spot_img
Home Blog Page 3638

ଦେଶର ଇଞ୍ଚେ ଜମି କେହି ବି ନେଇପାରିବେନି, ବିରୋଧୀଙ୍କୁ ଉତ୍ତର ଦେଲେ ଶାହା

0

ନୂଆଦିଲ୍ଲୀ: ଦେଶର ଇଞ୍ଚେ ଜମି ବି କେହି ନେଇ ପାରିବେନି। ଅରୁଣାଚଳ ପ୍ରଦେଶ ତାଓ୍ବାଙ୍ଗରେ ଭାରତ-ଚୀନ ସେନା ସଂଘର୍ଷ ପରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଡିସେମ୍ବର ୯ ତାରିଖରେ ଭାରତୀୟ ଯବାନଙ୍କ ବୀରତ୍ବକୁ ପ୍ରଶଂସା କରିଛନ୍ତି ଶାହା।

ଅନୁପ୍ରବେଶ କରିଥିବା ସମସ୍ତଙ୍କୁ ଅଳ୍ପ ସମୟ ମଧ୍ୟରେ ସେନା ତଡ଼ିବା ସହ ଦେଶର ସୁରକ୍ଷା କରିଥିଲା। ଘଟଣାକୁ ନେଇ ବିରୋଧୀ ସଂସଦରେ ପ୍ରଶ୍ନକାଳ ଚଳାଇ ଦେଇନଥିବାରୁ ଏହାକୁ ନିନ୍ଦା କରିଛନ୍ତି ଶାହା। ଡିସେମ୍ବର ୯ରେ ଚୀନ ସେନା ନିୟନ୍ତ୍ରଣ ରେଖା ପାର୍ କରି ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୈନ୍ୟ ଏହାର ପ୍ରତିରୋଧ କରିଥିଲେ ।

ପ୍ରାୟ ୩ଶହ ଚୀନ ସୈନ୍ୟ ହାତରେ କଣ୍ଟା ଲଗାଯାଇଥିବା ବାଡି ଧରି ଭାରତ ସୀମାକୁ ପ୍ରବେଶ କରୁଥିବା ବେଳେ ଭାରତୀୟ ସୈନ୍ୟ ଏହାର ଦୃଢ଼ ଜବାବ ଦେଇଥିଲେ । ଧସ୍ତାଧସ୍ତି ସମୟରେ ଚୀନ ସେନା ପକ୍ଷରୁ ପଥର ମାଡ ମଧ୍ୟ କରାଯାଇଥିଲା । ଏଥିରେ ଭାରତର ୬ ସୈନ୍ୟ ଆହତ ହୋଇଥିବା ବେଳେ ଚୀନର ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ଅନୁପ୍ରବେଶ ପାଇଁ ଚୀନ ପ୍ରାୟ ୧୫ ଦିନ ପୂର୍ବରୁ ଚକ୍ରାନ୍ତ କରିଥିବା ଜଣାପଡ଼ିଛି । ପୂର୍ବ ଯୋଜନା ମୁତାବକ ଚୀନ ସେନା ତାଓ୍ବଙ୍ଗର ୧୭ ହଜାର ଫୁଟ ଉଚ୍ଚରେ ପହଞ୍ଚିଥିବା ବେଳେ ଭାରତୀୟ ସେନା ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

ଚୀନ ପ୍ରତିପକ୍ଷଙ୍କ ସହ ଭାରତୀୟ ସେନା କମାଣ୍ଡରଙ୍କ ଫ୍ଲାଗ୍ ମିଟିଂ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତେବେ ଗତକାଲି ସୀମାରେ ସଂଘର୍ଷ ହୋଇଥିବା ଜଣାପଡ଼ିବା ପରେ ତାଓ୍ବାଙ୍ଗ ସେକ୍ଟରର ସାଟେଲାଇଟ ଇମେଜ ସାମ୍ନାକୁ ଆସିଛି । ସୀମା ପାର୍ଶ୍ବ ବିବାଦୀୟ ଅଞ୍ଚଳରେ ଚୀନ ଗାଁ ନିର୍ମାଣ କରିଥିବା ବେଳେ ସଡ଼କ ମଧ୍ୟ ନିର୍ମାଣ କରାଯାଇଥିବା ସାଟେଲାଇଟ ଇମେଜକୁ ଜଣାପଡ଼ିଛି ।

ବରଗଡ ଧନୁଯାତ୍ରାରେ ଶୁଭିବ ବଳରାମଙ୍କ ସ୍ବର, ଅଭିନୟ କରିବେ କିଷନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ କରିବେ କିଷନ ବିରତିଆ । ବଳରାମ ଭୂମିକା ପାଇଁ ପୂର୍ବରୁ ଚୟନ ହେଇଥିବା ଶ୍ରେୟାଂଶ ପୂଜାରୀଙ୍କ ଅକାଳ ବିୟୋଗ ପରେ ହୀରକ ଜୟନ୍ତୀ ପାଳନ କରୁଥିବା ବରଗଡ଼ ଧନୁଯାତ୍ରା କମିଟିକୁ ନୂଆ ବଳରାମ ମିଳିଯାଇଛନ୍ତି ।

ଧନୁଯାତ୍ରା ପୂର୍ବରୁ ବଳରାମ ଭୂମିକାରେ ଅଭିନୟ କରୁଥିବା କଳାକାର କଳାକାର ଶ୍ରେୟାଂଶ ପୂଜାରୀଙ୍କ ଅକାଳ ବିୟୋଗ ହୋଇଥିଲା । ଖେଳୁଥିବା ସମୟରେ ତଳେ ପଡ଼ିଯାଇଥିଲେ ଶ୍ରେୟାଂଶ  । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ । ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ଶ୍ରେୟାଂଶ । ୭୫ତମ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ସେ ଚୟନ ହୋଇଥିଲେ । ପ୍ରସିଦ୍ଧ ଧନୁଯାତ୍ରାକୁ  ୧୭ ଦିନ ବାକି ଥିବା ପୂର୍ବରୁ ଶ୍ରେୟାଂଶଙ୍କ ଅକାଳ ବିୟୋଗ ଖବର ବରଗଡ଼ ଓ ଅମ୍ବାପାଲିରେ ଶୋକର ଛାୟା ଖେଳିଯାଇଛି  ।

ନାବାଳିକାକୁ ଅସଦାଚରଣ କରି ହଟହଟା ଶିଶୁ ବିଭାଗ ଡାକ୍ତର, ଥାନାରେ ମାମଲା

ବାରିପଦା: ପିଆରଏମ୍ ମେଡିକାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣେ ନାବାଳିକାକୁ ଚିକିତ୍ସା ସମୟରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଆଦିବାସୀ ହଷ୍ଟେଲର ଜଣେ ନାବାଳିକା ଛାତ୍ରୀର ପେଟ ଯନ୍ତ୍ରଣା ହେବାରୁ କର୍ତୃପକ୍ଷ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ଡାକ୍ତର ସୌରଭ ଉପାଧ୍ୟାୟ ନାବାଳିକା ଛାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିବା ନେଇ ଛାତ୍ରୀ ଅଭିଯୋଗ କରିଥିଲେ ।

ଏହାକୁ ନେଇ ଛାତ୍ରୀଙ୍କ ପରିବାର ଲୋକ ଓ ହଷ୍ଟେଲ କର୍ତୃପକ୍ଷ ଡାକ୍ତରଙ୍କୁ ତାଙ୍କ ଚାମ୍ବରରେ ଅଟକ ରଖିବା ସହ ଉତେଜନା ପ୍ରକାଶ ପାଇଥିଲା। ଡାକ୍ତର ଜଣକ ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଉତେଜନା ପ୍ରକାଶ ପାଇବା ପରେ ଡାକ୍ତରଖାନାରେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା।

ଅନ୍ୟପଟେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ଏ ଘଟଣାକୁ ଖଣ୍ଡନ କରିଛନ୍ତି। ସେ ନାବାଳିକା ପ୍ରତି କୌଣସି ପ୍ରକାର ଅସଦାଚରଣ କରି ନାହାନ୍ତି। ବରଂ କେବଳ ଚିକିତ୍ସା ପାଇଁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିଲେ ବୋଲି କହିଛନ୍ତି। ବାରିପଦା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ସଂପୃକ୍ତ ଡାକ୍ତରଙ୍କୁ ଅଟକ ରଖିଛି।

କଲେଜ ସ୍ତରରେ ଷ୍ଟାର୍ଟଅପ ନୀତି ଆଣିବେ ରାଜ୍ୟ ସରକାର

ଭୁବନେଶ୍ବର: କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ ନୀତି । ଯୁକ୍ତ ତିନି ଓ ପିଜିରେ ଷ୍ଟାର୍ଟଅପ ନୀତି ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ବୈଠକ ବସିଥିଲା ।

ବୈଠକରେ ଷ୍ଟାର୍ଟଅପ ଓଡ଼ିଶାର ଅଧ୍ୟକ୍ଷ ଓଁକାର ରାୟ, ବିଦେଶୀ କମ୍ପାନୀ ଫ୍ରଷ୍ଟ ଆଣ୍ଡ ସଲିଭେନ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆମର ସେଣ୍ଟର ଅଫ ଏକ୍ସେଲେନ୍ସ ବିଶ୍ୱ ବ୍ୟାଙ୍କ ଅନୁସାରେ ଭଲ କାମ କରୁଛି । ହେଲେ ତାହା ଗୋଟିଏ ସ୍ତର ଯାଏଁ ରହୁଛି । ରିସର୍ଚ୍ଚ ପରେ କେମିତି ବ୍ୟବସାୟିକ ଓ ଗ୍ଲୋବାଲ ଡାଟାବେସକୁ ଫିଟ ହେବ, ସେନେଇ ଆଲୋଚନା ହୋଇଛି । ରିସର୍ଚ୍ଚ ପାଇଁ ରାଜ୍ୟ ସରକାର ଅର୍ଥ ଦେଉଛନ୍ତି । ସେ ଦିଗରେ ଷ୍ଟାର୍ଟଅପ କାମ କରିବ ।

ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ତେଜିଲା ସ୍ବର, ୩ ଲକ୍ଷ କରିବାକୁ ଦାବି

ଭୁବନେଶ୍ବର: ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ପାଇଁ ବାଚସ୍ପତିଙ୍କୁ ସୁପାରିସ୍‌ କଲା ଦରମା ବୃଦ୍ଧି କମିଟି । ଦରଦାମ ବୃଦ୍ଧି, ଅନ୍ୟରାଜ୍ୟର ବିଧାୟକଙ୍କ ଦରମା ସହ ତୁଳନା କରି ଦରମା ବୃଦ୍ଧି ପାଇଁ ସୁପାରିସ କରାଯାଇଛି । ବିଧାୟକଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବୃଦ୍ଧି ପାଇଁ ବାଚସ୍ପତିଙ୍କୁ ସୁପାରିସ କରାଯାଇଛି । ଏହା ରାଜ୍ୟ ସରକାରଙ୍କ ବିଚାରାଧୀନ ଥିବା ଦରମା ବୃଦ୍ଧି କମିଟିର ଅଧ୍ୟକ୍ଷ ଅମର ଶତପଥୀ ଏହି ସୂଚନା ଦେଇଛନ୍ତି ।

ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ମଧ୍ୟ ସୁପାରିସ କରାଯାଇଛି । ବର୍ତ୍ତମାନ ଓଡ଼ିଶାର ବିଧାୟକମାନେ ଦରମା ଓ ଭତ୍ତା ବାବଦରେ ମାସିକ 99 ହଜାର ଟଙ୍କା ପାଉଛନ୍ତି । ଦରମା ବାବଦକୁ ୩୫ ହଜାର, କନଭେନିଏନ୍ସ ଆଲାଉନ୍ସ ୧୫ ହଜାର, ମେଡିକାଲ ଖର୍ଚ୍ଚ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା, ସେକ୍ରେଟିଆଲ ଖର୍ଚ୍ଚ ୨୦ ହଜାର, ବିଦ୍ୟୁତ ଭଡ଼ା ପାଇଁ ୫ ହଜାର ଟଙ୍କା ମିଳୁଛି ।

ସେହିପରି ପୂର୍ବତନ ବିଧାୟକମାନେ ପେନସନ ବାବଦକୁ ମାସିକ ୩୦ ହଜାର ଟଙ୍କା ପାଉଛନ୍ତି । ତେଣୁ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ହେବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ୨୦୧୭ରେ ଶେଷଥର ପାଇଁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ଓଡ଼ିଶା ବିଧାୟକଙ୍କ ଦରମା ୧ ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଶାସକ ଓ ବିରୋଧୀ ଦଳ ଦାବି କରିଥିଲେ ।

ଲାଞ୍ଚ ନେଉଥିଲେ ସବ-ଇନ୍ସସ୍ପେକ୍ଟର, ଭିଜିଲାନ୍ସକୁ ଦେଖି ଗିଳିଦେଲେ ୪ ହଜାର ଟଙ୍କା

ଚଣ୍ଡିଗଡ: ଲାଞ୍ଚ ନେଇ ହଟହଟା ସବ ଇନସ୍ପେକ୍ଟର  । ଭିଜିଲାନ୍ସ ଟିମ୍‌କୁ ଦେଖି ଗିଳିଦେଲେ ଟଙ୍କା  । ମଇଁଷି ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଲାଞ୍ଚ ନେଉଥିବାବେଳେ ଦେଖିବାକୁ ମିଳିଛି ଏମିତି ଅଦ୍ଭୁଦ ଘଟଣା  । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ହରିୟାଣାର ଫରିଦାବାଦରେ ଜଣେ ସବ ଇନସ୍ପେକ୍ଟର ଅଭିଯୋଗକାରୀଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ  । କିନ୍ତୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ପୋଲିସ ବାବୁଙ୍କୁ ମାଡି ବସିଥିଲା  । ପ୍ରମାଣ ନଷ୍ଟ କରିବାକୁ ତରବର ହୋଇ ଲାଞ୍ଚ ଟଙ୍କା ଗିଳି ଦେଇଥିଲେ ପୋଲିସ ବାବୁ  । ଭିଜିଲାନ୍ସ ସହ ସବ ଇନସ୍ପେକ୍ଟରଙ୍କ ପେଲାଠେଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  ।

ସେକ୍ଟର ୩ ଥାନାର ସବଇନସ୍ପେକ୍ଟରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା  । ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ  । କିନ୍ତୁ ଭିଜିଲାନ୍ସକୁ ଦେଖି ଟଙ୍କା ଗିଳି ଦେଇଥିଲେ ପୋଲିସ ବାବୁ  । ତଥାପି ତାଙ୍କ ଉଦ୍ୟମ ସଫଳ ହୋଇପାରି ନଥିଲା  । ଭିଜିଲାନ୍ସ ଟିମ ଜୋର ଜବରଦସ୍ତ ତାଙ୍କ ପାଟିରୁ ଟଙ୍କା ବାହାର କରି ଗିରଫ କରିଛି  ।

ମଇଁଷି ଚୋରି ମାମଲାର ରଫାଦଫା ପାଇଁ ଅଭିଯୋଗକାରୀଙ୍କୁ ପୋଲିସ ବାବୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ୧୦ ହଜାର ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା  । ଯାହାପରେ ଅଭିଯୋଗକାରୀ ତାଙ୍କୁ ଦୁଇ ଥରରେ ୬ ହଜାର ଟଙ୍କା ଦେଇଥିଲେ  । ଏହାପରେ ସେ ଟଙ୍କା ଦେବାକୁ ଅସର୍ମଥ ବୋଲି ପୋଲିସ ବାବୁଙ୍କୁ ଜଣାଇଥିଲେ  । ହେଲେ ସବଇନସ୍ପେକ୍ଟର ଆହୁରି ୪ ହଜାର ଦାବି କରିବାରୁ ବାଧ୍ୟ ହୋଇ ପୋଲିସର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ  ।

ସାହସିକତା ସହ ଚୀନକୁ ଜବାବ ଦେଇଛି ଭାରତୀୟ ସେନା, ସଂସଦରେ ଉତ୍ତର ରଖିଲେ ରାଜନାଥ

ନୂଆଦିଲ୍ଲୀ: ଅତି ସାହସିକତାର ସହ ଚୀନ ସେନାକୁ ଜବାବ ଦେଇଛି ଭାରତୀୟ ସେନା  । ଭାରତୀୟ ଯବାନ ଚୀନ ସୈନିକଙ୍କୁ ତାଙ୍କ ପୋଷ୍ଟକୁ ଫେରାଇବାରେ ସଫଳ ହୋଇଛନ୍ତି  । ଏହି ସମୟରେ ନା କୌଣସି ଯବାନଙ୍କ ନିଧନ ହୋଇଛି ନା କେହି ଯବାନ ଆହତ ହୋଇଛନ୍ତି  । ବରଂ ଡିସେମ୍ବର ୯ରେ ପିଏଲଏ ଯବାନ ଯଥାସମ୍ଭବ ସ୍ଥିତି ବଦଳାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି  । ଏହି ସମୟରେ ଭାରତୀୟ ଯବାନଙ୍କ ସହ ଚୀନ ସେନା ମୁହାଁମୁହିଁ ହୋଇଥିଲେ  । କିନ୍ତୁ ଅତି ସାହସିକତାର ସହ ସେମାନଙ୍କୁ ଜବାବ ଦେଇ ନିଜ ପୋଷ୍ଟ ଅଭିମୁଖେ ଭାରତୀୟ ସେନା ପଠାଇ ଦେଇଥିବା ସଂସଦରେ ଉତ୍ତର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଘଟଣା ପରେ ନିୟୋଜିତ କମାଣ୍ଡର ୧୧ ଡିସେମ୍ବରରେ ଚୀନ ପ୍ରତିପକ୍ଷଙ୍କ ସହ ଆଲୋଚନା କରି ତାଙ୍କୁ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି  । ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ‘‘ଭାରତୀୟ ସେନା ଭୌମିକ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ  । ଏହା ବିରୋଧରେ କୌଣସି ପ୍ରୟାସ ଅଟକାଇବା ପାଇଁ ସର୍ବଦା ତତ୍ପର ସେନା । ମୋତେ ବିଶ୍ବାସ ଅଛି ଯେ ସଂସଦ ଆମ ସେନାର ବୀରତ୍ବ ଓ ସାହସକୁ ଏକ ସ୍ବରରେ ସମର୍ଥନ ଦେବେ’’ ।

ତାଓ୍ବାଙ୍ଗରେ ଭାରତ-ଚୀନ ସେନା ସଂଘର୍ଷକୁ ନେଇ ସଂସଦରେ ହଙ୍ଗାମା । ଉଭୟ ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଉଭୟ ଗୃହକୁ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ସରକାର ସୀମା ବିବାଦକୁ ଚପାଇ ଦେବାକୁ ଉଦ୍ୟମ କରୁଥିବାରୁ ଚୀନର ଦୁଃସାହସ ବଢ଼ୁଛି ବୋଲି କଂଗ୍ରେସ କହିଛି ।

ରାଷ୍ଟ୍ର ସୁରକ୍ଷାକୁ ନେଇ ରାଜନୀତି ନକରି ଏହାର ସମାଧାନ ଦିଗରେ ଚର୍ଚ୍ଚା କରିବା ଆବଶ୍ୟକ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ସୀମାରେ ଚୀନର ଉତ୍ପାତ ବଢୁଥିବା ବେଳେ ସରକାର ଏହାର ଜବାବ ଦେବାକୁ କ’ଣ ପଦକ୍ଷେପ ନେଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ତାଓ୍ବାଙ୍ଗ ସଂଘର୍ଷକୁ ନେଇ ଲୋକସଭାରେ ଉତ୍ତର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ, କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ

ଭୋପାଳ: ପ୍ରଧାନମନ୍ତ୍ରୀଙ୍କୁ ନେଇ ବୟାନ ଦେବା ଘଟଣାରେ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ରାଜା ପଟେରିଆ ଗିରଫ । ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରହିବାକୁ ଏକ ଦଳୀୟ ସଭାରେ ରାଜା କହିଥିଲେ । ଏ ନେଇ ଗତକାଲି ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ତାଙ୍କୁ ଉଠାଇ ନେଇଛି ପୋଲିସ ।

ସମ୍ବିଧାନର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରହିବାକୁ ଏକ ସଭାରେ କହିଥିଲେ ରାଜା । ସଭାରେ ସେ ଦେଇଥିବା ବୟାନରେ ମଧ୍ୟ ହତ୍ୟା ମାନେ ହରାଇବାକୁ ପ୍ରସ୍ତୁତ ରହିବାକୁ କହିଥିଲେ । ତେବେ ପରେ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ହତ୍ୟା ନୁହେଁ ବରଂ ରାଜନୈତିକ ପରାଜୟକୁ ନେଇ ଏପରି କହିଥିବା ମଧ୍ୟ ସ୍ପଷ୍ଟ କରିଥିଲେ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଏନେଇ ରାଜାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଶୈଳେନ୍ଦ୍ରଙ୍କୁ ହତ୍ୟା କରିଛନ୍ତି ସ୍ବାମୀ, ପୋଲିସ ଆଗରେ ସତ ଉଗାରିଲା ସ୍ତ୍ରୀ

ନୟାଗଡ: LIC ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟା ମାମଲାରେ ନୂଆଗାଁ ପୋଲିସ ଏବଂ ସାଇଣ୍ଟିଫିକ ଟିମକୁ ମିଳିଛି ସବୁ ପ୍ରମାଣ । ପ୍ରମାଣ ଆଧାରରେ ଗତକାଲି ଦୁଇ ଜଣ ଅଭିଯୁକ୍ତ ସୁନିତା ସାହୁ ଏବଂ ସହଯୋଗୀ ସୁରୀକୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯିବ । ସେପଟେ ମୁଖ୍ୟ ଅଭିଯୁକ୍ତ ସୁନିତାର ସ୍ବାମୀ ଦିପୁ ସାହୁ ଓ ଶ୍ବଶୂରକୁ ଆଜି ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଉଭୟଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ରେଡ କରୁଛି ସ୍ବତନ୍ତ୍ର ଟିମ୍ । ଗତକାଲି ସୁନୀତା ଓ ସୁରୀକୁ ନେଇ କ୍ରାଇମ ସିନ ରିକ୍ରିଏଟ ପରେ ମୃତ ଶୈଳେନ୍ଦ୍ରଙ୍କ ହାଡ଼ ଓ ଖପୁରୀ ପୋଲିସ ହାତରେ ଲାଗିଥିଲା। ଶୈଳେନ୍ଦ୍ରଙ୍କୁ ହତ୍ୟା ପରେ ପୋଡ଼ି ଦେଇ ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ହାଡ଼ ପକାଇ ଦେଇଥିଲେ ଅଭିଯୁକ୍ତ । ସ୍ବାମୀ ଦୀପୁ ହିଁ ହତ୍ୟାକାରୀ ବୋଲି ସ୍ତ୍ରୀ ସୁନୀତା ସ୍ବୀକାର କରିଛି । ସେପଟେ ସତ ଉଗାରିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ ।

ଅନ୍ୟପଟେ ଟଙ୍କା ନେଣଦେଣ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଶଳା । ଟଙ୍କା ବିବାଦରୁ ହିଁ ଶୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ନୟାଗଡ଼ର ବାନ୍ଧବୀଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା ଘରେ କହିଥିଲେ ଶୈଳେନ୍ଦ୍ର । ବାନ୍ଧବୀ ଜଣଙ୍କ ଟଙ୍କା ଫେରାଉନଥିବାରୁ ନୟାଗଡ଼ ଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ଶୈଳେନ୍ଦ୍ରଙ୍କ ଶଳା । ଏହାକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି । ପରକୀୟା ପ୍ରୀତିରୁ ଶୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

ଅରୁଣାଚଳ ପ୍ରସଙ୍ଗରେ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ ସେନାମୁଖ୍ୟ ସାମିଲ

ଇଟ୍ଟାନଗର: ଅରୁଣାଚଳ ପ୍ରଦେଶରେ ଭାରତ ଚୀନ ସୈନିକଙ୍କ ସଂଘର୍ଷ ପରେ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ବାନ ଓ ତିନି ସେନା ମୁଖ୍ୟ ହେବେ ସାମିଲ  ।

ଦିନକ ପୂର୍ବରୁ ତୱାଙ୍ଗରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷର ଖବର ସାମ୍ନାକୁ ଆସିଥିଲା । ତୱାଙ୍ଗ ସେକ୍ଟରର ଏଲଏସିରେ ଏହି ସଂଘର୍ଷ ହୋଇଛି । ତେବେ ଦୁଇ ଦେଶର ସେନା ମଧ୍ୟରେ ଏହି ସଂଘର୍ଷ ଗତ ୯ ଡିସେମ୍ବର ରାତିରେ ହୋଇଥିବା ସୂଚନା ।  ତେବେ କୌଣସି ସୈନ୍ୟକଙ୍କ ମୃତ୍ୟୁ ହୋଇ ନଥିବା ଜଣାଯାଇଛି । ପ୍ରାୟ ୩୦ ସୈନିକ ଆହତ ହୋଇଥିବା ସୂଚନା । ଭାରତ-ଚୀନ ସୀମାନ୍ତର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦୁଇ ପକ୍ଷର ସୈନ୍ୟ ପହରା ଦେଉଥିବାବେଳେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।

ସେଠାରେ ନିୟୋଜିତ ଭାରତୀୟ ଯବାନ ଦୃଢ଼ତାର ସହ ସେମାନଙ୍କୁ ଜବାବ ଦେଇ ବିତାଡ଼ିତ କରିଥିଲେ । ସଂଘର୍ଷ ସମୟରେ ଉଭୟ ପକ୍ଷର କିଛି  ଯବାନ ଆହତ ମଧ୍ୟ ହୋଇଛନ୍ତି । ଘଟଣା ପରେ ଉଭୟ ପକ୍ଷ ସେଠାରୁ ପଛକୁ ହଟିଛନ୍ତି । ଗତବର୍ଷ ଅକ୍ଟୋବରରେ ତାଓ୍ବାଙ୍ଗର ୟାଙ୍ଗସରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା । ତାଓ୍ବଙ୍ଗର ୧୭ ହଜାର ଫୁଟ ଉଚ୍ଚରେ ଚୀନ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତୀୟ ସୈନ୍ୟ ପ୍ରତିରୋଧ କରିବାରୁ ସଂଘର୍ଷ ଉପୁଜିଥିଲା । ଗତ ୨୦୨୦ରେ ମଧ୍ୟ ଲଦାଖର ରିଞ୍ଚେନ ଲା’ରେ ବି ସଂଘର୍ଷ ଘଟିଥିଲା ।

ସୂଚନା ମୁତାବିକ, ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମୁହାଁମୁହିଁ ହେବା ପରେ ଭାରତର ଏରିଆ କମାଣ୍ଡର ନିଜ ସମକକ୍ଷ ଚୀନ ଅଧିକାରୀଙ୍କ ସହ ଫ୍ଲାଗ ମିଟିଙ୍ଗ କରିଛନ୍ତି । ଏହି ଅବସରରେ ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଉଭୟ ପକ୍ଷ ମିଳି ମିଶି ଏହି ମାମଲାର ସମାଧାନ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଏଥିସହିତ ଉଭୟ ପକ୍ଷରୁ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ବଳବତ୍ତର ରଖିବା କଥା କୁହାଯାଇଛି ।