spot_img
Home Blog Page 3073

ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି, ଶ୍ରୀମନ୍ଦିରକୁ ଆଜି ପ୍ରବେଶ କରିଛନ୍ତି ଦଇତାପତି

ପୁରୀ: ଆଗାମୀ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜି ଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ସକାଳୁ ସକାଳୁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜିଠାରୁ ଦୀର୍ଘ ଏକମାସ ଧରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା, ବାହୁଡା଼, ସୁନାବେଶ ଓ ନୀଳାଦ୍ରିବିଜେ ନୀତି ସମ୍ପାଦନ କରିବେ ଦଇତାପତି ସେବକ । ଏନେଇ ଆଜିଠାରୁ ଦଇତା ପ୍ରବେଶ ନୀତି ଆରମ୍ଭ ହେବା ସହ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚାରମାଳ ବନ୍ଧାଯିବ । ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଉଳ କାଠରେ ସେନାପଟା ନିର୍ମାଣ ମଧ୍ଯ କରାଯିବ ।

କ୍ୟାଡେଟଙ୍କ ସହ ହ୍ୟାଣ୍ଡସେକ ପରେ ତଳେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଓ୍ୱାଶିଂଟନ: ସଭାମଞ୍ଚରେ ଝୁଣ୍ଟିପଡ଼ିଲେ ସୁପରପାଓ୍ବାର ହେଡ୍ । ଏୟାର ଫୋର୍ସ ଏକାଡେମୀର ଏକ ସଭାରେ ଯୋଗ ଦେବା ଅବସରରେ ଝୁଣ୍ଟିଯାଇ ତଳେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କଲୋରାଡୋରେ ଏୟାର ଫୋର୍ସ ଏକାଡେମୀର ଏକ ଉତ୍ସବରେ ଯୋଗଦେଇଥିଲେ ୮୦ ବର୍ଷ ବୟସ୍କ ବାଇଡେନ୍ । ମିଲିଟାରୀ ଏକାଡେମୀର ଗ୍ରାଜୁଏଟମାନଙ୍କୁ ସେ ଉଦବୋଧନ ଦେବା ସହ ଜଣେ କ୍ୟାଡେଟ ସହ ହ୍ୟାଣ୍ଡସେକ୍ କରି ନିଜ ଆସନକୁ ଫେରି ଆସୁଥିବାବେଳେ ହଠାତ୍ ଝୁଣ୍ଟି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଜଣେ ଏୟାର ଫୋର୍ସ ଅଧିକାରୀ ହାତ ଧରି ଉଠାଇଥିଲେ । ପରେ ସେ ସ୍ବତଃପୂର୍ତ୍ତ ଭାବେ ନିଜ ଆସନକୁ ଯାଇଥିଲେ ।

ଷ୍ଟେଜରେ ଏକ କଳା ସ୍ୟାଣ୍ଡବ୍ୟାଗ ରଖାଯାଇଥିବାରୁ ସେ ଝୁଣ୍ଟି ପଡ଼ିଥିଲେ । ବାଇଡେନ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ହ୍ବାଇଟହାଉସ କମ୍ୟୁନିକେସନ ଡାଇରେକ୍ଟର ବେନ ଲାବୋଲ୍ଟ । ସଭା ପରେ ସେ ଏୟାରଫୋର୍ସ ଓ୍ବାନରେ ହ୍ବାଇଟ ହାଉସକୁ ଫେରିଥିଲେ । ବିମାନରେ ଚଢୁଥିବାବେଳେ ବି ତାଙ୍କ ମୁଣ୍ଡ ଡୋରରେ ମାଡ଼ ହୋଇଯାଇଥିଲା । ତେବେ ତାଙ୍କର କୌଣସି ଆଘାତ ହୋଇ ନଥିଲା ।

ପାରାଦ୍ୱୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା, ଟାକ୍ସିଷ୍ଟାଣ୍ଡର ରେଷ୍ଟ ସେଡରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ପାରାଦ୍ୱୀପ: ପାରାଦ୍ଵୀପ ଆଦର୍ଶ ଥାନା କଡ଼ରେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଯୁବକ ଜଣଙ୍କ ଗତ ୨୫ ଦିନ ହେଲା ସ୍ଥାନୀୟ ରେବିକା ହୋଟେଲରେ କାମ କରୁଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାଖିଆ ଲୋକନାଥପୁରରେ । ଶ୍ରୀଚରଣ ଜେନାଙ୍କ ୨୬ ବର୍ଷର ପୁଅ ଟୁବୁଲି ଜେନା ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଅସହ୍ୟ ଗରମ ଯୋଗୁଁ ଟୁବୁଲି ଓ ହୋଟେଲର କିଛି କର୍ମଚାରୀ ଟ୍ୟାକ୍ସି ଷ୍ଟାଣ୍ଡର ରେଷ୍ଟ ସେଡରେ ଶୋଇଥିଲେ । ମାତ୍ର ହୋଟେଲ ମାଲିକ ସମସ୍ତଙ୍କୁ ଘରେ ଶୋଇବାକୁ ଡାକିବାରୁ ସମସ୍ତେ ଘରେ ଶୋଇବାକୁ ଯାଇଥିଲେ । କିନ୍ତୁ ଟୁବୁଲି ରୁମକୁ ଯାଇଥିଲେ ମଧ୍ୟ ପରେ ବାହାରକୁ ଚାଲିଆସିଥିବା ଜଣାପଡିଛି।

ମୃତ ଟୁବୁଲିଙ୍କ ବେକ କଟା ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଛି । ଏକ ଛୁରୀ ସାହାଯ୍ୟରେ ତାଙ୍କ ମୁହଁକୁ ବାରମ୍ବାର ଆଘାତ କରାଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଆଦର୍ଶ ଥାନା ଅଧିକାରୀ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମକୁ ଡକାଯାଇଛି । ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ପୋଲିସ ତତ୍ପର ହୋଇପଡ଼ିଥିବା ବେଳେ ଯୁବକଙ୍କ ପରିବାରକୁ ଖବର ଦିଆଯାଇଛି । ଯୁବକଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ଗୋଟିଏ ସିମ୍ କାର୍ଡ ଜବତ କରିଛି ପୋଲିସ ।

ରାଜ୍ୟରେ ଖରାବର୍ଷାର ଲୁଚକାଳି ଖେଳ, ଦିନରେ ତାତି ସହିତ ଅପରାହ୍ନରେ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଖରାବର୍ଷାର ଲୁଚକାଳି ଖେଳ । ଦିନରେ ତାତି ସହିତ ଅପରାହ୍ନରେ ତାଣ୍ଡବ ରଚୁଛି କାଳବୈଶାଖୀ । ପଶ୍ଚିମରେ ପ୍ରବଳ ଖରା ହେଉଥିବାବେଳେ ଉପକୂଳକୁ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାକୁ କାଳବୈଶାଖୀ ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ । କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତିକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଆସନ୍ତାକାଲି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୪ ତାରିଖରେ ୧୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଚାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ପଶ୍ଚିମ ଓଡ଼ିଶାକୁ ତାତିରୁ ମିଳିବନି ତ୍ରାହି । ବିଭିନ୍ନ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।

ଆଜିଠୁ ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ, ସାମିଲ ହେବେ ୪୯ଟି ରାଷ୍ଟ୍ରର ୬୦୦ରୁ ଅଧିକ ପ୍ରତିନିଧି

ନୂଆଦିଲ୍ଲୀ: ଆଜିଠାରୁ ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ । ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ହୋଇପାରେ କଥା କଟାକଟି । ଏହି ସମ୍ମିଳନୀରେ ବିଭିନ୍ନ ସଦସ୍ୟ ରାଷ୍ଟ୍ର ପ୍ରତିରକ୍ଷା ଅଧିକାରୀ, ସାମରିକ ଅଧିକାରୀ, କୂଟନୀତିଜ୍ଞ, ଅସ୍ତ୍ରଶସ୍ତ୍ର ନିର୍ମାତା, ନିରାପତ୍ତା ସମୀକ୍ଷକ ଯୋଗଦେବେ । ଆସନ୍ତା ୪ ତାରିଖ ଯାଏ ହେବାକୁ ଥିବା ସମ୍ମିଳନୀରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବ । ସମ୍ମିଳନୀରେ ୪୯ଟି ରାଷ୍ଟ୍ରର ୬୦୦ରୁ ଅଧିକ ପ୍ରତିନିଧି ସାମିଲ ହେବେ । ଏଥିରେ ବହୁ ଦ୍ବିପାକ୍ଷିକ, ବହୁପାକ୍ଷିକ ସାମରିକ ପ୍ରସଙ୍ଗ ସ୍ଥାନ ପାଇବ ।

ତେବେ ଚୀନର ବୈଦେଶିକ ମନ୍ତ୍ରୀ ଲି ସାଙ୍ଗଫୁ ଆମେରିକା ପ୍ରତିପକ୍ଷ ଲିଡ୍ ଅଷ୍ଟିନଙ୍କୁ ସାକ୍ଷାତ କରିବାକୁ କରିଛନ୍ତି ଅଗ୍ରାହ୍ୟ । ତାଇଓ୍ବାନ ସମେତ ସାମ୍ପ୍ରତିକ ବିଶ୍ବ ରାଜନୈତିକ ଘଟଣା କ୍ରମେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଚୀନ ଓ ଆମେରିକା ମଧ୍ୟରେ ଚାଲିଛି କୂଟନୈତିକ ଯୁଦ୍ଧ । ଏହି ସମ୍ମିଳନୀରେ ଚୀନ-ତାଇଓ୍ବାନ ସମ୍ପର୍କ, ନର୍ଥ କୋରିଆର ଏକ ପାଖିଆ ଆଣବିକ ଅସ୍ତ୍ରଶସ୍ତ୍ର ବିକାଶ କାର୍ଯ୍ୟକ୍ରମ ପ୍ରମୁଖ ସ୍ଥାନ ପାଇବ ।

କେନ୍ଦ୍ର ବିରୋଧରେ ବଳ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆଜି ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିରୋଧରେ ସମର୍ଥନ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍ରିଓ୍ବାଲ । ଗତକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଭେଟିଥିଲେ କେଜ୍ରିଓ୍ବାଲ । ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ରାଜ୍ୟସଭାରେ ବିରୋଧ ପାଇଁ କେଜ୍ରିଓ୍ବାଲ ମାଗିଥିବା ସମର୍ଥନକୁ ଗ୍ରୀନ୍ ସିଗନାଲ ଦେଇଥିଲେ ଷ୍ଟାଲିନ । କେନ୍ଦ୍ରର ଅସାମ୍ବିଧାନିକ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳମୁଖ୍ୟଙ୍କୁ ଭେଟୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିଓ୍ବାଲ ଭେଟିଥିବା ବେଳେ ସେମାନେ କେନ୍ଦ୍ର ବିରୋଧରେ ଆପକୁ ସମର୍ଥନ ଦେଇଥିବା ଘୋଷଣା କରିଛନ୍ତି । ସେହିପରି ଏନସିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ସିପିଆଇଏମ ସୁପ୍ରିମୋ ମଧ୍ୟ ଆମ ଆଦମୀ ପାର୍ଟିକୁ ସମର୍ଥନ ଜଣାଇଛନ୍ତି । ଗତ ମେ’ ୧୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀରେ ଏକ ଅଧ୍ୟାଦେଶ ପାସ୍ କରିଥିଲେ କେନ୍ଦ୍ର ସରକାର । ସରକାରୀ କର୍ଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ଏହି ଅଧ୍ୟାଦେଶ ଜାରି କରିଥିଲେ ।

କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡିଛି ଚାଷୀ ମହାସଂଘ, ଆଜି କୁରୁକ୍ଷେତ୍ରରେ ମହାପଞ୍ଚାୟତ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଛି ଚାଷୀ ମହାସଂଘ । ଆଜି କୁରୁକ୍ଷେତ୍ରରେ ମହାପଞ୍ଚାୟତ ଡକାଯାଇଥିବା ବେଳେ ଆଗାମୀ ରଣନୀତି ସମ୍ପର୍କରେ ଘୋଷଣା କରାଯିବ । କୁରୁକ୍ଷେତ୍ରରେ ମହାମେଳିରେ ଖାପ୍ ଚୌଧୁରୀ ସମିତି ଗଠନ କରାଯିବ । ସମିତି ସଦସ୍ୟ ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କୁ ଭେଟି ଆଲୋଚନା କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅପିଲ କରିବେ । ଦେଶବ୍ୟାପୀ ବିକ୍ଷୋଭ କରାଯିବା ସହ ପୁଣି ଥରେ ଦିଲ୍ଲୀ ବର୍ଡର ସିଲ୍ କରାଯିବ ଚେତାବନୀ ଦେଇଛନ୍ତି ଚାଷୀନେତା ।

ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହେବା ମାତ୍ରେ ଅଭିଯୁକ୍ତକୁ ଗିରଫ କରିବାର ନିୟମ ରହିଛି । ହେଲେ ବ୍ରିଜଭୂଷଣଙ୍କୁ କାହିଁକି ଏଯାଏଁ ଗିରଫ କରାଯାଇନି ବୋଲି ପ୍ରଶ୍ନ ଉଠିଛି । ସେପଟେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ବଢୁଛି ସମର୍ଥନ । କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ନିନ୍ଦା କରୁଥିବାବେଳେ ସମର୍ଥନରେ ବାହାରିଛନ୍ତି ହରିଆଣା ବିଜେପି ଏମପି ବ୍ରିଜେନ୍ଦର ସିଂ । ସେପଟେ ରେସଲରଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ।

ଆଜି ଓଜେଇଇ ରେଜଲ୍ଟ, ଦିନ ୧୧ଟାରେ ଓ୍ୱେବସାଇଟରୁ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ଦିନ ୧୧ଟାରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିବେ । ଏହାପରେ ଛାତ୍ରଛାତ୍ରୀ ୱେବସାଇଟରୁ ନିଜ ରେଜଲ୍ଟ ପାଇପାରିବେ । www.ojee.nic.inରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତ ବର୍ଷ ମେ’ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ଚଳିତବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା ।

ରାଜ୍ୟରେ ଥିବା ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସଡ୍ ମୋଡରେ ପରୀକ୍ଷା ହୋଇଥିଲା ।

ପୁରୀରେ 5T ସଚିବ ଭିକେ ପାଣ୍ଡିଆନ, ଶ୍ରୀମନ୍ଦିର ଚାରିପାଖ ପରିକ୍ରମା ମାର୍ଗର କରିଛନ୍ତି ଅନୁଧ୍ୟାନ

ପୁରୀ: ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ପ୍ରତି ସପ୍ତାହରେ 5T ସଚିବ ଭିକେ ପାଣ୍ଡିଆନ ପୁରୀ ଯାଇ କାମର ଅଗ୍ରଗତି ନେଇ ଅପଡେଟ୍ ନେବା ସହ ଧାର୍ଯ୍ୟ ସମୟରେ କାମ ସାରିବାକୁ ଟାର୍ଗେଟ୍ ଦେଇଛନ୍ତି । ଆଜି ମଧ୍ୟ ସକାଳୁ ସକାଳୁ 5T ସଚିବ ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ଚାରିପାଖ ପରିକ୍ରମା ମାର୍ଗ ଅନୁଧ୍ୟାନ କରିଛନ୍ତି । ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ । ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ପୂର୍ବ ସପ୍ତାହରେ ଦିଆଯାଇଥିବା ଟାର୍ଗେଟ୍‌ ପୂରଣ ହୋଇଛି କି ନାହିଁ ସମୀକ୍ଷା କରିଛନ୍ତି 5T ସଚିବ । ଆଗାମୀ ୪ ତାରିଖରେ ସ୍ନାନ ପୂର୍ଣ୍ଣିମା ହୋଇଥିବାରୁ ଏହା ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖ ପ୍ରକଳ୍ପ କାମ ଶେଷ କରିବା ନେଇ ଦିଆଯାଇଥିବା ଟାର୍ଗେଟ୍ ସମ୍ପର୍କରେ ପଚାରି ବୁଝିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

 

ଭକ୍ତଙ୍କୁ ମିଳିବ ସ୍ୱତନ୍ତ୍ର ଅନୁଭୂତି, ଫୁଲ ଚନ୍ଦନ ସହ ସ୍ୱାଗତ କରାଯିବ

ପୁରୀ: ଭକ୍ତ ନିବାସକୁ ଆସୁଥିବା ଅତିଥି ଓ ଭକ୍ତଙ୍କୁ ମିଳିବ ସ୍ବତନ୍ତ୍ର ଅନୁଭୂତି। ଏଥିପାଇଁ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଭକ୍ତ ନିବାସକୁ ରହିବା ପାଇଁ ଆସୁଥିବା ଭକ୍ତଙ୍କୁ ଫୁଲ ଚନ୍ଦନ ସହ ସ୍ୱାଗତ କରାଯିବ। ବିଦାୟ ସମୟରେ ଭକ୍ତଙ୍କୁ ରଥକାଠ, ଦଉଡି, ରଥକନା ସମ୍ବଳିତ ପ୍ୟାକେଟ ପ୍ରଦାନ କରାଯିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଏହାର ଶୁଭାରମ୍ଭ କରିଛନ୍ତି।  ସମସ୍ତ ୪ଟି ଭକ୍ତ ନିବାସକୁ ଯାଇ ଭକ୍ତଙ୍କ ସହ ମତବିନିମୟ କରିଛନ୍ତି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।