ଦଶହରାରେ ଜାତୀୟ ଦଳ ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତିର ଅଧ୍ୟକ୍ଷ କେ ଚନ୍ଦ୍ର ଶେଖର ରାଓ ଦଶହରା ଅବସରରେ ନିଜର ନୂଆ ଜାତୀୟ ଦଳର ଘୋଷଣା କରିଛନ୍ତି । ଆଞ୍ଚଳିକ ଦଳ ଟିଆରଏସ୍ ଏବେ ଜାତୀୟ ଦଳ ବିଆରଏସ୍ ନାଁରେ ନାମିତ ହୋଇଛି । ନୂଆ ଦଳ ଗଠନ ପଛରେ କେସିଆରଙ୍କ ବଡ଼ ପ୍ଲାନ ଥିବା କୁହାଯାଉଛି । ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା କିଛି ରାଜନୈତିକ ବିଶେଷଜ୍ଞ କହିଛନ୍ତି । ତେବେ ନୂଆ ଜାତୀୟ ଦଳର ନାଁ ବିଆରଏସ୍ ଅର୍ଥାତ ଭାରତ ରାଷ୍ଟ୍ର ସମିତି ରଖାଯାଇଛି ।

ନୂଆ ଦଳର ଗଠନ ସହ କେସିଆର୍ ଏବେ ଜାତୀୟ ରାଜନୀତିରେ ପଦ ଥାପିଛନ୍ତି । ୨୦୧୮ ମସିହାରୁ ହିଁ କେସିଆର ଜାତୀୟ ରାଜନୀତିକୁ ଆସିବାକୁ ଚାହୁଁଥିଲେ । କିନ୍ତୁ ପ୍ଲାଟଫର୍ମ ମିଳୁନଥିଲେ । ଏବେ ବିରୋଧୀ ଚେହେରା ଭାବରେ ସେ ବିଜେପିକୁ ଟକ୍କର ଦେବା ପାଇଁ ଚାହୁଁଛନ୍ତି । ନିକଟରେ ବିହାର ଗସ୍ତ କରି ମୁଖ୍ୟମନ୍ତ୍ରୀ ନୀତିଶ ଓ ଆରଜେଡି ମୁଖିଆ ଲାଲୁ ଯାଦବଙ୍କୁ ମଧ୍ୟ ଭେଟି ୨୦୨୪ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ।

କେବଳ ବିଜେପି ନୁହେଁ ବରଂ ସେ କଂଗ୍ରେସ ବିରୋଧରେ ମଧ୍ୟ ଅନେକ ସମୟରେ ବୟାନବାଜି କରି ଆସିଛନ୍ତି । କଂଗ୍ରେସ ଗୋଟିଏ ପଟେ ବିରୋଧୀଙ୍କୁ ଏକାଠି କରି ବିଜେପିକୁ ପରାସ୍ତ କରିବାର ରଣନୀତି ପ୍ରସ୍ତୁତ କରୁଥିବା ବେଳେ କେସିଆର ଏଥିରୁ ଅଲଗା ହୋଇ ନିଜ ଦଳ ଗଢ଼ିବା ଘଟଣା କଂଗ୍ରେସକୁ ମହଙ୍ଗା ପଡ଼ିବ । ଅନେକ ବିରୋଧୀ ମେଣ୍ଟ କଂଗ୍ରେସଠୁ ଅଲଗା ହୋଇ କେସିଆରଙ୍କ ସହ ମିଶି ନିର୍ବାଚନ ଲଢ଼ିବା ନେଇ ଆଶଙ୍କା କରାଯାଉଛି ।

ସେହିପରି ଆଗାମୀ ସମୟରେ ହେବାକୁ ଥିବା ଉପନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ମଧ୍ୟ ନୂଆ ଦଳ ଭିଆରଏସ୍ ମଇଦାନକୁ ଓହ୍ଲାଇବା ଆଶଙ୍କା କରାଯାଉଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ନୂଆ ଦଳ ଗଠନ ପୂର୍ବରୁ ତାଙ୍କ ସହିତ ରହିଆସିଛନ୍ତି । ଆଜି ମଧ୍ୟ ଦଳ ଘୋଷଣା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ଥିଲେ । ଏଥିରୁ ସ୍ପଷ୍ଟ ଉଭୟ ମିଶି ବିଭିନ୍ନ ରାଜ୍ୟରେ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛନ୍ତି ।