spot_img
Home Blog Page 3640

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ, ଅନେକ ସୈନିକ ଆହତ

ଇଟାନଗର: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପୁଣି ଗୋଟେଥର ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷର ଖବର ସାମ୍ନାକୁ ଆସିଛି । ତୱାଙ୍ଗ ସେକ୍ଟରର ଏଲଏସିରେ ଏହି ସଂଘର୍ଷ ହୋଇଛି । ତେବେ ଦୁଇ ଦେଶର ସେନା ମଧ୍ୟରେ ଏହି ସଂଘର୍ଷ ଗତ ୯ ଡିସେମ୍ବର ରାତିରେ ହୋଇଥିବା ସୂଚନା ।  ତେବେ କୌଣସି ସୈନ୍ୟକିଙ୍କ ମୃତ୍ୟୁ ହୋଇ ନଥିବା ଜଣାଯାଇଛି । ପ୍ରାୟ ୩୦ ସୈନିକ ଆହତ ହୋଇଥିବା ସୂଚନା । ଭାରତ-ଚୀନ ସୀମାନ୍ତର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦୁଇ ପକ୍ଷର ସୈନ୍ୟ ପହରା ଦେଉଥିବାବେଳେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।

ସେଠାରେ ନିୟୋଜିତ ଭାରତୀୟ ଯବାନ ଦୃଢ଼ତାର ସହ ସେମାନଙ୍କୁ ଜବାବ ଦେଇ ବିତାଡ଼ିତ କରିଥିଲେ । ସଂଘର୍ଷ ସମୟରେ ଉଭୟ ପକ୍ଷର କିଛି  ଯବାନ ଆହତ ମଧ୍ୟ ହୋଇଛନ୍ତି । ଘଟଣା ପରେ ଉଭୟ ପକ୍ଷ ସେଠାରୁ ପଛକୁ ହଟିଛନ୍ତି । ଗତବର୍ଷ ଅକ୍ଟୋବରରେ ତାଓ୍ବାଙ୍ଗର ୟାଙ୍ଗସରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା । ତାଓ୍ବଙ୍ଗର ୧୭ ହଜାର ଫୁଟ ଉଚ୍ଚରେ ଚୀନ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତୀୟ ସୈନ୍ୟ ପ୍ରତିରୋଧ କରିବାରୁ ସଂଘର୍ଷ ଉପୁଜିଥିଲା । ଗତ ୨୦୨୦ରେ ମଧ୍ୟ ଲଦାଖର ରିଞ୍ଚେନ ଲା’ରେ ବି ସଂଘର୍ଷ ଘଟିଥିଲା ।

ସୂତ୍ର ମୁତାବିକ, ତୱାଙ୍କ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମୁହାଁମୁହିଁ ହେବା ପରେ ଭାରତର ଏରିଆ କମାଣ୍ଡର ନିଜ ସମକକ୍ଷ ଚୀନ ଅଧିକାରୀଙ୍କ ସହ ଫ୍ଲାଗ ମିଟିଙ୍ଗ କରିଛନ୍ତି । ଏହି ଅବସରରେ ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଉଭୟ ପକ୍ଷ ମିଳି ମିଶି ଏହି ମାମଲାର ସମାଧାନ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଏଥିସହିତ ଉଭୟ ପକ୍ଷରୁ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ବଳବତ୍ତର ରଖିବା କଥା କୁହାଯାଇଛି ।

ଅଚାନକ କଳାପାଣି ମାର୍କେଟ ୟାର୍ଡ ପରିଦର୍ଶନ କଲେ ବରଗଡ଼ ଜିଲ୍ଲାପାଳ

ବରଗଡ଼: ବିଗତ ଦୁଇ ଦିନ ହେବ ବରଗଡ଼ ଜିଲ୍ଲାରେ ମେଘୁଆ ପାଗ କରିବା ସହ ବିଭିନ୍ନ ଜାଗାରେ ଅଳ୍ପ ବର୍ଷା ହୋଇଥିଲା । ଏବେ ଜିଲ୍ଲାର ସବୁ ମାର୍କେଟ ୟାର୍ଡରେ ଧାନ ସଂଗ୍ରହ ଚାଲିଛି, ଆଜି ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ କଳାପାଣି ମାର୍କେଟ ୟାର୍ଡକୁ ଅଚାନକ ପରିଦର୍ଶନ କରିଥିଲେ । ବର୍ଷାରୁ ରକ୍ଷା କରିବା ପାଇଁ ତାର୍ପୋଲିନ ରଖାଯାଇଥିଲା । ଚାରିଟା କଭର ସେଡ, ସହ ତିନୋଟି ଗୋଦାମ ଘରରେ ଧାନ ରଖିବା ବ୍ୟବସ୍ଥା, ଚାରୋଟି ପିଣ୍ଡିର ବ୍ୟବସ୍ଥା ଥିବାର ଦେଖି ସନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲାପାଳ ।

ଚାଷୀ ଭାଇ ମାନଙ୍କ ପାଇଁ ପାଇବା ପାଣି ସହ ଅନ୍ୟାନ୍ୟ ସୁବିଧା କରାଯାଇଛି, ଚାରିଆଡ଼େ ଆଲୋକର ବ୍ୟବସ୍ଥା, ରାତିରେ ଚାରିଜଣ ରାତ୍ରୀ ଜଗୁଆଳି ଧାନ ସବୁ ଜଗି ରହୁଛନ୍ତି । ଚାରିଟା ସିସି କେମେରା ଲାଗିଛି । ଧାନ ସଂଗ୍ରହରେ କୌଣସି ପ୍ରକାର ଅସୁବିଧା ହେବନି  କି ଚାଷୀ ଭାଇଙ୍କ ଧାନ ଯେମିତି ନଷ୍ଟ ନ ହେବ ସେଥିପ୍ରତି ସବୁ କ୍ଷେତ୍ରରେ  ଦୃଷ୍ଟି ଦିଆଯାଉଛି ବୋଲି ଜିଲ୍ଲାପାଳ ମନିଷା ବାନାର୍ଜୀ କହିଛନ୍ତି । କିଛି ଚାଷୀ ଭାଇଙ୍କ ଟୋକନ ଆସି ନ ଥିବାରୁ ବିଳମ୍ବ ହୋଉଛି ବୋଲି ଅଭିଯୋଗ କରିଥିଲେ ।

ସେମାନଙ୍କ ଅଲଗା ଲିଷ୍ଟ କରି ଧାନ ସଂଗ୍ରହ କରିବାକୁ କଳାପାଣି ମାର୍କେଟ ୟାର୍ଡ ଅଧିକାରୀ ଭାଗରଥି ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚାରିଆଡ଼େ ମେଘ ଢାଙ୍କି ଥିବାରୁ ବର୍ଷା ହେଲେ ଧାନ ସବୁ ଭିଜି ଯିବ ବୋଲି କିଛି ଚାଷୀ ଅଭିଯୋଗ କରିଥିଲେ । ଚାଷୀ ଭାଇ ମାନଙ୍କ କୌଣସି ପ୍ରକାର କ୍ଷତି ହେବାକୁ ଦିଆ ଯିବନି ସେଥି ପାଇ ଜିଲ୍ଲା ପ୍ରଶାସନ ସବୁ ମାର୍କେଟ ୟାର୍ଡରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ କହିଥିଲେ । ଆଜି ଏହି ପରିଦର୍ଶନରେ ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ୟୋସ୍ନା ରାଣୀ କର୍ଣ୍ଣଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଅଭିନେତ୍ରୀ ନୋରା ଫତେହି

ନୂଆଦିଲ୍ଲୀ: ପୁଣି ବଢିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ଜ୍ୟାକଲିନ ଓ ୧୫ଟି ମଡିଆ ହାଉସ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି ଅଭିନେତ୍ରୀ ନୋରା ଫତେହି । ନୋରାଙ୍କ ସମ୍ପର୍କରେ ଜ୍ୟାକଲିନ ଦେଇଥିବା ମନ୍ତବ୍ୟକୁ ଏହି ଗଣମାଧ୍ୟମଗୁଡିକ ନାନା ଭାବେ ଚିତ୍ରଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନୋରା । ପରସ୍ପର ସହ ସଲାସୁତୁରା କରି ଜ୍ୟାକଲିନ ଓ ୧୫ଟି ମିଡିଆ ହାଉସ ଏହି ଚକ୍ରାନ୍ତ ଚଳାଇଛନ୍ତି ବୋଲି ନୋରା ଅଭିଯୋଗ କରିଛନ୍ତି । ନୋରାଙ୍କ ଆର୍ଥିକ, ସାମାଜିକ ଓ ବ୍ୟକ୍ତିଗତ କ୍ଷତି କରିବା ଲାଗି ଜ୍ୟାକଲିନ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ନିଜ ପିଟିସନରେ ଦାୟର କରିଛନ୍ତି ନୋରା ।

ନୋରାଙ୍କ ସହ ପ୍ରତିଯୋଗିତା କରିବାରେ ଅକ୍ଷମ ଜ୍ୟାକଲିନ ଏହି ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ଠକ ସୁକେଶ ଚନ୍ଦ୍ରଶେଖରଠାରୁ ଜ୍ୟାକଲିନ ଦାମୀ ଗିଫ୍ଟ ପାଇଥିବାବେଳେ ନୋରା ଫତେହି ମଧ୍ୟ ଅନେକ ଉପହାର ପାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ କ୍ରମେ ଦୁଇ ଅଭିନେତ୍ରୀ ବର୍ତ୍ତମାନ ଜେରାର ସମ୍ମୁଖୀନ ହୋଇଛନ୍ତି । ଗତ ଡିସେମ୍ବର ୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାବେଳେ ସେ ସୁକେଶଠାରୁ କୌଣସି ଗିଫ୍ଟ ପାଇନାହାନ୍ତି ବୋଲି କହିଥିଲେ ନୋରା ।

ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ଭୁବନେଶ୍ୱର: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଆନ୍ଦୋଳନରତ ଓକିଲଙ୍କ ସହ ଭଦ୍ରୋଚିତ କଥାବାର୍ତ୍ତା କରିବାର ଆବଶ୍ୟକ ନାହିଁ । ସେମାନଙ୍କୁ ହାଜତରେ ପୂରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ପରିସର ମଧ୍ୟରେ ଭଙ୍ଗାରୁଜା କରିଥିବା ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶା ସରକାର ଓ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୧୪ ତାରିଖରେ ଡିଜି ଓ ଏସପିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ ମାସ ଧରି ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଏହି ଚରମବାଣୀ ଶୁଣାଇଛନ୍ତି ।

ଓକିଲଙ୍କ ଆନ୍ଦୋଳନ ବନ୍ଦ କରିବା ପାଇଁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି । ଓକିଲଙ୍କ ଆନ୍ଦୋଳନ ଯୋଗୁ ସମ୍ବଲପୁରରେ କୋର୍ଟରେ ହୋଇଥିବା ଭଙ୍ଗାରୁଜା ଘଟଣାର ହିଂସାତ୍ମକ ଭିଡିଓ କ୍ଲିପ ଦେଖିବା ପରେ ସୁପ୍ରିମକୋର୍ଟ ଖୁବ୍ ବର୍ଷିଛନ୍ତି । ଆସନ୍ତା ବୁଧବାର ଦିନ ସୁପ୍ରିମକୋର୍ଟରେ ହାଜର ହୋଇ ତଥ୍ୟ ଦେବାକୁ ରାଜ୍ୟ ପୋଲିସ୍ ଡିଜି ଓ ସମ୍ବଲପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଏ.କେ. କୌଲ ଓ ଜଷ୍ଟିସ ଏ.ଏସ. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ।

କେବଳ ସେତିକି ନୁହେଁ କୋର୍ଟ ସଫା ସଫା କହିଛନ୍ତି ଓକିଲଙ୍କ ସହ ଭଦ୍ର ଆଚରଣ କରିବାର ଆବଶ୍ୟକତା ନାହିଁ । ବାର୍ କାଉନସିଲ ଅଫ୍ ଇଣ୍ଡିଆକୁ ମଧ୍ୟ ସୁପ୍ରିମକୋର୍ଟ ତଥ୍ୟ ତଲବ କରିଛନ୍ତି । କେତେ ଓକିଲଙ୍କ ଲାଇସେନ୍ସ ବର୍ତ୍ତମାନ ସୁଦ୍ଧା ରଦ୍ଦ କରିଛ ? ୧୪ ତାରିଖରେ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଓକିଲଙ୍କ ଆନ୍ଦୋଳନକୁ ଦମନ କରିବା ଲାଗି ଯଦି ରାଜ୍ୟ ପୋଲିସ୍ ଅସମର୍ଥ ହେଉଛି ତା ହେଲେ ଅର୍ଦ୍ଧ ସାମରିକ ବାହିନୀ ନିୟୋଜନ କରିବା ଲାଗି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ।

ଏହାସହ ଆବଶ୍ୟକ ପଡିଲେ ହଜାର ହଜାର ଓକିଲଙ୍କୁ ହେପାଜତକୁ ନିଆଯାଇ ପାରିବ ବୋଲି କୋର୍ଟ ରୋକଠୋକ କହିଛନ୍ତି। ଆଜି ଓକିଲଙ୍କ ଆନ୍ଦୋଳନ ସଂପର୍କରେ ବିଚାର କରି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁ ଓକିଲମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ସୁପ୍ରମକୋର୍ଟ ପୂର୍ବରୁ ଦେଇଛନ୍ତି ନିର୍ଦ୍ଦେଶ । ତାକୁ ମାନିବା ବଦଳରେ ଓକିଲମାନେ ଯେଉଁଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି ତାକୁ ନେଇ ସୁପ୍ରିମୋକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।

ଆନ୍ଦୋଳନ ବନ୍ଦ ନହେବା ଯାଏ କୌଣସି ସମାଧାନ ହୋଇ ପାରିବ ନାହିଁ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି । ସେହିଭଳି ଓକିଲଙ୍କ ଆଚଣରେ କ୍ଷୁବ୍ଧ ଜଷ୍ଟିସ୍ କୌଲ୍ କହିଛନ୍ତି ଏଭଳି ବିଶୃଙ୍ଖଳା ସୃଷ୍ଟି ହେଉଥିବା ସ୍ଥାନରେ ହାଇକୋର୍ଟର ବେଞ୍ଚ ସ୍ଥାପନ ହେବାକୁ ଦିଆଯିବ ନାହିଁ । ଓକିଲମାନେ ଯଦି ଅଧିକ ବିଶୃଙ୍ଖଳିତ ହେବେ ତାହେଲେ ସେମାନଙ୍କୁ ହାଜତରେ ଭର୍ତ୍ତି କରାଯିବ ଓ ଯେପରି ଜାମିନ୍ ପାଇବେ ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

କାବୁଲର ଚାଇନିଜ୍ ହୋଟେଲରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ, ୩ ମୃତ

କାବୁଲ: ଆଫଗାନିସ୍ତାନ କାବୁଲର ଏକ ହୋଟେଲରେ ଆତଙ୍କୀ ଆକ୍ରମଣ । ଚୀନ୍ ବ୍ୟବସାୟୀ ଅଧିକ ଆତଯାତ କରୁଥିବା ଗେଷ୍ଟ ହାଉସ୍ ଭିତରୁ ବିସ୍ଫୋରଣ ଓ ଗୁଳିମାଡ଼ ହେଉଥିବା ଶୁଣିବାକୁ ମିଳୁଛି । ଗୁଳିମାଡ଼ କରି ଗେଷ୍ଟହାଉସ୍ ଭିତରକୁ ପଶିଥିଲେ ଆକ୍ରମଣକାରୀ । କାବୁଲର ପ୍ରମୁଖ ବ୍ୟବସାୟିକ ଅଞ୍ଚଳରେ ଥିବା ଗେଷ୍ଟ ହାଉସ୍ ସହର-ଏ-ନାଓରେ ଆକ୍ରମଣ ହୋଇଥିବା ଜଣାପଡିଛି। ହୋଟେଲ୍ ଭିତରେ ଲୋକଙ୍କୁ ପଣବନ୍ଦୀ କରିବାକୁ ଯୋଜନା ଥିବା ସନ୍ଦେହ କରାଯାଉଛି । ବିଲଡିଂ ବାହାରକୁ ନିଆଁ ଧାସ ବାହାରୁଥିବା ଦେଖିବାକୁ ମିଳୁଛି ।

ତାଲିବାନ୍ କ୍ଷମତାକୁ ଫେରିବାର ପରଠାରୁ ଚୀନ୍ ବ୍ୟବସାୟୀ ଅଧିକ ସଂଖ୍ୟାରେ ଆଫଗାନିସ୍ତାନ ଆସୁଛନ୍ତି । ଏହି ପାଞ୍ଚ ତାରକା ଗେଷ୍ଟହାଉସ୍ ବା ହୋଟେଲକୁ ଚାଇନିଜ୍ ହୋଟେଲ ନାଁରେ ମଧ୍ୟ ଜଣାଯାଇଥାଏ । କେତେ ସଂଖ୍ୟାରେ ଆକ୍ରମଣକାରୀ ଗେଷ୍ଟ ହାଉସ୍ ଭିତରକୁ ଯାଇଛନ୍ତି ସେନେଇ ଜଣାପଡିନି । ତେବେ ଘଟଣାସ୍ଥଳରେ ତାଲିବାନ୍ ସ୍ପେଶାଲ୍ ଫୋର୍ସ ପହଞ୍ଚିଛନ୍ତି । ଗେଷ୍ଟ ହାଉସ୍କୁ ଆସୁଥିବା ସମସ୍ତ ରାସ୍ତା ବ୍ଲକ କରାଯାଇଛି । କିଛି ଲୋକ ବିଲ୍ଡିଂର ଝରକା ଦେଇ ବାହାରକୁ ଆସିବା ପାଇଁ ଉଦ୍ୟମ କରୁଥିବା ଭିଡିଓରେ ଦେଖାଯାଇଛି ।

୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣ ଭଳି ଏହି ଆକ୍ରମଣ ହୋଇଛି । କାବୁଲର ଏହି ପାଞ୍ଚ ତାରକା ହୋଟେଲର ଝରକାରୁ ଧୂଆଁ ଏବଂ ନିଆଁ ଧାସ ବାହାରୁଛି । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ପ୍ରାୟ ୧୮ ଜଣ ଆହତ ହୋଇଥିବା ସୂଚନା । ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିିଛି । କୁହାଯାଉଛି ଯେ ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ସାମିଲ ଅଛନ୍ତି । ଏବେ ବି କିଛି ଲୋକ ଫସିରହିଥିବାର ସୂଚନା ।

ଆଫଗାନିସ୍ତାନ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଯାଇଛି ଏବଂ ହୋଟେଲକୁ ଚାରିପଟୁ ଘେରି ନେଇଛି । କିଛି ସମୟର ଅନ୍ତରାଳରେ ଏଠାରେ ଫାଇରିଂର ଶବ୍ଦ ଶୁଣାଯାଇଛି । ସୂଚନା ମୁତାବିକ, ଆକ୍ରମଣକାରୀ ଗୁଳି ଚଳାଇ ହୋଟେଲ ବିତରକୁ ପସିଥିଲେ । ଏହାପରେ ସେମାନେ ବିସ୍ଫୋରଣ କରିଥିଲେ । କୁହାଯାଉଛି ଯେ, ଏହି ଆକ୍ରମଣ ପଛରେ ଆଇଏସକେପି (ଇସଲାମିକ ଷ୍ଟେଟ ଖୋରାସନ ପ୍ରଭିନ୍ସ)ର ହାତ ରହିଛି, ଅବଶ୍ୟ ଏହାର ଔପଚାରିକ ପୃଷ୍ଟି ହୋଇନାହିଁ ।

ପୂର୍ବତନ ସାଂସଦ ମୋହନ ଜେନାଙ୍କ ୬୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ପୂର୍ବତନ ସାଂସଦ ମୋହନ ଜେନାଙ୍କ ନିଧନ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୋହନଙ୍କ ଦେହାନ୍ତ ଘଟିଛି । ୬୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ହେବ କିଡନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ସେ ୨ଥର ଯାଜପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୪ତମ ଓ ୧୫ତମ ଲୋକସଭାର ସେ ସଦସ୍ୟ ରହିଥିଲେ ।

ତାଙ୍କର ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଯାଜପୁରରୁ ବିଜେଡି ଟିକେଟରେ ସେ ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ଲଗାତାର ଦୁଇଥର ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ।

 

ଛାତ୍ରୀ ହୋଇ ୨ମାସ ମେଡିକାଲ କଲେଜରେ ରହିଲେ..ରାଗିଂ ଗ୍ୟାଙ୍ଗର ପର୍ଦ୍ଦାଫାସ କଲେ…ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା

ଇନ୍ଦୋର; ଜଣେ ମହିଳା ପୋଲିସ କର୍ମଚାରୀ ଛାତ୍ରୀ ହୋଇ ପହଞ୍ଚିଥିଲେ ମେଡିକାଲ କଲେଜ । ଏଠାରେ ସେ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଏମିତି ମିଶିଯାଇଥିଲେ ଯେ କାହାକୁ ସନ୍ଦେହ ହୋଇନଥିଲା ଯେ ସେ ଜଣେ ପୋଲିସ କର୍ମୀ ବୋଲି । ଛାତ୍ରୀ ହୋଇ ରହୁଥିବା ଏହି ମହିଳା ପୋଲିସ ଜଣଙ୍କ ଅଣ୍ଡରକଭର ଏଜେଣ୍ଟ ଭଳି କାମ କରିଥିଲେ ଏବଂ ପୁଣି ମଧ୍ୟପ୍ରଦେଶର ଏକ ଚର୍ଚ୍ଚିତ କଲେଜରେ ରାଗିଂ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛନ୍ତି । ମାମଲାଟି ଇନ୍ଦୋରର ଚର୍ଚ୍ଚିତ ମହାତ୍ମା ଗାନ୍ଧି ମେମୋରିଆଲ ମେଡିକାଲ କଲେଜର ଅଟେ ।

ସଂଯୋଗିତାଗଞ୍ଜ ପୋଲିସ ଥାନାର ଇନଚାର୍ଜ ତହଜିବ କାଜି ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ଜଣେ ଛାତ୍ର ୟୁଜିସିକୁ ରାଗିଂର ଅଭିଯୋଗ କରିଥିଲେ । ଏହାପରେ କଲେଜ ପ୍ରଶାସନ ୨୪ ଜୁଲାଇରେ ଅଜ୍ଞାତ ଛାତ୍ରମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲା । ଛାତ୍ର ଜଣଙ୍କ ୟୁଜିସି ହେଲ୍ପଲାଇନରେ ରାଗିଂ ସହ ସମ୍ବନ୍ଧିତ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । କିନ୍ତୁ ଅଭିଯୋଗକାରୀ ନିଜ ନାଁ ଏବଂ ଅଭିଯୁକ୍ତ ଛାତ୍ରମାନଙ୍କ ନାଁ କହିନଥିଲେ । ଏହାପରେ ଥାନା ଅଧିକାରୀ ତହଜିବ କାଜି ମହିଳା କନେଷ୍ଟବଳ ଶାଲିନୀ ଚୌହ୍ୱାନଙ୍କୁ ନର୍ସିଂ କଲେଜର ପ୍ରଥମ ବର୍ଷ ଷ୍ଟୁଡେଣ୍ଟ ବନାଇ ମେଡିକାଲ କଲେଜ ପଠାଇଥିଲେ ।

ଅଣ୍ଡରକଭର କପ୍ ଶାଲିନୀ ଚୌହ୍ୱାନ ନିଖୁଣତାର ସହ ସମ୍ପୂର୍ଣ୍ଣ ଅପରେସନକୁ ରୂପ ଦେଇଥିଲେ । ଅନେକ ଥର କଲେଜର ଷ୍ଟୁଡେଣ୍ଟମାନେ ମହିଳା କନେଷ୍ଟବଳ ଶାଲିନୀ ଚୌହ୍ୱାନଙ୍କ ଉପରେ ସନ୍ଦେହ କରିଥିଲେ କିନ୍ତୁ କନେଷ୍ଟବଳ ଶାଲିନୀ ଚତୁରତାର ସହ ସେମାନଙ୍କ ଭରସା ଜିତିନେଇଥିଲେ ଏବଂ ସେମାନଙ୍କୁ ଏହି କଥା ଉପରେ ବିଶ୍ୱାସ କରିବା ଉପରେ ବାଧ୍ୟ କରିଦେଇଥିଲେ ଯେ ସେ ନର୍ସିଂ ମେଡିକାଲ ଛାତ୍ରୀ ଅଟନ୍ତି । ଏହାପରେ ଜୁନିୟର ଛାତ୍ରଛାତ୍ରୀମାନେ ତାଙ୍କ ଉପରେ ଭରସା କରିଥିଲେ ଏବଂ ଏହାପରେ ରାଗିଂରେ ସାମିଲ ସିନିୟର ଷ୍ଟୁଡେଣ୍ଟମାନଙ୍କ ନାଁ କହିଥିଲେ ଏବଂ ହ୍ୱାଟ୍ସଆପ୍ ଚାଟ୍ ମଧ୍ୟ ଦେଇଥିଲେ ।

ପ୍ରତ୍ୟେକ ଦିନ ଅଣ୍ଡରକଭର ଏଜେଣ୍ଟ, ଥାନା ଅଧିକାରୀ କାଜି ଏବଂ ପୋଲିସ କମିଶନର ହରିନାରାୟଣ ଚାରି ମିଶ୍ରଙ୍କ ବୈଠକ ହେଉଥିଲା । ବୈଠକରେ ଆଗାମୀ ଦିନର ରଣନୀତି ନିର୍ଦ୍ଧାରିତ ହେଉଥିଲା । ଶେଷରେ ୨ ମାସ ପରେ ପୋଲିସକୁ ବଡ଼ ସଫଳତା ମିଳିଥିଲା । ଶାଲିନୀ ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ତେବେ କନେଷ୍ଟବଳ ଶାଲିନୀଙ୍କ ବ୍ୟତୀତ ଆଉ କିଛି ପୋଲିସ କର୍ମଚାରୀ ମଧ୍ୟ କଲେଜରେ ଅଣ୍ଡରକଭର ଏଜେଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଶାଲିନୀ ରାଗିଂ ସହ ସମ୍ବନ୍ଧିତ ସୂଚନା ଏକତ୍ରିତ କରିବାରେ ଲାଗିଥିଲେ ।

ଶାଲିନୀ ଅନ୍ୟ ଛାତ୍ରୀମାନଙ୍କ ସହ ବହୁତ ଆରାମରେ ରହୁଥିଲେ । କେହି ବି ଜାଣିପାରିନଥିଲେ ଯେ ସେ ଜଣେ ପୋଲିସ କନେଷ୍ଟବଳ ବୋଲି । ଅଣ୍ଡରକଭର ରହି ଏହି ମହିଳା ପୋଲିସକର୍ମୀ ଏହି ମାମଲା ସହ ସମ୍ବନ୍ଧିତ ସମସ୍ତ ଘଟଣାର ସୂଚନା ଏକତ୍ରିତ କରିବାରେ ସଫଳ ହୋଇଥିଲେ । ଜଣେ ଅନ୍ୟ ମହିଳା ପୋଲିସ କର୍ମୀ ନର୍ସର ଭୂମିକା ନିର୍ବାହ କରିଥିବା ବେଳେ ମାମଲାର ସମାଧାନ ପାଇଁ ଅନ୍ୟ ଦୁଇ କନେଷ୍ଟବଳଙ୍କୁ କଲେଜର କ୍ୟାଣ୍ଟିନକୁ ପଠାଯାଇଥିଲା ।

ସମ୍ପୂର୍ଣ୍ଣ ଯାଞ୍ଚରେ ନା କେବଳ ଅପରାଧର ପର୍ଦ୍ଦାଫାସ କରାଯାଇଥିଲା ବରଂ ଯାଞ୍ଚ ପରେ ପୋଲିସ ସେହି ୧୧ ଛାତ୍ରଙ୍କ ଚିହ୍ନଟ ମଧ୍ୟ କରିନେଇଛି ଯେଉଁମାନେ ଅପରାଧରେ ସାମିଲ ଥିଲେ । ଯାଞ୍ଚରେ ଜଣାଯାଇଛି ଯେ ଅଭିଯୁକ୍ତ ସିନିୟର ଷ୍ଟୁଡେଣ୍ଟମାନେ ଜୁନିୟର ଷ୍ଟୁଡେଣ୍ଟମାନଙ୍କୁ ରାଗିଂ କରିଛନ୍ତି । ଏହି ଛାତ୍ରୀମାନଙ୍କ ଦ୍ୱାରା ଅଶ୍ଲୀଳ କାର୍ଯ୍ୟ କରାଇଥିଲେ । ଏହି ମାମଲାରେ ଏବେ ସିଆରପିସିର ଧାରା ଆଧାରରେ ଛାତ୍ରମାନଙ୍କୁ ନୋଟିସ୍ ପଠାଇଯାଇଛି ଏବଂ କୁହାଯାଇଛି ଯେ ସେମାନେ ତଦନ୍ତରେ ସହଯୋଗ କରନ୍ତୁ ।

ଛାତ୍ରଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ଯେତବେଳେ କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ ତେବେ ସେମାନେ ଅଦାଲତରେ ହାଜର ରହିବେ । ୧୧ ଛାତ୍ରଙ୍କ ସୂଚୀ ମିଳିବା ପରେ କଲେଜ କର୍ତ୍ତୃପକ୍ଷ ଏମାନଙ୍କୁ ତିନି ମାସ ପାଇଁ କଲେଜରୁ ନିଲମ୍ବିତ କରିଦେଇଛି । କୁହାଯାଉଛି ଯେ, ଶାଲିନୀ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏମଜିଏସ କଲେଜରେ ରହିଥିଲେ । ଏହି ସମୟରେ ସେ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ, କ୍ୟାଣ୍ଟିନରେ ସମୟ ବିତାଇଥିଲେ ଏବଂ ସିନିୟର ଷ୍ଟୁଡେଣ୍ଟ ମାନଙ୍କ ଉପରେ ନଜର ରଖିଥିଲେ ।

କଲେଜରେ ସିନିୟର ଛାତ୍ରମାନଙ୍କ ବ୍ୟବହାର ବହୁତ ଆକ୍ରାମତ୍ମକ ଥିଲା । ନିଜେ ଶାଲିନୀ ସିନିୟରମାନଙ୍କ ଖରାପ ବ୍ୟବହାର ଦେଖିଥିବା କହିଥିଲେ । ସମସ୍ତ ପ୍ରକାରର ପ୍ରମାଣ ଯୋଗାଡ଼ କରିବା ପରେ ଏହି ମହିଳା ପୋଲିସକର୍ମଚାରୀ ଜଣଙ୍କ ରିପୋର୍ଟ ବରିଷ୍ଠ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ମେଡିକାଲ କଲେଜରେ ଚାଲିଥିବା ରାଗିଂ ଖେଳର ପର୍ଦ୍ଦାଫାସ ହୋଇପାରିଛି ।

ଦ୍ୱିତୀୟଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର

ଗାନ୍ଧିନଗର: ଗୁଜରାଟରେ ଭୂପେନ୍ଦ୍ର ପଟେଲଙ୍କ ଦ୍ବିତୀୟ ଇନିଂସ । ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର । ଭୂପେନ୍ଦ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ । ଭୂପେନ୍ଦ୍ରଙ୍କ ସମେତ ଶପଥ ନେଇଛନ୍ତି ୧୭ ଜଣ ମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ।

ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପ୍ରଫୁଲ୍ଲ ପାନସେରିଆ, ଭିଖୁସିନଂ ପରମାର, କୁନଓ୍ବାରଜି ହାଲପାଟି, ପୁରୁଷୋତ୍ତମ ସୋଲାଙ୍ଗି, ବାଚୁଭାଇ ଖାବଡ, ମୁକେଶ ପଟେଲ, ହର୍ଷ ସାଙ୍ଗଭି, ଜଗଦୀଶ ବିଶ୍ବକର୍ମା, କୁନଓ୍ବାରଜି ବାଭାଲିୟା, ମୋଲୁଭାଇ ବେରା, କୁବେର ଦିନ୍ଦର, ଭାନୁବେନ ବାବାରିଆ ପ୍ରମୁଖ । ଗତବର୍ଷ ସେପ୍ଟେମ୍ବରରେ ବିଜୟ ରୂପାଣୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ଭୂପେନ୍ଦ୍ର ।

ଉତ୍ସବରେ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ ଶପଥଗ୍ରହଣ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ସାଧୁସନ୍ଥ ଯୋଗଦେଇଥିଲେ । ଗତ ଶନିବାର ଭୂପେନ୍ଦ୍ର ବିଜେପି ବିଧାୟକ ଦଳ ନେତା ପଦରେ ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ । ଗତ ନିର୍ବାଚନରେ ଭୂପେନ୍ଦ୍ର ଘାତୋଲିଦିଆ ଆସନରୁ ସର୍ବାଧିକ ୧ ଲକ୍ଷ ୯୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।

ମୋ ବସ୍ ଯାତ୍ରୀଙ୍କଠାରୁ ୪୨ ହଜାର ଟଙ୍କା ଚୋରି !

ଭୁବନେଶ୍ୱର: ମୋ ବସ୍‌ରୁ ପୁଣି ଚୋରି । ଭୁବନେଶ୍ବରରେ ମୋ ବସ୍ ଯାତ୍ରୀଙ୍କଠାରୁ ୪୨ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ନୟାଗଡ଼ର ବିରଞ୍ଚି ସେଠୀ ଓ ତାଙ୍କ ପତ୍ନୀ ମୋ ବସ୍‌ରେ ବାଣୀବିହାରରୁ ଖଣ୍ଡଗିରି ଯିବା ବେଳେ ନୟାପଲ୍ଲୀଠାରେ ଚୋରି ହୋଇଛି । ବନ୍ଧକ ରଖିଥିବା ସୁନା ମୁକୁଳାଇବା ପାଇଁ ଟଙ୍କା ନେଇ ଯାଉଥିଲେ । ନୟାପଲ୍ଲୀଠାରେ ପକେଟରେ ଟଙ୍କା ନଥିବା ଜାଣିପାରିବା ପରେ ଦମ୍ପତି ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବିଭିନ୍ନ ମେଡିସିନ୍ ହୋଲସୋଲର ଉପରେ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ ମେଲିଛି ନକଲି ଔଷଧ ପସରା । ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଛି ଯୋଗାଣ । ଭୁବନେଶ୍ବର ଅଶୋକ ନଗରରେ ବିଭିନ୍ନ ମେଡ଼ିସିନ ହୋଲସେଲ ଦୋକାନରେ ଚଢ଼ାଉ । ରେଡ କରୁଛି ଡ୍ରଗ ସ୍କ୍ବାଡ୍ । ୫ଜଣିଆ ଟିମ୍ ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରୁଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ନକଲି ଔଷଧ କାରବାର । ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା 40ର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି ହୋଇଥିବା ଜଣାପଡିବା ପରେ ଦେଶବ୍ୟାପୀ ଖୋଳତାଡ଼ ଜାରି ରହିଛି ।

କେବଳ କଟକ, ଭୁବନେଶ୍ବର ନୁହେଁ ବରଗଡ଼ ଓ ଝାରସୁଗୁଡାରୁ ମଧ୍ୟ ବହୁ ପରିମାଣର ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧର ଚେର ହିମାଚଳପ୍ରଦେଶ ଓ ଉତ୍ତର ପ୍ରଦେଶକୁ ବ୍ୟାପିଥିବା ଜଣାପଡିଛି । ହିମାଚଳର ବାଦୀ ଓ ବାରଣାସୀରୁ ନକଲି ଔଷଧ ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ଓ ବରଗଡର ଅଶୋକ ମେଡିକାଲ ଏଜେନ୍ସିକୁ ଆସିଥିଲା ।

ବିଭିନ୍ନ ରାଜ୍ୟରୁ ଏକାଧିକ କମ୍ପାନୀର ବହୁ ଔଷଧର ନକଲି ଜବତ ପରେ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ କମ୍ପାନୀର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ରି-କଲ କରିବାକୁ ସବୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ରାଜ୍ୟର ସବୁ ଜିଲ୍ଲା ଔଷଧ ନିରୀକ୍ଷକଙ୍କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୂର୍ବରୁ ସମସ୍ତ ଡିଲର ଓ ରେଟେଲରଙ୍କୁ ସୂଚନା ଦିଆଯାଇଥିଲା । ଆଜି ଭୁବନେଶ୍ବରରେ ଏକାଧିକ ସ୍ଥାନରେ ଚଢ଼ାଉ ସହ ଯାଞ୍ଚ ଜାରି ରହିଛି।