ରେଙ୍ଗାଳୀ ଦକ୍ଷୀଣ କେନାଲରେ ଫସିଛି ଦନ୍ତା ହାତୀ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳି ସେକ୍ସନରେ ରେଙ୍ଗାଳୀ ଦକ୍ଷୀଣ କେନାଲରେ ଫସିଛି ଏକ ହାତୀ । କେନାଲ୍ ମଧ୍ୟକୁ ପଶି ଯାଇଥବା ବେଳେ ଆଉ ବାହାରି ପାରିନାହିଁ । ପ୍ରାୟ 4 ଘଣ୍ଟା ଧରି ପାଣିରେ ଫସି ରହିଛି ହାତୀ । କଂକ୍ରିଟ୍ କେନାଲ୍ ବନ୍ଧରୁ ଉଠିପାରିନଥିବା ବେଳେ ଶେଷରେ ଗୋଟିଏ ସ୍ଥାନରେ ପଡ଼ି ରହିଛି । ହାତୀକୁ ଦେଖିବାକୁ ଲୋକେ କେନାଲ୍ ବନ୍ଧରେ ଭିଡ଼ ଜମାଇଛନ୍ତି । ସୂଚନା ଅନୁଯାୟୀ ସୋମବାର ସଂଧ୍ୟାରେ ଦନ୍ତାହାତୀଟି ମେରାମଣ୍ଡଳି ଗାଁ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ରାତିରେ ଚିନ୍ତାପୋଖରୀ, ନଗାରୀ, ରଞ୍ଜାସିଂହା, ବିଡ଼ୋ, ତାଳଡ଼ଙ୍ଗା ଅଞ୍ଚଳରେ ଥିବା ଚାଷ ଜମି ପଶି ତାଳ ଓ ଧାନ ଫସଲ ଖାଇ ନଷ୍ଟ କରିଥିଲା ।

ମଙ୍ଗଳବାର ସକାଳ ପ୍ରାୟ ୬ ଟା ସମୟରେ ଚିନ୍ତାପୋଖରୀ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ନିମିଧା ଗାଁ ଜଙ୍ଗଲ ଆଡ଼କୁ ମୁହାଁଇ ଥିଲା । ମେରାମଣ୍ଡଳି ଗାଁ ନିକଟରେ ଥିବା ରେଙ୍ଗାଳୀ ଦକ୍ଷୀଣ କେନାଲ ପୋଲ ନିକଟରେ ଥିବା ପାହାଚ ଦେଇ କେନାଲର ପାଣିରେ ଦନ୍ତାହାତୀ ପଶିଥିଲା । ତେବେ ହାତୀ କେନାଲ ଭିତରେ ଗାଧୋଉଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭିଡ଼ ଜମେଇ ଥିଲେ । ଯାହାଫଳରେ ଦନ୍ତାହାତୀଟି ବାହାରକୁ ବାହାରି ନପାରି ପାଣି ଭିତରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ।