ଅପରାଜିତାଙ୍କୁ ଜବାବଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର : ଅପରାଜିତାଙ୍କୁ ଜବାବଦେଲେ ପ୍ରସନ୍ନ ପାଟ୍ଟଶାଣୀ । ଗରିବ ଅସହାୟ ବସ୍ତିବାସିନ୍ଦାଙ୍କ ପାଖରେ ରହି କାମ କରାଯାଏ । ଅପରାଜିତା ବିବୃତି ଦେବା ବେଳେ ଶାଳୀନତା ରକ୍ଷା କରନ୍ତୁ ବୋଲି କହିଥିଲେ ପାଟ୍ଟଶାଣୀ । ଅନେକ ସମୟରେ ଅପ୍ରାସଙ୍ଗିକ ଓ ଭିତ୍ତୀହିନ ବିବୃତି ଦିଅନ୍ତୁ ନାହିଁ । ସେ କହିଛନ୍ତି ଭୁବନେଶ୍ୱର ସାଂସଦ ମୋ ଠାରୁ ବୟସ ଏବଂ ଅନୁଭବରେ ବହୁତ ସାନ । ସାମ୍ବାଦିକ ସମ୍ମିଳନୀରେ ମୋ ବିଷୟରେ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ, ଏହା ସଂପୂର୍ଣ୍ଣ ଭିତ୍ତିହୀନ । ସେ କହିଛନ୍ତି ଭୁବନେଶ୍ୱରରେ ସାଂସଦ ଥିବା ପାଞ୍ଚ ବର୍ଷର ରିପୋର୍ଟ କାର୍ଡ ଦେଖିବେ। ଲୋକସେବା ସରକାରୀ ଚାକିରୀ ନୁହେଁ ଯେ ବର୍ଷ ଶେଷରେ ଗୋଟିଏ ରିପୋର୍ଟ କାର୍ଡ ଡିଜାଇନ କରି ଉପରିସ୍ଥ ଅଧିକାରୀରଙ୍କୁ ଦେବାକୁ ପଡ଼ିବ । ମୋର ରିପୋର୍ଟ କାର୍ଡ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା କ୍ଷେତ୍ରର ଲୋକମାନେ ଦିଅନ୍ତି । ଯାହା ପ୍ରତି ନିର୍ବାଚନରେ ଭୋଟ ବ୍ୟବଧାନରେ ପ୍ରତିଫଳିତ ହୁଏ । ଆଜି ବି ମୋ ସମୟର ହୋଇଥିବା ବିକାଶ ର ଫଳକମାନ ଅଛି, ବିଜେପି ତାର ଲୋକ ପଠାଇ ଅନୁଧ୍ୟାନ କରୁ ପ୍ରମାଣ ସହ ଉତ୍ତର ପାଇଯିବ ।

ସେ ଏହା ମଧ୍ୟ କହିଛନ୍ତି ସାଂସଦ ଅପରାଜିତାଙ୍କୁ, ଖାଲି କିଛି ପିଇବା ପାଣି ଯନ୍ତ୍ର ଲଗାଇଦେଲେ କି କିଛି ସୋଲାର ଲାଇଟ୍ ଲଗାଇଦେଲେ ବିକାଶ ହୁଏନି । ବିକାଶର ଦଳ ନଥାଏ କି ଅଯଥା ରାଜନୀତି କଲେ ବିକାଶ ହୁଏନି । ଏହି ପାଞ୍ଚ ବର୍ଷରେ କେତେ ବିକାଶ ହୋଇଛି କେତେ ଦୁର୍ନୀତି ହୋଇଛି ଲୋକଙ୍କ ପାଖରେ କେତେ ଥର ସାଂସଦ ପହଞ୍ଚିଛନ୍ତି ତାର ହିସାବ ମଧ୍ୟ ମୋ ପାଖରେ ଅଛି । କଡ଼ା ଟିପ୍ପଣୀ ଦେଇ କହିଛନ୍ତି ଅହଂକାର ରଖି ଲୋକସେବା କରାଯାଏନି, ଲୋକଙ୍କ ଆଶୀର୍ବାଦ ପାଇବାକୁ ହେଲେ ସର୍ବଦା ଭଦ୍ର ଏବଂ ନମ୍ର ହେବାକୁ ପଡ଼େ ।