spot_img
Home Blog Page 4053

ରାଜ୍ୟରେ ଯୁବପୀଢ଼ିଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା

ଭୁବନେଶ୍ବର: ବିଶ୍ବର ସମୁଦାୟ ଆତ୍ମହତ୍ୟା ମଧ୍ୟରୁ ୩୩ ପ୍ରତିଶତ କେବଳ ଭାରତରେ ଘଟୁଛି । ଆଉ ଚିନ୍ତାର ବିଷୟ ହେଲା ଜାତୀୟ ଆତ୍ମହତ୍ୟା ହାରଠାରୁ ଆଗରେ ରହିଛି ଓଡିଶା । ଫ୍ୟାମିଲି ଟ୍ରାଜେଡି ଯୋଗୁଁ ଯାଇଛି ସର୍ବାଧିକ ଜୀବନ । ସକାଳୁ ଉଠୁ ଉଠୁ ଖବରର ଶିରୋନାମା ପାଲଟୁଛି ନିତିଦିନର ଆତ୍ମହତ୍ୟା ଘଟଣା ।

ସାରା ବିଶ୍ୱର ସମୁଦାୟ ଆତ୍ମହତ୍ୟାର ଏକ ତୃତୀୟାଂଶ କେବଳ ଭାରତରେ ଘଟୁଛି । ଆତ୍ମହତ୍ୟାର ଜାତୀୟ ହାର ୧୨ ପ୍ରତିଶତ ଥିବା ବେଳେ ଆମ ରାଜ୍ୟରେ ୨ ବର୍ଷରେ ଯାଇଛି ୧୧ ହଜାର ୧୯୭ ଜୀବନ । ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ମୃତ୍ୟୁର ରାସ୍ତା ବାଛୁଛନ୍ତି । ଆତ୍ମହତ୍ୟା ପଛର କାରଣ, ନିରାକରଣ, ତଦନ୍ତର ଦିଗ ଓ ଗଣମାଧ୍ୟମର କାର୍ଯ୍ୟ ସମ୍ପର୍କରେ, ପୋଲିସ ସେବା ଭବନରେ ଆୟୋଜିତ ହୋଇଛି ସୁଇସାଇଡ଼ ଆଣ୍ଡ ଲ’ ଏନଫୋର୍ସମେଣ୍ଟ ସେମିନାର । ଡିଜିପି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୋଲିସ ଅଧିକାରୀଙ୍କୁ ପଢ଼ାଯାଇଛି ସୁଇସାଇଡାଲ ଇନଭେଷ୍ଟିଗେସନର ପାଠ ।

ସଂଭ୍ରାନ୍ତ ହୁଅନ୍ତୁ ବା ଅଭିନେତା, ଅଥବା ସାଧାରଣ ଲୋକ, ପାରିବାରିକ କଳହ, ପ୍ରେମ ପ୍ରତାରଣା ପାଇଁ ଚାଲିଯାଉଛି ମୂଲ୍ୟବାନ ଜୀବନ । ୨୦୨୧ ଏନସିଆରବି ରିପୋର୍ଟ ମୁତାବକ ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୨୦୭ ଲୋକ ଆତ୍ମହତ୍ୟା କରିଛନ୍ତି । ଏହାର ପଛକୁ ରହିଛି ତାମିଲନାଡୁ, କର୍ଣ୍ଣାଟକ ଓ ତେଲେଙ୍ଗାନା । ପ୍ରେମ ପାଇଁ ଓଡ଼ିଶାରେ ଗତବର୍ଷ ଯାଇଛି ୧୩୨ ଜୀବନ । କେବଳ ରାଜଧାନୀ ଭୁବନେଶ୍ବରରେ ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ୨୨୬ ଜଣ ଆତ୍ମହତ୍ୟା କରିଛନ୍ତି । ଏଭଳି ପରିସ୍ଥିତିରେ ଆତ୍ମହତ୍ୟା ପ୍ରବଣତା ପଛରେ ଥିବା କାରଣ ବୁଝାଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡଃ ସୌମିତ୍ର ପଠାରେ ।

କରୋନା କାଳରେ ବୃତ୍ତିଗତ ସମସ୍ୟା ସାଙ୍ଗକୁ ସଂକ୍ରମଣର ଭୟ ଯୋଗୁଁ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଥିଲା । ଏବେ କୋଭିଡରେ ବ୍ରେକ୍ ଲାଗିଥିଲେ ସୁଦ୍ଧା ଆତ୍ମହତ୍ୟା ସଂଖ୍ୟା ଆହୁରି ବଢିବା ଚିନ୍ତାର କାରଣ ପାଲଟିଛି ।

ସ୍ତ୍ରୀଙ୍କୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲା ସ୍ବାମୀ

କୋରାପୁଟ: ସ୍ତ୍ରୀକୁ ହତ୍ୟା କରିବା ପରେ ପାଇଖାନା ଟାଙ୍ଗିରେ ପକାଇ ଦେଲା ସ୍ବାମୀ । ଏମିତି ଘଟଣା ଘଟିଛି କୋରାପୁଟ ଜିଲ୍ଲା କାକିରିଗୁମ୍ମା ପଞ୍ଚାୟତ ଡେବରାଗୁଡ ଗ୍ରାମରେ ।

ଅଭିଯୋଗ ଅନୁସାରେ ଦଶରଥ ସାହୁ ପତ୍ନୀଙ୍କୁ ହତ୍ୟା କରିବା ପରେ ଘର ଭିତରେ ଥିବା ପାଇଖାନା ଟାଙ୍କିର ସ୍ଲାବ୍ ଟେକି ମୃତଦେହ ଫିଙ୍ଗି ଦେଇଥିଲା । ଏହାପରେ ଶ୍ବଶୁର ଘରକୁ ଯାଇ ପତ୍ନୀ ନିଖୋଜ ଥିବା ସୂଚନା ଦେଇଥିଲେ । ଏହା ଶୁଣିବା ପରେ ପରିବାର ଲୋକ ଝିଅକୁ ଖୋଜି ଆଣିବାକୁ କହିଥିଲେ । ପତ୍ନୀ ନିଖୋଜ ନେଇ ଦଶରଥ ଅଗଷ୍ଟ ୧୫ ତାରିଖରେ କାକିରିଗୁମ୍ମା ଥାନାରେ ଏତଲା ଦେଇ ଚୁପଚାପ ରହିଯାଇଥିଲେ । ମହିଳାଙ୍କ ପରିବାର ଲୋକେ ବି ଦଶରଥଙ୍କୁ ଝିଅକୁ ଖୋଜି ବାହାର କରିବାକୁ କିଛଇ ଦିନ ଦେିଥିଲେ । ହେଲେ ଝିଅର କିଛି ଖୋଜଖବର ମିଳି ନଥିଲା ।

ପରେ ମହିଳାଙ୍କ ପରିବାର ଲୋକେ କାକିରିଗୁମ୍ମା ଥାନାରେ ଦଶରଥଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଦଶରଥଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ସେ ସବୁ ସତ ମାନିଯାଇଥିଲା । ପରେ ପୋଲିସ ଗୌଡଗୁଡା ଗାଁରେ ପହଞ୍ଚି ଗଳିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପାକିସ୍ତାନର ୫ ଖେଳାଳିଙ୍କୁ ସତର୍କ ନରହିଲେ ମ୍ୟାଚ୍ ହାରିବ ଭାରତ

ଦୁବାଇ: ଆଉ କିଛି ସମୟ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏସିଆ କପ୍ ସୁପର-୪ ମ୍ୟାଚରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଗ୍ରୁପ୍ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇ ଥିଲେ ବି ଏହି ମ୍ୟାଚକୁ ହାଲକାରେ ନେବା ଉଚିତ ନୁହେଁ । କାରଣ ପାକିସ୍ତାନ ଟିମରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କ ପ୍ରଦର୍ଶନ ଭାରତ ପାଇଁ ପରାଜୟର କାରଣ ପାଲଟିପାରେ । ଆସନ୍ତୁ ଜାଣିବା ପାକିସ୍ତାନ ଟିମର ଏମିତି ୫ ଜଣ ଖେଳାଳିଙ୍କ ସମ୍ପର୍କରେ, ଯାହାଙ୍କୁ ନେଇ ଭାରତୀୟ ଟିମ୍ ସତର୍କ ନରହିଲେ ପରାଜୟ ନିଶ୍ଚିତ ।

ମହମ୍ମଦ ରିଜଓ୍ବାନ: ପାକିସ୍ତାନ ଟିମର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଦମଦାର ଫର୍ମରେ ଅଛନ୍ତି । ଭାରତ ବିପକ୍ଷରେ ୪୩ ରନ୍ କରି ସେ ତାଙ୍କ ଫର୍ମ ଦେଖାଇଛନ୍ତି । ସେହିପରି ହଂକଂ ବିରୋଧରେ ତାଙ୍କ ବ୍ୟାଟରୁ ୭୮ ରନ୍ ବାହାରିଥିଲା । ରିଜଓ୍ବାନଙ୍କୁ ଶୀଘ୍ର ଆଉଟ କରି ପାକିସ୍ତାନ ଟିମ ଉପରେ ଚାପ ସୃଷ୍ଟି କରିବା ଭାରତୀୟ ଖେଳାଳିଙ୍କ ପ୍ରୟାସ ହେବା ଆବଶ୍ୟକ ।

ମହମ୍ମଦ ନଓ୍ବାଜ: ସ୍ପିନ ବୋଲର ମହମ୍ମଦ ନଓ୍ବାଜ ଏସିଆ କପରେ ୬ ଓ୍ବିକେଟ ନେଇ ସାରିଛନ୍ତି । ଗତ ମ୍ୟାଚରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଆଉଟ କରି ବଡ଼ ବଡ଼ ଖେଳାଳିଙ୍କୁ ପଡ଼ିଆ ବାହାରର ରାସ୍ତା ଦେଖାଇବାକୁ କ୍ଷମତା ରଖନ୍ତି ବୋଲି ପ୍ରମାଣିତ କରିସାରିଛନ୍ତି । ସେହିପରି ଶେଷ ଓଭରରେ ରବୀନ୍ଦ୍ର ଜାଡେଜାଙ୍କୁ ଆଉଟ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ ।

ନସୀମ ଶାହ: ଦ୍ରୁତ ବୋଲର ନସୀମ ଶାହ ପାକିସ୍ତାନ ଟିମକୁ ଶାହୀନ ଆଫ୍ରିଦଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଇନାହାନ୍ତି । ଭାରତ ବିପକ୍ଷରେ ଡେବ୍ୟୁ କରିବା ସହ ପ୍ରଥମ ଓଭରରେ କେଏଲ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରି ନିଜ ଦକ୍ଷତା ଦେଖାଇ ସାରିଛନ୍ତି । ପରେ ସୂର୍ଯ୍ୟକୁମାର ଯାଦବ ବି ତାଙ୍କ ଶିକାର ହୋଇଥିଲେ । ସେହିପରି ହଂକଂ ବିପକ୍ଷରେ ମଧ୍ୟ ସେ ଦୁଇଟି ଓ୍ବିକେଟ୍ ନେଇଛନ୍ତି । ତାଙ୍କ ବଲ୍ ପିଚରେ କାମ କଲେ ଭାରତକୁ ରନ ବନାଇବା କଷ୍ଟକର ହୋଇଯିବ ।

ବାବର ଆଜମ: ପାକିସ୍ତାନ ଅଧିନାୟକ ବାବର ଆଜମ ଏସିଆ କପରେ ବେଶି କିଛି କମାଲ ଦେଖାଇ ପାରିନାହାନ୍ତି । ଭାରତ ବିରୋଧରେ ମାତ୍ର ୧୦ କରିଥିବା ବେଳେ ହଂକଂ ବିପକ୍ଷରେ ୯ ରନ କରିବାକୁ ସକ୍ଷମ ହୋଇଥିଲେ । ବାବର ଫର୍ମରେ ନଥିଲେ ବି ଭାରତୀୟ ଟିମକୁ ତାଙ୍କୁ ହାଲକାରେ ନେବା ଭାରି ପଡ଼ିପାରେ ।

ଖୁଶଦିଲ ଶାହ: ହଂକଂ ବିପକ୍ଷ ମ୍ୟାଚରେ ଖୁଶଦିଲ ଶାହ ଦେଖାଇ ସାରିଛନ୍ତି, ଶେଷ ଓଭରରେ କେମିତି ଧୁଆଁଧାର ବ୍ୟାଟିଂ କରି ରନ୍ ବନାଇ ହେବ । ଏହାସହ ସେ ତାଙ୍କ ବ୍ୟାଟିଂ ଦକ୍ଷତା ମଧ୍ୟ ଦେଖାଇଛନ୍ତି । ଏମିତି ସ୍ଥିତିରେ ଯଦି ପାକିସ୍ତାନ ରନ୍ ଚେଜ କରେ ଓ ଶେଷ ଓଭର ଆଡକୁ ଖୁଶଦିଲ କ୍ରିଚରେ ଥାନ୍ତି ତେବେ ଭାରତୀୟ ବୋଲରଙ୍କୁ ତାଙ୍କ ବ୍ୟାଟରେ ଅଙ୍କୁଶ ଲଗାଇବାକୁ ପୂରା ଦମ୍ ଲଗାଇ ଦେବାକୁ ପଡ଼ିବ ।

ଲାଲୁ ଓ ତେଜସ୍ବୀଙ୍କ ଘନିଷ୍ଠଙ୍କୁ ଗୁଳି ମାରି ହତ୍ୟା

ପାଟଣା: ବିହାର ସାସାରାମ ଜିଲ୍ଲାରେ ଆଣଜେଡି ନେତା ବିଜେନ୍ଦ୍ର ଯାଦବଙ୍କୁ ଗୁଳି ମାରି ହତ୍ୟା । ଆରଜେଡି ନେତା ଲାଲୁ ଯାଦବ ଓ ପୁଅ ତେଜସ୍ବୀ ଯାଦବଙ୍କର ଥିଲେ ଅତି ଘନିଷ୍ଠ ଓ ବିଶ୍ବସ୍ତ । qର୍ତ୍ତମାନ ସେ ପେକ୍ସ ଅଧ୍ୟକ୍ଷ ଥିଲେ । କରଗହର ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ବାଇକରେ ଆସି ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରଠାରୁ ରାଜ୍ୟରେ ଅପରାଧୀ ବିନା ଭୟରେ ବୁଳୁଥିବା ବିଜେପି ଅଭିଯୋଗ କରିଆସୁଛି । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ କହିଥିଲେ, ମହାମେଣ୍ଟ ସରକାର ଆଓିବା ପରେ ବିହାରରେ ଅପରାଧୀଙ୍କ ତାଣ୍ଡବ ଆରମ୍ଭ ହୋଇଯାଇଛି । ନିକଟ ଅତୀତରେ ଜଣେ ଯବାନଙ୍କୁ ହତ୍ୟା କରାଯାଇଥିଲା । ତାଙ୍କର ଏକ ଝିଅକୁ ମଧ୍ୟ ଗୁଳି ମରାଯାଇଥିଲା ।

ସ୍ତ୍ରୀ କିଡନୀ ବିକ୍ରି କରିଥିବା ସ୍ବାମୀ ଗିରଫ

ମାଲକାନଗିରି: ସ୍ତ୍ରୀଙ୍କ ଅଜାଣତରେ କିଡନୀ ବିକ୍ରି କରିବା ଘଟଣାରେ ସ୍ବାମୀଙ୍କୁ ଗିରଫ କଲା ପୋଲିସ । ମାଳକାନଗିରିର ଏହି ବହୁ ଚର୍ଚ୍ଚିତ ଅଭିଯୋଗରେ ଆଦର୍ଶ ଥାନା ପୋଲିସ ସ୍ଵାମୀ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ ପରେ ପ୍ରଶାନ୍ତ ବେଙ୍ଗାଳୁରୁ ଫେରାର ହୋଇଯାଇଥିଲା । ମାଲକାନଗିରି ପୋଲିସର ଏକ ଟିମ ତାଙ୍କୁ ସେଠାରୁ ଗିରଫ କରିଥିଲା ।

ସୂଚନା ମୁତାବକ, ୧୨ ବର୍ଷ ପୂର୍ବେ ଏମଭି ୩୮ ଗାଁର ପ୍ରଶାନ୍ତ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଲେଖାଏଁ ଝିଅ ଓ ପୁଅ ଅଛନ୍ତି । ୨୦୧୮ ମସିହାରେ ରଞ୍ଜିତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଣି ପ୍ରଶାନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ରକ୍ତ ପରୀକ୍ଷା ବାହାନାରେ ଗୋଟିଏ କିଡନୀ ପ୍ରଶାନ୍ତ ବିକ୍ରି କରି ଦେଇଥିବା ରଞ୍ଜିତା ଅଭିଯୋଗ କରିଥିଲେ ।

କାର୍ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ପରଲୋକ

ପାଲଘର: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ କାର ଦୁର୍ଘଟଣାରେ ପରଲୋକ । ମହାରାଷ୍ଟ୍ରର ପାଲଘର ନିକଟରେ ଦୁର୍ଘଟଣା ଘଟିଥିଲା । ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଗ୍ରସ୍ତ କାରରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ପରିଚୟ ମିଳିପାରିନି । ପାଲଘର ନିକଟରେ ସାଇରସଙ୍କ ମର୍ସିଡିଜ କାର ଡିଭାଇଡରକୁ ପିଟିଥିଲା ।

୧୯୬୮ ଜୁଲାଇ ୪ରେ ଜନ୍ମଗ୍ରହଣ କରିଥିଲେ ସାଇରସ । ସେ ୨୦୧୨ରୁ ୨୦୧୬ ଯାଏଁ ଥିଲେ ଟାଟା ସନ୍ସର ଷଷ୍ଠ  ଚେୟାରମ୍ୟାନ । ସେ ଲଣ୍ଡନ ଇମ୍ପେରିଆଲ କଲେଜ, ଲଣ୍ଡନ ବିଜିନେସ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ । ବମ୍ବେର ଏକ ପାର୍ସି ପରିବାରରେ ତାଙ୍କର ଜନ୍ମ ହୋଇଥିଲା ।

ଦେଶକୁ ଭାଗ ଭାଗ କରି ଘୃଣା ସୃଷ୍ଟି କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଥିବା ଦରଦାମ ପ୍ରତିବାଦରେ କଂଗ୍ରେସର ଯୁଦ୍ଧଂଦେହୀ ଡାକରା । କେନ୍ଦ୍ରର ଏନଡିଏ ସରକାର ବିରୋଧରେ ମହାସଂଗ୍ରାମର ଆହ୍ବାନ । ରାମଲୀଳା ମଇଦାନରୁ ରାହୁଲ ଗାନ୍ଧୀଙ୍କ ହୁଙ୍କାର । କହିଲେ- ବିଜେପି ସରକାର ଆସିବା ଦିନୁ ଦେଶରେ ଘୃଣା ବଢ଼ିଛି । ଦେଶବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଜେପି ଓ ଆରଏସଏସ ଦେଶକୁ ଭାଗ ଭାଗ କରିବାକୁ ଯୋଜନା କରୁଛନ୍ତି । ଏହାର ଫାଇଦା ଦୁଇ ଜଣ କୋଟିପତି ନେଉଛନ୍ତି ।

ସେ ଆଗକୁ କହିଛନ୍ତି, ‘କେନ୍ଦ୍ର ସରକାର କୃଷକଙ୍କ ପ୍ରଗତି ବଦଳରେ ଆଣୁଛନ୍ତି କଳା ଆଇନ । ଏଲପିଜି, ପେଟ୍ରୋଲ ଓ ଡିଜେଲର ଦର ଆକାଶ ଛୁଆଁ ହୋଇଛି । ମହଙ୍ଗା ମାଡରେ ଦେଶବାସୀ ଅସ୍ତବ୍ୟସ୍ତ । ମିଡିଆ, ପ୍ରେସ ଓ ବିଚାର ବିଭାଗ ଉପରେ ଆକ୍ରମଣ କରାଯାଉଛି । ୟୁପିଏ ସମୟରେ ୨୭ କୋଟି ଲୋକଙ୍କୁ ଦାରିଦ୍ର୍ୟତାରୁ ମୁକ୍ତ କରାଯାଇଥିବାବେଳେ ଏନଡିଏ ସରକାର ଅମଳରେ ୨୩ କୋଟି ଲୋକଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦିଆଯାଇଛି ।’

କଂଗ୍ରେସର ଏହି ହଲ୍ଲା ବୋଲ୍ ରାଲିରେ ବିଭିନ୍ନ ରାଜ୍ୟର ହେଭିଓ୍ବେଟ ଯୋଗ ଦେଇଥିଲେ । ରାଲିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ସମ୍ବେଦନଶୀଳ ଅଞ୍ଚଳରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ରଞ୍ଜିତ ସିଂ ଫ୍ଲାଏ ଓଭର, ବିବେକାନନ୍ଦ ମାର୍ଗ, ଜବାହରଲାଲ ନେହେରୁ ମାର୍ଗ, ଚମନଲାଲ ମାର୍ଗ ତଥା ଅନ୍ୟାନ୍ୟ କେତେକ ପ୍ରମୁଖ ସ୍ଥଳରେ ଟ୍ରାଫିକ କଟକଣା କରାଯାଇଛି ।

ଟିମ୍ ଇଣ୍ଡିଆ ପ୍ଲେଇଂ-୧୧ରେ କିଏ ପାଇବେ ସ୍ଥାନ ?

ଦୁବାଇ: ଏସିଆ କପରେ ଆଜି ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ପାକିସ୍ତାନକୁ ଭେଟିବାକୁ ଯାଉଛି । ପ୍ରଥମ ମ୍ୟାଚରେ ଭାରତ ଜମଦାର ବିଜୟ ହାସଲ କରିଥିବା ବେଳେ ପୁଣି ଥରେ ଧରାଶାୟୀ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ଦୀର୍ଘ ୪ ବର୍ଷ ପରେ ମାତ୍ର ୮ ଦିନ ବ୍ୟବଧାନରେ ଭାରତ ପାକିସ୍ତାନ ପରସ୍ପରକୁ ଦ୍ବିତୀୟ ଥର ଭେଟିବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୮ରେ ଏସିଆ କପରେ ଏମିତି ହୋଇଥିଲା ଓ ଦୁଇଟି ଯାକ ମ୍ୟାଚ୍ ଭାରତ ଜିତିଥିଲା ।

ଖେଳ ଆରମ୍ଭ ହେବାକୁ ଆଉ ଅଳ୍ପ ସମୟ ବାକି ଥିବା ବେଳେ ଉଭୟ ଟିମଙ୍କ ପ୍ରଶଂସକଙ୍କ ହାର୍ଟ ବିଟ୍ ବଢ଼ିବାରେ ଲାଗିଛି । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ପିଚ୍ କେମିତି କାମ କରିବ ? ଉଭୟ ଟିମର ସାମ୍ଭାବ୍ୟ ପ୍ଲେଇଂ-୧୧ କ’ଣ ରହିବ ?

ନମ୍ବର-୪ ବ୍ୟାଟ୍ସମ୍ୟାନ ଗୁରୁତ୍ବପୂର୍ଣ୍ଣ

କେବଳ ଭାରତ-ପାକିସ୍ତାନ ମ୍ୟାଚ୍ ନୁହେଁ, ପ୍ରତି ମ୍ୟାଚରେ ୪ ନମ୍ବର ବ୍ୟାଟ୍ସମ୍ୟାନଙ୍କ ଭୁମିକା ବେଶ ଗୁରୁତ୍ବପୂର୍ଣ୍ଣ । ନମ୍ବର-୪ ଖେଳାଳିଙ୍କ ପ୍ରଦର୍ଶନ ହିଁ ବହୁମାତ୍ରାରେ ଟିମ୍ ଜିତିବା ଓ ହାରିବାକୁ ସ୍ଥିର କରିଥାଏ । ଯାହା ଶେଷ ଭାରତ ଓ ପାକିସ୍ତାନ ମ୍ୟାଚରୁ ଦେଖି ପାରିଥିବେ । ରବୀନ୍ଦ୍ର ଜାଡେଜା ୪ ନମ୍ବରରେ ଖେଳିବାକୁ ଆସି କେମିତି ମ୍ୟାଚ୍ ଜିତାଇଥିଲେ । କୁହାଯାଏ ୪ ନମ୍ବରରେ ଖେଳିବାକୁ ଆସୁଥିବା ପ୍ଲେୟାର ପାଖରେ ଚାପରେ ଖେଳିବାର କ୍ଷମତା ଥିବା ଦରକାର । ଦଳ ଭଲ ପ୍ରଦର୍ଶନ କରିଥାଉ କି ଖରାପ ପ୍ରଦର୍ଶନ, ମ୍ୟାଚ୍ ସମୟରେ ଚାପର ମୁକାବିଲା କରିବାର ଦକ୍ଷତା ନମ୍ବର-୪ ଖେଳାଳି ପାଖରେ ଥିବା ଦରକାର । ଯଦି ଭାରତ କଥା କହିବା ତେବେ ସୂର୍ଯ୍ୟକୁମାର ଯାଦବ ଏମିତି ଜଣେ ଖେଳାଳି ଯେ, ଚାପରେ ଖେଳି ଦଳକୁ ଏକା ଏକା ଜିତାଇବାର କ୍ଷମତା ରଖନ୍ତି । ଯାହା ସେ ଆପିଏଲ ଦେଖାଇ ସାରିଛନ୍ତି । ଏପରିକି ଏସିଆ କପର ହଂକଂ ବିପକ୍ଷ ମ୍ୟାଚ୍ ଏହାର ଏକ ଭଲ ଉଦାହରଣ ।

କେମିତି ରିଆକ୍ଟ କରିବ ପିଚ୍ ?

ସୁପର-୪ ରାଉଣ୍ଡର ଏହି ମ୍ୟାଚ୍ ଉଭୟ ଦେଶ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳ ଆରମ୍ଭ ହେବ । ଦୁବାଇ ପିଚରେ ଖେଳ ଆରମ୍ଭରୁ ରନ୍ କରିବା କଷ୍ଟକର ହେଉଥିବା ଦେଖିବାକୁ ମିଳିଛି । ଶେଷ ୫ରୁ ୬ ଓଭରରେ ପିଚରୁ ଚୌକା ଓ ଛକାର ବର୍ଷା ହେଉଛି । ଏହି ପିଚ୍ ସ୍ପିନର ଫ୍ରାଣ୍ଡଲି ହୋଇଥିଲେ ବି ଏସିଆ କପରେ ଫାଷ୍ଟ ବୋଲରଙ୍କ କମାଲ ମଧ୍ୟ ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ଟସ୍ ଜିତିଥିବା ଟିମ୍ ପ୍ରଥମେ ଫିଲ୍ଡିଂ କରିବାକୁ ଚିନ୍ତା କରିପାରେ ।

ଉଭୟ ଟିମ୍ ପ୍ଲେଇଂ-୧୧ରେ କରିବେ ପରିବର୍ତ୍ତନ

ସୁପର-୪ ମ୍ୟାଚ୍ ପୂର୍ବରୁ ଉଭୟ ଭାରତ ଓ ପାକିସ୍ତାନକୁ ଏକାଧିକ ଝଟକା ଲାଗିଛି । ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଟୁର୍ଣ୍ଣାମେଟରୁ ବାଦ ପଡିଛନ୍ତି । ଅବେଶ ଖାନ୍ ମଧ୍ୟ ଏହି ମ୍ୟାଚରେ ଖେଳିବା ଭଳି ଲାଗୁନି । ସେହିପରି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟିମକୁ ବି ଝଟକା ଲାଗିଛି । ଫାଷ୍ଟ ବୋଲର ଶାହନଓ୍ବାଜ ଦହାନୀ ଆହତ କାରଣରୁ ଟିମରୁ ବାହାର ହୋଇଛନ୍ତି । ତାଙ୍କ ପୂର୍ବରୁ ଶାହୀନ ଆଫ୍ରିଦ ଓ ମହମ୍ମଦ ଓ୍ବସୀମ ଜୁନିୟର ମଧ୍ୟ ଆହତ କାରଣରୁ ଏସିଆ କପରୁ ବାହାର ହୋଇଛନ୍ତି । ଏମିତି ସ୍ଥିତିରେ ଆଜି ମ୍ୟାଚରେ ଉଭୟ ଟିମ୍ ପ୍ଲେଇଂ-୧୧ରେ ପରିବର୍ତ୍ତନ କରିବା ନିଶ୍ଚିତ ।

ସାମ୍ଭବ୍ୟ ପ୍ଲେଇଂ-୧୧

ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ଆର. ଆଶ୍ବିନୀ, ଅର୍ଶଦୀପ ସିଂ ଏବଂ ୟୁଜବେନ୍ଦ୍ର ଚହଲ ।

ପାକିସ୍ତାନ: ବାବାର ଆଜମ (ଅଧିନାୟକ), ମହମ୍ମଦ ରିଜଓ୍ବାନ, ଫଖର ଜମାନ, ଇଫ୍ତିଖାର ଅହମ୍ମଦ, ଖୁସଦିଲ ଶାହ, ଶାଦାବ ଖାନ୍, ଆସିଫ ଅଲ୍ଲୀ, ମହମ୍ମଦ ନଓ୍ବାଜ, ହସନ ଅଲ୍ଲୀ, ହାରିସ୍ ରଉଫ ଏବଂ ନସୀମ ଶାହ ।

କାଲିଠୁ ଭାରତ ଆସିବେ ଶେଖ ହାସିନା, ନଦୀଜଳ ବଣ୍ଟନ ନେଇ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲି (ସୋମବାର) ଠାରୁ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ଦ୍ବିପାକ୍ଷିକ ସମ୍ପର୍କ, ସାମୁଦ୍ରିକ ସହଯୋଗ, ଖାଦ୍ୟ ନିରାପତ୍ତା, ନଦୀଜଳ ବଣ୍ଟନ, ଯୋଗାଯୋଗ, ବିଦ୍ୟୁତ ଆଦି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ବାଣିଜ୍ୟ, ନିବେଶ ଆଦି ପ୍ରସଙ୍ଗରେ ମଧ୍ୟ କେତେକ ଚୁକ୍ତି ସ୍ବାକ୍ଷିରିତ ହେବା ସମ୍ଭାବନା ଅଛି ।

ହାସିନାଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ଓ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଆସିବେ । ୫ରୁ ୮ ତାରିଖ ଯାଏଁ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ହାସିନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ।

ଦୁଇ ଦେଶ ମଧ୍ୟରେ ନଦୀଜଳ ବଣ୍ଟନ ନେଇ ଦୀର୍ଘ ବର୍ଷ ଧରି ଆଲୋଚନା ଜାରି ରହିଛି । ପ୍ରାୟ ୫୪ଟି ନଦୀ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି ।

ନୂଆ ଦଳ ଗଢିବେ ଗୁଲାମନବୀ, ନାଁ ବାଛିବ ଜମ୍ମୁ କାଶ୍ମୀର

ନୂଆଦିଲ୍ଲୀ: ଆଜି ନୂଆ ଦଳ ଗଢ଼ିବେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ । ସପ୍ତାହକ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମନବୀ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଥିଲେ । ଦଳ ଘୋଷଣା ପୂର୍ବରୁ ଗୁଲାମନବୀ ରାଲି କରିଛନ୍ତି । କିଛି ଦିନ ପରେ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଦଳ ଗଠନ ଗୁରୁତ୍ବପୂର୍ଣ୍ଣ ରହିଛି । ଜମ୍ମୁ କାଶ୍ମୀରବାସୀ ନୂତନ ଦଳର ନାମ ଓ ପତାକା ସ୍ଥିର କରିବେ ବୋଲି କହିଛନ୍ତି ଗୁଲାମନବୀ  ।

ଯଦିଓ କୌଣସି ଦଳ ସହ ମେଣ୍ଟ କରିବାକୁ ଗୁଲାମନବୀ ଅଗ୍ରାହ୍ୟ କରିଥିଲେ, ତଥାପି ନୂଆ ଦଳ ସମ୍ଭବତଃ ବିଜେପି କିମ୍ବା କୌଣସି ପ୍ରମୁଖ ଦଳ ସହ ମେଣ୍ଟ କରିବାର ସମ୍ଭାବନା ଅଛି ।

୭୩ ବର୍ଷ ବୟସ୍କ ଗୁଲାମନବୀଙ୍କ ଇସ୍ତଫା ପରେ ଜମ୍ମୁ ଓ କାଶ୍ମୀରର ବହୁ ନେତା ଓ କର୍ମୀ ବି କଂଗ୍ରେସ ତ୍ୟାଗ କରିଛନ୍ତି । ନିଜର ଇସ୍ତଫାପତ୍ରରେ ଗୁଲାମନବୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଗୁଲାମନବୀଙ୍କ ଇସ୍ତଫା ଦଳ ଲାଗି ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।

ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ପୂର୍ବତନ ପଞ୍ଜାବ ପିସିସି ସଭାପତି ସୁନୀଲ ଜାଖଡ଼, ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଳ ସିବଲ ଓ ଅଶ୍ବିନୀ କୁମାର କଂଗ୍ରେସରୁ ଇସ୍ତଫା ଦେଇଥିଲେ ।