ମିଶନ ମୁନ୍‌: ରେସ୍‌ରେ ବିଶ୍ବ, ୩୩ ଥର ଋଷ ୩୧ ଥର ଆମେରିକା କରିଛି ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ: ୭ ଦଶକରେ ଚନ୍ଦ୍ରରେ ହୋଇଛି ୧୧୧ ମିଶନ । ୬୬ ଟି ମିଶନକୁ ସଫଳତା ମିଳିଥିବାବେଳେ ୪୧ଟି ମିଶନ ଅସଫଳ ହୋଇଛି । ସଫ୍ଟ ଲ୍ୟାଣ୍ଡିଂ ପାଇଁ ୩୮ ଥର ଚେଷ୍ଟା ହୋଇଛି । ୫୨% ସଫଳତା ମିଳିଛି । ଆମେରିକା, ଋଷ ଓ ଚୀନ ୩ଟି ଦେଶକୁ ସଫ୍ଟ ଲ୍ୟାଣ୍ଡିଂରେ ମିଳିଛି ସଫଳତା ।

 

ଋଷର ଲୁନା ୨ ମିଶନ ମୁନ ପାଇଁ ଦୁନିଆର ପ୍ରଥମ ମହାକାଶ ଯାନ ଅଟେ  । ୧୨ ସେପ୍ଟେମ୍ବର ୧୯୫୯ରେ ପ୍ରଥମ ଥର ଏହାକୁ ଲଞ୍ଚ କରିଥିଲା ଋଷ  ।୩  ଫେବୃଆରୀ ୧୯୬୬ରେ ଲୁନା ୯ ଚନ୍ଦ୍ର ଉପରେ ଅବକରଣ କରିଥିବା ପ୍ରଥମ ମିଶନ ଅଟେ  । ଦୁଇଟି ମିଶନରେ ଲୁନା ଚନ୍ଦ୍ରପୃଷ୍ଠରୁ ମାଟି ଆଣିବାରେ ସକ୍ଷମ ହୋଇଥିଲା  । ୧୯୭୬ରେ ଲୁନା ୨୪ ଚନ୍ଦ୍ରପୃଷ୍ଠରୁ ୧୭୦ ଗ୍ରାମ ମାଟି ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଥିଲା  । ଏହାର ୪୭ ବର୍ଷ ପରେ ଋଷ ଲୁନା ୨୫ କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା  । କିନ୍ତୁ ଅଗଷ୍ଟ ୨୧ରେ କ୍ରାସ ହୋଇଯାଇଥିଲା ଲୁନା  । ଋଷ ଚନ୍ଦ୍ରପୃଷ୍ଠକୁ ୩୩ଟି ମିଶନ ପଠାଇଥିବା ବେଳେ ୨୬ଟି ଫେଲ୍‌ ହୋଇଯାଇଛି  ।

 

ସେହିପରି ଆମେରିକା ଆପୋଲୋ ୧୧ ଜରିଆରେ ପ୍ରଥମ ଥର ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା  । ପ୍ରଥମେ ୧୯୬୯ ପରେ ୧୯୭୨ରେ ଆପୋଲୋକୁ ଚନ୍ଦ୍ର ଅଭିମୁଖେ ଲଞ୍ଚ କରିଥିଲା ଆମେରିକୀୟ ସ୍ପେଶ ଏଜେନ୍ସୀ ନାସା  । ରାତିରେ ଲଞ୍ଚ ହୋଇଥିବା ଏହା ପ୍ରଥମ ମିଶନ ଥିଲା  । ଆମେରିକା ଚନ୍ଦ୍ରପୃଷ୍ଠକୁ ୩୧ଟି ମିଶନ ପଠାଇ ଥିବାବେଳେ ୧୭ ଟିରେ ବିଫଳ ହୋଇଛି  ।

ଚନ୍ଦ୍ରପୃଷ୍ଠକୁ ୨୦୦୭ରେ ପ୍ରଥମ ମିଶନ ଲଞ୍ଚ କରିଥିଲା ଚୀନ  । ଚୀନ ବର୍ତ୍ତମାନ ସୁଦ୍ଧା ୫ଟି ମିଶନ ଲଞ୍ଚ କରିଛି  । ୭ ଡିସେମ୍ବର ୨୦୧୮ରେ ଚୀନ ପଠାଇଥିବା ଚୋଙ୍ଗାଇ ୪ରେ ଚୀନ ଏକ ବାକ୍ସ ପଠାଇଥିଲା  । ଯେଉଁଥିରେ କପା ଓ ଆଳୁ ସମେତ ଅନେକ ଚାରା ଥିଲା  । ଚୀନ ପଠାଇଥିବା ଏହି ଚାରା ଚନ୍ଦ୍ରପୃଷ୍ଠରେ ଅଙ୍କୁରିତ ମଧ୍ୟ କରାଯାଇଛି  । ସେହିପରି ଚୀନର ଚାଙ୍ଗୋଇ ୫ ମିଶନ ୨୦୨୦ରେ ଚନ୍ଦ୍ରପୃଷ୍ଠରୁ ୧୭୩୧ ଗ୍ରାମ ମାଟି ସଂଗ୍ରହ କରି ପୃଥିବୀ ଫେରିଛି  ।