍କ ପଛରେ ଯାଉଥିବାର ଦେଖାଯାଇଛି । ପରେ ଘଟଣା ଘଟିବା ପରେ ଦୁଇଜଣ ଦୌଡି ଯିବାର ଦେଖାଯାଇଛନ୍ତି  । ସୂଚନାଥାଉକି, ଉଦୟପୁରରେ ଯେଉଁ ଭଳି ଟେଲର କହ୍ନେୟାଲାଲଙ୍କ ନୃସଂଶ ଭାବେ ହତ୍ୟା ହୋଇଥିଲା, ଠିକ ସେହିପରି ହତ୍ୟା ୨୧ ଜୁନରେ ଉଦୟପୁର ଠାରୁ ୭୪୦ କିମି ଦୂର ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା । ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କରୁଛି  ।

ମୁମ୍ବାଇ ଫେରିଲେ ବିଦ୍ରୋହୀ ବିଧାୟକ, ଆସନ୍ତାକାଲି ବାଚସ୍ପତି ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ର ଶିବେସନାର ବିଦ୍ରୋହୀ ବିଧାୟକ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ମୁମ୍ବାଇ ଫେରିଛନ୍ତି । ୧୧ ଦିନ ପରେ ସେମାନେ ମୁମ୍ବାଇ ଫେରିଛନ୍ତି । ଉଦ୍ଧବଙ୍କ ସହ ବିଦ୍ରୋହ କରି ପ୍ରଥମେ ଗୁଜୁରାଟର ସୁରଟ ଏବଂ ପରେ ଗୌହ୍ୱାଟି ଓ ଗୋଆରେ ରହିବା ପରେ ଫେରିଛନ୍ତି । ସମସ୍ତ ବିଦ୍ରୋହୀ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ମୁମ୍ବାଇର ତାଜ ପ୍ରେସିଡେନ୍ସିରେ ପହଞ୍ଚିଛନ୍ତି । ଏଠାରେ ବିଜେପି ଏବଂ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ବୈଠକ ହେବ । ସୂଚନା ମୁତାବିକ, ବିଧାୟକମାନେ ତାଜରେ ଗୋଟେ ଦିନ ହିଁ ରହିବେ । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ବିଧାୟକଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ହୋଟଲରେ ପହଞ୍ଚିଛନ୍ତି ।

ରବିବାର ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପାଇଁ ନିର୍ବାଚନ ହେବ । ଶିବସେନାର ରାଜନ ସାଲଭି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷ ନିର୍ବାଚନ ପାଇଁ ଶିବସେନା ହ୍ୱିପ ଜାରି କରିଛି । ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ଶିବସେନା ବିଧାୟକଙ୍କୁ ୩ ଏବଂ ୪ ଜୁଲାଇରେ ବିଧାନସଭାରେ ଉପସ୍ଥିତ ରହିବା ପାଇଁ କହିଛନ୍ତି । କଂଗ୍ରେସ ଏବଂ ଏନସିପି ମଧ୍ୟ ନିଜ ବିଧାୟକଙ୍କୁ କାଲି ବିଧାନସଭାରେ ଉପସ୍ଥିତ ହେବାକୁ କହିଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ମୁଖିଆ ଉଦ୍ଧବ ଠାକରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦଳର ନେତା ପଦରୁ ବହିଷ୍କୃତ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳ ଭାଙ୍ଗିବାକୁ ପ୍ରୟାସ କରିବା ଅଭିଯୋଗରେ ଠାକରେ ସିନ୍ଦେଙ୍କୁ ବହିଷ୍କାର କରିଛନ୍ତି ।

ମହାରାଷ୍ଟ୍ରରେ ୧୦ ଦିନ ପର୍ଯ୍ୟନ୍ତ ଚାଲିଥିବା ରାଜନୈତିକ ନାଟକ ପରେ ଗୁରୁବାର ବିଜେପି ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିପରି ବିଜେପିର ଦେବେନ୍ଦ୍ର ଫଡନାବୀସ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏବଂ ହେବା ପରେ ଏକନାଥ ସିନ୍ଦେ ଲଗାତାର ନିଜ ବୟାନରେ କହୁଛନ୍ତି ଆମେ ହେଉଛୁ ପ୍ରକୃତ ଶିବସେନା, ହିନ୍ଦୁତ୍ୱ ମାର୍ଗରେ ଆମେ ଚାଲୁଛୁ  । ତେବେ ସମସ୍ତେ ଭାବୁଥିଲେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ମହାରାଷ୍ଟ୍ର ସଙ୍କଟ ବନ୍ଦ ହୋଇଯିବ । ହେଲେ ଆଗକୁ ମହାରାଷ୍ଟ୍ର ନାଟକ ଜାରି ରହୁଥିବାର ଆଶଙ୍କା କରାଯାଉଛି । ଯଦି ଶିବସେନାର ହ୍ୱିପ ନମାନି ବିଧାନସଭାରେ ତାଙ୍କ ସପକ୍ଷରେ ଭୋଟ ନଦିଅନ୍ତି ତେବେ ବିଦ୍ରୋହୀ ବିଧାୟକମାନେ ଅଯୋଗ୍ୟ ହୋଇଯିବେ  । ଏପରି ସ୍ଥିତିରେ ଦଳ ଛାଡି ନଥିବା ଦାବି କରୁଥିବା ବିଦ୍ରୋହୀ ବିଧାୟକମାନେ କଣ କରିବେ ତାହା ଆଶା ଆଶଙ୍କାରେ  । ରବିବାର ସ୍ପଷ୍ଟ ହେବ ଏକନାଥ ସୋମବାର ଆସ୍ଥା ଭୋଟରେ ସଫଳ ହେବେ ନାଁ ବିଫଳ ହେବେ  ।

ଜୁବେରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଅଲ୍ଟ ନିଉଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଆଉ ଏକ ଝଟକା ଲାଗିଛି  । ଦିଲ୍ଲୀ ପଟିଆଲା ହାଉସ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜୁବେରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି  । କୋର୍ଟ ମହମ୍ମଦ ଜୁବେରଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇଛନ୍ତି  । ଦିଲ୍ଲୀ ପୋଲିସ  ହିଂସା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଜୁବେରଙ୍କ ବିଚାର ବିଭାଗୀୟ ହେପାଜତ ପାଇଁ ଆବେଦନ କରିଥିଲା ।

ଦିଲ୍ଲୀ ପୋଲିସ ଜୁବେର ଦ୍ୱାରା ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିବାର ଅଭିଯୋଗ କରିଥିଲା  । ପୋଲିସ କହିଥିଲା ଯେ, ଜୁବେରଙ୍କୁ ବିଦେଶରୁ ଫଣ୍ଡ ମିଳୁଥିଲା  । ଏଫଆଇଆରରେ ଦିଲ୍ଲୀ ପୋଲିସ ତିନି ନୂଆ ଧାରା-୨୦୧, ୧୨୦ବି ଏବଂ ଏଫସିଆରଏର ୩୫ ମାମଲା ଯୋଡିଛି।  ଜୁବେର ଟ୍ୱିଟ ଜରିଆରେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ସୋମବାର ତାଙ୍କୁ ଗିରଫ କରାଯାଇଥିଲା ।

କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରକ୍ରିୟା ଆରମ୍ଭ, ୯ତାରିଖ ପର୍ଯ୍ୟନ୍ତ ଚାଲିବ ଚୟନ ପ୍ରକ୍ରିୟା

ଭୁବନେଶ୍ୱର: କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଯାଇଛି । ଜିଲ୍ଲା ଓ ରାଜ୍ୟସ୍ତରରେ ଥିବା ପ୍ରତିଭା ମାନଙ୍କୁ ଚୟନ କରାଯିବ । ରାଜ୍ୟର ୨୦ ଟି ସ୍ଥାନରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଚୟନ ପ୍ରକ୍ରିୟାରେ ମୋଟ ୫୭୯୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଆଥଲେଟିକ୍ସ, ଫୁଟବଲ, ଭଲିବଲ, ଖୋ-ଖୋ, ସନ୍ତରଣ, ଭାରୋତ୍ତଳନ ଏବଂ କବାଡି ଆଦି କ୍ରୀଡା ଶୃଙ୍ଖଳା ଲାଗି ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ  । ବାସ୍କେଟବଲ, ହକି, ଜୁଡୋ, ଜିମ୍ନାଷ୍ଟିକ, କୁସ୍ତି ଏବଂ ତୀରନ୍ଦାଜ ଆଦି ଶୃଙ୍ଖଳାରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଆଥଲେଟିକ୍ସ ଓ ଭଲିବଲ ଲାଗି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଏହି ଦୁଇ କ୍ରୀଡା ଶୃଙ୍ଖଳା ସହ କବାଡି ଓ ଫୁଟବଲ ଲାଗି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଚୟନ ପ୍ରତିଯୋଗିତା ଆରମ୍ଭ ହେବ  ।

ବିଶାଖାପାଟଣାଠାରେ ରଥଯାତ୍ରା ପର୍ବ ପାଳିତ

ବିଶାଖାପାଟଣା : ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ବେଶ୍‍ ଉତ୍ସୁକତା ଓ ଉତ୍କଣ୍ଠା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଇଥିଲା । କରୋନା ବାଧକତା ଦୃଷ୍ଟିରୁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ବାସ୍ତବିକ ଢଙ୍ଗରେ ଘୋଷଯାତ୍ରା ଉତ୍ସବ ପାଳନ କରାଯାଉଥିବାରୁ ଉପସ୍ଥିତ ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅହେତୁକ ଆନନ୍ଦ, ଉଲ୍ଲାସ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା ।

ପହଣ୍ଡି କାର୍ଯ୍ୟରେ ୱାଲ୍‍ଟିୟର ରେଳବାଇ ଡିଭିଜନ୍‍ର ଡି.ଆର୍‍.ଏମ୍‍ ଅନୁପ କୁମାର ଶତପଥୀ ଓ ଏ.ଡି.ଆର୍‍.ଏମ୍‍ ମନୋଜ କୁମାର ସାହୁ ସହଯୋଗ କରିଥିଲେ । ଉପସ୍ଥିତ ଭକ୍ତମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍‍ ମର୍ମସ୍ପର୍ଶୀ ଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ବ୍ରହ୍ମପୁରରୁ ଆସିଥିବା ଘଣ୍ଟବାଦକ ଟ୍ରୁପଙ୍କ ଦ୍ୱାରା ପରିବେଶିତ ହୃଦୟସ୍ପର୍ଶୀ ଘଣ୍ଟବାଦନ ଥିଲା । ଦଶପଲ୍ଲାର ପୂର୍ବତନ ରାଜା ଲାଲ୍‍ ସାହେବ ପ୍ରମୋଦ ଦେଓଭଞ୍ଜ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ସନ୍ଧ୍ୟା ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା ।

ଭକ୍ତମାନେ ରଥଟିକୁ ଟାଣି ଟାଣି ୫ କିଲୋମିଟର ଦୂରବର୍ତ୍ତୀ ‘ଲସନ୍ସ ବେ’ କଲୋନୀ ଠାରେ ଥିବା ମାଉସି ମା’ ମନ୍ଦିରକୁ ନେଇଥିଲେ । ସନ୍ଧ୍ୟା ୭ଟା ସୁଦ୍ଧା ଜୀଉମାନେ ଗୁଣ୍ଡିଚା ମନ୍ଦିରସ୍ଥିତ ସିଂହାସନରେ ବିରାଜମାନ ହୋଇଥିଲେ । ଆସନ୍ତା ୯ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି । ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ, ସମ୍ପାଦକ ବିମଳ ମହନ୍ତ, ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଦୁଇ ଲକ୍ଷ କୋଟି ଟଙ୍କାର ବଜେଟ

ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ଐତିହାସିକ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଗତ ୨୨ ବର୍ଷରେ ବଜେଟର ଆକାର ୨୭ ଗୁଣ ବୃଦ୍ଧି ପାଇଛି । ରାଜ୍ୟର ସାମଗ୍ରିକ ବିକାଶ, ଜନଜୀବନରେ ଗୁଣବତ୍ତା ଉପରେ ବଜେଟରେ ଦିଆଯାଇଛି ଗୁରୁତ୍ବ । ଚଳିତ ବଜେଟରେ ସାମଗ୍ରିକ ଭାବେ ସ୍ବାସ୍ଥ୍ୟ ବଜେଟ ପରିମାଣ ୩୮ ପ୍ରତିଶତ ବୃଦ୍ଧି କରାଯାଇଛି । ବଜେଟରେ ପ୍ରାଶାସନିକ ରାଜସ୍ବ ବ୍ୟୟ ବରାଦ  ୭୪ ହଜାର ୨୬୧ କୋଟି ଟଙ୍କା କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୁଞ୍ଜି ବ୍ୟୟ ଅଟକଳ ପରିମାଣ ୩୮, ୭୩୨ କୋଟି ଟଙ୍କା ରହିଛି । ବଜେଟରେ ରାଜସ୍ବ ଆୟ ପରିମାଣ ୧ ଲକ୍ଷ ୬୩ ହଜାର ୬୭ କୋଟି ଟଙ୍କାର ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବେ ୩୬, ୯୭୮ କୋଟି ଟଙ୍କା, ରାଜ୍ୟର ନିଜସ୍ବ ଟିକସ ଭାବେ ୪୬ ହଜାର କୋଟି, ନିଜସ୍ବ ଅଣଟିକସ ରାଜସ୍ବ ୪୮, ୨୦୦ଟଙ୍କା ଆୟ ଲକ୍ଷ୍ୟ ରହିଛି ।

ଜନସ୍ବାସ୍ଥ୍ୟ ସେବା ଲାଗି ୧୨, ୬୨୪ କୋଟି ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଲାଗି ୨, ୬୬୪ କୋଟି ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଲାଗି ୨,୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ଲାଗି କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭, ୩୨୪ କୋଟି, ମୋ ସ୍କୁଲ ଅଭିଯାନ ଲାଗି ୬୬୪ କୋଟି ଟଙ୍କା, ବିଦ୍ୟାଳୟ ରୂପାନ୍ତରଣ ଲାଗି ୧୦୦ କୋଟିର ବ୍ୟୟ ବରାଦ ହୋଇଛି । ଅନସୂଚିତ ଜାତି ଓ ଜନଜାତି ଲାଗି ଉଦ୍ଦିଷ୍ଟ ଆକାଂକ୍ଷା ଯୋଜନା ଲାଗି ୫୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ଧାର୍ମିକ ପର୍ଯ୍ୟଟନର ବିକାଶ ଲାଗି ୧୯୫୦ କୋଟି, ଅବଢ଼ା ଯୋଜନାରେ ୧,୩୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପର୍ଯ୍ୟଟନର ବିକାଶ ଲାଗି ୮୩୦ କୋଟି ଟଙ୍କା ରହିଛି ।

ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ଲାଗି ୧୪, ୪୫୪ କୋଟି ଟଙ୍କାର ବ୍ୟୟ ଲକ୍ଷ୍ୟ ରହିଛି । ସେଥିରେ ବିଜୁ ସେତୁ ଯୋଜନା ଲାଗି ୧,୬୮୮ କୋଟି ରହିଛି । କ୍ରୀଡ଼ା ଓ ଯୁବସେବା କ୍ଷେତ୍ରରେ ୧, ୫୦୦ କୋଟି ଟଙ୍କାର ନିବେଶ ଯୋଜନା ରହିଛି । ଜଳଜୀବନ ମିଶନ ଲାଗି ୬ ହଜାର କୋଟି, ବସୁଧା ଯୋଜନା ଲାଗି ୧, ୮୫୦ କୋଟିର ବ୍ୟୟବରାଦ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଲାଗି ୭୨୫୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପିଏମଏଓ୍ବାଇ- ଗ୍ରାମୀଣ ଓ ବିଜୁ ପକ୍କାଘର ଯୋଜନା ଲାଗି ୫, ୯୦୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

କେତେ ଆୟ, କେତେ ବ୍ୟୟ ?

ବଜେଟରେ କେନ୍ଦ୍ରୀୟ ଅନୁଦାନରୁ ଆସିବ ୧୬.୩୯ ପ୍ରତିଶତ । ପୁଞ୍ଜିପ୍ରାପ୍ତି ହେବ ୧୮.୦୨ ପ୍ରତିଶତ । ନିଜସ୍ବ ଟିକସ ବାବଦକୁ ରାଜ୍ୟ ସଂଗ୍ରହ କରିବ ୨୩ ପ୍ରତିଶତ । ଅଣଟିକସରୁ ଆସିବ ୨୪.୧୦ ପ୍ରତିଶତ । କେନ୍ଦ୍ରୀୟ ଟିକସ ଅଂଶ ବାବଦକୁ ରାଜ୍ୟକୁ ମିଳିବ ୧୮.୪୯ ପ୍ରତିଶଥ । ସେହିପରି  ଯୋଜନା ବାବଦକୁ ଖର୍ଚ୍ଚ ହେବ ୫୦ ପ୍ରତିଶତ । ପ୍ରଶାସନିକ ବାବଦକୁ ଖର୍ଚ୍ଚ ହେବ ୪୪.୮୦ ପ୍ରତିଶତ । ରାଜ୍ୟରୁ ହସ୍ତାନ୍ତର ହେବ ୩.୬୦ ପ୍ରତିଶତ । ବିପର୍ଯ୍ୟୟ ପରିଚାଳନା ବାବଦରେ ଖର୍ଚ୍ଚ ହେବ ୧.୬୧ ପ୍ରତିଶତ ।