ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

1 min read

ଜମ୍ମୁ: ଜମ୍ମୁରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା । ଜମ୍ମୁକାଶ୍ମୀର ସୋପିଆଁ ଡ୍ରାଚ୍‌ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା କମ୍ବିଂ ଅପରେସନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ତିନି ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଥିଲେ । ଡ୍ରାଚ୍ ଅଞ୍ଚଳରେ କିଛି ଆତଙ୍କୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଥିଲେ । ଏହାପରେ ଲୁଚିଥିବା ଆତଙ୍କବାଦୀ ସେନା ଉପରକୁ ଗୁଳିମାଡ଼ କରିଥିଲେ । ସେନା ପକ୍ଷରୁ ମଧ୍ୟ ଜବାବ ଦିଆଯାଇଥିଲା । ମଙ୍ଗଳବାର ରାତି ତମାମ ଏହି ଗୁଳିବିନିମୟ ଚାଲିଥିଲା ।

ଶେଷରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ୩ ଆତଙ୍କୀଙ୍କୁ ମାରି ଗଡ଼ାଇଛି ସେନା ।  ସେପଟେ ସୋପିଆଁର ମୋଲୁ ଅଞ୍ଚଳରେ ମଧ୍ୟ ଚାଲିଛି ଏନକାଉଣ୍ଟର । ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ସହଯୋଗରେ ଚାଲିଥିବା କମ୍ବିଂ ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଛି । କାଶ୍ମୀର ଅତିରିକ୍ତ ଡିଜିପି ଏହାର ସୂଚନା ଦେଇଛନ୍ତି । ତେବେ ସୂଚନାନୁଯାୟୀ, ନିପାତ ଦୁଇ ଆତଙ୍କ ହନାନ ବିନ ୟାକୁବ ଏବଂ ଜାମଶେଦ ଏସପିଓ ଜାଭେଦ ଡାର ଏବଂ ପଶ୍ଚିମବଙ୍ଗର ଏକ ଶ୍ରମିକଙ୍କ ହତ୍ୟାରେ ସାମିଲ ଥିଲେ ।

ଗତ ୨ ଅକ୍ଟୋବରରେ ଏସପିଓଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ସେହିପରି ଗତ ୨୪ ସେପ୍ଟେମ୍ବରରେ ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ବର୍ତ୍ତମାନ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ଆତଙ୍କବାଦୀ ତାଙ୍କର ଏହି ଗସ୍ତରେ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ । ହେଲେ ସେନା କମ୍ବିଂ ଅପରେସନ ଜରିଆରେ ଆତଙ୍କୀ ଷଡଯନ୍ତ୍ର ବିଫଳ କରିବା ସହ ନିପାତ କରିଛି । ଏବେବି ଅନେକ ସ୍ଥାନରେ ସେନା ପକ୍ଷରୁ ଅପରେସନ ଜାରି ରହିଛି । ଅମିସ ଶାହଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି ।