ବିଧାନସଭା ଅଧିବେଶନର ଚତୁର୍ଥ ଦିନ, ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ପ୍ରଥମ ପର୍ଯ୍ୟାୟରେ ଗୃହକାର୍ଯ୍ୟ ଚଳାଇ ଦେଲେନି ବିରୋଧୀ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି କରିଥିଲେ ହୋହଲ୍ଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେମାନେ ଗୃହକାର୍ଯ୍ୟ କରାଇ ଦେଇନଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ । ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା ।

ସେପଟେ ଗୃହରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ । ଆଜି ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ଖବର ନେଇ ଆପତ୍ତି ଉଠାଇଥିଲେ ବିଧାୟକ । ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା କେମିତି ପ୍ରକାଶ ପାଇଲା? ସେହିପରି ‘ଓଟିଭି’ ବି କିପରି ଖବର ପ୍ରସାରଣ କଲା ବୋଲି ସେ ପ୍ରଶ୍ନ କରିଥିଲେ । ଏନେଇ ଖବରର ପୃଷ୍ଠା ଓ ଓଟିଭି କ୍ଲିପଙ୍ଗ ବିଧାନସଭା ସଚିବଙ୍କ ପାଖରେ ଦାଖଲ କରିଛନ୍ତି ଅମର । ଗୃହର ମର୍ଯ୍ୟାଦା ପାଇଁ ଏହା ଉପରେ ଆଲୋଚନା କରି ଅନ୍ୟ ପ୍ରସଙ୍ଗ ବନ୍ଦ କରିବାକୁ ସେ ଦାବି କରିବା ପରେ ତାଙ୍କୁ ସମସ୍ତ ବିଜେଡି ସଦସ୍ୟ ସମର୍ଥନ କରିଥିଲେ ।