spot_img
Home Blog Page 5502

ଆଡମିଟ୍ କାର୍ଡ଼ ଡାଉନଲୋଡ୍ ପାଇଁ ବିଜ୍ଞପ୍ତି ଜାରି କଲା CHSE

ଭୁବନେଶ୍ୱର: ସିଏଚଏସଇ ପକ୍ଷରୁ ଆଡମିଟ୍ କାର୍ଡ ଡାଉନଲୋଡ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ? ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଠାରୁ ପ୍ରାକ୍ଟିକାଲ୍ ରେକର୍ଡ ଓ ପ୍ରୋଜେକ୍ଟ ରିପୋର୍ଟ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। କୋଭିଡ ଗାଇଡଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି।

ପ୍ରତ୍ୟେକ କାର୍ଯ୍ୟ ଦିବସରେ ତିନୋଟି ବ୍ୟାଚ୍ ପରୀକ୍ଷକଙ୍କ ପାଇଁ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ୟାଚ୍ ପାଇଁ ସମୟ ଅବଧି ଦୁଇ ଘଣ୍ଟା ହେବ। ସର୍ବାଧିକ ୪୦ ଜଣ ପରୀକ୍ଷାର୍ଥୀଙ୍କୁ ୨ ଘଣ୍ଟା ଅବଧିର ଗୋଟିଏ ବ୍ୟାଚରେ ରଖାଯିବ । କର୍ମଚାରୀ ଏବଂ ପରୀକ୍ଷାର୍ଥୀ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କର୍ମଚାରୀ ଏବଂ ପରୀକ୍ଷାର୍ଥୀମାନେ ଫେସ୍ ମାସ୍କ ବିନା ବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିବାକୁ ଦିଆଯିବା ନାହିଁ। ପ୍ରବେଶ ପଥରେ ହାତ ସାନିଟାଇଜର ପାଇଁ ବ୍ୟବସ୍ଥା କରାଯିବ।

ଭିଡ଼କୁ ଏଡାଇବା ପାଇଁ ଭିନ୍ନ ଭିନ୍ନ କାଉଣ୍ଟର ଖୋଲାଯିବ । ଦୁଇଟି କାଉଣ୍ଟର ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରହିବ । ୬ ଫୁଟର ସର୍ବନିମ୍ନ ଶାରୀରିକ ଦୂରତା ରହିବା ନିତାନ୍ତ ଆବଶ୍ୟକ। କ୍ୟାମ୍ପସରେ ଗାଇଡଲାଇନ ତଦାରଖ ଲାଗି ଏକ ସ୍କ୍ୱାଡ଼ ଗଠନ କରାଯିବ। ରିପୋର୍ଟ ଦାଖଲ ପରେ ପରୀକ୍ଷାର୍ଥୀ କ୍ୟାମ୍ପସ ଛାଡ଼ିବେ। କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛି ସିଏଚଏସଇ।

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

ପୁରୀ: ଆସନ୍ତାକାଲି ମହାବାହୁଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ହେବ ମହାସ୍ନାନ। ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ସ୍ୱତ୍ତ୍ୱଲିପି ଅନୁଯାୟୀ ଆବଶ୍ୟକ ସଂଖ୍ୟକ ସେବାୟତ ନିୟୋଜିତ ହେବେ।

ମଙ୍ଗଳ ଆଳତୀ ପରେ ବିଭିନ୍ନ ବାଡ଼ର ଦଇତା ସେବକ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି । ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀଜିଉମାନେ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ । ୨୪ ତାରିଖ ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେହବ । ଅପରାହ୍ନରେ ଗଜଓଲାଗି ବେଶ ପରେ ଆରମ୍ଭ ହେବ । ବାହୁଡ଼ା ପହଣ୍ଡି  ଏହିପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ବଳବତ୍ତର ଏହା ରହିବ। ତେବେ ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିବ । କେବଳ ପାସଧାରୀ ସେବାୟତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯିବ। ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଗହଳି ଏଡ଼ାଇବା ବ୍ୟବସ୍ଥା ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।

ଟାଙ୍ଗୀରୁ ଦୀଘା ପର୍ଯ୍ୟନ୍ତ ହେବ କୋଷ୍ଟାଲ ହାଇୱେ, ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା

ଓଡ଼ିଶାର ବିସ୍ତୃତ ସାମୁଦ୍ରିକ ତଟ ଓ ପ୍ରାକୃତିକ ହ୍ରଦ ଚିଲିକା ଦେଇ ହେବ ବାଣିଜ୍ୟ କରିଡର । ଏଥିପାଇଁ ନିର୍ମାଣ ହେବ କୋଷ୍ଟାଲ ହାଇଓ୍ବେ । ୨୦୧୫ରୁ କେନ୍ଦ୍ର ସରକାର ଏହି ଘୋଷଣା କରିଥିଲେ ବି ଦୀର୍ଘ ୬ ବର୍ଷ ହେଲା ଝୁଲି ରହିଛି । ପର୍ଯ୍ୟଟନର ବିକାଶ ସହିତ ବାଣିଜ୍ୟ କରିଡର କରାଯାଇ ସ୍ଥାନୀୟ ଅଞ୍ଚଳର ଅର୍ଥନୀତିର ବିକାଶ ସହିତ ରୋଜଗାର ସୁବିଧା ମିଳିବ । ପ୍ରଥମେ ଗୋପାଳପୁରରୁ ପଶ୍ଚିମବଙ୍ଗର ଦିଘା ପର୍ଯ୍ୟନ୍ତ ୪୫୦ କିଲୋମିଟିର ବିଶିଷ୍ଟ ହାଇୱେ ସଂଯୋଗ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନକ୍ସା ପ୍ରସ୍ତୁତ କରିଥିଲେ । ପ୍ରସ୍ତାବ ଥିଲା, ଚିଲିକା ଉପରେ ଦୁଇଟି ବ୍ରିଜ୍‌ ନିର୍ମାଣ କରାଯିବ । ଏହି କୋଷ୍ଟାଲ ହାଇଓ୍ବେର ନକ୍ସାରେ ୩ ଥର ପରିବର୍ତ୍ତନ କରାଗଲା । ସାତପଡ଼ାକୁ ବାଦ ଦେଇ ନକ୍ସା ପ୍ରସ୍ତୁତ ହେବାରୁ ବିଜେଡି ଆପତ୍ତି ଉଠାଇଥିଲା । ଏବେ ୬ଟି ଜିଲ୍ଲା ଦେଇ ପ୍ରାୟ ୪୦୦ କିଲୋମିଟର ରାସ୍ତା ନିର୍ମାଣ କରିବା ପାଇଁ ନକ୍ସା ପ୍ରସ୍ତୁତ ହୋଇଛି । ଏହି ରାସ୍ତା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରୁ ଆରମ୍ଭ ହୋଇ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦୀପ, ରତନପୁର, ସାତଭାୟା, ଧାମରା, ବାସୁଦେବପୁର, ତାଳପଦା, ଚାନ୍ଦିପୁର, ଚନ୍ଦନେଶ୍ବର ଦେଇ ଦିଘାକୁ ସଂଯୋଗ କରିବ । ମୂଳ ନକ୍ସାରେ ବାରମ୍ବାର ପରିବର୍ତ୍ତନକୁ ବିଜେଡି ବିରୋଧ କରୁଥିବା ବେଳେ କଂଗ୍ରେସ ଦେଇଛି ବିକଳ୍ପ ପ୍ରସ୍ତାବ । ଋଷିକୁଲ୍ୟା ଓ ସୁବର୍ଣ୍ଣରେଖା ନଦୀକୁ ସଂଯୋଗ କରି କୋଷ୍ଟାଲ କେନାଲର ପ୍ରସ୍ତାବ ଦେଇଛି କଂଗ୍ରେସ।

 

ସ୍ମାର୍ଟ ସିଟିକୁ ଶତ ପ୍ରତିଶତ ଟୀକାକରଣରେ ସାମିଲ କରିବାକୁ ବିଏମସି ପକ୍ଷରୁ ଯୋଜନା

ଭୁବନେଶ୍ୱର: ସଂଜୀବନୀ ସାଜିଛି ଭ୍ୟାକ୍ସିନ । ଟିକାକରଣ ସମସ୍ୟାର ସମାଧାନ ସହିତ ସମସ୍ତଙ୍କୁ ଶତ ପ୍ରତିଶତ ଟୀକାକରଣରେ ସାମିଲ କରିବାକୁ ବିଏମସି ପକ୍ଷରୁ ଚାଲିଛି ଯୋଜନା । ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ ଦୁଇଟି ଡୋଜ ହିସାବରେ ମୋଟ ୧୮ଲକ୍ଷ ୧୪ହଜାର ୩୮୮ ଡୋଜ ଟୀକା ଟାର୍ଗେଟ ରଖିଛି ବିଏମସି । ଭୁବନେଶ୍ୱରରେ କେବଳ ଦିଆଯାଉଛି କୋଭକ୍ସିନ ଟିକା । ମୋଟ ୬୧ଟି କେନ୍ଦ୍ରରେ ଦୈନିକ ୩୦ହଜାର ହିସାବରେ ଦିଆଯାଉଛି ଟିକା । ଏଥିରେ ସବୁ ବର୍ଗଙ୍କୁ ପ୍ରାଥମିକତା ଦିଆଯାଉଛି । ସିଧାସଳଖ ନିର୍ଦ୍ଧାରିତ କେନ୍ଦ୍ରରେ ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷ ୮୨ହଜାରରୁ ଅଧିକ ଡୋଜ ଦିଆସରିଛି । ଅବଶିଷ୍ଟ ଡୋଜ ୨୦ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବିଏମସି।

ଭୁବନେଶ୍ୱରରେ ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ଯୁବବର୍ଗ ରହିଛନ୍ତି । ଅଧିକାଂଶ ବରିଷ୍ଠ ନାଗରିକ ତଥା ୪୫ବର୍ଷରୁ ଅଧିକ ଟୀକା ନେଇସାରିଛନ୍ତି । ରାଜଧାନୀରେ ମୋଟ ୬୧ଟି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ଥିବା ବେଳେ ସେଥିରେ ପ୍ରାୟ ୫ଶହ କର୍ମଚାରୀ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ହୋଇଥିବା ଟୀକାକରଣରେ ୭ଲକ୍ଷ ୪୨ହଜାର ୭୪୨ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୪ଲକ୍ଷ ୩୯ହଜାର ୩୪୦ଜଣ ଉଭୟ ଡୋଜ ନେଇସାରିଥିବା ଜଣାପଡିଛି।

୬୧ଟିକେନ୍ଦ୍ରରେ ୩୦ରୁ ୩୧ହଜାର ଡୋଜ ଟୀକା ଦିଆଯାଉଥିବା ବେଳେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ବିଏମସି ପକ୍ଷରୁ ବସ୍ତି ଉପରେ ଗୁରୁତ୍ୱ ଦେଇ ମୋବିଲାଇଜେସନ ସେଣ୍ଟର ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି ।

ଗୁପକାର ମେଣ୍ଟର ମହାରଣନୀତି: ଉଠିବ ଧାରା ୩୭୦ ପ୍ରସଙ୍ଗ, ଜାମ୍ମୁ-କାଶ୍ମୀର ବିକାଶ ପାଇଁ ହେବ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ବର ଶାଣିତ କରିବେ ଜାମ୍ମୁ-କାଶ୍ମୀର ନେତା । ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ଉଠିବ ଅନେକ ପ୍ରସଙ୍ଗ । ଆଜି ଫାରୁକ ଅବଦୁଲ୍ଲାଙ୍କ ଘରେ ବସିଥିବା ଗୁପକାର ମେଣ୍ଟର ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଧାରା ୩୭୦ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ପିଏମଙ୍କ ବୈଠକରେ ଜାମ୍ମୁ-କାଶ୍ମୀରେ ବିଧାନସଭା ନିର୍ବାଚନ ନେଇ ଆଲୋଚନା ହେବ ।

ଗୁପକାର ମେଣ୍ଟର ମେଗାପ୍ଲାନ୍ । ଏକାଠି ହେଲେ ସବୁ ନେତା । ପିଏମଙ୍କ ବୈଠକରେ ଉଠିବ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ । ମଙ୍ଗ ସମ୍ଭାଳିବେ ଫାରୁକ ଅବଦୁଲ୍ଲା । ଦିଲ୍ଲୀ ଦରବାରରେ ପୁଣି ଥରେ ନିଜର ଦାବି ରଖିବେ ଜାମ୍ମ-କାଶ୍ମୀର ନେତା । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ସାମିଲ ହେବେ ଗୁପକାର ମେଣ୍ଟର ସମସ୍ତ ନେତା । ଏ ନେଇ ଆଜି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ଘରେ ବସିଥିଲା ଗୁପକାର ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ । ପିଏମ ଡାକିଥିବା ବୈଠକରେ ସମସ୍ତ ନେତା ସାମିଲ ହେବେ । ପୂର୍ବ ଦାବି ସରକାରଙ୍କ ପାଖରେ ଦୋହରା ଯିବବୋଲି କହିଛନ୍ତି ଫାରୁକ ଅବଦୁଲ୍ଲା ।

ଦିଲ୍ଲୀରେ ଉଠିବ ପୁରୁଣା ଦାବି । ତେବେ କି ଦାବି ରଖିବେ ଗୁପକାର ନେତା ? ସେ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । କୁହାଯାଉଛି, ଧାରା ୩୭୦ ଓ ୩୫-ଏ ହେବ ମୁଖ୍ୟ ପ୍ରସଙ୍ଗ । ଏଥି ସହ ଯେଉଁ ଲୋକଙ୍କୁ ଜେଲରୁ ରଖାଯାଇଛି ସେମାନଙ୍କୁ ବାହାର କରିବାକୁ ଦାବି ଉଠାଯିବ । ବାହାର ଜିଲ୍ଲାରେ ଥିବା ଲୋକଙ୍କୁ ଜାମ୍ମୁ-କାଶ୍ମୀର ଫେରାଇ ଆଣିବା । ଟୁରିଜିମ୍ ଓ ଟ୍ରାନ୍ସପୋର୍ଟ ଉପରେ ଧ୍ୟାନ ଦେବା ପ୍ରସଙ୍ଗ ଉଠାଇବେ ନେତା । ତେବେ ଧାରା ୩୭୦କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ ଥିବା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତୀ ।

ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ଜାମ୍ମୁ-କାଶ୍ମୀରର ଆଠ ରାଜନୈତିକ ଦଳର ୧୪ ଜଣ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ବୈଠକରେ ବିଧାନସଭା ନିର୍ବାଚନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱରରେ ପୁଣି ମାତିଲେ ସାଇବର ଅପରାଧୀ, ମାୟାବିନୀର ହନିଟ୍ରାପରେ ଶିକ୍ଷକ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ମାତିଲେ ସାଇବର ଅପରାଧୀ। ମାୟାବିନୀର ହନିଟ୍ରାପରେ ଶିକ୍ଷକ। ଲୁଟ୍‌ର ଶିକାର ଯୁବକଜଣଙ୍କ ଇନ୍‌ଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ । ନଗ୍ନ ଫଟୋ ଓ ଶାରୀରିକ ସଂପର୍କର ପ୍ରଲୋଭନ ଦେଖାଇ ଶିକ୍ଷକଙ୍କଠାରୁ ୩ଟି ପର୍ଯ୍ୟାୟରେ ୬୦ ହଜାର ଲୁଟିନେଲା। କିଛି ଦିନ ତଳେ ଜଣେ ଯୁବତୀଙ୍କ ସହ ଫେସ୍‌ବୁକ୍‌ରେ ତାଙ୍କର ବନ୍ଧୁତା ହୋଇଥିଲେ। ଯୁବତୀଜଣଙ୍କ ଚାଟିଂ ଓ ଭିଡିଓ କଲ ମଧ୍ୟ କରୁଥିଲେ ।

ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରୁ ଯୁବତୀଜଣଙ୍କ ତାଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ ସେ ଯୁବକଙ୍କଠାରୁ ୩ଟି ପର୍ଯ୍ୟାୟରେ ମୋଟ ୬୦ ହଜାର ଟଙ୍କା ନେଇଥିଲେ । ଟଙ୍କା ପାଇଯିବା ପରେ ସେ ଉକ୍ତ ଫେସବୁକ୍ ଆକାଉଣ୍ଟଟି ଉଭାନ୍ ହୋଇଯାଇଥିଲା। ଯୁବତୀଙ୍କ ସହ ଅନ୍ୟ ସବୁପ୍ରକାର ଯୋଗାଯୋଗ ମଧ୍ୟ ବନ୍ଦ ହୋଇଯାଇଥିଲା। ଆଉ ଶେଷରେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏକ ମମାଲ ରୁଜୁ କରି ତଦନ୍ତ କରୁଛି ।

ଭୁବନେଶ୍ୱରରେ ଶବସତ୍କାର ପାଇଁ ଜାଗାର ସମସ୍ୟା, କୁହୁଳିବାରେ ଲାଗିଛି ଅସନ୍ତୋଷ

ଭୁବନେଶ୍ୱର: ଭୁବନେଶ୍ୱରରେ ଶବସତ୍କାର ପାଇଁ ଜାଗାର ସମସ୍ୟା । ସତ୍ୟନଗର ସ୍ଥିତ ଶ୍ମଶାନ, ସମାଧିସ୍ଥଳୀ ଓ କବରସ୍ଥାନକୁ ନେଇ ଉପୁଜିଛି ଜଟିଳ ପରିସ୍ଥିତି । ସ୍ଥାନଭାଵ ସାଙ୍ଗକୁ ପ୍ରଦୂଷଣ ଜନିତ ସମସ୍ୟାକୁ ନେଇ ଉଠିଛି ବିରୋଧର ସ୍ୱର । ଭୁବନେଶ୍ୱରର ସତ୍ୟନଗରର ଗୋଟିଏ ଇଲାକାରେ ଦୀର୍ଘ ବର୍ଷରୁ ରହିଛି ହିନ୍ଦୁ, ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ଅନ୍ତେଷ୍ଟିସ୍ଥଳୀ । ଗୋଟିଏ ପଟେ ଭୁବନେଶ୍ୱରରେ ହସ୍ପିଟାଲ ଓ ଘରୋଇ ନର୍ସିଂ ହୋମ ଏବଂ ଅନ୍ୟପଟେ ବର୍ତ୍ତମାନ ଜାରି ରହିଥିବା ମହାମାରୀ ଜନିତ ସମସ୍ୟା। ଏଥିପାଇଁ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ସମାଧିସ୍ଥଳୀ ଓ ମୁସଲମାନଙ୍କ କବରସ୍ଥାନରେ ସ୍ଥାନର ଘୋର ସମସ୍ୟା ଦେଖାଦେଇଛି । ଫଳରେ କଙ୍କାଳ ଉପରେ ପୁଣି ଶବ ପୋତିବାକୁ ପଡୁଛି। ଏଥିପାଇଁ ତୁରନ୍ତ ଅନ୍ୟତ୍ର ସ୍ଥାନ ଚିହ୍ନଟ କରି ନୂତନ ସମାଧିସ୍ଥଳୀ ଓ କବରସ୍ଥାନ କରିବାକୁ ଦାବି ହୋଇଛି।

ପ୍ରଦୂଷଣ ଜନିତ ସମସ୍ୟା ସହିତ କୋଭିଡ ଚିନ୍ତା। ଏହାକୁ ନେଇ ସତ୍ୟନଗରବାସୀଙ୍କ ଦାବି ସହିତ ଏକମତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି ସହିଦନଗରବାସୀ । ଦସ୍ତଖତ ଅଭିଯାନ ପରେ ଆଜି ବିଏମସି କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରି 6ମାସ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି । ଅପରପକ୍ଷେ ସମସ୍ୟାର ସମାଧାନ ପାଇଁ ପଟିଆ ଓ ଭରତପୁର ଠାରେ ଦୁଇଟି ଶ୍ମଶାନ କାର୍ଯ୍ୟକ୍ଷମ କରାଯାଇଛି । ତଥାପି ବିଭିନ୍ନ ଧର୍ମର ସମସ୍ୟା ଜଡିତ ଥିବା କାରଣରୁ ଏନେଇ ବିଚାରବିମର୍ଷ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର।

ଶ୍ମଶାନ ଓ ସମାଧିସ୍ଥଳୀ ଜନିତ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ପିଟିଶନର ଶୁଣାଣି କରି ରାଜ୍ୟ ମାନବାଧିକାର କମିଶନ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି ।

ମହାମାରୀ ବେଳେ ବିଜେପିର ରାଜନୀତି, ଟିକା ବଦଳରେ ପୋଷ୍ଟର ଚିନ୍ତା

ଭୁବନେଶ୍ୱର: ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଚେତନତା ବାର୍ତ୍ତା ଥିବା ପୋଷ୍ଟର ଚିରୁଛନ୍ତି । ଏହାକୁ ଦେଖି ଏବେ ସମଗ୍ର ରାଜ୍ୟରେ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପିର ଏହା ହୀନ ରାଜନୀତି ବୋଲି ଚର୍ଚ୍ଚା ହେଉଛି । ଟିକା ଯୋଗାଣରେ ଫେଲ୍ ମାରିଥିବା କେନ୍ଦ୍ରର ବିଜେପି ସରକାରଙ୍କ ଭାବମୂର୍ତ୍ତି ମଳିନ ହୋଇ ଆସୁଥିବା ବେଳେ ବିଜେପି କର୍ମୀଙ୍କ ଏଭଳି କାଣ୍ଡ ଭୋକ ବିକଳରେ ତାଟିଆ କାମୁଡ଼ା ବୋଲି ମତ ପ୍ରକାଶ ପାଇଛି ।

ସଂକଟ ବେଳେ ଶ୍ରେୟ ପାଇଁ କେତେ ତଳକୁ ଖସିପାରେ ବିଜେପି । ଦଳୀୟ ନେତାଙ୍କ ବିଜ୍ଞାପନ ପାଇଁ କେତେ ହୀନ ରାଜନୀତି କରିପାରେ ଦଳ। କରୋନା ଉଜାଡିଛି ଅନେକ ଘର, ଭାଙ୍ଗିଛି କେତେ ସଂସାର । ହେଲେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୋଷ୍ଟର୍ ନଲାଗିବାକୁ ନେଇ ଲଜ୍ଜାଜନକ କାଣ୍ଡ କରିଛନ୍ତି ବିଜେପି କର୍ମୀ । ଧସେଇ ପଶିବା, ଠେଲାପେଲା କରିବାକୁ ବି ପଛାଇ ନାହାନ୍ତି । ଏଭଳି ଘଟଣା ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି ।

ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି । ହେଲେ ଫଟୋରେ ଟିକାର ଦୁଇଟି ଯାକ ମାତ୍ରା ଠିକ୍ ସମୟରେ ନେବା ପାଇଁ ଅନୁରୋଧ କରିବା ସହ ଟିକା ନେବା ପରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି, ସଂକ୍ରମଣ ବେଳେ ସଚେତନ କରିବାରେ ଭୁଲ୍ କେଉଁଠି ? ଟିକାର ଶ୍ରେୟ ନେଇ ପ୍ରଶ୍ନ କେଉଁଠୁ ଆସିଲା ? ସେପଟେ କୋଭିଡ୍ ବେଳେ ଲୋକେ ଠିକ୍‌ରେ ଟିକା ପାଆନ୍ତୁ କି ନପାଆନ୍ତୁ ସେଥିପ୍ରତି କେନ୍ଦ୍ର ସରକାରଙ୍କ ଧ୍ୟାନ ନାହିଁ । ହେଲେ ମୋଦିଙ୍କ ଫଟୋ କାହିଁକି ନାହିଁ, ତାକୁ ନେଇ ହଙ୍ଗାମା କରିଛନ୍ତି ବିଜେପି କର୍ମୀ । ଫଳରେ ବିଭିନ୍ନ କେନ୍ଦ୍ରରେ ଟିକାକରଣ ବାଧାପ୍ରାପ୍ତ ହୋଇଛି ।

ସାରା ଦେଶରେ ଟିକାକରଣ ଅଭିଯାନକୁ ନୂଆ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ମାଗଣା ଟିକା ଘୋଷଣା ହେଉ କି ଟିକା କିଣିବା, ଲୋକଙ୍କ ଜୀବନ ରକ୍ଷା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର । ପ୍ରଥମେ ଟିକା କମ୍ପାନୀ ସହ ଏମଓୟୁ କରିବା ସହ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବି କରିଛି ରାଜ୍ୟ। କେବଳ ସେତିକି ନୁହେଁ ଆବଶ୍ୟକ ବେଳେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଇ ରାଷ୍ଟ୍ରନାୟକର ପରିଚୟ ମଧ୍ୟ ଦେଇଛନ୍ତି ନବୀନ । ସେପଟେ ଦ୍ବିତୀୟ ଲହର ମୁକାବିଲା ଓ ଭ୍ୟାକସିନ୍‌ ପ୍ଲାନ୍ ନେଇ କେନ୍ଦ୍ରକୁ ବାରମ୍ବାର ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଭୂତାଣୁ ଯୁଦ୍ଧରେ ଫେଲ୍ ମାରିଛି କେନ୍ଦ୍ରର ବିଜେପି ସରକାର । ଠିକ୍‌ ସମୟରେ ଟିକାକରଣ ନହେବାରୁ ଅନେକ ଜୀବନ ଯାଇଛି । ଆଉ ଏବେ ଶ୍ରେୟ ନେବାକୁ ଗୁଣ୍ଡାଗର୍ଦ୍ଦି କରି ଲୋକଙ୍କୁ ହଇରାଣ କରୁଛନ୍ତି ବିଜେପି କର୍ମୀ ।

ସେପଟେ ବାହାବା ନେବା ଉଦ୍ଦେଶ୍ୟରେ ଫଟୋକୁ ନେଇ ରାଜନୀତି କରୁଥିବା ବିଜେପି ପାଇଁ ବୁମେରାଂ ହେବ ପୋଷ୍ଟର ଚିରା । ଲୋକଙ୍କୁ ଦିଆଯାଉଥିବା ମାଗଣା ଟିକା, କେନ୍ଦ୍ର ସରକାର ନିଜ ପକେଟରୁ ଦେଉନାହାନ୍ତି। ଏହା ଜନତାଙ୍କ ପଇସା। ତେଣୁ ଶ୍ରେୟ ମାଗିବାକୁ ବିଜେପି କିଏ ? ଏତେ ଅସହିଷ୍ଣୁତା କାହିଁକି? ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିବା ଘଟଣା ବିଜେପିର ହୀନ ରାଜନୀତିକୁ ପଦାରେ ପକାଇଛି ।

ସତର୍କତା ଓ ସଚେତନତା ପାଇଁ ସଫଳତା, ଝାରସୁଗୁଡ଼ାର ଏହି ଗାଁକୁ ଏଯାଏ ଛୁଇଁନାହିଁ କରୋନା ଭୂତାଣୁ

ଝାରସୁଗୁଡ଼ା: ଗାଁରେ ପାଦଥାପି ନାହିଁ ମହାମାରୀ କରୋନା । ଭୂତାଣୁ ମୁକ୍ତ ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର ଖଏଟ ଗାଁ । କରୋନାର ପ୍ରଥମ ଓ ଦ୍ବିତୀୟ ଲହର ସବୁଠି କାୟା ବିସ୍ତାର କରିଥିବା ବେଳେ ଖଏଟ ଗାଁ ଭାଇରସ୍ ଠାରୁ ବହୁ ଦୂରରେ ରହିଛି । ସଚେତନତା ଓ ସତର୍କତା ପାଇଁ ସଫଳତା ମିଳିଛି ବୋଲି ଲୋକଙ୍କ ବିଶ୍ବାସ ।

ଭୂତାଣୁକୁ ଚେକ୍ ଦେଉଛନ୍ତି ଆଦିବାସୀ ସମ୍ପ୍ରଦାୟ । ଗାଁରେ ପାଦଥାପି ନାହିଁ ମାରାତ୍ମକ ଭାଇରସ୍ । କରୋନା ମୁକ୍ତ ଖଏଟ ଗାଁ । ସଚେତନତା ଓ ସତର୍କତା ପାଇଁ ସଫଳତା । ଝାରସୁଗୁଡା ଜିଲ୍ଲା ସଦର ବ୍ଲକର ଖଏଟ ଗାଁ । ୬୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ରହୁଥିବା ଏହି ଗାଁରେ ମାରାତ୍ମକ କରୋନା ଭାଇରସ୍ ଏଯାଏ ପାଦଥାପି ନାହିଁ । ସତର୍କତା ଓ ସଚେତନା ପାଇଁ ସୁରକ୍ଷିତ ଅଛନ୍ତି ଏଠିକାର ଲୋକ । କରୋନାର ପ୍ରଥମ ଓ ଦ୍ବିତୀୟ ଲହର ସବୁଠି କାୟା ବିସ୍ତାର କରିଥିବା ବେଳେ ଗାଁର ଯୁବପିଢୀ, ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କ ସଚେତନତା ପାଇଁ ଭୂତାଣୁ ଗାଁ ଠାରୁ ବହୁ ଦୂରରେ ରହିଛି ।

ଜ଼ିଲ୍ଲାପ୍ରଶାସନ ପକ୍ଷରୁ ଗାଁରେ ଦୁଇଥର ସ୍ବାବ୍ ପରୀକ୍ଷା ହୋଇଛି । ମାତ୍ର ପ୍ରତ୍ୟେକ ଥର ରିପୋର୍ଟ ନେଗେଟିଭ୍ ଆସିଛି । କରୋନା କଟକଣା ମାନି ଏଠିକାର ଲୋକ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରଖୁଥିବାରୁ ଗାଁ କରୋନା ମୁକ୍ତ ହୋଇଛି । ଅନ୍ୟପଟେ ସଚେତନତା ଓ ସତର୍କତା ପାଇଁ ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବିଡ଼ିଓ ।

CBSE ଦ୍ବାଦଶ ମୂଲ୍ୟାୟନ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ, ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ସିବିଏସଇ ଦ୍ବାଦଶ ମୂଲ୍ୟାୟନ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ସୁପ୍ରିମକୋର୍ଟ । ଏହି ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଛନ୍ତି । ଦ୍ବାଦଶ ପରୀକ୍ଷା ରଦ୍ଦ ବିରୋଧରେ ଆଗତ ପିଟିସନକୁ ଖାରଜ କରିଛନ୍ତି କୋର୍ଟ । ଏହାସହ ଦ୍ବାଦଶ ଶ୍ରେଣୀ ଲାଗି ସରକାର କରିଥିବା ମୂଲ୍ୟାୟନ ପଦ୍ଧତିକୁ କୋର୍ଟ ଦେଇଛନ୍ତି ଗ୍ରୀନ ସିଗନାଲ ।

ଏହି ମାମଲାରେ ସୁପ୍ରିମ କୋର୍ଟରେ ଉତ୍ତର ରଖି ସରକାର କହିଥିଲେ- ସିବିଏସଇ ଓ ଆଇସିଏସଇ କ୍ଷେତ୍ରରେ ଏକକ ମୂଲ୍ୟାୟନ ବ୍ୟବସ୍ଥା ସମ୍ଭବ ନୁହେଁ । ବିଭିନ୍ନ ରାଜ୍ୟରେ ବିଭିନ୍ନ ପଲିସି ରହିଛି । ଏଣୁ ଏକକ ମୂଲ୍ୟାୟନ ବ୍ୟବସ୍ଥା ସମ୍ଭବ ନୁହେଁ । ଦେଶରେ ବ୍ୟାପୁଥିବା କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କୋର୍ଟରେ କହିଛନ୍ତି ।

ମୂଲ୍ୟାୟନରେ ସନ୍ତୁଷ୍ଟ ନ ହୋଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଛାତ୍ରଛାତ୍ରୀ । କୋର୍ଟରେ ସୁପ୍ରିମକୋର୍ଟ କହିଥିଲେ- ଛାତ୍ରଛାତ୍ରୀଙ୍କ ଜୀବନ ମୂଲ୍ୟବାନ ଏବଂ କୋଭିଡ ସମୟରେ ଏହାକୁ ଅଣଦେଖା କରାଯାଇପାରିବ ନାହିଁ । ଯଦି ପରୀକ୍ଷା କାଳରେ କିଛି ଅଘଟଣ ଘଟେ ତେବେ ବୋର୍ଡ ବିରୋଧରେ ଅଭିଭାବକ ମାମଲା ଦାୟର କରିବା ଆଶଙ୍କା ରହିଛି । ଏଥିଲାଗି ପରୀକ୍ଷା ବାତିଲ କରାଯାଇଛି ବୋଲି ସରକାର ଦର୍ଶାଇଥିଲେ ।