spot_img
Home Blog Page 4052

ଓଡ଼ିଶାକୁ ମିଳିଲା ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାର 15ଟି ପ୍ରମୁଖ ଖଣି ଏବଂ 16ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ । ୨୦୨୧-୨୨ରେ 49 ହଜାର 530 କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି । ଖଣି ପରିଚାଳନାରେ ଓଡିଶା ଏକ ନମ୍ବର ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇବା ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

କେନ୍ଦ୍ର ସରକାର 2015ରେ ଖଣି ନୀତି ରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭାନ୍ବିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି ।  ବର୍ତ୍ତମାନ ସୁଦ୍ଧା 22ଟିର ଅବଧି ଶେଷ ହୋଇଥିବା ବେଳେ ଖଣିଜ ଲିଜ ସମେତ 37 ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି । 5-T ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ i3MS ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ 15ଟି ପ୍ରମୁଖ ଖଣି ଏବଂ 16ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ । ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ 107. 546 ମିଲିୟନ ଟନ୍‌ ହୋଇଛି ।

ପରିବହନ ହୋଇଛି 100.612 ମିଲିୟନ ଟନ । ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର 50 ପ୍ରତିଶତ କେବଳ ଓଡିଶା ପୂରଣ କରୁଛି । 2020-21ରେ 13 ହଜାର 791 କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ 21-22ରେ 49 ହଜାର 530 କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 11 ହଜାର 887 କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ବିଗତ ବର୍ଷ ତୁଳନାରେ 21.78 ପ୍ରତିଶତ ଅଧିକ ।

PMଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡାଇଲେ ଆନ୍ଦୋଳନକାରୀ

କଲୋମ୍ବୋ: ଜଟିଳ ହେଉଛି ଶ୍ରୀଲଙ୍କା ସଙ୍କଟ । ଉଗ୍ର ଜନତାଙ୍କ କୋପରେ ଥରୁଛି କଲମ୍ବୋ । ଉତ୍ତ୍ୟକ୍ତ ଜନତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଶିବା ସହ ରାଷ୍ଟ୍ରୀୟ ଟେଲିଭିଜନ ଚାନେଲ ରୂପବାହିନୀ କାର୍ଯ୍ୟାଳୟରେ ପଶିଛନ୍ତି । ସେଠାରେ ସେମାନେ ଉଡାଇଛନ୍ତି ଜାତୀୟ ପତାକା । ସେପଟେ ଦେଶରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ନିଜକୁ କାମଚଳା ରାଷ୍ଟ୍ରପତି ଭାବେ ନିଜକୁ ଘୋଷଣା କରିଛନ୍ତି । ବ୍ୟାପକ ଅସ୍ଥିରତା ମଧ୍ୟରେ ଦେଶରେ ଚାଲିଛି ଜୋରଦାର ଆନ୍ଦୋଳନ । ଜୋର ଧରିଛି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଇସ୍ତଫା ଦାବି ।

ହଜାର ହଜାର ଆନ୍ଦୋଳନକାରୀ ସଂସଦ ଅଭିମୁଖେ ଆଗେଇଚାଲିଥିବା ସୂଚନା ମିଳିଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଫାଙ୍କା ଗୁଳିଚାଳନା କରିଛି । କଲମ୍ବୋସ୍ଥିତ ଆମେରିକା ଦୂତାବାସ ବି ବନ୍ଦ ହୋଇଛି । ହେଲିକପ୍ଟର ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ଉପରେ ନଜର ରଖାଯାଇଛି । ଗତକାଲି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ବତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ପଳାୟନ କରିଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି ।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗୋଟାବାୟାଙ୍କ ଭାଇ ବାସିଲ ମଧ୍ୟ ବିଦେଶ ଚାଲିଯାଇଥିବା ନେଇ ସୂଚନା ଦିଆଯାଇଛି । ତେଣେ ଗୋଟାବାୟାଙ୍କ ପଳାୟନ ପଛରେ ହାତ ଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତ । ଦ୍ବୀପରାଷ୍ଟ୍ରରେ ଅର୍ଥନୈତିକ ସଙ୍କଟ ନେଇ ରାଜପକ୍ଷ ପରିବାର ବିରୋଧରେ ଜନ ଆକ୍ରୋଶ ଚରମସୀମାରେ ପହଞ୍ଚିଛି । ପରିବାରକୁ ସୁରକ୍ଷିତ ଭାବେ ଦେଶ ବାହାରକୁ ଯିବାକୁ ଦିଆ ନଗଲେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଗୋଟାବାୟା ।

ଦେଶବାସୀଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଏଣିକି ମାଗଣାରେ ମିଳିବ କୋଭିଡ ବୁଷ୍ଟର ଡୋଜ୍ । ଜୁଲାଇ ୧୫ରୁ ସରକାରୀ ହସ୍ପିଟାଲରେ ମିଳିବ ଟିକା । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । ସେହିପରି ଏହି ବୟସର ବ୍ୟକ୍ତିଙ୍କୁ ମିଳିବ ସଞ୍ଜିବନୀ । ୭୫ ଦିନିଆ ସ୍ବତନ୍ତ୍ର ପ୍ରୋଗ୍ରାମ ଚଳାଇବେ ସରକାର । ଦେଶରେ ସଂକ୍ରମଣ ବଢୁଥିବାରୁ ବୁଷ୍ଟର ଅଭିଯାନ ଆରମ୍ଭ କରିବେ ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛନ୍ତି  ।

ପୂର୍ବରୁ ବୁଷ୍ଟର ଡୋଜ କେବଳ ସ୍ୱାସ୍ଥ୍ୟ କର୍ମୀ ଏବଂ କୋଭିଡ ଯୋଦ୍ଧା ମାନଙ୍କ ପାଇଁ ରହିଥିଲା  । ପରବର୍ତ୍ତୀ ସମୟରେ ସାଧରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ହୋଇଥିଲା  । କିନ୍ତୁ ଅନେକାଶଂରେ ଏହି ଡୋଜ ଘରୋଇ ମେଡିକାଲରେ ଉପରବ୍ଧ ହେଉଥିଲା  । ଯଦ୍ୱାରା ଟଙ୍କା ଦେଇ ନେବାକୁ ପଡୁଥିଲା  । କିନ୍ତୁ ଆଦାଜୀ କି ଅମୃତ ମହୋତ୍ସବ ସମୟରେ କେନ୍ଦ୍ର ସରକାର ଏହାକୁ ମାଗଣା ବୋଲି ଘୋଷଣା କରିଛନ୍ତି  ।

ସେହିପରି ବୁଷ୍ଟର ଡୋଜ ନେବାର ପ୍ରାବଧାନ ମଧ୍ୟ କମ୍ କରାଯାଇଛି  । ଆଗରୁ ଦ୍ୱିତୀୟ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ଦିଆଯାଉଥିଲା  । କିନ୍ତୁ କେନ୍ଦ୍ର ସରକାରଙ୍କ ସଦ୍ୟ ଘୋଷଣା ମୁତାବକ ଏହି ସମୟସୀମାକୁ ହ୍ରାସ କରାଯାଇଛି  । ଅର୍ଥାତ ୯ ମାସ ପରିବର୍ତ୍ତେ ୬ ମାସ କରାଯାଇଛି  । ୧୮ ବର୍ଷରୁ ୫୯ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର କୋଭୋଡ ଡ୍ରାଇଭ ମାଧ୍ୟମରେ ଏହି ଟିକା ପ୍ରଦାନ କରାଯିବ  ।

ମାସ୍କ୍ ପିନ୍ଧିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ଘଟିବାରେ ଲାଗିଛି କୋଭିଡ ସଂକ୍ରମଣ  । ପ୍ରତିଦିନ ସଂକ୍ରାମକ ବୃଦ୍ଧି ଘଟିବାରେ ଲାଗିଛି  । ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା ହୋଇଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସମୟକୁ ଦେଖି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି  । ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମଧ୍ୟ ଅନୁରୋଧ  ।

ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସଚେତନ କଲେ ମୁଖ୍ୟମନ୍ତ୍ରୀ । ଟୁଇଟ କରି ସଚେତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀର ବିପଦ ଏଯାଏ ଟଳିନାହିଁ । ସଂକ୍ରମଣରୁ ନିଜ ସହିତ ଅନ୍ୟକୁ ସୁରକ୍ଷିତ ରଖିବାକୁ ମାସ୍କ ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ନବୀନ । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ଏମଡି

ଭୁବନେଶ୍ୱର: ବାଲେଶ୍ୱରରେ ହେବ ନୋଟ୍ ପେପର ମିଲ୍ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବ୍ୟାଙ୍କ ନୋଟ୍‌ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ । ନବୀନ ପଟ୍ଟନାୟକଙ୍କୁ ଭେଟି ବାଲେଶ୍ୱରରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଅବଗତ କରାଇଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମିଶି ବାଲେଶ୍ୱରରେ ପ୍ରୋଜେକ୍ଟ କରିବ କମ୍ପାନୀ । ଗତକାଲି କ୍ଷେତ୍ର ପରିଦର୍ଶନ କରିଥିଲା ଆରବିଆଇ ଟିମ୍ । ଓ ନୋଟ୍ ମୁଦ୍ରାନ୍ ପ୍ରାଇଭେଟ ଲିମିଟେଡର ମିଳିତ ଉଦ୍ୟମରେ ଏହି କମ୍ପାନୀ ବାଲେଶ୍ୱରରେ ଏକ ବ୍ୟାଙ୍କ ନୋଟ୍ ମିଲ୍ ସ୍ଥାପନ କରିବା ପାଇଁ ୨୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି । ତେବେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସମର୍ଥନ ଯୋଗାଇବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି  । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ 5-T ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ବହୁଚର୍ଚ୍ଚିତ ହିଜାବ ମାମଲା; ଆସନ୍ତା ସପ୍ତାହରେ ସର୍ବୋଚ୍ଚ ଅଦାଲତରେ ହେବ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ହିଜାବ ମାମଲା । ହିଜାବ ନିଷିଦ୍ଧ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ପିଟିସନର ଶୁଣାଣି ଲାଗି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ସର୍ବୋଚ୍ଚ ଅଦାଲତରେ ହେବ । ଗତ ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟ ଦର୍ଶାଇଥିଲେ- ଇସଲାମ ଧର୍ମରେ ହିଜାବ ଅନିବାର୍ଯ୍ୟ ନୁହେଁ । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଲାଗି ସହମତି ପ୍ରକାଶ କରିଥିବାବେଳେ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି ।

କର୍ଣ୍ଣାଟକର ସ୍କୁଲ ଓ କଲେଜରେ ହିଜାବ ନିଷିଦ୍ଧ ବିରୋଧରେ ଆଗତ ସମସ୍ତ ପିଟିସନକୁ ହାଇକୋର୍ଟ ଖାରଜ କରିଥିବାବେଳେ ହାଇକୋର୍ଟ ଦର୍ଶାଇଥିଲେ ୟୁନିଫର୍ମ ପିନ୍ଧିବା ନେଇ କଟକଣା ଯଥାର୍ଥ ଏବଂ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିପାରିବେ ନାହିଁ । କୋର୍ଟ ବି ଦର୍ଶାଇଥିଲେ- ଫେବ୍ରୁଆରୀ ୫ ତାରିଖରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ପିଟିସନରକାରୀଙ୍କ ଅଧିକାରକୁ କ୍ଷୁଣ୍ଣ କରୁନାହିଁ ।

 

ଶୂନ୍ୟ କାଳରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓଙ୍କ ଗୁଣ୍ଡାରାଜ, ନିଲମ୍ବନ ଦାବି କଲେ ବିରୋଧୀ

ଭୁବନେଶ୍ୱର: ବିଧାନସଭା ଶୂନ୍ୟ କାଳରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗୁଣ୍ଡାରାଜ ଘଟଣା । ମାଲକାନଗିରି REC ୧୩ ନମ୍ବର ଗାଁରେ ଫୋର୍ସ ଧରି ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା, ୮୦ ବର୍ଷୀୟ ବୃଦ୍ଧା, ୧୪ ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ । ଏହାର ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି । ମଦ ନିଶାରେ ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଡାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପୋର୍ଟ ଆଣାଯାଇଛି । ଘଟଣାରେ ଦୁଇ ଜଣ ସାମ୍ବାଦିକ, ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରାଯାଇଛି । ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ତାରା ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ଅନ୍ୟତମ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଅନ୍ୟପଟେ ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହା ସହ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି ନରସିଂହ । ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର । ବାଚସ୍ପତିଙ୍କ ତୁରନ୍ତ ରୁଲିଂ ଦାବିରେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିବା ଜଣାପଡିଛି । ବିରୋଧୀଦଳ ମୁଖ୍ୟ ସଚେତକ ବି ସମାନ ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଛନ୍ତି  । ତେବେ ଏ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି l ବାରମ୍ବାର ଗୃହ ମୁଲତବି ପରେ ଶେଷରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

 

ଆୟ ବଢ଼ୁଛି, ବିକାଶ ହେଉଛି

ଭୁବନେଶ୍ୱର: କମୁଛି ଦାରିଦ୍ର୍ୟ, ହସୁଛି ଓଡ଼ିଶା । ନବୀନ ସରକାରରେ ରାଜ୍ୟରେ ବିକାଶ ହେଉଛି, ଆୟ ବଢ଼ୁଛି । ଅଭିବୃଦ୍ଧି ଦୂରାଉଛି ରାଜ୍ୟର ଦାରିଦ୍ର୍ୟ ହାର । ୨୦୦୪-୨୦୦୫ ମସିହାରେ ଓଡ଼ିଶାରେ ଦାରିଦ୍ର୍ୟ ହାର ୫୭.୬ ପ୍ରତିଶତ ଥିଲା । ୨୦୧୧-୨୦୧୨ରେ ଏହି ଦାରିଦ୍ର୍ୟ ହାର ହ୍ରାସ ପାଇ ୩୨.୯ ପ୍ରତିଶତରେ ପହଞ୍ଚିଥିଲା । ଏହାପରେ ୨୦୧୫-୨୦୧୬ରେ ୨୯.୩%କୁ କମିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳ ରୂପାୟନ ଦ୍ୱାରା ରାଜ୍ୟରେ କ୍ରମାଗତ ଭାବେ ଦାରିଦ୍ର୍ୟ କମିଛି ।

ଟଙ୍କିକିଆ ଚାଉଳ, ଅନ୍ତୋଦୟ ଯୋଜନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ । ସେହିପରି ବିଏସକେଓ୍ୱାଇ, ବିଜୁ ପକ୍କା ଘର ଭଳି ଯୋଜନା ଗ୍ରାମାଞ୍ଚଳରେ ଅର୍ଥନୈତିକ ସ୍ଥିତିରେ ଐତିହାସିକ ପରିବର୍ତ୍ତନ ଆଣିଛି । ଗ୍ରାମାଞ୍ଚଳରେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି । ଏସଏଚଜି ଜରିଆରେ ୭୦ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି । ଦକ୍ଷତା ବିକାଶ ଯୋଜନାରେ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଅଗଷ୍ଟ ଦ୍ୱିତୀୟ ସପ୍ତାହ ପରେ ଭଲ ସ୍ଥିତିକୁ ଆସିପାରେ ଓଡ଼ିଶା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସରିଲା ରଥଯାତ୍ରା, ବଢ଼ିପାରେ ସଂକ୍ରମଣ । ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ ତେଣୁ ତାକୁ ନଜର ରଖାଯାଇଛି । କମ୍ୟୁନିଟିରେ ମଧ୍ୟ ପଜିଟିଭିଟି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ କ’ଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯାଉଛି । ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀର ଗତିରେ ସଂକ୍ରମଣ ବଢ଼ୁଛି । ନିୟମ ମାନିବା ସହ ଯେଉଁମାନେ ଟିକା ନେଇନାହାନ୍ତି ତୁରନ୍ତ ଟିକା ନିଅନ୍ତୁ । କେତେ ବଢୁଛି, ବଢିବାର ଆକାର କଣ ? ଏହାର ଫାଟାଲିଟି କେତେ ତା ଉପରେ ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଏହି ଲହରରେ ପ୍ରଥମ କୋଭିଡ ଜନିତ ମୃତ୍ୟୁ ହୋଇଛି । ତେଣୁ ବେଶୀ ଅନୁସାଙ୍ଗିକ ରୋଗ ଥିବା ଲୋକଙ୍କ କ୍ଷେତ୍ରରେ ଏହା ପ୍ରଭାବ ପକାଉଛି ତେଣୁ ସେମାନେ ସଚେତନ ରହିବା ନିହାତି ଆବଶ୍ୟକ । ଅନ୍ୟ ରାଜ୍ୟରେ ଯେଉଁଭଳି କେସ୍ ଖସୁଛି ତେଣୁ ଆକଳନ କରାଯାଇପାରେ ଯେ ଆଗାମୀ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ । ତେଣୁ ବର୍ତ୍ତମାନ ଓଡ଼ିଶାରେ ଉପରମୁହାଁ ଗ୍ରାଫ୍ ରହିଛି ତେଣୁ ଏହା ବଢ଼ିଲା ପରେ ସମନ୍ତରାଳ ହୋଇ କିଛି ଦିନ ରହିବା ପରେ ଧୀରେ ଧୀରେ ଖସିପରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଶ୍ରୀଲଙ୍କାରେ ଉଗ୍ର ହେଲା ଜନ ଅସନ୍ତୋଷ; ସଂସଦ ଓ ପ୍ରଧାନମନ୍ତ୍ରୀ ବାସଭବନ ଅଭିମୁଖେ ବିକ୍ଷୋଭକାରୀ

କଲମ୍ବୋ: ଜଟିଳ ହେଉଛି ଶ୍ରୀଲଙ୍କା ସଙ୍କଟ । ଶ୍ରୀଲଙ୍କାରେ ଜାରି ହେଲା ଏମର୍ଜେନସି । ସାରା ଦେଶରେ ଜାରି ରହିଛି ଜୋରଦାର ଆନ୍ଦୋଳନ । ଜୋର ଧରିଛି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଇସ୍ତଫା ଦାବି । ହଜାର ହଜାର ଆନ୍ଦୋଳନକାରୀ ସଂସଦ ଅଭିମୁଖେ ଆଗେଇ ଚାଲିଥିବା ସୂଚନା ମିଳିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଘରେ ଲୋକେ ନିଆଁ ଲଗାଇଦେଇଥିବାବେଳେ ଗତ ସପ୍ତାହରେ ରାଷ୍ଟ୍ରପତି ଭବନକୁ କବଜା କରିଥିଲେ ଆନ୍ଦୋଳନକାରୀ । ଏବେ ସଂସଦ ଭବନ ଅଭିମୁଖେ ଆନ୍ଦୋଳନକାରୀ ମାଡ଼ି ଚାଲିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି ।

ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ୱତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ଫେରାର ହୋଇଯାଇଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି । ଦ୍ୱୀପରାଷ୍ଟ୍ରରେ ଅର୍ଥନୈତିକ ସଙ୍କଟ ନେଇ ରାଜପକ୍ଷ ପରିବାର ବିରୋଧରେ ଜନ ଆକ୍ରୋଶ ଚରମସୀମାରେ ପହଞ୍ଚିଛି । ପରିବାରକୁ ସୁରକ୍ଷିତ ଭାବେ ଦେଶ ବାହାରକୁ ଯିବାକୁ ଦିଆ ନଗଲେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଗୋଟାବାୟା ।