ସବୁ ଜାଣିଶୁଣି ଚୁପ୍ ବିରୋଧୀ ଦଳ ନେତା!

ଭୁବନେଶ୍ବର: ଖାଲଖମା ରାସ୍ତା, ଆଖି ଆଗରେ ଯାଉଛି ଅମୂଲ୍ୟ ଜୀବନ। ସବୁ ଜାଣିଶୁଣି ଚୁପ୍ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବର୍ଷ ବର୍ଷ ଧରି ନିର୍ମାଣ ଚାଲିଛି ୫୫ନମ୍ବର ଜାତୀୟ ରାଜପଥ, ହେଲେ କାମ ସରୁନି। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରୁଥିବାରୁ ଜୟନାରାୟଣଙ୍କ ତୁଣ୍ଡରେ ଲାଗିଛି ତାଲା। ଏପରି ଡବଲ ଷ୍ଟାଣ୍ଡାର୍ଡ ନୀତି ବିରୋଧରେ ବର୍ଷିଛି ବିଜେଡି। ଏହି ପ୍ରସଙ୍ଗକୁ ଆଜି ଗୃହରେ ଉଠାଇଥାନ୍ତେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ହେଲେ ବିଜେପିର ଚକ୍ରାନ୍ତ ଯୋଗୁଁ ଏହି ବଡ଼ ପ୍ରସଙ୍ଗ ଗୃହକୁ ଆସି ପାରିଲା ନାହିଁ। ଗୃହ ଚାଲିଥିଲେ ୫୫ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗରେ କେନ୍ଦ୍ର ସହ ବିରୋଧୀ ଦଳ ନେତାଙ୍କ ଅସଲ ମୁଖା ପଦାରେ ପଡ଼ି ଯାଇଥାନ୍ତା ।

ଦୁର୍ଦ୍ଦଶା ଦେଖି ବି ଚୁପ୍। ମୁଣ୍ଡ ନେଉଛି ରାସ୍ତା। ବିରୋଧୀ ଦଳ ନେତାଙ୍କ ତୁଣ୍ଡରେ ତାଲା। ରାଜନୈତିକ ସ୍ବାର୍ଥ ପାଇଁ ନା କହୁଛନ୍ତି, ନା କୁହାଇ ଦେଉଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଦେଇ ଯାଉଛି ୫୫ନମ୍ବର ଜାତୀୟ ରାଜପଥ। ନିଜେ ଜୟନାରାୟଣ ଏହି ରାସ୍ତା ବ୍ୟବହାର ବି କରନ୍ତି। ହେଲେ ତାଙ୍କୁ ଦିଶୁନି ରାସ୍ତାର ଦୁର୍ଦ୍ଦଶା। କାରଣ ଏହି ଡେଥଟ୍ରାକର ନିର୍ମାଣ କରୁଛି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଜାତୀୟ ରାଜପଥର ମରାମତି ପଶ୍ଚିମ ଓଡ଼ିଶା ଲୋକଙ୍କ ମୁଖ୍ୟ ଦାବି। ହେଲେ ବିରୋଧୀ ଦଳ ନେତା ବିଧାନସଭାରେ ଏ ପ୍ରସଙ୍ଗ ଉଠାଉ ନାହାନ୍ତି କି ଅନ୍ୟ ଦଳଙ୍କୁ ଉଠାଇବାକୁ ଦେଉନାହାନ୍ତି।

ଜାଣିଶୁଣି ସେ ଗୃହ ଅଚଳ କରୁଥିବା ଅଭିଯୋଗ କରିଛି ବିଜେଡି। ଗୃହରେ ମନଇଚ୍ଛା ଅବାନ୍ତର ପ୍ରଶ୍ନ କରୁଛନ୍ତି। ହେଲେ ୫୫ନମ୍ବର ଜାତୀୟ ରାଜପଥ ନେଇ ପ୍ରଶ୍ନ ପଚାରିବାକୁ ସାହସ ଜୁଟାଇ ପାରୁନାହାନ୍ତି ଜୟନାରାୟଣ। କାରଣ ଏପ୍ରସଙ୍ଗ ଉଠାଇଲେ, କେନ୍ଦ୍ର ସରକାର କାଠଗଡାରେ ପଡିଯିବେ। ହୁଏତ ବହୁ ଅପେକ୍ଷା ପରେ ମିଳିଥିବା ବିରୋଧୀ ଦଳ ନେତା ପଦ ବି ଜୟନାରାୟଣଙ୍କ ହାତରୁ ଯାଇପାରେ। କଟକରୁ ସମ୍ବଲପୁର ଯାଏ ୩ଶହ କିଲୋମିଟରରୁ ଅଧିକ ରାସ୍ତା ଦେଇ ଏହି ଜାତୀୟ ରାଜପଥ ଯାଇଛି। ଲୋକଙ୍କ ଲାଇଫଲାଇନ ତ ହୋଇ ପାରିଲାନି, ପ୍ରତିଦିନ ଦୁର୍ଘଟଣାରେ ଜୀବନ ଯାଉଛି । ୯ବର୍ଷ ହେଲା କାମ ଚାଲିଛି, ନିର୍ମାଣକାରୀ ସଂସ୍ଥା ଵି ବଦଳୁଛି। ହେଲେ କାମ କେବେ ସରିବ, ତାର ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୫୫ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ୱରରୁ ସମ୍ବଲପୁର ଯାତାୟତ କରନ୍ତି । ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନିକୁ ଅଣଦେଖା କରିଦିଅନ୍ତି। ଏଯାଏ ୫ଶହରୁ ଅଧିକଙ୍କ ଜୀବନ ନେଲାଣି ଏହି ବିପଦସଙ୍କୁଳ ଜାତୀୟ ରାଜପଥ। ବିଜେଡି ଵି ବାରମ୍ବାର ରାସ୍ତାର ଦୁର୍ଦ୍ଦଶା ନେଇ ଆନ୍ଦୋଳନ କରିଛି। ଶୀଘ୍ର କାମ ସାରିବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଵି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କର୍ଣ୍ଣପାତ କରୁନି କେନ୍ଦ୍ର। ଜୟନାରାୟଣ ପାର୍ଟିକୁ ପଛରେ ରଖି ମାଟିର ସ୍ୱାର୍ଥ ପାଇଁ ୫୫ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇବାକୁ ଦାବି ଜୋର ଧରିଛି।