ଶିକ୍ଷିତ ଯୁବକଙ୍କ ହାତରେ ଢ଼ୋଲ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ ଏକାମ୍ର ରାଜା ରଣେଶ ପୂଜା କମିଟିର ଭସାଣୀ ଉତ୍ସବରେ ଯୋଗଦେଇ ଚର୍ଚ୍ଚାରେ ମହାରାଷ୍ଟ୍ର ନାଗପୁରର ଶିବରାଜ ଢୋଲ ତାସା, ପାଠକ ଢୋଲ ଗ୍ରୁପ । ଏମାନଙ୍କ ପଛରେ ରହିଛି ଅନେକ କାହାଣୀ । ସଭିଁଏ ଉଚ୍ଚଶିକ୍ଷିତ । ବଡ ବଡ କମ୍ପାନୀରେ ଚାକିରି କରିବା ସହିତ ଅନେକ ସଦସ୍ୟ ପାଠ ପଢୁଛନ୍ତି । ହେଲେ ଏମାନଙ୍କ ମନରେ ନାହିଁ ଢୋଲ ବଜାଇବା ପାଇଁ ଗର୍ବ ଅଂହକାର । ଟଙ୍କା ପାଇଁ ନୁହେଁ ଛତ୍ରପତି ଶିବାଜୀଙ୍କୁ ସ୍ମରଣ କରି ନିଜର ସଂସ୍କୃତି ଆଗକୁ ନେବା ପାଇଁ ଆଗେଇ ଆସିଛନ୍ତି ଯୁବପିଢୀ ।

କିଏ ସପ୍ଟଓ୍ବେୟାର ଇଞ୍ଜିନିୟର, କିଏ ଆଡଭୋକେଟ । ଆଉ କିଏ ଯବାନ ତ ଆଉ କିଏ ପୋଲିସ୍ । କିଏ ପାଠ ପଢୁଛି ତ ଆଉ କିଏ ବ୍ୟବସାୟ କରୁଛି । ପେସା ନୁହେଁ ପ୍ୟାସନ୍ । ସଭିଁଏ ଉଚ୍ଚ ଶିକ୍ଷିତ । ହେଲେ ନିଶା ଧାର୍ମିକ ଉତ୍ସବରେ ଢୋଲ ବଜାଇବା । ଶୁଭମ । ମହିନ୍ଦ୍ରା କମ୍ପାନୀରେ ଇନ୍ୟୁରାନ୍ସ ଏକ୍ଜିକ୍ୟୁଟିଭି ପୋଷ୍ଟରେ । ପ୍ରଗତି । ଭଲ କମ୍ପାନୀରେ ସପ୍ଟୱେୟାର ଇଞ୍ଜିନିୟର । ହେଲେ ଏମାନଙ୍କ ନିଶା ପାଲଟିଛି ଢୋଲ ବଜାଇବା । ତୋଶିତ, ଜଣେ ବ୍ୟବସାୟୀ । ହସ ହସ ମୁହଁ, ହାତରେ ଷ୍ଟିକ ଅଣ୍ଟାରେ ଢୋଲ ବାନ୍ଧିବା ପରେ ଆସିଯାଏ ସାତ ସିଂହର ବଳ । ନା ଅଛି ଥକାପଣ, ନା ଅଛି ଭୋକ ଶୋଷ । ଘଣ୍ଟା ଘଣ୍ଟା ଧରି ଛତ୍ରପତି ଶିବାଜୀଙ୍କୁ ସ୍ମରଣ କରି ବିନ୍ଦାସ ଢୋଲ ବଜାନ୍ତି । ପେଟ ପୋଷିବା ପାଇଁ ନୁହେଁ ଏ ସବୁ କରିବା ନିଜର କଳା ଓ ସଂସ୍କୃତିକୁ ଆଗକୁ ନେବା ମୂଳ ଲକ୍ଷ ବୋଲି କହିଛନ୍ତି ।

୬୫ ଜଣ ଯୁବକ ଓ ଯୁବତୀଙ୍କୁ ନେଇ ତିଆରି ହୋଇଛି ଶିବରାଜ ଢୋଲ ତାସା ପାଠକ ଢୋଲ ଗ୍ରୁପ । କେବଳ ଗଣପତି ଓ ନବରାତ୍ର ସମୟରେ ଏହି ଉଚ୍ଚଶିକ୍ଷିତ ଯୁବକ ମାନେ ଢୋଲ ବଜାନ୍ତି । ଦିନରେ ନିଜ ପ୍ରଫେସନରେ ବ୍ୟସ୍ତ ରହୁଥିବା ଏହି ଯୁବକ ମାନେ ରାତି ହେଲେ ଗୋଟିଏ ଜାଗାରେ ଏକାଠି ହୋଇ ଅଭ୍ୟାସ କରନ୍ତି । କିଏ ଅଫିସରୁ ଛୁଟି ନେଇ ତ ଆଉ କିଏ ଭଗବାନଙ୍କ ପାଇଁ ବାହାନା କରି ଛୁଟି ନେଇ ଢୋଲ ବଜାଇବା ପାଇଁ ପଳେଇ ଆସନ୍ତି । ଗଣେଶ ପୂଜାର ଦୁଇ ମାସ ପୂର୍ବରୁ ପ୍ରତିଦିନ ଦୁଇରୁ ତିନି ଘଣ୍ଟା ଅଭ୍ୟାସ କରିନ୍ତି । ବଜାଉ ଥିବା ଢୋଲର ଓଜନ ପ୍ରାୟ ୨୦ କେଜି ରହିଛି । ଗୋଟିଏ କାର୍ଯ୍ୟକ୍ରମ ପିଛା ସାଢେ ୩ ଲକ୍ଷ ଟଙ୍କା ନିଅନ୍ତି ।