ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ। ଗ୍ରାମାଞ୍ଚଳରେ ସମସ୍ତ ପରିବାରକୁ ପକ୍କାଘର ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଫଳତାର ସହ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି । ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି। ସ୍ଵଚ୍ଛତା ବଜାୟ ରଖିବା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ୧ ଲକ୍ଷ ୮ ହଜାର ୨୪୩ ଅଭିଯୋଗ ଆସିଥିଲା । ବ୍ଲକସ୍ତରରେ ୩ ଜଣିଆ କମିଟି ଯାଞ୍ଚ କରିବା ପରେ ୫୦ ହଜାର ୭୬୩ ଅଯୋଗ୍ୟଙ୍କୁ ବାଦ୍ ଦିଆଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ସଂପୃକ୍ତ ପଞ୍ଚାୟତର ଅନୁମୋଦନ ପାଇଁ ଦାଖଲ କରାଯାଇଥିଲା । ଏପର୍ଯ୍ୟନ୍ତ ୬ ହଜାର ୭୨୨ ପଞ୍ଚାୟତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି । ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ ପରେ ରାଜ୍ୟ ସରକାର କାର୍ଯ୍ୟାଦେଶ ବଣ୍ଟନ କରିବେ।