ଭାରତରେ ଚିକିତ୍ସା ସେବା ଯୋଗାଇବାକୁ ଯୋଗ୍ୟତା ହାସଲ କରିପାରୁନାହାନ୍ତି

ଭୁବନେଶ୍ୱର: ବଢୁଛି ବିଦେଶରେ ଡାକ୍ତରୀ ପଢ଼଼ୁଥିବା ଭାରତୀୟଙ୍କ ସଂଖ୍ୟା । ବିଗତ ଦଶ ବର୍ଷ ମଧ୍ୟରେ ଏହି ସଂଖ୍ୟା ୪ଗୁଣା ବଢ଼଼ିଛି । ହେଲେ ଡାକ୍ତରୀ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ କମୁଛି ଫରେନ୍ ଗ୍ରାଜୁଏଟ ମେଡିକାଲ ଏକ୍ସାମ୍ (ଏଫଏମଜିଇ) ହାର । ଜାତୀୟ ମେଡିକାଲ କମିଶନ (ଏନଏମସି)ର ତଥ୍ୟରେ ୨୦୧୦ରୁ ୨୦୨୧ ମସିହା ମଧ୍ୟରେ ଦେଶର ୨ ଲକ୍ଷ ୩୨ ହଜାର ୯୭୩ ଜଣ ଛାତ୍ରଛାତ୍ରୀ ଏଫଏମଜିଇ ପରୀକ୍ଷା ଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ମାତ୍ର ୪୩ ହଜାର ୯୩୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମାତ୍ର ୧୮ ଦଶମିକ ୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଥିବାବେଳେ ୮୧ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅସଫଳ ହୋଇଛନ୍ତି । ବିଦେଶରେ ଏମବିବିଏସ ପଢ଼଼ି ଭାରତ ଫେରୁଥିବା ଡାକ୍ତରୀ ପିଲାଙ୍କୁ ସିଧାସଳଖ ଚିକିତ୍ସା ପାଇଁ ସୁଯୋଗ ମିଳିନଥାଏ ।
ଏଥିପାଇଁ ସେମାନଙ୍କୁ ଏନ୍‌ଏମସି ଦ୍ୱାରା ଆୟୋଜିତ ଏଫ୍‌ଏମ୍‌ଜିଇ ଉତ୍ତୀର୍ଣ୍ଣ ହେବାକୁ ପଡ଼େ । ୨୦୧୦ ମସିହାରେ ଏଫମଜିଇର ସଫଳତା ହାର ୨୬ ପ୍ରତିଶତ ଥିବାବେଳେ ୨୦୨୦ ମସିହାରେ ଏହା ୧୪%ରେ ପହଞ୍ଚିଛି । ଓଡ଼ିଶାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କୋଟି କୋଟି ଟଙ୍କା ସାରି ବିଦେଶରେ ଡାକ୍ତରୀ ପଢ଼଼ିବାକୁ ଯାଉଥିବା ପିଲାଙ୍କ ଡାକ୍ତରୀ ଶିକ୍ଷାର ଗୁଣାତ୍ମକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ସ୍ଥିତି ପୂର୍ବ ଅପେକ୍ଷା ଅନେକ ସୁଧୁରିଛି। ୫ ବର୍ଷରେ ମେଡିକାଲ୍ ସିଟ୍ ପ୍ରାୟ ୩ଗୁଣା ବଢ଼଼ିଛି। ବିଦେଶରେ ଡାକ୍ତରୀ ପଢ଼଼ା ପାଇଁ ଶିକ୍ଷାନୁଷ୍ଠାନ ଚୟନ ପୂର୍ବରୁ ଶିକ୍ଷାନୁଷ୍ଠାନ ସମ୍ପର୍କିତ ତର୍ଜମା ଭଲଭାବେ କରିବା ଜରୁରୀ ରହିଛି ।