ଏବେଠୁ କଲବଲ କଲାଣି ଖରା, ଉପକୂଳରେ ପ୍ରବଳ ତାତି ସହ ଝାଞ୍ଜି ପବନ

ଭୁବନେଶ୍ୱର: ଏବେଠୁ କଲବଲ କଲାଣି ଖରା । ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ରାଜ୍ୟରେ ଗତ ନଭେମ୍ବରରୁ ବର୍ଷା ହୋଇନଥିବାରୁ ମାଟି ଶୁଷ୍କ ରହିଛି । ବାୟୁ ଚଳାଚଳ ମଧ୍ୟ ସଠିକ ଭାବରେ ହୋଇପାରୁନାହିଁ। ତେଣୁ ପ୍ରଚଣ୍ଡ ଖରାରେ ସହ ବିଭିନ୍ନ ସ୍ଥାନରେ ଝାଞ୍ଜି ପବନ ବହୁଛି । ଆସନ୍ତା ୫ ଦିନ ଯାଏ ତାତିରୁ ତ୍ରାହି ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ଦିନରେ ସ୍ବାଭାବିକ ତାପମାତ୍ରାରେ ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ । ଉପକୂଳରୁ ଉପାନ୍ତ ସବୁଠି ତାଉ ଦେଖାଇବ ତାତି । ଏବେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୭ ଡିଗ୍ରୀ ବା ତା’ଠାରୁ ଉପରେ ରହିଛି ।

ଗତକାଲି ତାଳଚେର, ବୌଦ୍ଧ ଓ ନୟାଗଡ଼ରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଲଗାତାର ୩୭ ଡିଗ୍ରୀରେ ରହୁଛି ଭୁବନେଶ୍ବରର ପାରା । ସେପଟେ ଆସନ୍ତା ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟରେ ସ୍ଥିତି ସଂଗୀନ ହେବ । ବିଶେଷ କରି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ଆଶଙ୍କା ରହିଛି । ତେବେ ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ସେତେବେଳେ ଗୁରୁଚାପ ବଳୟ ପ୍ରଭାବରେ ଓଡ଼ିଶାକୁ ସାମୁଦ୍ରିକ ପବନ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେବ।