spot_img
Home Blog Page 3639

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ୨୦୦୨ ଗୁଜରାଟ ଦଙ୍ଗା କାଳରେ ଗର୍ଭବତୀ ବିଲକିସଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ଲୋମହର୍ଷକ ଘଟଣାରେ ୧୧ ଅଭିଯୁକ୍ତଙ୍କୁ ଖଲାସ କରିବା ନିଷ୍ପତ୍ତି ବିରୋଧରେ ଆଗତ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ ।

ଗୁଜରାଟ ସରକାରଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ନ୍ୟାସନାଲ ଫେଡେରେସନ ଅଫ ଇଣ୍ଡିଆନ ଓମେନ ପକ୍ଷରୁ ମଧ୍ୟ କରାଯାଇଥିଲା ଆବେଦନ । ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ପୂର୍ବରୁ ରେମିସନ ପଲିସି ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ ଲାଗି ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

୧୧ ଅଭିଯୁକ୍ତଙ୍କ ମୁକ୍ତିକୁ ବିରୋଧ କରି ସିପିଏମ ନେତ୍ରୀ ସୁଭାଷିନୀ ଅଲ୍ଲୀ, ସାମ୍ବାଦିକ ରେବତୀ ଲାଲ, ଲକ୍ଷ୍ମୌ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ରୂପରେଖା ବର୍ମା, ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ୧୧ ଅଭିଯୁକ୍ତଙ୍କୁ ଖଲାସ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଥିରେ ହସ୍ତକ୍ଷେପ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲେ  । ୬୦୦୦ରୁ ଅଧିକ ମାନବାଧିକାର କର୍ମୀ, ସମାଜସେବୀ, ଲେଖକ, ସାମ୍ବାଦିକ, ଫିଲ୍ମନିର୍ମାତା ପ୍ରମୁଖ ।

୨୦୦୨ ମାର୍ଚ୍ଚ ୩ରେ ଅହମ୍ମଦାବାଦର ରନ୍ଧିକପୁରରେ ୫ ମାସର ଗର୍ଭବତୀ ୨୧ ବର୍ଷ ବୟସ୍କା ବିଲକିସ ବାନୋଙ୍କୁ  ଗଣଦୁଷ୍କର୍ମ କରାଯାଇଥିଲା । ବିଲକିସଙ୍କ ୩ ବର୍ଷର ଝିଅ ସମେତ ୭ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ପରିବାରର ୬ ଜଣ କୌଶଳକ୍ରମେ ଖସିଯାଇଥିଲେ ।

କୋର୍ଟ ଭିତରେ ପଶି ଭଙ୍ଗାରୁଜା ପଡିଲା ମହଙ୍ଗା, ୧୨ ଆଇନଜୀବୀ ଗିରଫ

ସମ୍ବଲପୁର: କୋର୍ଟ ଭିତରେ ପଶି ଓକିଲଙ୍କ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଅଇନଜୀବୀ ଗିରଫ ହୋଇଥିବାବେଳେ ୯ ଜଣଙ୍କ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । କଚେରୀ ଛକରେ ୧୪୪ ଧାରା ଜାରି ହୋଇଛି ।

ଶତାଧିକ ଓକିଲଙ୍କ ନାଁରେ ମାମଲା ରୁଜୁ କରିଛି ସମ୍ବଲପୁର ପୋଲିସ । ଏଫଆଇଆରରେ ୧୧ ଜଣ ଓକିଲଙ୍କ ନାମ ଉଲ୍ଲେଖ ରହିଥିବାବେଳେ ୧୦୦ରୁ ୧୫୦ ଜଣ ଓକିଲଙ୍କ ନାମରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୧୪୭, ୩୪୧, ୩୨୩, ୩୫୩, ୩୩୨, ୫୦୬, ୧୮୬, ୧୮୮ ଓ ୧୪୯ ରେ ମାମଲା ରୁଜୁ ହୋଇଛି । କୋର୍ଟ ପରିସରରେ ୧୪୪ ଧାରା ଲଗାଯିବା ସତ୍ତ୍ବେ ଆଇନଜୀବୀମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ । ଏପରିକି ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେଇଥିଲେ । ଆଇନଜୀବୀଙ୍କ ଏହି ବିଶୃଙ୍ଖଳିତ ଆଚରଣ ପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ।

ଆନ୍ଦୋଳନରତ ଓକିଲଙ୍କ ସହ ଭଦ୍ରୋଚିତ କଥାବାର୍ତ୍ତା କରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ବିଶୃଙ୍ଖଳାକାରୀ ଆଇନଜୀବୀଙ୍କୁ ହାଜତରେ ପୂରାଇବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କୋର୍ଟ ପରିସର ମଧ୍ୟରେ ଭଙ୍ଗାରୁଜା କରିଥିବା ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶା ସରକାର ଓ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ପଡ଼ିଲେ ଆନ୍ଦୋଳନରତ ଓକିଲଙ୍କୁ ଜେଲରେ ପୂରାଇବା ସହ ଚାର୍ଜ ଫ୍ରେମ ହେବା ଯାଏ ସେମାନଙ୍କୁ ଜାମିନ ନଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେବେ ବୋଲି ଖଣ୍ଡପୀଠ କହିଥିଲେ ।

ଏପରି ଏକ ସ୍ଥାନରେ ଏକ ଖଣ୍ଡପୀଠ ପ୍ରତିଷ୍ଠା ଲାଗି ସୁପ୍ରିମକୋର୍ଟ କେବେ ବି ଅନୁମତି ଦେବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଆସନ୍ତାକାଲି ଭିସି ଜରିଆରେ ସୁପ୍ରିମକୋର୍ଟରେ ହାଜର ହୋଇ ତଥ୍ୟ ଦେବାକୁ ଡିଜିପି, ସମ୍ବଲପୁର ଏସପି ଓ ବାର କାଉନସିଲ ଅଫ ଇଣ୍ଡିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ ଖଣ୍ଡପୀଠ । ବିଶୃଙ୍ଖଳିତ ଓକିଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ସୁପ୍ରିମକୋର୍ଟଙ୍କୁ ତଥ୍ୟ ପ୍ରଦାନ କରାଯିବ । କେତେ ଓକିଲଙ୍କ ଲାଇସେନ୍ସ ବର୍ତ୍ତମାନ ସୁଦ୍ଧା ରଦ୍ଦ କରାଯାଇଛି ସେନେଇ ମଧ୍ୟ ତଥ୍ୟ ମାଗିଥିଲେ ସର୍ବୋଚ୍ଚ ଅଦାଲତ ।

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଆଜି ଭାରତ -ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପୂର୍ବାହ୍ନ ୧୦ଟା ୩୦ ରେ ଏହି ମ୍ୟାଚ ଖେଳାଯିବ । ଏଥିପାଇଁ ବାରବାଟୀ ପିଚ୍ ଓ ପଡିଆ ପ୍ରସ୍ତୁତି କାମ ଶେଷ ହୋଇଛି ।

ଭାରତ ବିଶ୍ବକପରେ ଦୁଇଟି ମ୍ୟାଚ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ବର୍ଷା ପାଇଁ ବାତିଲ ହେବାରୁ ପଏଣ୍ଟ ଭାଗ କରିଛି । ସେପଟେ ବାଂଲାଦେଶ ଟିମ ବେଶ ଶକ୍ତିଶାଳୀ ଥିବାରୁ ବାରବାଟୀ ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ।

ଘନ କୁହୁଡିରେ ଘୋଡାଇ ହୋଇଛି ରାଜଧାନୀ, ୫୦ ମିଟର ଦୃଶ୍ୟମାନ କଷ୍ଟସାଧ୍ୟ

ଭୁବନେଶ୍ବର: ରାଜ୍ୟରେ ଘନ କୁହୁଡ଼ି । ଟ୍ବିନସିଟିରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଫଳରେ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । କଟକ ଓ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି ।

ଚଳିତବର୍ଷର ପ୍ରଥମ ଘନକୁହୁଡିର ମଜା ନେଉଛନ୍ତି ରାଜଧାନୀବାସୀ  । ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି  ।

ସମ୍ବଲପୁର କୋର୍ଟରେ ଓକିଲଙ୍କ ଧସ୍ତାଧସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ, ୧୮ ମାସ ପାଇଁ ୨୯ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ । ସୋମବାର ସକାଳେ ସମ୍ବଲପୁର କୋର୍ଟରେ ପଶି ଓକିଲଙ୍କ ଧସ୍ତାଧସ୍ତି ଓ ଭଙ୍ଗାରୁଜା ଘଟଣାରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର ବାରର୍ ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ୨୯ ଜଣ ଆଇନଜୀବୀଙ୍କ ୧୮ ମାସ ପାଇଁ ଲାଇସେନ୍ସ ରଦ୍ଦ । ଲାଇସେନ୍ସ ରଦ୍ଦ କଲା ବାର କାଉନସିଲ ଅଫ୍ ଇଣ୍ଡିଆ । ଆଜି ଠାରୁ ତତ୍କାଳ ଲାଗୁ ହେବ ସସପେଣ୍ଡ ନିଷ୍ପତ୍ତି । ପ୍ରେସ ଇସ୍ତାହାରରେ ବାର କାଉନସିଲ ଅଫ୍ ଇଣ୍ଡିଆର ସୂଚନା ।

ଅନ୍ୟପକ୍ଷରେ, ସମ୍ବଲପୁରରେ କୋର୍ଟ ଭିତରେ ପଶି ଓକିଲଙ୍କ ଭଙ୍ଗାରୁଜା ଘଟଣାରେ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । କୋର୍ଟ ପରିସରରେ ଆଜି ୧୪୪ ଧାରା ଲଗାଯିବା ସତ୍ତ୍ବେ ଆଇନଜୀବୀମାନେ କୋର୍ଟ ପରିସରରେ ପଶି ବିଶୃଙ୍ଖଳା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ । ଏପରିକି ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେଇଥିଲେ ।

ଏହି ଘଟଣାରେ ଶତାଧିକ ଓକିଲଙ୍କ ନାଁରେ ମାମଲା ରୁଜୁ କରିଛି ସମ୍ବଲପୁର ପୋଲିସ । ଏଫଆଇଆରରେ ୧୧ ଜଣ ଓକିଲଙ୍କ ନାମ ଉଲ୍ଲେଖ ରହିଥିବାବେଳେ ୧୦୦ରୁ ୧୫୦ ଜଣ ଓକିଲଙ୍କ ନାମରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୧୪୭, ୩୪୧, ୩୨୩, ୩୫୩, ୩୩୨, ୫୦୬, ୧୮୬, ୧୮୮ ଓ ୧୪୯ ରେ ମାମଲା ରୁଜୁ ହୋଇଛି । ଆଇନଜୀବୀଙ୍କ ଏହି ବିଶୃଙ୍ଖଳିତ ଆଚରଣ ପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ଆନ୍ଦୋଳନରତ ଓକିଲଙ୍କ ସହ ଭଦ୍ରୋଚିତ କଥାବାର୍ତ୍ତା କରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ।

ସେମାନଙ୍କୁ ହାଜତରେ ପୂରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ପରିସର ମଧ୍ୟରେ ଭଙ୍ଗାରୁଜା କରିଥିବା ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶା ସରକାର ଓ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆବଶ୍ୟକ ପଡ଼ିଲେ ଆନ୍ଦୋଳନରତ ଓକିଲଙ୍କୁ ଜେଲରେ ପୂରାଇବା ସହ ଚାର୍ଜ ଫ୍ରେମ ହେବା ଯାଏ ସେମାନଙ୍କୁ ଜାମିନ ନଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେବେ ବୋଲି ଖଣ୍ଡପୀଠ କହିଥିଲେ ।

ବିଦେଶରେ ଚଳଚ୍ଚିତ୍ର RRRର କ୍ରେଜ୍ ଜାରି; ଗୋଲ୍ଡେନ ଗ୍ଲୋବ ଆୱାର୍ଡର ଦୁଇଟି ବର୍ଗରେ ମନୋନୀତ

ନୂଆଦିଲ୍ଲୀ: ଅନେକ ଦେଶର ବକ୍ସ ଅଫିସରେ ଧମାଲ ମଚାଇଥିବା ଏସଏସ ରାଜମୌଲୀଙ୍କ RRRର ଜଲୱା ଏବେ ବି କମ୍ ହୋଇନାହିଁ । ଏପର୍ଯ୍ୟନ୍ତ ସୁଦ୍ଧା ଅନେକ ଆୱାର୍ଡ ନିଜ ନାଁରେ କରିସାରିଛି ଏହି ଚଳଚ୍ଚିତ୍ର । ଏଥିସହିତ ଆଉ ଏକ ଉପଲବ୍ଧି ଏହି ଚଳଚ୍ଚିତ୍ର ସହିତ ଯୋଡ଼ି ହୋଇଯାଇଛି । ସୂଚନାଯୋଗ୍ୟ, ଏହି ଫିଲ୍ମକୁ ପ୍ରତିଷ୍ଠିତ ଗୋଲ୍ଡେନ ଗ୍ଲୋବ ଆୱାର୍ଡର ଦୁଇଟି ବର୍ଗରେ ମନୋନୀତ କରାଯାଇଛି । ଜୁନିଅର ଏନଟିଆର୍ ଏବଂ ରାମ ଚରଣ ଅଭିନୀତ ଏହି ଫିଲ୍ମକୁ ବେଷ୍ଟ ନନ ଇଙ୍ଗଲିସ୍ ଲାଙ୍ଗୁଏଜ ଫିଲ୍ମ ଏବଂ ନାଟୁ-ନାଟୁ ପାଇଁ ବେଷ୍ଟ ଓରିଜିନାଲ ଗୀତ ପାଇଁ ମନୋନୀତ କରାଯାଇଛି ।

ଏହି ସିନେମା ବାସ୍ତବିକ ଜୀବନର ଦୁଇ କ୍ରାନ୍ତିକାରୀ କୋମାରାମ ଭିମ ଏବଂ ଅଲ୍ଲୁରୀ ସୀତାରାମ ରାଜୁଙ୍କ ଉପରେ ଆଧାରିତ । ସାରା ବିଶ୍ୱରେ ଏହି ଫିଲ୍ମ ଜଲୱା ଦେଖାଇଛି । ଅନ୍ତର୍ଜାତୀୟ ଦର୍ଶକ ଏହି ସିନେମାକୁ ଖୁବ୍ ପ୍ରଶଂସା କରୁଛନ୍ତି । ସିନେମାରେ ରାମଚରଣ ଏବଂ ଜୁନିୟର ଏନଟିଆର ରାଜୁ ଓ ଭିମ ଚରିତ୍ରରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ଆଲିୟା ଭଟ୍ଟ, ଅଜୟ ଦେବଗନ ଏବଂ ଶ୍ରିୟା ସରନ ମଧ୍ୟ କାମ କରିଛନ୍ତି । ଆରଆରଆର ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଅଟେ ଯିଏକି ଶେଷ ପାଞ୍ଚଟିରେ ସ୍ଥାନ ବନାଇଛି ।

ଆରଆରଆର ବ୍ୟତୀତ ନନ ଇଂଲିସ ଲାଙ୍ଗୁଏଜ ଫିଲ୍ମ ଶ୍ରେଣୀରେ ଅଲ କ୍ୱାଇଟ୍ ଅନ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟ (ଜର୍ମାନୀ, ଆର୍ଜେଣ୍ଟିନା ୧୯୮୫ (ଆର୍ଜେଣ୍ଟିନା), କ୍ଲୋଜ (ବେଲଜିୟମ) ଏବଂ ଡିସିସନ ଟୁ ଲିଭ୍ (ଦକ୍ଷିଣ କୋରିଆ) ଭଳି ଫିଲ୍ମ ମଧ୍ୟ ସ୍ଥାନ ବନାଇବାରେ ସଫଳତା ହାସଲ କରିଛନ୍ତି । ଏହି ପୁରସ୍କାର ସମାରୋହ ଲସ୍ ଆଞ୍ଜେଲ୍ସରେ ୧୦ ଜାନୁଆରୀ (ଭାରତରେ ଜାନୁଆରୀ ସକାଳ)ରେ ଆୟୋଜିତ କରାଯିବ । ସୂଚନାଥାଉକି ଆରଆରଆର୍ ଫିଲ୍ମ ବିଶ୍ୱରେ ୧୧ଶହ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଥିଲା ।

ବଲାଙ୍ଗୀର: ଭୁଶୁଡ଼ିଲା ହସ୍ପିଟାଲର ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ ହସ୍ପିଟାଲରେ ଅଘଟଣ । ମହିଳା ସର୍ଜରୀ ଓ୍ବାର୍ଡରେ ଭୁଶୁଡିଗଲା ସିଲିଂ । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ । କିଛିଦିନ ହେଲା ମେଡିକାଲରେ ମରାମତି କାମ ଚାଲିଥିଲା । ତେବେ ନିମ୍ନମାନର କାମ ଯୋଗୁ ସିଲିଂ ଖସିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ PWD ଏସଡିଓ ବିଜନ ଜେନା ଯାଇ ଘଟଣା ଅନୁଧ୍ୟାନ କରିଛନ୍ତି ।

ରାଜସ୍ଥାନ କୋଟାରେ ତିନି ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

ଜୟପୁର: ରାଜସ୍ଥାନ କୋଟାରେ ତିନି ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଛାତ୍ରଙ୍କ ମଧ୍ୟରେ ଦୁଇଜଣ ବିହାର ଏବଂ ଜଣେ ମଧ୍ୟ ପ୍ରଦେଶର ହୋଇଥିବା ସୂଚନା ରହିଛି । ତିନି ମୃତ ଛାତ୍ରଙ୍କ ବୟସ ୧୬, ୧୭ ଓ ୧୮ ବୟସ ବୋଲି ଜଣା ପଡିଛି । ବିହାର ଦୁଇ ମୃତକ ଛାତ୍ର ଅଙ୍କୁସ ଏବଂ ଉଜ୍ବଳ ଗୋଟିଏ ହଷ୍ଟେଲରେ ରହୁଥିଲେ । ଜଣେ ମେଡିକାଲ ଶିକ୍ଷା ପାଇଁ କୋଚିଂ ନେଉଥିବା ବେଳେ ଆଉ ଜଣେ ଇଂଜିନିୟରିଂ ପାଇଁ ପ୍ରସ୍ତୁତ ହେଉଥିଲେ ।

ସେହିଭଳି ମଧ୍ୟ ପ୍ରଦେଶର ଛାତ୍ର ପ୍ରଣବ ଏନଇଇଟି ପାଇଁ ପ୍ରସ୍ତୁତି କରୁଥିଲେ । କୋଚିଂ ସେଣ୍ଟର ପକ୍ଷରୁ ଅଧିକ ପାଠ ଚାପ ଯୋଗୁ ତିନି ଛାତ୍ର ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି । ଏନେଇ ମୃତଦେହ ଜବତ କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ପୂର୍ବରୁ ମଧ୍ୟ କୋଟାରେ ଛାତ ଆତ୍ମହତ୍ୟା ମାମଲା ଅଧିକ ରହିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦୁପତ୍ର କର୍ମଚାରୀ ସଂଘ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ସହିତ ମୁଁ ସବୁବେଳେ ଅଛି । ତୋଳାଳି ଓ କର୍ମଚାରୀଙ୍କ ସାଥିରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ହିତ ପାଇଁ ରାଜ୍ୟସରକାରଙ୍କ ଐତିହାସିକ ଘୋଷଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛି କର୍ମଚାରୀ ସଂଘ । ବିଭିନ୍ନ ଦାବି ନେଇ କେନ୍ଦୁପତ୍ର ତୋଳାଳି ସଂଘ ସହ ମୁଖ୍ୟମନ୍ତ୍ରୀ ଗତ ନଭେମ୍ବର ୧୬ ତାରିଖରେ ଆଲୋଚନା କରିଥିଲେ ।

ହେଲେ ଆଲୋଚନାର ସପ୍ତାହେ ମଧ୍ୟରେ ସମସ୍ତ ଦାବି ପୂରଣ ହେବ ବୋଲି ବିଶ୍ବାସ କରିନଥିଲେ ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କୁ ୧୦୦୦ ଏବଂ ବନ୍ଧାଳି ଓ ଅନ୍ୟ କର୍ମଚାରୀଙ୍କ ପାଇଁ ୧୫ଶହ ଟଙ୍କା ବୋନସ ପ୍ରଦାନ କରିଛନ୍ତି । ସେହିଭଳି ତୋଳାଳି ଓ ବନ୍ଧାଳି ଏବଂ ଅସ୍ଥାୟୀ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛି ସଂଘ । ସେହିଭଳି ପଦପୁରରେ ବିଜେଡିର ବିଜୟକୁ ନେଇ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଭିନ୍ନ ରାଜ୍ୟର ମିଶନ ଶକ୍ତି ସଦସ୍ୟା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟର ବିଭିନ୍ନ ଜିଲ୍ଲାର ମିଶନ ଶକ୍ତି ସଦସ୍ୟା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମିଶନ ଶକ୍ତି ମାଆ । ମହିଳାଙ୍କୁ ସଶକ୍ତ କରିବାକୁ ନବୀନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ସ୍ବାବଲମ୍ବୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମାଆମାନେ କୃତଜ୍ଞତା ଜଣାଇଛନ୍ତି । ହୁଳହୁଳି ପକାଇ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ମହିଳା । ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ ନବୀନ । ସମସ୍ତଙ୍କ ସହିତ ଫଟୋ ଉଠାଇବା ସହିତ ଆଗାମୀ ଦିନରେ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।